Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରିସ୍କ ନେଉଛି କଂଗ୍ରେସ

    Share on :
    Date: Aug 27, 2018    Views: 5333

    ଭୁବନେଶ୍ୱର : ସୁପ୍ତ କଂଗ୍ରେସ କର୍ମୀ ଓ ନେତାଙ୍କୁ ଜାଗ୍ରତ କରିବା ପାଇଁ ଏଆଇସିସିଠାରୁ ନେଇ ପିସିସି ପର୍ଯ୍ୟନ୍ତ ସମସ୍ତେ କମର କଷିଛନ୍ତି  । ନିର୍ବାଚନକୁ ଆଉ ମାତ୍ର ଛଅ ମାସ ଥିବାବେଳେ ଅଧିକ ସଫଳତା ପାଇଁ ୱାରରୁମରେ ଚାଲିଛି ଅଙ୍କକଷା  । ସେଥିପାଇଁ କଂଗ୍ରେସ ରିସ୍କ ମଧ୍ୟ ଉଠାଇଛି  । ଯେଉଁ କଂଗ୍ରେସ ଟିକେଟ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ପର୍ଯ୍ୟନ୍ତ ମଧ୍ୟ ଚୂଡ଼ାନ୍ତ ହୋଇନଥାଏ, ସେହି କଂଗ୍ରେସ ଆଗୁଆ ଟିକେଟ ବାଂଟିବା ପାଇଁ କସରତ ମଧ୍ୟ ଆରମ୍ଭ କରିଦେଇଛି  । ଖାଲି ସେତିକି ନୁହେଁ ଯେଉଁ ଢାଂଚାରେ ବିଜେପି ସାରା ଦେଶରେ ନିଜର ସଂଗଠନ ବୃଦ୍ଧି କରିବାରେ ସମର୍ଥ ହୋଇଛି ସମାନ ଢାଂଚା ମଧ୍ୟ କଂଗ୍ରେସ ଆପଣାଇଛି  । ମୋବାଇଲ ଫୋନ ମାଧ୍ୟମରେ ଶକ୍ତି ସଂଚୟ ହେଉବା ବୁଥୱାରୀ ରଣନୀତି ପ୍ରସ୍ତୁତ କରିବା ହେଉ, ପାରମ୍ପରିକ ଶଗଡ଼ ଗୁଳାକୁ ଛାଡ଼ି କଂଗ୍ରେସ ନୂଆ ରାସ୍ତା ଧରିଛି  । ତେବେ ଏହାର ସଫଳତା ନେଇ ପ୍ରଶ୍ନବାଚୀ ଉଠିଛି  । ବିଶେଷକରି ବିଜେଡ଼ି ଓ ବିଜେପିରେ ନିର୍ବାଚନ ପ୍ରଚାର ଓ ଟିକେଟ ଆବଂଟନ ଜଣଙ୍କ ହାତରେ ଧରାଇ ଦିଆଯାଇଥିବାବେଳେ କଂଗ୍ରେସର ମାଳମାଳ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି  । ଯେଉଁ ନିରଞ୍ଜନ ପଟ୍ଟନାୟକ ଦିନେ ଅତି ଗହଳିରେ ମୂଷା ମରେ ନାହିଁ ବୋଲି କହୁଥିଲେ ଏବେ ତାଙ୍କରି ଅମଳରେ କଂଗ୍ରେସରେ ବେଶୀ ଗହଳି ଦେଖିବାକୁ ମିଳିଛି  । ସମସ୍ତେ ମିଶି ରଣନୀତି ପ୍ରସ୍ତୁତ କଲେ କଂଗ୍ରେସ ସୁଦୃଢ଼ ହେବ ନା, ନିଜ ନିଜର ହକ୍ ଓ ଅନୁଗତଙ୍କୁ ଥଇଥାନ କରିବାର ପ୍ରତିଯୋଗିତା କଂଗ୍ରେସକୁ ଦୁର୍ବଳ କରିଦେବ ତାହାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ  ।

