Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ତିନି ଦଳ ଫୋକସରେ ମହିଳା ଭୋଟର

    Share on :
    Date: Sep 2, 2018    Views: 1942

    ଭୁବନେଶ୍ୱର : ବିଜୁ ଜନତା ଦଳ ପ୍ରତି ନିର୍ବାଚନରେ ବାଜିମାତ କରିବା ପଛରେ ମହିଳା ଭୋଟରମାନଙ୍କ ହାତ ରହିଛି  । ମହିଳା ଭୋଟରମାନେ ଏକପାଖିଆ ଭାବେ ନବୀନ ପଟ୍ଟନାୟକଙ୍କ ପଛରେ ଠିଆ ହେଉଥିବାରୁ ବିଜୁ ଜନତା ଦଳ ସହଜ ବିଜୟ ହାସଲ କରିବାରେ ସମର୍ଥ ହୋଇପାରିଛି  । ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ମହିଳା ଭୋଟରଙ୍କୁ କରାୟତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ  । ଯୁବ ଓ ଛାତ୍ର ଛାମୁଆ ସଂଗଠନ ଅପେକ୍ଷା ଏବେ ତିନି ଦଳର ମହିଳା ସଂଗଠନଗୁଡ଼ିକ ବେଶ ସକ୍ରିୟ ହୋଇଯାଇଛନ୍ତି  ।

    ଆଗାମୀ ସାଧାରଣ ନିର୍ବାଚନ କେବେ ହେବ ? ସେନେଇ ଆଶା ଆଶଙ୍କା ଲାଗି ରହିଥିବାବେଳେ ତିନି ପ୍ରମୁଖ ଦଳ କିନ୍ତୁ ସମରସଜ୍ଜା ଆରମ୍ଭ କରିଦେଇଛନ୍ତି  । ୨୦୧୮ ଶେଷ ଭାଗରେ କିମ୍ବା ୨୦୧୯ ପ୍ରାରମ୍ଭରେ ନିର୍ବାଚନ ବିଗୁଲ ବାଜିବ ବୋଲି ଚର୍ଚ୍ଚା ପର୍ଯ୍ୟାଲୋଚନା ଜାରି ରହିଥିବାରୁ ତିନି ଦଳକୁ ଫୁରସତ ନାହିଁ  । ଛାମୁଆ ସଂଗଠନରୁ ନେଇ ମୁଖ୍ୟ ସଂଗଠନ ପର୍ଯ୍ୟନ୍ତ ସବୁ ଶିବିର ଚଳଚଂଚଳ ହୋଇଯାଇଛି  । ସମ୍ପ୍ରତି ଛାତ୍ର ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ କ୍ୟାମ୍ପସ ମଧ୍ୟ ସରଗରମ ହୋଇଯାଇଛି  । ନିର୍ବାଚନୀ ବର୍ଷରେ କ୍ୟାମ୍ପସକୁ କରାୟତ କରି ୨୦୧୯ ପାଇଁ ବାର୍ତା ଦେବାକୁ ଯୋଜନା କରିଛନ୍ତି ରାଜନୈତିକ ଦଳ  । ବିଜୁ ଛାତ୍ର ଜନତା ଦଳରୁ ନେଇ ଛାତ୍ର କଂଗ୍ରେସ ପର୍ଯ୍ୟନ୍ତ, ଅପରପକ୍ଷରେ ବିଜେପିର ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସମସ୍ତେ କ୍ୟାମ୍ପସରେ ବେଶ ସକ୍ରିୟ ହୋଇପଡ଼ିଛନ୍ତି  । ନିର୍ବାଚନ ପ୍ରକ୍ରିୟା ବିଧିବଦ୍ଧ ଭାବେ ଆରମ୍ଭ ହୋଇନଥିଲେ ମଧ୍ୟ ଅନେକ କ୍ୟାମ୍ପସରେ ତିନି ଗୋଷ୍ଠୀଙ୍କ ମଧ୍ୟରେ ଟକ୍କରା ଟକ୍କରି ଆରମ୍ଭ ହୋଇଯାଇଛି  । ସେପଟେ ଯୁବକମାନଙ୍କୁ ଆକôୃଷ୍ଟ କରିବା ପାଇଁ ମଧ୍ୟ ତିନି ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଦେଇଛନ୍ତି  । ତେବେ ଏକ୍ଷେତ୍ରରେ ବିଜେଡ଼ି ଅନ୍ୟମାନଙ୍କ ଠାରୁ ବେଶ କେଇପାଦ ଆଗରେ ରହିଛି  । ବିଜୁ ଯୁବ ଜନତା ଦଳର କାର୍ଯ୍ୟକ୍ରମ ଅପେକ୍ଷା ବିଜୁ ଯୁବ ବାହିନୀ ଉପରେ ଦଳ ଫୋକସ କରିଛି  । ବିଜୁ ଯୁବ ବାହିନୀ ସରକାରୀ କାର୍ଯ୍ୟକ୍ରମର କିୟଦଂଶ ହୋଇଥିଲେ ମଧ୍ୟ ରାଜନୈତିକ କାର୍ଯ୍ୟରେ ଏହି ବାହିନୀକୁ ଲଗାଇବା ପାଇଁ ଦଳ ପକ୍ଷରୁ ବ୍ଲୁପ୍ରିଂଟ ପ୍ରସ୍ତୁତ କରାଯାଇଛି  । ଅପରପକ୍ଷରେ ଯୁବ କଂଗ୍ରେସ ଓ ବିଜେପି ଯୁବମୋର୍ଚ୍ଚା ରଣନୀତି କରୁଥିଲେ ମଧ୍ୟ ତାହା ବିଜେଡ଼ି ଭଳି ପ୍ରଭାବଶାଳୀ ହୋଇପାରିନି କହିଲେ ଅତୁ୍ୟକ୍ତି ହେବ ନାହିଁ  ।

