Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡ଼ିକୁ ସୁହାଇବ ବିକଳ୍ପ ବିରୋଧୀ ମଂଚ !

    Share on :
    Date: Sep 14, 2018    Views: 13704

    ଭୁବନେଶ୍ୱର : ରାଜ୍ୟ ରାଜନୀତିର ଗତି ବଦଳିଛି  । ଚଳିତ ବର୍ଷ ବିଜେଡ଼ିର ଦୁଇ ଟାଣୁଆ ନେତାଙ୍କୁ ବିଦା କରି ନବୀନ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛନ୍ତି  । ଚିରାଚରିତ ଭାବେ ଅନ୍ୟ ନେତାମାନଙ୍କ ଭଳି ବୈଜୟନ୍ତ ପଣ୍ଡା ଓ ଡାକ୍ତର ଦାମୋଦର ରାଉତ ମଧ୍ୟ ନବୀନଙ୍କୁ ନିଶାନା ସାଧିଛନ୍ତି  । ତେବେ ଅତୀତରେ ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ନଳିନୀ ମହାନ୍ତି, ରାମକୃଷ୍ଣ ପଟ୍ଟନାୟକ, ପଂଚାନନ କାନୁନଗୋ, ବ୍ରଜ ତ୍ରିପାଠୀଙ୍କ ଭଳି ଅନେକ ନେତା ବିଜେଡ଼ି ଓ ନବୀନଙ୍କୁ ଦୁର୍ବଳ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ସଫଳ ହୋଇନାହାନ୍ତି  । ସଫଳ ହେବା ତ ଦୂରର କଥା ଦିଲ୍ଲୀପ ରାୟଙ୍କୁ ଛାଡ଼ି ଅନ୍ୟ ନେତାମାନେ ନିର୍ବାଚନ ମଇଦାନରେ ଚିଟପଟାଙ୍ଗ ମଧ୍ୟ ମାରିଥିବାର ନିଜର ରହିଛି  । କିନ୍ତୁ ଆଗାମୀ ସାଧାରଣ ନିର୍ବାଚନ ପାଖେଇ ଆସିଥିବାବେଳେ ପୁଣି ନବୀନ ବିରୋଧୀ ନେତାମାନେ ସକ୍ରିୟ ହୋଇପଡ଼ିଛନ୍ତି  । ଏମିତିକି ଅତୀତରେ ବିଜେଡ଼ିରୁ ବିଦା ହୋଇଥିବା କିମ୍ବା ଦଳ ଛାଡ଼ିଥିବା ନେତାମାନେ ଏବେ ନୂଆ ରାଜନୀତିକ ମଂଚ ଗଢ଼ିବା ପାଇଁ ପ୍ରକ୍ରି୍ରୟା ଆରମ୍ଭ କରିଦେଇଛନ୍ତି  । ଫଳରେ ଏହାଦ୍ୱାରା କିଏ କ୍ଷତିଗ୍ରସ୍ତ ହେବ, କିଏ ଲାଭବାନ ହେବ ସେନେଇ  ଅଙ୍କକଷା ହେବା ସ୍ୱାଭାବିକ  ।

    ପ୍ରଥମେ ଆସିବା ଫ୍ଲାସବ୍ୟାକକୁ  । ୨୦୦୦ ମସିହା ସାଧାରଣ ନିର୍ବାଚନ ବେଳେ ବିଜୟ ମହାପାତ୍ର ବିଜେଡ଼ିରୁ ବହିଷ୍କୃତ ହୋଇଥିଲେ  । ନିର୍ବାଚନ ସମୟରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବାରୁ ବିଜେଡ଼ି କ୍ଷତିଗ୍ରସ୍ତ ହେବବୋଲି ଆଲୋଚନା ହେଉଥିଲା  । କିନ୍ତୁ ସେଭଳି କିଛି ହୋଇନଥିଲା  । କେବଳ ପାଟକୁରାରେ ବିଜୟଙ୍କ ସମର୍ଥିତ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ବିଜୟୀ ହୋଇଥିଲେ  । କିନ୍ତୁ ପ୍ରାକ୍ ବୁଝାମଣା ସତ୍ୱେ ସେ ଇସ୍ତଫା ନଦେବାରୁ ବିଜୟଙ୍କ ପାଇଁ ବିଧାନସଭା ଯିବାର ରାସ୍ତା ବନ୍ଦ ହୋଇଗଲା  । ପରେପରେ ବିଜୟ ଓଡ଼ିଶା ଗଣତନ୍ତ୍ର ପରିଷଦ ଗଠନ କରିଥିଲେ  । କିଛି ଅଂଚଳରେ ତାହାର ପ୍ରଭାବ କିଛିଦିନ ପାଇଁ ଥିବାବେଳେ ବିଜୟ କିନ୍ତୁ ଏଯାଏଁ ବିଧାନସଭା ଯିବାରେ ସମର୍ଥ ହୋଇପାରିନାହାନ୍ତି  । ପରେପରେ ବିଜୟ ଓ ଦିଲ୍ଲୀପ ବିଜେପିକୁ ଯାଇଥିଲେ ମଧ୍ୟ କେବଳ ଦିଲ୍ଲୀପ ହିଁ ସଫଳତା ପାଇଥିଲେ  ।

    ଗାଏମୋଟ ଦେଖିଲେ ଦୁଇ ନେତା ଏବେ ବିଜେପିରୁ କୋଣଠେସା ହୋଇଯାଇଛନ୍ତି  । ଅନରୂପ ଭାବେ ବ୍ରଜ ତ୍ରିପାଠୀ ପ୍ରଥମେ ବିଜେପିରେ ଯୋଗଦେଇ ଭାଗ୍ୟ ପରୀକ୍ଷା କରିଥିଲେ  । କିନ୍ତୁ ପରେ ସମତା କ୍ରାନ୍ତି ଦଳ ଗଢ଼ିଥିଲେ ବି ତାହା ପ୍ରଭାବଶୂନ୍ୟ  । ସେହିପରି ରାମକୃଷ୍ଣ ପଟ୍ଟନାୟକ ବିଜେପି ଯାଇଥିଲେ ବି ସଫଳ ହୋଇପାରିନାହାନ୍ତି  । ବିଜେପିରେ ମଧ୍ୟ ତାଙ୍କୁ ସେଭଳି ଗୁରୁ୍ତ୍ୱ ମିଳୁନାହିଁ  । ବିଜେଡ଼ିକୁ ଦୀର୍ଘଦିନ ଧରି ନିଜ ହାତମୁଠାରେ ରଖିଥିବା ପ୍ୟାରୀମୋହନ ମହାପାତ୍ର ଓଡ଼ିଶା ଜନମୋର୍ଚ୍ଚା ଗଢ଼ିଥିଲେ  । ରାଜ୍ୟର ପ୍ରମୁଖ ସ୍ଥାନରେ ସେ ସମ୍ମିଳନୀ ମଧ୍ୟ କରିଥିଲେ  । କିନ୍ତୁ ନିର୍ବାଚନୀ ମଇଦାନରେ ତାଙ୍କ ଦଳ କେଉଁଠି ବି ଅମାନତ ରଖିବାରେ ସଫଳ ହୋଇପାରିନଥିଲା  । ସେହିପରି ପଂଚାନନ କାନୁନଗୋ ବିଜେଡ଼ିରୁ ବିଦା ହୋଇଥିବା ନେତାମାନଙ୍କୁ ନେଇ ଏକ ମଂଚ ଗଢ଼ିବାକୁ ଯୋଜନା କରି ଆସୁଥିଲେ ମଧ୍ୟ ତାହା ଏଯାଏଁ ସଫଳ ହୋଇପାରିନାହିଁ  ।

    ଚଳିତ ବର୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା  । ପରେ ବୈଜୟନ୍ତ ମଧ୍ୟ ଦଳରୁ ଇସ୍ତଫା ଦେଇଥିଲେ  । ଦିନା କେତେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ସମବେଦନା ହାସଲ କରିବାକୁ ପ୍ରୟାସ କରିଥିଲେ ବୈଜୟନ୍ତ  । ଦିନାକେତେ ସେ ବିଜେପିକୁ ଯିବା ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା  । କିନ୍ତୁ ଏବେ ଏହାର ସୋର ଶବ୍ଦ ନଥିବାବେଳେ ବୈଜୟନ୍ତ କ’ଣ କରିବେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ  । ଏବେ ଆସିବା ଡାକ୍ତର ଦାମୋଦର ରାଉତଙ୍କ ଆଡ଼କୁ  । ବିଷ୍ଣୁ ଦାସ ଓ ପ୍ରଶାନ୍ତ ମୁଦୁଲି ଦାମଙ୍କ ବିରୋଧରେ ଅଭିଯୋଗ କରିବା ଦିନ କୁଜଙ୍ଗ ଓ ଏରସମା ସମେତ କେତେକ ଅଂଚଳରେ ଦୁଇ ନେତାଙ୍କ କୁଶ ପୁତଳିକା ପୋଡ଼ାଯାଇଥିଲା  । ଦୁଇ ନେତାଙ୍କୁ ବିଭିନ୍ନ ଫୋରମରେ ମଧ୍ୟ ଦାମଙ୍କ ଅନୁଗତମାନେ ସମାଲୋଚନା କରିଥିଲେ  । କିନ୍ତୁ ଦାମଙ୍କୁ ନବୀନ ପଟ୍ଟନାୟକ ବିଜେଡ଼ିରୁ ବହିଷ୍କାର କରିବା ପରେ ଏଯାଏଁ ସେଭଳି ପ୍ରତିବାଦ ହୋଇନାହିଁ  । ଦାମଙ୍କ ଅନେକ ଅନୁଗତ ଏବେ ନୀରବ ରହିଥିବା ପରିଲକ୍ଷିତ ହେଉଛି  ।

    ଏସବୁ ଭିତରେ ଏହି ସବୁ ନେତାମାନଙ୍କୁ ନେଇ ନବୀନ ବିରୋଧୀ ମଂଚ ଗଢ଼ିବା ସହ ବିକଳ୍ପ ରାଜନୀତି ପାଇଁ ପରିକଳ୍ପନା କରାଯାଉଥିବା ଚର୍ଚ୍ଚା ହେଉଛି  । ଏଭଳି ଚର୍ଚ୍ଚା ଜୋର ଧରିଥିବାବେଳେ ଏହାଦ୍ୱାରା ନବୀନଙ୍କ ବିଜେଡ଼ି ଦୁର୍ବଳ ହେବ ନା ସମ୍ଭାବ୍ୟ ସମୀକରଣରୁ ବିଜେଡ଼ି ଫାଇଦାରେ ରହିବ ସେନେଇ ବିତର୍କ ଆରମ୍ଭ ହୋଇଯାଇଛି  ।

    ତେବେ ଆମ ଅନୁଶୀଳନ ଅନୁଯାୟୀ, ବିଜେଡ଼ି ଏଥିରୁ ଫାଇଦାରେ ରହିବାର ଥିବାବେଳେ ବିଜେପି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି  । ପ୍ରଶ୍ନ ଉଠିପାରେ କାହିଁକି ଓ କେମିତି ? ଯେଉଁ ନେତାମାନେ ବିକଳ୍ପ ମଂଚ ଗଢ଼ିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି ସେମାନଙ୍କ ମଧ୍ୟରୁ ଡାକ୍ତର ଦାମୋଦର ରାଉତଙ୍କ ଛାଡ଼ିଦେଲେ ବାକି ସମସ୍ତ ନେତା ବିଜେଡ଼ିକୁ ଭୋଟ ଦେଉନାହାନ୍ତି କି ବିଜେଡ଼ି କିମ୍ବା ନବୀନଙ୍କ ସହ କେବେବି ନାହାନ୍ତି  । ଅର୍ଥାତ୍ ସେହି ନେତା ଓ ସେମାନଙ୍କ ଭୋଟ ଦୀର୍ଘଦିନ ଧରି ବିଜେଡ଼ି ବିରୋଧରେ ପଡ଼ିଆସିଛି  । ବିଜେଡ଼ିର ଯେଉଁ ଯେଉଁ ଅସନ୍ତୁଷ୍ଟ ନେତା ଅଛନ୍ତି, ଗତ ପଂଚାୟତ ନିର୍ବାଚନରେ ସେମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବିଜେପି ସହ ଜଡ଼ିତ ଥିଲେ  । ବିଜେଡ଼ିରେ ଥିବା ନିଜର ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ମାତ ଦେବା ପାଇଁ ନିଜ ନିଜ ସମର୍ଥକମାନଙ୍କ ଜରିଆରେ ଅନେକ ଅସନ୍ତୁଷ୍ଟ ବିଜେଡ଼ି ନେତା ବିଜେପିକୁ ହିଁ ଭୋଟ ଦେଇଥିବା ଲକ୍ଷ୍ୟ କରାଯାଇଛି  । ବିଜେପି ପ୍ରତି ଭଲ ପାଇବା ନୁହେଁ ବରଂ ନିଜ ଅଂଚଳର ବିଜେଡ଼ି ନେତାମାନଙ୍କୁ ବିରୋଧ କରି ସେମାନେ ଏଭଳି ଚାଲ ଖେଳିଥିଲେ  । ଏହି ପରିପ୍ରେକ୍ଷୀରେ ଯଦି ବିକଳ୍ପ ମଂଚ ଗଢ଼ାଯାଏ ତେବେ ସେହି ଅସନ୍ତୁଷ୍ଟ ନେତାମାନେ ନୂତନ ଦଳକୁ ଆପଣାଇ ପାରନ୍ତି  । ଫଳରେ ସରକାରୀ ବିରୋଧୀ ଭୋଟ ବିଭାଜନ ହେବ  । ନୂଆ ଆଂଚଳିକ ଦଳ ଅସନ୍ତୁଷ୍ଟ ବିଜେଡ଼ି ଭୋଟ ସାଉଁଟିଲେ ବିଜେପି ହିଁ କ୍ଷତିଗ୍ରସ୍ତ ହେବା ନିଶ୍ଚିତ  । 

    ଏବେ ଆସିବା ସମ୍ଭାବ୍ୟ ମେଂଟ ଆଡ଼କୁ  । ଯଦି ନୂତନ ଆଂଚଳିକ ଦଳ ଗଢ଼ା ହୁଏ ତେବେ କେଉଁ ଦଳ ସହ ସେମାନେ ଆସନ ବୁଝାମଣା କରିବେ ? ବିଜୟ ହୁଅନ୍ତୁକି ଦିଲ୍ଲୀପ ବିଜେପିରେ ଥିଲେ ମଧ୍ୟ ନଥିଲା ଭଳି  । ସେହିପରି ବ୍ରଜ ବିଜେପିକୁ ଯାଇଥିଲେ ବି ପରେ ଇସ୍ତଫା ଦେଇ ସାରିଛନ୍ତି  । ବୈଜୟନ୍ତଙ୍କୁ ମଧ୍ୟ ବିଜେପି ସେଭଳି ଗୁରୁତ୍ୱ ଦେଉନଥିବାରୁ ସେ ମଧ୍ୟ ଏଯାବତ ବିଜେପିରେ ଯୋଗଦେଇନାହାନ୍ତି  । ଡାକ୍ତର ଦାମୋଦର ରାଉତ ପୂର୍ବରୁ ଘୋଷଣା କରିସାରିଛନ୍ତି, ୧୦ କୋଟି ଦେଲେ ବି ସେ ବିଜେପିକୁ ଯିବାର ପ୍ରଶ୍ନ ଉଠୁନାହିଁ  । ବୋଧହୁଏ ବୈଜୟନ୍ତଙ୍କୁ ଛାଡ଼ିଦେଲେ ଅନ୍ୟମାନେ ବିଜେପି ସହ ମେଂଟ କରିବାକୁ ଆଗ୍ରହ ପ୍ରକାଶ ନକରିପାରନ୍ତି  । ସେହିପରି ସେମାନେ ଯଦି କଂଗ୍ରେସ ସହ ମେଂଟ କରନ୍ତି ତେବେ ସେମାନଙ୍କ ଅଣଂକଗ୍ରେସ ଭାବମୂର୍ତି ଉପରେ ଆଂଚ ଆସିପାରେ  । ଏଭଳି ପରିପ୍ରେକ୍ଷୀରେ ସେମାନେ କଂଗ୍ରେସ ସହ ଗୋପନ ବୁଝାମଣା ହିଁ ଏକମାତ୍ର ବିକଳ୍ପ ହୋଇପାରେ ବୋଲି ରାଜନୀତିକ ବିଶ୍ଲେଷକମାନେ ମତପୋଷଣ କରିଛନ୍ତି  ।