    ପ୍ରଥମ ଦଫାରେ କଂଗ୍ରେସ ୫୦ ପ୍ରାର୍ଥୀଙ୍କୁ ଟିକେଟ ଦେବା ପାଇଁ ଯୋଜନା କରିଛି  । ଏନେଇ ପିସିସି ଓ ଏଆଇସିସି ନେତାମାନେ ଆଶାୟୀଙ୍କ ସହ ସିଧାସଳଖ ଆଲୋଚନା ବି କରିଛନ୍ତି  । ଇତିମଧ୍ୟରେ ସମ୍ଭାବ୍ୟ ତାଲିକା ମଧ୍ୟ ଏଆଇସିସିକୁ ପଠାଯାଇଥିବା ଜାଣିବାକୁ ମିଳିଛି  । ଏହାଦ୍ୱାରା କଂଗ୍ରେସର ଗୋଟିଏ ଲାଭ ହେବ  । ପୂର୍ବରୁ ପିସିସି ସଭାପତି ଓ ଏଆଇସିସି ପ୍ରଭାରୀ ଯାହାଙ୍କୁ ଚାହୁଁଥିଲେ ତାଙ୍କୁ ଟିକେଟ ଦେଇପାରୁଥିଲେ  । କିନ୍ତୁ ଏବେ କଂଗ୍ରେସର ବହୁ ଆଗଧାଡ଼ିର ନେତା ଟିକେଟ ଚୟନରେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିଛି  । ବର୍ତମାନର କଂଗ୍ରେସ ବିଧାୟକମାନଙ୍କୁ ପୁଣି ଥରେ ଟିକେଟ ମିଳିବା ସ୍ପଷ୍ଟ ହୋଇସାରିଛି  । ସେହିପରି ଯେଉଁ ଯେଉଁ ବିଧାନସଭା ଆସନରେ କଂଗ୍ରେସ କଡ଼ା ଟକ୍କର ଦେଇଥିଲା, ବିଜେଡ଼ି କିମ୍ବା ବିଜେପି ଠାରୁ ଖୁବ କମ୍ ଭୋଟରେ ବିଜୟରୁ ବଂଚିତ ହୋଇଥିଲା ସେହି ନେତାମାନଙ୍କୁ ମଧ୍ୟ ପ୍ରଥମ ଦଫାରେ ଟିକେଟ ମିଳିବ ବୋଲି ଚର୍ଚ୍ଚା ହେଉଛି  । ଟିକେଟ ଆବଂଟନର ମୁଖ୍ୟ ମାନଦଣ୍ଡ ବିଜୟ ସମ୍ଭାବନା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି  । ତେବେ ଏଯାଏଁ ଅଧିକାଂଶ ନିର୍ବାଚନମଣ୍ଡଳୀରେ କଂଗ୍ରେସ ସକ୍ରିୟ ହୋଇନଥିବାବେଳେ ବିଜୟ ସମ୍ଭାବନାକୁ କଂଗ୍ରେସ କିଭଳି ପରଖିବ ସେନେଇ ବି ସନେ୍ଦହ ସୃଷ୍ଟି ହେଉଛି  ।  