    ତେବେ ଏସବୁ ଭିତରେ ମହିଳା ମୋର୍ଚ୍ଚାଗୁଡ଼ିକ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି  । ଅଧା ଭୋଟରଙ୍କୁ ହାତେଇବା ପାଇଁ ଭିନ୍ନଭିନ୍ନ ରଣନୀତି ଆପଣାଇଛନ୍ତି ତିନି ଦଳ  । ଏକ୍ଷେତ୍ରରେ ବିଜେଡ଼ି ଓ ବିଜେପି ମଧ୍ୟରେ ପୂର୍ବରୁ ପ୍ରତିଯୋଗିତା ଜାରି ରହିଥିବାବେଳେ ଏବେ କଂଗ୍ରେସ ମଧ୍ୟ ସକ୍ରିୟ ହୋଇଯାଇଛି  । ଫଳରେ ମହିଳା ରାଜନୀତି ଏବେ ବେଶ ସରଗରମ ହୋଇଯାଇଛି  । ବିଜୁ ଜନତା ଦଳ ପୂର୍ବଭଳି ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହନ ଉପରେ ଫୋକସ ଦେବା ସହ ମହିଳାଙ୍କୁ ଖୁସି କରିବା ପାଇଁ ସ୍ୱତନ୍ତ୍ର ଯୋଜନା ମଧ୍ୟ କରିଛି  । ଖୁସି ଯୋଜନାରେ କିଶୋରୀ ଓ ମହିଳାମାନଙ୍କୁ ମାଗଣା ଅବା ରିହାତି ଦରରେ ସାନିଟାରୀ ନାପକିନ ପ୍ରଦାନ କରୁଥିବାବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅଧିକ ସ୍ୱାସ୍ଥ୍ୟ ଖର୍ଚ୍ଚ ପ୍ରଦାନ ପାଇଁ ରାଜ୍ୟ ସରକାର ନିଷ୍ପତି ନେଇସାରିଛନ୍ତି  । ସେପଟେ ସୁକନ୍ୟା ଯୋଜନା ହେଉ ଅବା ଉଜ୍ଜ୍ୱଳା ଯୋଜନାର ସଫଳତାକୁ ନେଇ ମହିଳାମାନଙ୍କୁ ନିଜ ଆଡ଼କୁ ଆକôୃଷ୍ଟ କରିବାକୁ ବିଜେପି ମଧ୍ୟ ରଣନୀତି କରିଛି  । 