    ତେବେ ସର୍ବୋପରି ଏତିକି କୁହାଯାଇପାରେଯେ, ଯଦି ବିଜେଡ଼ିରୁ ବିଦା ହୋଇଥିବା ନେତାମାନେ ବିକଳ୍ପ ମଂଚ ଗଢ଼ନ୍ତି ଓ କଂଗ୍ରେସ ସହ ଗୋପନ ବୁଝାମଣା କରନ୍ତି ତେବେ କେତେକ ନିର୍ଦ୍ଧିଷ୍ଟ ଆସନରେ ସେମାନେ ବିଜେଡ଼ିକୁ ଚେକ ଦେବାରେ ସମର୍ଥ ହୋଇପାରିବେ  । କିନ୍ତୁ ବିଜେଡ଼ିର ବିଶେଷ କ୍ଷତି ହେବନାହିଁ  । କାହିଁକିନା ସରକାରୀ ବିରୋଧୀ ଭୋଟ ବିଜେପି ଆଡ଼କୁ ଯିବା ବଦଳରେ ଯଦି ନୂଆ ଦଳ ଟାଣିନିଏ ତେବେ ବିଜେପି କ୍ଷତିଗ୍ରସ୍ତ ହେବାର ବେଶୀ ଆଶଙ୍କା ରହିଛି  । ସମ୍ପ୍ରତି ଜାତୀୟ ରାଜନୀତିରେ ନୂତନ ସମୀକରଣ ସୃଷ୍ଟିହୋଇଛି  । ବିଜେପିକୁ ହରାଇବା ପାଇଁ ବହୁ ଦଳ ଏକାଠି ହୋଇ ରଣନୀତି କରୁଛନ୍ତି  । ବିଜେପି ଶାସିତ ରାଜ୍ୟ ଗୁଜୁରାଟରେ କଂଗ୍ରେସ ଝଟକା ଦେଇଥିବାବେଳେ ମଧ୍ୟପ୍ରଦେଶ ଓ ରାଜସ୍ଥାନର ଫଳାଫଳ ନେଇ ବିଜେପି ଆଶଙ୍କାରେ ରହିଛି  । ଏଭଳି ପରିପ୍ରେକ୍ଷୀରେ ପରସ୍ପରର ସହଯୋଗ ଆଶାରେ ବିଜେଡ଼ି ଓ ବିଜେପି ଯଦି ନିକଟତର ହୁଅନ୍ତି ତେବେ ଆଶ୍ଚର୍ଯ୍ୟ ହେବାର ନାହିଁ  । ଯଦି ସେଭଳି ସମ୍ଭାବନା ସୃଷ୍ଟି ହୁଏ ତେବେ ନବୀନ ହିଁ ଫାଇଦାରେ ରହିବେ ବୋଲି କୁହାଯାଇପାରେ  । ରାଜନୀତି ପ୍ରତି ମୁହୂର୍ତରେ ଯେମିତି କଡ଼ ଲେଉଟାଇଥାଏ, ଠିକ ସେମିତି ରାଜନୀତିକ ବିଶ୍ଲେଷଣ ବି ମୋଡ଼ ବଦଳାଇଥାଏ  । ଆଜିର ସ୍ଥିତିରେ ଏଭଳି ଆକଳନ କରାଯାଉଥିବାବେଳେ ଆଗାମୀ ଦିନର ରାଜନୀତି କେଉଁ ଦିଗକୁ ଯାଉଛି ତାହା ଉପରେ ନଜର ରହିବା ସ୍ୱାଭାବିକ  । 

    Maximum 500 characters

    ରାଜନୀତି View all

    Find Us on Facebook