ଖାଲି ସେତିକିନୁହେଁ ବାରବାର ହାରିଥିବା ନେତା ଓ ଅମାନତ ହରାଉଥିବା ନେତାଙ୍କୁ ମଧ୍ୟ ଦଳ ଟିକେଟ ଆବଂଟନ ବେଳେ ଗୁରୁତ୍ୱ ଦେବ ନାହିଁ  । ସେମାନଙ୍କୁ ଅନ୍ୟ ସାଂଗଠନିକ କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି  । କିନ୍ତୁ ପୂର୍ବରୁ ଟିକେଟ ଘୋଷଣା ହେଉଥିବାରୁ ବିଦ୍ରୋହୀମାନେ ନିର୍ବାଚନମଣ୍ଡଳୀରେ ସକ୍ରିୟ ହୋଇଯିବା ସ୍ୱାଭାବିକ  ।

    ଏବେ କଂଗ୍ରେସର ୧୫ ବିଧାୟକ ଅଛନ୍ତି  । ଝାରସୁଗୁଡ଼ା : ନବ କିଶୋର ଦାସ, ତଳସରା : ପ୍ରଫୁଲ୍ଲ ମାଝୀ, ସୁନ୍ଦରଗଡ଼ : ଯୋଗେଶ କୁମାର ସିଂହ, ବଲାଙ୍ଗୀର : ନରସିଂହ ମିଶ୍ର, ଡାବୁଗାଁ : ଭୁଜବଳ ମାଝୀ, ଜି.ଉଦୟଗିରି : ଜାକବ ପ୍ରଧାନ, ସାଲେପୁର : ପ୍ରକାଶ କୁମାର ବେହେରା, ଆଳି : ଦେବେନ୍ଦ୍ର ଶର୍ମା, ରାଜନଗର : ଅଂଶୁମାନ ମହାନ୍ତି, ଜଗତସିଂହପୁର : ଚିରଞ୍ଜିବୀ ବିଶ୍ୱାଳ, ପାରଳାଖେମୁଣ୍ଡି : କେ. ସୂର୍ଯ୍ୟ ନାରାୟଣ ରାଓ, ଲକ୍ଷ୍ମୀପୁର : କୈଳାସ ଚନ୍ଦ୍ର କୁଳେସିକା, କୋଟପାଡ଼ : ଚନ୍ଦ୍ରଶେଖର ମାଝୀ, ଜୟପୁର : ତାରା ପ୍ରସାଦ ବାହିନୀପତି ଓ କୋରାପୁଟ : କୃଷ୍ଣଚନ୍ଦ୍ର ସଗରିଆ  । ସେମାନଙ୍କୁ ଟିକେଟ ମିଳିବ ବୋଲି ପୂର୍ବରୁ ପିସିସି ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି  ।

    ଗତ ୨୦୧୪ ନିର୍ବାଚନରେ ବରଗଡ଼ : ସାଧୁ ନେପାକ, ଅତାବିରା : ନିହାର ରଂଜନ ମହାନନ୍ଦ, ବ୍ରଜରାଜନଗର : କିଶୋର ଚନ୍ଦ୍ର ପଟେଲ, ରାଜଗାଙ୍ଗପୁର : ଗ୍ରେଗୋରୀ ମିଞ୍ଜ, ବଣାଇ : ଭୀମସେନ ଚୌଧୁରୀ, ରେଢ଼ାଖୋଲ : ଆସଫ ଅଲ୍ଲୀ ଖାନ, ତେଲକୋଇ : ଧନର୍ଜୟ ସିଦୁ, ଆନନ୍ଦପୁର : ଜୟଦେବ ଜେନା, ବଡ଼ସାହି : ଯାମିନୀକାନ୍ତ ନାୟକ, ଜଳେଶ୍ୱର : ଦେବୀ ପ୍ରସାଦ ଚାନ୍ଦ, ଭୋଗରାଇ : ସତ୍ୟଶିବ ଦାସ, ସୋରୋ : ମୃତୁ୍ୟଞ୍ଜୟ ଜେନା, ସିମୁଳିଆ : ପଦ୍ମଲୋଚନ ପଣ୍ଡା, ଭଦ୍ରକ : ନରେନ ପଲେଇ, ବାସୁଦେବପୁର: ମାଧବାନନ୍ଦ ମଲ୍ଲିକ, ଚାନ୍ଦବାଲି : ଅମୀୟ କୁମାର ମହାପାତ୍ର, ବଡ଼ଚଣା : ଜନ୍ମଜେୟ ଲେଙ୍କା, ସୁକିନ୍ଦା : ଶରତ ରାଉତ, କାମାକ୍ଷାନଗର : ଭବାନୀଶଙ୍କର ମହାପାତ୍ର, ଛେଣ୍ଡିପଦା : ଅଗସ୍ତି ବେହେରା, ଆଠମଲ୍ଲିକ : ସୁରେନ୍ଦ୍ର କୁମାର ପ୍ରଧାନ, ଲୋଇସିଂହା : ପାଣ୍ଡବ ଚନ୍ଦ୍ର କହଁର, କଂଟାବାଂଝୀ : ସନ୍ତୋଷ ସିଂହ ସାଲୁଜା, ଖରିଆର : ଅଧିର ମୋହନ ପାଣିଗ୍ରାହୀ, ଉମରକୋଟ : ଯତୀନ୍ଦ୍ର ନାଥ ଗଣ୍ଡ, ଝରିଗାଁ : ଉଲଧର ମାଝୀ, ନବରଙ୍ଗପୁର : ସଦନ ନାଏକ, ଲାଞ୍ଜିଗଡ଼ : ପ୍ରଦୀପ କୁମାର ଦିଶାରୀ, ଭବାନୀପାଟଣା : ଦୁଷ୍କନ୍ତ ନାଏକ, ନର୍ଲା : ଜଗନ୍ନାଥ ପଟ୍ଟନାୟକ, ବାଲିଗୁଡ଼ା : କ୍ଲେଶା ପ୍ରଧାନ, କଂଟାମାଳ : ହରି ନାରାୟଣ ପ୍ରଧାନ, ବୌଦ୍ଧ : ସୁଶାନ୍ତ କୁମାର ପ୍ରଧାନ, ବାରବାଟୀ-କଟକ : ମହମ୍ମଦ ମୁକିମ, ନିଆଳୀ : ଛବି ମଲ୍ଲିକ, ପାଟକୁରା : ଜୟନ୍ତ କୁମାର ମହାନ୍ତି, କେନ୍ଦ୍ରାପଡ଼ା : ଗଣେଶ୍ୱର ବେହେରା, ପାରାଦୀପ : ଅରିନ୍ଦମ ସର୍ଖେଲ, ତିର୍ତୋଲ : ରାଜକିଶୋର ବେହେରା, ପୁରୀ : ଉମା ବଲ୍ଲଭ ରଥ, ପିପିଲି : ଯୁଦ୍ଧିଷ୍ଠିର ସାମନ୍ତରାୟ, ଜଟଣୀ : ସୁରେଶ କୁମାର ରାଉତରାୟ, ଭଞ୍ଜନଗର : ବିନାୟକ ତ୍ରିପାଠୀ, ପୋଲସରା : ଗୋକୁଳାନନ୍ଦ ମଲ୍ଲିକ, ଆସ୍କା : ସରୋଜ କୁମାର ପାଢ଼ୀ, ସୁରଡ଼ା : ବସନ୍ତ କୁମାର ବିଶୋୟୀ, ସାନଖେମୁଣ୍ଡି : ରମେଶ ଚନ୍ଦ୍ର ଜେନା, ମୋହନା : ଦାଶରଥୀ ଗମାଙ୍ଗୋ, ଗୁଣୁପୁର : ପୁରୁଷୋତମ ଗମାଙ୍ଗୋ, ବିଷମକଟକ : ଡମ୍ବରୁଧର ଉଲାକା, ରାୟଗଡ଼ା : ମକରନ୍ଦ ମୁଦୁଲି, ପଟାଙ୍ଗୀ : ରାମଚନ୍ଦ୍ର କାଡ଼ାମ, ମାଲାକାନାଗିରି : ମାଲା ମାଢ଼ୀ ପ୍ରମୁଖ ବିଜେଡ଼ି ଓ ବିଜେପିର ଭଲ ମୁକାବିଲା କରିଥିଲେ  । ପ୍ରଥମ ପର୍ଯ୍ୟାୟରେ ଏମାନଙ୍କ ମଧ୍ୟରୁ ପ୍ରାୟ ୯୦% ନେତାଙ୍କ କଥାକୁ ମଧ୍ୟ ବିଚାରକୁ ନିଆଯାଇଛି  । ସେହିପରି ଗତ ନିର୍ବାଚନରେ କଡ଼ା ଟକ୍କର ଦେଇ ପରାଜୟ ବରଣ କରିଥିବା କେତେକ ନେତା ବିଜେପି ଓ ବିଜେଡ଼ିରେ ଯୋଗ ଦେଇସାରିଛନ୍ତି  । ସେମାନଙ୍କୁ ବାଦ ଦେଇ ଅନ୍ୟମାନଙ୍କ କଥାକୁ ବିଚାରକୁ ନେଇଛି କଂଗ୍ରେସ  । ତେବେ କଂଗ୍ରେସ ଯେଉଁ ନିର୍ବାଚନମଣ୍ଡଳୀଗୁଡ଼ିକରେ ପରାଜୟର ସାମ୍ନା କରିଥିଲା ସେହି ନିର୍ବାଚନମଣ୍ଡଳୀରେ ଅନେକ ନୂଆ ନେତା ବି ମୁଣ୍ଡ ଟେକିଛନ୍ତି  । ଯଦି ଏମାନଙ୍କୁ କଂଗ୍ରେସ ଏବେ ଟିକେଟ ଦେଇଦିଏ ତେବେ ଅନ୍ୟ ନେତାମାନେ ଦଳ ଛାଡ଼ିବାର ଆଶଙ୍କା ରହିଛି  । ଆଗୁଆ ଟିକେଟ ଦିଆଗଲେ ଦଳର ଲାଭ ହୋଇପାରେ ଓ କ୍ଷତି ବି ହୋଇପାରେ ବୋଲି ମଧ୍ୟ ନିରଞ୍ଜନ କହି ସାରିଛନ୍ତି  । ଅର୍ଥାତ୍ କଂଗ୍ରେସଯେ, ରିସ୍କ ନେଇଛି ତାହା ସେ ସ୍ୱୀକାର କରୁଛନ୍ତି  ।

    କଂଗ୍ରେସ ପାଇଁ ଆଉ ଏକ ଆଶ୍ୱସ୍ତିର କାରଣ ହେଉଛି ଦଳ ପୂର୍ବାପେକ୍ଷା ସଂଗଠିତ ହୋଇଛି  । ନେତାଙ୍କ ମଧ୍ୟରେ ମତାନ୍ତର ରହିଥିଲେ ମଧ୍ୟ ରାହୁଲଙ୍କ ଛାଟ ଭୟରେ ସମସ୍ତେ ଏକ ହୋଇ କାମ କରିବାକୁ ବାଧ୍ୟ ହୋଇଛନ୍ତି  । ଆଗକୁ ନିର୍ବାଚନ ଥିବାରୁ ସବୁ ବ୍ଲକରେ ଆନେ୍ଦାଳନ କରିବାକୁ ନିଷ୍ପତି ନେଇଛିି କଂଗ୍ରେସ  । ଅପରପକ୍ଷରେ ପ୍ରଚାର କମିଟି ମଧ୍ୟ ପ୍ରଚାରକୁ ଜୋରଦାର କରିବା ପାଇଁ ଯୋଜନା କରିଛି  । ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ  । ରାଜ୍ୟର ଚାରି ଦିଶାରେ ଚାରୋଟି ବଡ଼ ସମାବେଶ କରିବା ନିମନ୍ତେ ମଧ୍ୟ କଂଗ୍ରେସ ପକ୍ଷରୁ ଯୋଜନା କରାଯାଇଛି  । ରାଜ୍ୟ, ଜାତୀୟ ଓ ଆଂଚଳିକ ପ୍ରସଙ୍ଗ ଆଧାରରେ ଦଳ ଲୋକଙ୍କ ପାଖକୁ ଯିବ  । ଆସନ୍ତା ୩ ମାସ ଧରି ପ୍ରତି ବ୍ଲକରେ ପଦଯାତ୍ରା କରାଯିବ  । ଦଳର ଆଗଧାଡ଼ିର ନେତା, ପିସିସିର କର୍ମକର୍ତାଙ୍କ ନେତୃତ୍ୱରେ ଏହି ପଦଯାତ୍ରା କରାଯିବ  । କେଉଁ ବ୍ଲକରେ କେଉଁ ନେତା ପଦଯାତ୍ରା କରିବାର ଦାୟିତ୍ୱ ନେବେ ତାହା ମଧ୍ୟ ସ୍ଥିରୀକୃତ କରାଯିବ  । ପିସିସି ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କ ସହ ରାଜ୍ୟ ଓ ଜାତୀୟସ୍ତରର ବରିଷ୍ଠ ନେତାମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି କର୍ମୀଙ୍କ ମନୋବଳ ବୃଦ୍ଧି କରିବେ  । ଖୁବଶୀଘ୍ର ପିସିସି କେଉଁ ପ୍ରସଙ୍ଗରେ ଲୋକଙ୍କ ପାଖକୁ ଯିବ, ପ୍ରଚାରର ତରିକା କ’ଣ ରହିବ ତାହା ନିଧାର୍ଯ୍ୟ କରିବାକୁ ଯୋଜନା ହୋଇଛି  । ଅପରପକ୍ଷରେ ପୁଣି ଦଳର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଗୁଗଲୀ ଛାଡ଼ିଛନ୍ତି  । ଖଣି ଚୋରିକୁ ପ୍ରମୁଖ ପ୍ରସଙ୍ଗ କରାଯିବ  । ରାଜ୍ୟ ସରକାର ଖଣି ଚୋରଙ୍କୁ ଛାଡ଼ି ଦେଇଛନ୍ତି  । ରାଜ୍ୟର ଯେଉଁ ୬୦ ପରିବାର ଖଣି ଚୋରି କରିଛନ୍ତି ସେମାନଙ୍କ ପର୍ଦ୍ଧାଫାଶ କରାଯିବ ବୋଲି ଶ୍ରୀକାନ୍ତ କହିଛନ୍ତି  । 

    ୨୦୧୪ ନିର୍ବାଚନ ବେଳେ ବିଜେପି ମୋବାଇଲ ଓ ଏସଏମସକୁ ବେଶ ଗୁରୁତ୍ୱ ଦେଇଥିଲା  । ଏହାରି ମାଧ୍ୟମରେ ହିଁ ଦଳ ପ୍ରଚାର ଅଭିଯାନ ଜାରି ରଖି ସଫଳ ମଧ୍ୟ ହୋଇଥିଲା  । ପରେପରେ ମୋବାଇଲ ମାଧ୍ୟମରେ ଦଳ ସଭ୍ୟ ସଂଗ୍ରହ ଅଭିଯାନ କରିଥିଲା  । କିନ୍ତୁ ଏହି ସମୟରେ କଂଗ୍ରେସ ଅନଲାଇନ ସଭ୍ୟ ସଂଗ୍ରହ କରିଥିଲେ ବି ବିଜେପି ଭଳି ସଫଳ ହୋଇନଥିଲା  । ଅମିତ ଶାହା ବିଜେପିର ରାଷ୍ଟ୍ରୀୟ ସଭାପତି ହେବା ପରେ ତୃଣମୂଳସ୍ତରରେ ସାଂଗଠନିକ ଶକ୍ତି ବୃଦ୍ଧି ଉପରେ ଫୋକସ କରାଯାଇଥିଲା  । ବିଶେଷକରି ‘ମୋ ବୁଥ, ସବୁଠୁ ମଜବୁତ’ ବିଜେପିକୁ ବେଶ ଫାଇଦା ଆଣି ଦେଇଥିଲା  । ଏବେ ରାଜ୍ୟ କଂଗ୍ରେସ ପକ୍ଷରୁ ସେହି ଢାଂଚାରେ ‘ମୋ ବୁଥ, ମୋ ଗୌରବ’ ଅଭିଯାନ ଆରମ୍ଭ କରିବାକୁ ଯାଉଛି  । ରାଜସ୍ଥାନ ‘ମେରା ବୁଥ, ମେରା ଗୌରବ’କୁ ପିସିସି କପି ପେଷ୍ଟ କରିଥିବା କୁହାଯାଉଥିଲେ ମଧ୍ୟ ମୂଳତଃ ଏହି ଫର୍ମୂଲା ବିଜେପିର ବୋଲି କହିଲେ ଭୁଲ ହେବ ନାହିଁ  । ରାଜସ୍ଥାନ ପିସିସି ସଭାପତି ସଚିନ ପାଇଲଟ ଆଜମେର, ଆଲୱାର ଓ ମାଣ୍ଡଲାଗଡ଼ ଉପନିର୍ବାଚନରେ ଏହି ଫର୍ମୂଲା ଆପଣାଇ ବିଜେପିକୁ ମାତ ଦେବାରେ ସମର୍ଥ ହୋଇଥିଲେ  । ତେଣୁ ଏବେ ରାଜସ୍ଥାନର ସବୁ ବୁଥରେ କଂଗ୍ରେସ ଏହି ନୀତି ଆପଣାଇଛି  । ସବୁ ବୁଥରେ କଂଗ୍ରେସ ଜଣେ ସଭାପତି ଓ ୨ ଜଣ ସଦସ୍ୟଙ୍କୁ ନେଇ କମିଟି ଗଠନ କରିବ  । ପଂଚାୟତ ନିର୍ବାଚନର ସଫଳତା ପରେ ୨୦୧୭ ଜୁନରେ ରାଜ୍ୟ ବିଜେପି ମୋ ବୁଥ, ସବୁଠୁ ମଜବୁତ କାର୍ଯ୍ୟକ୍ରମ ଆରମ୍ଭ କରିଥିବାବେଳେ କାର୍ଯ୍ୟକର୍ତାମାନଙ୍କୁ ବାଇକ ଓ ମୋବାଇଲ ମଧ୍ୟ ପ୍ରଦାନ କରାଯାଇଛି  । ତେବେ କଂଗ୍ରେସ ଏହି କାର୍ଯ୍ୟକ୍ରମ ଜରିଆରେ ବୁଥ ଏଜେଂଟ ଚୟନ କରିବାକୁ ଲକ୍ଷ୍ୟ ରଖିଛି  । ବିଜେପି ବହୁ ପୂର୍ବରୁ ଏହି ନୀତି ଆପଣାଇଥିଲେ ବି ଏଯାବତ୍ ସେତେଟା ସଫଳ ହୋଇନାହିଁ  । ସେହିପରି ରାଜସ୍ଥାନରେ କଂଗ୍ରେସ ସବୁବେଳେ ସୁଦୃଢ଼ ସ୍ଥିତିରେ ରହିଛି  । ସେଠାରେ ଥରେ ବିଜେପି ଆସିଲେ ଥରେ କଂଗ୍ରେସ କ୍ଷମତାସୀନ ହେଉଛି  । କିନ୍ତୁ ରାଜ୍ୟରେ ୧୮ ବର୍ଷ ହେଲା କଂଗ୍ରେସ ସରକାରରେ ନାହିଁ  । ଏହି ପରିପ୍ରେକ୍ଷୀରେ ଦଳ କମ୍ ସମୟ ମଧ୍ୟରେ ସଫଳତା ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି  । ତେବେ ଏହାଦ୍ୱାରା କଂଗ୍ରେସଯେ, ଦିପାଦ ଆଗକୁ ବଢ଼ିବ ତାହା ଜୋର ଦେଇ କୁହାଯାଇପାରେ  ।

