Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଦାମ ନାଟକ : ଶେଷ ହସ କାହାର

    Share on :
    Date: Sep 13, 2018    Views: 5051

    ଭୁବନେଶ୍ବର : ଦାମ ନାଟକର ଯବନିକା ପଡିଛି । ଦାମଙ୍କ ବହିଷ୍କାର ଖବର ଅନେକ ବିଜେଡି କର୍ମୀଙ୍କୁ ଖୁସି କରି ଦେଇଥିବାବେଳେ ବିଜେଡିର ଅନେକ ନେତାଙ୍କର ବି ଦିଲଖୁସ କରିଦେଇଥିବା ଜାଣିବାକୁ ମିଳିଛି। ବିଜେଡିର ଏମିତି କୌଣସି ପ୍ରଭାବଶାଳୀ ନେତା ନାହାନ୍ତି, ଯାହାଙ୍କୁ ଦାମୋଦର ରାଉତ ଟାର୍ଗେଟ କରିନାହାନ୍ତି । ଗଣମାଧ୍ୟମରେ ସମସ୍ତଙ୍କ ଧଜିଆ ଉଡାଇଛନ୍ତି । ଦାମଙ୍କୁଯେ, ବିଜେଡି ନେତାମାନେ ସମ୍ମାନ ଦୃଷ୍ଟିକୋଣରୁ ଗୁରୁତ୍ବ ଦେଉଥିଲେ ତାହା ନୁହେଁ ବରଂ ତାଙ୍କୁ ଭୟ କରୁଥିବାରୁ ଗୁରୁତ୍ବ ଦେଉଥିଲେ। ଅଧିକାଂଶ ନେତା ଦାମବାବୁଙ୍କ ପାଇଁ ସାଧାରଣରେ ଢେର ବଦନାମ ହୋଇଛନ୍ତି। ଯେଉଁଥିପାଇଁ ଦାମଙ୍କ ବହିଷ୍କାର ପରେ କେତେକ ନେତା କଣ୍ଟା ଗଲା ବୋଲି ମଧ୍ୟ ଆଲୋଚନା କରୁଛନ୍ତି। ଦାମଙ୍କ ଟାର୍ଗେଟରେ ଥିଲେ ବରିଷ୍ଠ ଓ ଯୁବନେତା। ସୂର୍ଯ୍ୟ ନାରାୟଣ ପାତ୍ର, ପ୍ରଦୀପ ମହାରଥୀ, ପ୍ରଫୁଲ୍ଲ ସାମଲ, ଦେବାଶିଷ ସାମନ୍ତରାୟ, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ବିଷ୍ଣୁ ଦାସ କେହିବି ଦାମଙ୍କ ବାକ୍ୟ ବାଣରୁ ବାଦ ପଡିନାହାନ୍ତି । କେହିବି ଦାମଙ୍କୁ ବରଦାସ୍ତ କରିବା ଅବସ୍ଥାରେ ନଥିଲେ। ଯଦି ବିଗତ ୨୦ ବର୍ଷ ଧରି ବିଜେଡି ରାଜନୀତିକୁ ଅନୁଶୀଳନ କରାଯାଏ ତେବେ ଦାମ ବିଜେଡି ପାଇଁ ସମ୍ପତ୍ତି ବଦଳରେ ବୋଝ ପାଲଟିଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଅତୀତରେ ବହୁ ବଡ ବଡ ନେତାଙ୍କୁ ଦଳରୁ ବିଦା କରିବାର ରାସ୍ତା ଦେଖାଇଥିବା ନବୀନ ପଟ୍ଟନାୟକ କିନ୍ତୁ ବହୁ ଧୈର୍ଯ୍ୟ ଦେଖାଇ ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଦାମଙ୍କୁ ଦଳରୁ ବାହାର କରିବା ପାଇଁ ଅତୀତରେ ବହୁ ଉଦ୍ୟମ କରାଯାଇଥିଲା। ପ୍ୟାରୀମୋହନ ମହାପାତ୍ର ତାଙ୍କୁ ଦଳରୁ ବିଦା କରିବାକୁ ଚାହିଁଥିଲେ ବି ସଫଳ ହୋଇନଥିଲେ। ନବୀନଙ୍କୁ ଦାମ ବହୁବାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମାଲୋଚନା କରି ଆସିଥିଲେ। ଯେଉଁଥିପାଇଁ ତାଙ୍କୁ ଅନେକବାର ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରାଯାଇଛି। କିନ୍ତୁ ଦଳରେ ସେ ବରିଷ୍ଠ ନେତା ଭାବେ ଦାୟିତ୍ୱରେ ରହିଥିଲେ। ଅତୀତରେ ବିଜୁ ବିଚାର ମଞ୍ଚ ଗଢି ଦମବାବୁ ନବୀନଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ।