    ନିର୍ବାଚନ ପାଖେଇ ଆସିଥିବାରୁ ମହିଳା ସଂଗଠନଗୁଡ଼ିକୁ ତିନି ଦଳ ସକ୍ରିୟ କରିବାକୁ ଉଦ୍ୟମ କରିଛନ୍ତି  । ସେପ୍ଟେମ୍ବର ୨୪ରୁ ସେପ୍ଟେମ୍ବର ୨୯ ମଧ୍ୟରେ ରାଜ୍ୟର  ସବୁ ନିର୍ବାଚନମଣ୍ଡଳୀରେ ବିଜୁ ମହିଳା ଜନତା ଦଳ ସମାବେଶ କରିବାକୁ ନିଷ୍ପତି ନେଇଛି  । ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମରେ ଏବେ ବେଶୀ ମହିଳା ଗଦା ହେଉଥିବା ଦେଖିବାକୁ ମିଳିଛି  । ଏଥିରୁ ମହିଳା ଏସଏଚଜିଗୁଡ଼ିକ ଏବେ ମଧ୍ୟ ନବୀନଙ୍କ ଉପରେ ଆସ୍ଥା ପ୍ରକଟ କରୁଥିବା ସ୍ପଷ୍ଟ ହୋଇଯାଇଛି  । ସେମାନଙ୍କୁ ୧% ସୁଧରେ ଋଣ ପ୍ରଦାନ କରାଯାଉଥିବାବେଳେ ମମତା ଯୋଜନାରେ ମଧ୍ୟ ସହାୟତା ମିଳୁଛି  । ବିଜୁ ମହିଳା ଜନତା ଦଳ ଗାଁକୁ ଗାଁ ଯାଇ ମହିଳାମାନଙ୍କୁ ଆକର୍ଷିତ କରିବା ପାଇଁ ଉଦ୍ୟମ କରିଥିବାବେଳେ ଅକ୍ଟୋବର ୨ରୁ ହେଉଥିବା ଜନସମ୍ପର୍କ ପଦଯାତ୍ରାର ଗୋଟିଏ ଦିନ କେବଳ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ରଖିବାକୁ ଦଳ ନିଷ୍ପତି ନେଇଛି  ।

    ଅପରପକ୍ଷରେ ବିଜେଡ଼ି ଭଳି ବିଜେପି ମଧ୍ୟ ମହିଳା ଭୋଟରଙ୍କୁ ଆକôୃଷ୍ଟ କରିବା ପାଇଁ ରଣନୀତି କରିଛି  । ପୂର୍ବରୁ ଦଳ ପକ୍ଷରୁ ସାରା ରାଜ୍ୟରେ ଶୋଭାଯାତ୍ରା କରାଯାଇଥିଲା  । ନିକଟରେ ମହିଳା ମୋର୍ଚ୍ଚା ପକ୍ଷରୁ ପୁରୀରେ ଜାତୀୟ କାର୍ଯ୍ୟକାରିଣୀ କରାଯିବ ବୋଲି ସୂଚନା ଦିଆଯାଇଛି  । ବିଜୁ ଜନତା ଦଳ କିଭଳି ମହିଳାମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଠକୁଛି ସେନେଇ ମହିଳା ମୋର୍ଚ୍ଚା ଗାଁ ଗାଁରେ ସଚେତନତା ସୃଷ୍ଟି କରିବ  । ଏହାଛଡ଼ା ମୋଦି ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନା, ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହିଳାଙ୍କ ନାମରେ କାର୍ଯ୍ୟାଦେଶ ଆବଂଟନ ସମ୍ପର୍କରେ ମହିଳାମାନଙ୍କୁ ଅବଗତ କରାଇବ ମୋର୍ଚ୍ଚା  । ଖାଲି ସେତିକିନୁହେଁ ଦଳ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୫ରୁ ୨୧ ପର୍ଯ୍ୟନ୍ତ ବୁଥ ଚାଲ ଅଭିଯାନ କରାଯାଇଛି  । ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରତି ବୁଥରେ ଜନ ସଚେତନତା ସୃଷ୍ଟି କରାଯିବା ସହ ନବୀନ ସରକାରଙ୍କ ବିଫଳତା ସମ୍ପର୍କରେ ବାର୍ତା ଦିଆଯିବ  । ଆସନ୍ତା ୨୯ ଓ ୩୦ ଦୁଇଦିନ ଧରି ପୁରୀରେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ କରାଯିବ  । ଫଳରେ ମହିଳା ମୋର୍ଚ୍ଚାକୁ ଅଧିକରୁ ଅଧିକ ସକ୍ରିୟ କରିବା ପାଇଁ ଦଳ ଯୋଜନା କରିଛି  ।