    କଂଗ୍ରେସ ‘ପ୍ରୋଜେକ୍ଟ ଶକ୍ତି’ ଅଭିଯାନ ମଧ୍ୟ ଆରମ୍ଭ କରିଛି  । ଭୋଟରମାନେ ୯୫୯୪୦୦୨୨୧୧ ମୋବାଇଲ ନମ୍ବରରେ ନିଜ ଭୋଟର କାଡର଼୍ ନମ୍ବର ଏମଏମଏସ କରି ପଞ୍ଜୀକୃତ ହୋଇପାରିବେ  । ପ୍ରୋଜେକ୍ଟ ଶକ୍ତିରେ ସାମିଲ ହେଲେ ରାହୁଲ ଗାନ୍ଧୀଙ୍କର ଏକ ମୋବାଇଲ ବାର୍ତା ମଧ୍ୟ ଶୁଣିବାକୁ ମିଳୁଛି  । ପୂର୍ବରୁ ମଧ୍ୟ କଂଗ୍ରେସ ବିଜେପି ଫର୍ମୂଲା ଆପଣାଇ ସାରିଛି  । ବିଜେପି ଯେଉଁଭଳି ମଣ୍ଡଳ ସଭାପତି ନିଯୁକ୍ତ କରିଛି ଅନରୂପ ଭାବେ କଂଗ୍ରେସ ମଧ୍ୟ ଜୋନ ସଭାପତି ଚୟନ କରିଛି  । ସେହିପରି ବିଜେପିର ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରଭାରୀ ଭଳି ପିସିସି ମଧ୍ୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବ  । ବିଜେପି ପ୍ରଭାରୀ ଯେଭଳି କ୍ଷେତ୍ରରେ ରହିବା ବାଧ୍ୟତାମୂଳକ ଠିକ ସେମିତି କଂଗ୍ରେସର ପର୍ଯ୍ୟବେକ୍ଷକ ମଧ୍ୟ ନିର୍ବାଚନମଣ୍ଡଳୀରେ ମାସରେ ୧୫ ଦିନ ରହିବେ ବୋଲି ଦଳ ପକ୍ଷରୁ ନିଷ୍ପତି ନିଆଯାଇଛି  । ବିଜେପି ଭଳି ବିଭିନ୍ନ ଜୋନରେ କଂଗ୍ରେସ ସମାବେଶ କରିବାକୁ ଯୋଜନା କରିଥିବାବେଳେ ଅମିତ ଶାହା ଯେଭଳି ଘନଘନ ଓଡ଼ିଶା ଗସ୍ତ କରୁଛନ୍ତି ରାହୁଲ ଗାନ୍ଧୀ ମଧ୍ୟ ସେମିତି ଓଡିଶା ଗସ୍ତ କରିବାର ସମ୍ଭାବନା ରହିଛି  । ରାଜଧାନୀରେ ଏକ ବିଶାଳ ର୍ୟାଲିରେ ପିସିସି ପକ୍ଷରୁ ରାହୁଲଙ୍କୁ ସ୍ୱାଗତ କରାଯିବ ବୋଲି ଜାଣିବାକୁ ମିଳିଛି  । 

    ୨୦୧୯ରେ କଂଗ୍ରେସ କି ସୁଫଳ ପାଇବ ତାହା ତ ସମୟ କହିବ  । ହେଲେ କଂଗ୍ରେସର ଆକ୍ରମଣାତ୍ମକ ରଣନୀତି ଦଳୀୟ କର୍ମୀ ଓ ନେତାଙ୍କୁ ନିଶ୍ଚିତ ଭାବେ ଉତ୍ସାହିତ କରିଛି  । ଯଦି ସବୁ କଂଗ୍ରେସ ନେତା ବିନା ଛନ୍ଦ କପଟରେ ଦଳ ପାଇଁ କାର୍ଯ୍ୟ କରନ୍ତି ତେବେ ଦଳ ୨୦୧୯ରେ ଭଲ ପ୍ରଦର୍ଶନ କରିପାରିବ ବୋଲି କର୍ମୀମାନେ ଆଶା ରଖିଛନ୍ତି  । 

    Maximum 500 characters

    ରାଜନୀତି View all

    Find Us on Facebook