    ବିଜୁ ଜନତା ଦଳ ଗଠନ ବେଳେ ଦାମ ବାବୁ ବିଜେଡିରେ ଯୋଗ ଦେଇନଥିଲେ । ସେତେବେଳେ ସେ ବିଜେଡିକୁ ଗେଣ୍ଡା ଦଳ କହି ଇଲେଇତି କରିଥିଲେ । ପରେ ପରେ ଦାମ ବାବୁ ବିଜେଡିକୁ ଆସିବା ସହ ଦଳୀୟ ଦାୟିତ୍ୱରେ ମଧ୍ୟ ରହିଥିଲେ । ଏହାକୁ ଅନୁଶୀଳନ କଲେ ବିଜୁଙ୍କ ନାମକୁ ଜପାମାଳି କରୁଥିବା ଦାମବାବୁଙ୍କର ବିଜେଡି ଗଠନରେ କାଣିଚାଏ ବି ଭୂମିକା ନଥିଲା । କିନ୍ତୁ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କ ତୁଳନାରେ ଦାମ ବାବୁଙ୍କୁ ସମ୍ମାନ ଓ ମର୍ଯ୍ୟାଦା ଦେବାରେ ନବୀନ କେବେ ହେଳା କରିନଥିଲେ । ମନ୍ତ୍ରୀ ପଦରେ ଥିବାବେଳେ ଦାମ ବାବୁ ଅନେକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଦଳ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ନଦେଇଥିଲେ ମଧ୍ୟ ସାଧାରଣ ଜନତାଙ୍କୁ ଆକ୍ଷେପ କରିବା ଭଳି ମନ୍ତବ୍ୟ ଦେଇ ସେ ଦଳକୁ ବେଶ ଅକଳରେ ପକାଇଥିଲେ । ଯେପରିକି ଆଳୁ ଦର ବୃଦ୍ଧିକୁ ନେଇ ସାଧାରଣ ଲୋକେ କ୍ଷପ୍ପା ଥିବାବେଳେ ଆଳୁ ନଖାଇଲେ ମରିଯିବ ବି ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେହିପରି ଅନାହାର ମୃତୁ୍ୟ ସମ୍ପର୍କରେ ଯେତେବେଳେ ବିରୋଧୀ ସରକାରଙ୍କୁ ଶାଣିତ ଭାବେ ଆକ୍ରମଣ କରୁଥିଲେ ସେତେବେଳେ ଏତେ ପିଲା କହିଁ ଜନ୍ମ କରୁଛ ବୋଲି କହି ବିବାଦୀୟ ପ୍ରସଙ୍ଗକୁ ଆହୁରି ଘନୀଭୂତ କରିଦେଇଥିଲେ । ଏଡାଛଡ଼ା ସ୍ୱାମୀ ଛାଡ଼ି ଅଙ୍ଗନୱାଡ଼ି ହେଉ ଅବା ବ୍ରାହ୍ମଣ ଭିକ ମାଗନ୍ତି ବୋଲି ଅବାନ୍ତର ମନ୍ତବ୍ୟ ଦେଇ ନିଜେ ସମାଲୋଚିତ ହେବା ସହ ସରକାରଙ୍କୁ ସମାଲୋଚିତ ହେବାର ବାଟ କଢାଇନେଇଥିଲେ । ମନ୍ତ୍ରୀ ପଦରେ ଥିବାବେଳେ ମଧ୍ୟ ନିଜ ସହଯୋଗୀ ମନ୍ତ୍ରୀମାନଙ୍କୁ ବାର ବାର ଟାର୍ଗେଟ କରି ସରକାରଙ୍କୁ ମଧ୍ୟ ବହୁବାର ଅକଳରେ ପକାଇଥିବାର ନଜିର ରହିଛି । ଯେଉଁଥି ପାଇଁ ଦାମକୁ ବାର ବାର ମନ୍ତ୍ରୀ ପଦରୁ ଯିବାକୁ ପଡ଼ିଥିବାବେଳେ ନବୀନ ମଧ୍ୟ ତାଙ୍କୁ ବହୁବାର ମନ୍ତ୍ରୀମଣ୍ଡଳକୁ ଫେରାଇଆଣି ମର୍ଯ୍ୟାଦା ଦେବାରେ ହେଳା କରିନଥିଲେ । ସାମଗ୍ରିକଭାବେ କହିଲେ ଦାମଙ୍କ ସ୍ପଷ୍ଟ ମତ ଅନ୍ୟମାନଙ୍କୁ ଆହ୍ଲାଦିତ କରିଦେଇଥାଇପାରେ । ହେଲେ ପରୋକ୍ଷରେ ବିଜେଡି ପାଇଁ ସେ କଣ୍ଟକିତ ମାର୍ଗ ନିର୍ମାଣ କରୁଥିଲେ ବୋଲି କହିଲେ ଭୁଲ ହେବ ନାହିଁ ।
    ସାମ୍ବାଦିକଙ୍କ ସହ ବ୍ୟକ୍ତିଗତ ଆଲୋଚନାକାଳରେ କଂଗ୍ରେସର ଜଣେ ଟାଣୁଆ ନେତା କହିଥିଲେ ଯେ, ଦାମ ସତ କହିଥାଇପାରନ୍ତି । ହେଲେ ଜଣେ ରାଜନେତାଭାବେ ନିଜ ଦଳ ଓ ନିଜ ସରକାରକୁ ଅକଳରେ ପକାଇବା ଜଣେ ବରିଷ୍ଠ ଓ ବୁଦ୍ଧିମାନ ରାଜନେତାଙ୍କ କାର୍ଯ୍ୟ ନୁହେଁ । ଜଣେ ବରିଷ୍ଠ ନେତାଙ୍କ କର୍ତ୍ତବ୍ୟ ହେଉଛି ବିରୋଧୀ ସରକାରକୁ ଶାଣିତ ଆକ୍ରମଣ କରିବା ବେଳେ ଢାଲ ହୋଇ ଠିଆ ହେବ । ବିରୋଧୀଙ୍କୁ କଡ଼ା ଜବାବ ଦେଇ ମୁଁହ ବନ୍ଦ କରିବା ଦରକାର  । କିନ୍ତୁ ଦାମ ବାବୁ ଜନତାଙ୍କ ପାଖରେ ପ୍ରିୟଭାଜନ ହେବା ପାଇଁ ସ୍ପଷ୍ଟ ମତ ରଖୁଥିଲେ ମଧ୍ୟ ତାହା ଦଳର ସ୍ୱାର୍ଥ ପାଇଁ ଆଦୌ ଉଦ୍ଧିଷ୍ଟ ନୁହେଁ ବୋଲି କୁହାଯାଇପାରେ ।
    ବିଜେଡିର ଜଣେ ବରିଷ୍ଠ ନେତାଙ୍କ ମତରେ ଦାମ ବାବୁ ସବୁବେଳେ କହିଆସୁଛନ୍ତି ମୁଁ ବହୁବାର ଜିତିଛି ଓ ମନ୍ତ୍ରୀ ହୋଇଛି । କିନ୍ତୁ ସେ ଜାଣିବା ଦରକାର ବିଜେଡିର ଅନେକ ନେତା ଦାମ ବାବୁଙ୍କ ଭଳି ଜିତିବା ସହ ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ଏମିତି କି କଂଗ୍ରେସ ସପକ୍ଷରେ ହାୱା ବୋହୁଥିଲାବେଳେ ଏବେକାର ଅନେକ ବରିଷ୍ଠ ବିଜେଡି ନେତା ବାଜିମାତ କରି ବିଧାନସଭାକୁ ଆସିପାରିଛନ୍ତି । କିନ୍ତୁ ଦାମବାବୁଙ୍କ କ୍ଷେତ୍ରରେ ତାହା ହୋଇନାହିଁ । ବଂର କଂଗ୍ରେସ ହାୱାବେଳେ ଦାମ ବାବୁଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି । ଏହାକୁ ଅନୁଶୀଳନ କଲେ ଦାମ ବାବୁ କେବଳ ଯେ, ଦଳ ପାଇଁ ଜିତୁଛନ୍ତି କହିଲେ ଭୁଲ ହେବ ନାହିଁ ।
    ଦାମ ବାବୁଙ୍କ ପାଇଁ ଦଳରୁ ବହିଷ୍କାର ହେବା ଯେତିକି ଧକ୍କା ନୁହେଁ ତାହାଠୁ ଅଧିକା ଧକ୍କା ଦେଇଛନ୍ତି ବିଷ୍ଣୁ ଦାସ  । ବିଷ୍ଣୁଙ୍କ ସହ ସବୁବେଳେ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ବାକ ଯୁଦ୍ଧ କରି ଆସୁଥିବା ଦାମ ବାବୁ ଆଜି ବିଷ୍ଣୁଙ୍କ ଅଭିଯୋଗ କ୍ରମେ ଦଳରୁ ବହିଷ୍କାର ହୋଇଛନ୍ତି । ଫଳରେ ଜଗତସିଂହପୁର ରାଜନୀତିରେ ଦାମଙ୍କୁ ବିଷ୍ଣୁ ଯେ ପଛରେ ପକାଇଦେଇଛନ୍ତି କହିଲେ ଅତୁ୍ୟକ୍ତ ହେବ ନାହିଁ ।  

    Maximum 500 characters

    ତାଜା ଖବର View all

    Find Us on Facebook