ମୁଖ୍ୟ ଖବର
ଭୁବନେଶ୍ୱର : ବିଜେପିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫମ୍ପା ମାଠିଆର ଶବ୍ଦ ବେଶୀ ବୋଲି ସମାଲୋଚନା କରିଥିବାବେଳେ ଏହାର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତିଯେ, ମୁଖ୍ୟମନ୍ତ୍ରୀଙ୍କ ମାଠିଆ ଭାଙ୍ଗି ଯାଇଛି । ଭଙ୍ଗା ମାଠିଆର କାହାଣୀ ମୁଁ ଶୁଣାଇବାକୁ ଚାହୁଁଛି । ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ନାଁରେ ଲୋକଙ୍କୁ ଭୂଅାଁ ବୁଲାଉଛନ୍ତି । ଯଦି ରାଜ୍ୟ ସରକାର ୧୮ ଲକ୍ଷ ଲୋକଙ୍କୁ ଚାଉଳ ଦେଉଛନ୍ତି ତେବେ ଅବଶିଷ୍ଟ ଲୋକମାନେ ମୋଦି ସରକାରଙ୍କ ଯୋଜନା ଦ୍ୱାରା ଉପକୃତ ହେଉଛନ୍ତି ବୋଲି ରାଜ୍ୟ ସରକାର ସ୍ୱୀକାର କରୁଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀମାନଙ୍କୁ ସୁବିଧା ଦେବାରେ ସରକାର ବିଫଳ ହୋଇଛନ୍ତି । ଖାଦ୍ୟ କମିଶନ ମଧ୍ୟ ଏଭଳି ଟିପ୍ପଣୀ ଦେଇଛନ୍ତି । ବିଧାୟକଙ୍କ ପନôୀ ଓ ମେୟରଙ୍କ ନାମରେ ରାସନ କାଡର଼୍ ବଂଟାଯାଇଥିଲା ବୋଲି ରାଜ୍ୟବାସୀ ଜାଣିଛନ୍ତି । ହନୁ ମଲା ବେଳେ ସତ କହିବା ଭଳି ପ୍ରକୃତରେ ହିତାଧିକାରୀଙ୍କୁ ଚାଉଳ କିଏ ଦେଉଛି ତାହା ଜନତାଙ୍କ ନିକଟରେ ସ୍ପଷ୍ଟ ହୋଇଯାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଧର୍ମେନ୍ଦ୍ର କହିଲେଯେ, ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ସରକାର ମଧ୍ୟ ଜନତାଙ୍କ ଉପରେ ବୋଝକୁ ଲାଘବ କରିବା ପାଇଁ ଆଗେଇ ଆସିବା ଦରକାର । ପେଟ୍ରୋଲ ଓ ଡିଜେଲ ଦର ଅଢେ଼ଇ ଟଙ୍କା ହ୍ରାସ କରିବା ନିମନ୍ତେ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଥିବାବେଳେ ରାଜ୍ୟ ସରକାର ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ସେ କହିଥିଲେ ।
ସୂଚନାଯୋଗ୍ୟଯେ, ଅକ୍ଟୋବର ୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଥିଲେ । ସେହିଦିନ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରାର ମଧ୍ୟ ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ନବୀନ କହିଥିଲେଯେ, ବିଜେପିର ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ଏକ ନମ୍ବର କାର୍ଯ୍ୟକ୍ରମ ଥଲା । ଏକ୍ଷେତ୍ରରେ ବିଜେପି ରାଜ୍ୟବାସୀଙ୍କୁ ପ୍ରତାରିତ କରିଛି । ବିଜେପି ଫମ୍ପା ମାଠିଆ ସଦୃଶ । ଏହାର ଶବ୍ଦ ବେଶୀ ବୋଲି ସେ କହିଥିଲେ । ଆମେ ସବୁବେଳେ ଲୋକଙ୍କ ସାଙ୍ଗରେ ଅଛୁ ଓ ଲୋକଙ୍କ ପାଇଁ କାମ କରୁଛୁ । ଲୋକମାନେ ଜାଣୁଛନ୍ତି କିଏ ପ୍ରତିଶ୍ରୁତି ପାଳନ କରୁଛି, କିଏ କରୁନାହିଁ । ଆମେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛୁ । ଖାଦ୍ୟ ସୁରକ୍ଷା, ଆଶ୍ରୟ ସୁରକ୍ଷା, ସ୍ୱାସ୍ଥ୍ୟ ସୁରକ୍ଷା ଓ ସାମାଜିକ ସୁରକ୍ଷା ଆମ ସଫଳତାର ଚାରୋଟି ସ୍ତମ୍ଭ ବୋଲି ନବୀନ କହିଥିଲେ ।
Comments ସମସ୍ତ ମତାମତ 0