    ବିଜେଡ଼ି ଓ ବିଜେପି ମହିଳା ସଂଗଠନ ପୂର୍ବରୁ ସକ୍ରିୟ ଥିବାବେଳେ ଏବେ ଆହୁରି ସକ୍ରିୟ ହୋଇପଡ଼ିଛି  । କିନ୍ତୁ ମହିଳା କଂଗ୍ରେସ ଏହି ଦୁଇ ଦଳକୁ ତାଳଦେବାରେ ବିଫଳ ହୋଇଛି  । କିନ୍ତୁ ଏବେ ମହିଳା କଂଗ୍ରେସ ସକ୍ରିୟ ହେବା ସହ ନୂଆ ରଣନୀତି କରିଛି  । ଆସନ୍ତା ୨୦ରୁ ୩୦ ପର୍ଯ୍ୟନ୍ତ ମହିଳା କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ଜନ ଆକ୍ରୋଶ ସମାବେଶ କରାଯିବ  । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କିଭଳି ମହିଳାମାନଙ୍କ ହତାଦର କରିଛନ୍ତି, କିଭଳି ଯୋଜନା ନାମରେ କୋଟି କୋଟି ଟଙ୍କା ହରିଲୁଟ କରାଯାଉଛି, ଦରଦାମ କିଭଳି ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି, ବିଜେଡ଼ି ଓ ବିଜେପି ଶାସନରେ କିଭଳି ଦେଶ ଓ ରାଜ୍ୟରେ ମହିଳାଙ୍କ ପ୍ରତି ହିଂସା ବଢ଼ିବାରେ ଲାଗିଛି ଆଦିକୁ ମହିଳା କଂଗ୍ରେସ ପ୍ରସଙ୍ଗ କରିବ  । ରାଜ୍ୟର ପ୍ରତି ଘରେ ଘରେ ମହିଳା କଂଗ୍ରେସ ପହଁଚିବ ବୋଲି ମହିଳା କଂଗ୍ରେସ ପକ୍ଷରୁ କୁହାଯାଇଛି  ।

    ତିନି ଦଳର ମହିଳା ସଂଗଠନ ସକ୍ରିୟ ହୋଇପଡ଼ିଥିବାରୁ ଏବେ ଗାଁ ଗାଁରେ ରାଜନୀତି ଉଷ୍ମ ହୋଇଯିବ ବୋଲି ଆଶା କରାଯାଉଛି  । କିଏ କେତେ ମହିଳାଙ୍କୁ ନିଜ ଆଡ଼କୁ ଆକର୍ଷିତ କରିପାରୁଛି ତାହାହିଁ ବିଜୟ ରାସ୍ତାକୁ ପ୍ରଶସ୍ତ କରିପାରିବ  । ଏହି ସମାବେଶ ଓ ଶୋଭାଯାତ୍ରାରେ କେତେ ଜନ ସଗାଗମ ହେଉଛି ତାହାକୁ ଅନୁଶୀଳନ କରି ତିନି ଦଳ ଗୋଟିଏ ପ୍ରକାର ନିର୍ବାଚନୀ ସର୍ବେକ୍ଷଣ ମଧ୍ୟ କରିବେ  । ଆଗାମୀ ନିର୍ବାଚନରେ ତିନି ଦଳ ପୂର୍ବାପେକ୍ଷା ଅଧିକ ମହିଳାଙ୍କୁ ଟିକେଟ ଦେବା ପାଇଁ ଯୋଜନା କରିଥିବା ଜାଣିବାକୁ ମିଳିଛି  । ତିନି ଦଳର ମହିଳା ସଂଗଠନଗୁଡ଼ିକ ମଧ୍ୟ ଏନେଇ ଦଳୀୟ ସଭାପତି ଓ ନେତାଙ୍କର ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି  । ପଂଚାୟତ ନିର୍ବାଚନରେ ଏବେ ଅଧା ଆସନ ସଂରକ୍ଷିତ ହୋଇଥିବାବେଳେ ମହିଳା ନେତ୍ରୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି  । କିନ୍ତୁ ବିଗତ ନିର୍ବାଚନମାନଙ୍କରେ ମହିଳା ନେତ୍ରୀମାନଙ୍କୁ ଅଣଦେଖା କରାଯାଉଥିବା ହୃଦ୍ବୋଧ ହୋଇଛି  । ଏଥର ମହିଳାମାନଙ୍କୁ ପୂର୍ବାପେକ୍ଷା ଅଧିକ ଟିକେଟ ଦେବାକୁ ଯୋଜନା କରାଯାଇଥିବାରୁ ମହିଳା ନେତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି  । ସେମାନେ ନିଜ ନିଜର ସାଂଗଠନିକ ଦକ୍ଷତା ପ୍ରତିପାଦିତ କରିବା ପାଇଁ ପାରୁ ପର୍ଯ୍ୟନ୍ତ ପ୍ରୟାସ କରିବେ ବୋଲି ରାଜନୈତିକ ଅଳିନ୍ଦରେ ଚର୍ଚ୍ଚା ହେଉଛି  । ପ୍ରକାରାନ୍ତରେ ଏହାର ସୁଫଳ ରାଜନୈତିକ ଦଳଗୁଡ଼ିକ ପାଇବେ ବୋଲି ଆଶା କରାଯାଉଛି  ।

    Maximum 500 characters

    ରାଜନୀତି View all

    Find Us on Facebook