ମୁଖ୍ୟ ଖବର
ନୂଆଦିଲ୍ଲୀ : ଦାଗୀ ନେତାମାନେ ନିର୍ବାଚନ ଲଢ଼ିପାରିବେ କି ? ଯେଉଁ ଯେଉଁ ନେତାଙ୍କ ନାମରେ ଚାର୍ଜସିଟ କରାଯାଇଛି ସେମାନଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ମିଳିବ କି ? ଚାର୍ଜସିଟ ହୋଇଥିବା ନେତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବ କି ? ଏଭଳି ଅନେକ ପ୍ରଶ୍ନ ଭାରତୀୟଙ୍କ ମନରେ ଆନେ୍ଦାଳିତ କରୁଥିବାବେଳେ ସୁପ୍ରିମକୋର୍ଟ ଏମିତି ଏକ ମାମଲାର ଶୁଣାଣୀ କରି ରାୟ ପ୍ରକାଶ କରିଛନ୍ତି । ଏସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ସଂସଦ ନେଇପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏଥିପାଇଁ ସଂସଦରେ ସ୍ୱତନ୍ତ୍ର ଆଇନ ଆସିବା ଦରକାର ବୋଲି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ।
ଏସଂକ୍ରାନ୍ତୀୟ ମାମଲାର ଶୁଣାଣୀ ପାଇଁ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରାଯାଇଥିଲା । ଜଷ୍ଟିସ ଆରଏଫ ନରିମାନ, ଏଏମ ଖାନୱିଲକର, ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଇନ୍ଦୁ ମାଲହୋତ୍ରା ମାମଲାର ଶୁଣାଣୀ କରିଥିଲେ । ଲୋକ ପ୍ରତିନିଧି ଆଇନରେ ଥିବା ପ୍ରଚଳିତ ନିୟମାନୁଯାୟୀ ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ନିର୍ବାଚନ ଲଢ଼ିପାରିବେ ନାହିଁ । ତେବେ ଯେଉଁ ନେତାମାନଙ୍କ ନାମରେ ଅପରାଧିକ ମାମଲା ରହିଛି ଓ ସେମାନଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି ସେମାନଙ୍କୁ ମଧ୍ୟ ନିର୍ବାଚନ ଲଢ଼ିବାର ସୁଯୋଗ ନଦେବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ପିଟିସନ ଫାଇଲ ହୋଇଥିଲା । ମାମଲାର ଶୁଣାଣୀ କରି ଖଣ୍ଡପୀଠ କହିଛନ୍ତିଯେ, ନାଗରିକମାନଙ୍କର ନିଜ ନେତାଙ୍କ ସମ୍ପର୍କରେ ଜାଣିବାର ଅଧିକାର ରହିଛି । ରାଜନୈତିକ ଦଳଗୁଡ଼ିକ ନିଜ ୱେବସାଇଟରେ ନିଜ ପ୍ରାର୍ଥୀଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିବା ଦରକାର । ସେହିପରି ଦଣ୍ଡିତ ନହେବା ପର୍ଯ୍ୟନ୍ତ ନେତାଙ୍କ ପଦ ରବ୍ଦ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ତେବେ ନେତାମାନେ ନିଜ ନାମରେ ଥିବା ଅପରାଧିକ ମାମଲାଗୁଡ଼ିକୁ ବୋଲଡ଼ ଅକ୍ଷରରେ ଦର୍ଶାଇବେ । ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏସଂକ୍ରାନ୍ତୀୟ ତଥ୍ୟ ନିଜ ୱେବସାଇଟରେ ପ୍ରଦାନ କରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ସେହିପରି ଯେଉଁମାନେ ଓକିଲାତିରୁ ନେତା ହୋଇଥିବେ ସେମାନେ ଆଇନଜୀବୀ ଭାବେ କାର୍ଯ୍ୟ କରିପାରିବେ । ସେମାନେ ପୂର୍ଣ୍ଣକାଳୀନ ଦରମାପ୍ରାପ୍ତ ହୋଇନଥିବାରୁ ଆଇନଜୀବୀ ଭାବେ କାର୍ଯ୍ୟ କରିବାରେ ଅସୁବିଧା ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।
Comments ସମସ୍ତ ମତାମତ 0