Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବୈଜୟନ୍ତଙ୍କୁ ଅଟକାଉଛନ୍ତି ଧର୍ମେନ୍ଦ୍ର

    Share on :
    Date: Aug 26, 2018    Views: 12179

    ଭୁବନେଶ୍ୱର : ଦଳ ଛାଡ଼ିଲେ, ପଦ ବି ଛାଡ଼ିଲେ  । ୨୦୧୯ରେ ନିଜର ଦମ ଦେଖାଇବା ପାଇଁ ଖୁବ କସରତ ବି କଲେ  । ରାଜ୍ୟର ବିଭିନ୍ନ ଅଂଚଳରେ ବୁଲିଲେ  । ‘ହେଇଯାଉ’ରେ ଚା’ ପିଆଇ ସମବେଦନା ସାଉଁଟିବାକୁ ମଧ୍ୟ ଚେଷ୍ଟା କଲେ  । ଆଶା ଥିଲା ବିଜେପିରେ ସାମିଲ ହୋଇ ହୃତଗୌରବ ଫେରିପାଇବେ  । ହେଲେ ଏବେ ସେହି ଆଶା ବି ମଉଳିବାରେ ଲାଗିଛି  । ବିଜେପି ପକ୍ଷରୁ ତାଙ୍କୁ ଅଫର ଦିଆଯାଇଥିଲେ ବି ଦୋଛକିରେ ରହିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା  । ବିଜେପିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଧାକ ରହିଥିବାବେଳେ ରାଜ୍ୟ ବିଜେପି ସମ୍ପୂର୍ଣ୍ଣ ଭାବେ ଧର୍ମେନ୍ଦ୍ରଙ୍କର ନିୟନ୍ତ୍ରଣରେ ରହିଛି  । ତେଣୁ ସେ ବିଜେପିରେ ମିଶିଲେ ବି ଜୁନିୟର ନେତାଙ୍କ ଅଧିନରେ ତାଙ୍କୁ କାମ କରିବାକୁ ପଡ଼ିବ  । ସେ ଚାହିଁଲେ ବି ସାରା ରାଜ୍ୟରେ ନିଜର ସଂଗଠନ ବିସ୍ତାର କରିପାରିବେ ନାହିଁ  । ଯେଉଁଥିପାଇଁ ବୈଜୟନ୍ତ ଦୋଛକିରେ ପଡ଼ି ଯାଇଥିବାବେଳେ ଧର୍ମେନ୍ଦ୍ର ମଧ୍ୟ ଜାଣିଶୁଣି ଏଥିପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି  । ବରଂ ବୈଜୟନ୍ତ ବିଜେପିକୁ ଆସିଲେ ଭବିଷ୍ୟତରେ ତାଙ୍କ ପାଇଁ ବିପଦ ସୃଷ୍ଟି ହେବବୋଲି ଧର୍ମେନ୍ଦ୍ରଙ୍କ କୋଟରୀ ଆଶଙ୍କା ପ୍ରକାଶ କରୁଛନ୍ତି  ।

    ବୈଜୟନ୍ତଙ୍କର ଅନେକ ରାଷ୍ଟୀୟ ବିଜେପି ନେତାଙ୍କ ସହ ସୁସମ୍ପର୍କ ରହିଛି  । ଧର୍ମେନ୍ଦ୍ରଙ୍କର ମଧ୍ୟ ରାଷ୍ଟ୍ରୀୟ ବିଜେପିରେ ବି ବେଶ ଧାକ ରହିଛି  । ଯେଉଁଥିପାଇଁ ପ୍ରଥମ ଓଡ଼ିଆ ଭାବେ ସେ ଅନ୍ୟ ଦୁଇଟି ରାଜ୍ୟରୁ ରାଜ୍ୟସଭାକୁ ଯିବାର ସୌଭାଗ୍ୟ ଅର୍ଜନ କରିଛନ୍ତି  । ଧର୍ମେନ୍ଦ୍ର ଯେଉଁଭଳି ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି ଅନୁରୂପ ଭାବେ ବୈଜୟନ୍ତଙ୍କର ମଧ୍ୟ ସେଭଳି ଉଚ୍ଚ ଅଭିଳାଷ ରହିଛି  । ଏହାବି ଧର୍ମେନ୍ଦ୍ର ଭଲଭାବେ ଠଉରାଇଛନ୍ତି  । ଯେଉଁଯେଉଁ ତରିକାରେ ଧର୍ମେନ୍ଦ୍ର ଉଭୟ ରାଜ୍ୟ ଓ ଜାତୀୟ ରାଜନୀତିରେ ଉପରକୁ ଉଠିଛନ୍ତି ବୈଜୟନ୍ତ ମଧ୍ୟ ତାହା ଜାଣିଛନ୍ତି  । ବୈଜୟନ୍ତଙ୍କ ପାଖରେ ବଡ଼ ଟିଭି ଚ୍ୟାନେଲ ରହିଛି  । ତେଣୁ ସେ ପ୍ରଚାରରେ ନିଶ୍ଚିତ ଭାବେ ଧର୍ମେନ୍ଦ୍ରଙ୍କ ଠାରୁ ଆଗରେ ରହିଯିବେ  । ସେହିପରି ତାଙ୍କ ପାଖରେ କୋଟି କୋଟି ଟଙ୍କା ମଧ୍ୟ ରହିଛି  । ସଂଗଠନ ବୃଦ୍ଧି କରିବା ପାଇଁ ଏହା ବି ସବୁଠୁ ବଳିଷ୍ଠ ଉପାଦାନ  । ଅର୍ଥାତ୍ ଯଦି ବିଜେଡ଼ିକୁ ମାତ ଦେବା ପାଇଁ ବୈଜୟନ୍ତଙ୍କୁ ବିଜେପିକୁ ଅଣାଯାଏ ତେବେ ସେ ନିଶ୍ଚିତ ଭାବେ ପ୍ରଥମେ ବିଜେପିରେ ନିଜର ଶକ୍ତି ବୃଦ୍ଧି କରିବାକୁ ଚିନ୍ତା କରିବେ  । ଅପରପକ୍ଷରେ ଉପର ଠାଉରିଆ ଭାବେ ଜୁଏଲ ଓରାମଙ୍କ ଠାରୁ ନେଇ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପର୍ଯ୍ୟନ୍ତ ଧର୍ମେନ୍ଦ୍ରଙ୍କୁ ପସନ୍ଦ କରୁଛନ୍ତି ବୋଲି କହୁଥିଲେ ମଧ୍ୟ ସେମାନଙ୍କ ମନରେ କ’ଣ ରହିଛି ତାହା ବିଜେପି ନେତାମାନେ ଜାଣିସାରିଛନ୍ତି  । ତେବେ ଧର୍ମେନ୍ଦ୍ର ଜାତୀୟସ୍ତରରେ ନିଜକୁ ଏତେ ଶକ୍ତିଶାଳୀ କରିଦେଇଛନ୍ତିଯେ, ଦଳର କେତେକ ଆଗଧାଡ଼ିର ନେତା ତାଙ୍କ ପ୍ରତି ଅସନ୍ତୁଷ୍ଟ ଥିଲେ ମଧ୍ୟ ଧର୍ମେନ୍ଦ୍ରଙ୍କ ବିରୋଧରେ ସେମାନେ କୌଣସି କାର୍ଯ୍ୟକ୍ରମ ହାତକୁ ନେଇପାରୁନାହାନ୍ତି  । ଯଦି ଏଭଳି ସନ୍ଦିକ୍ଷଣରେ ବୈଜୟନ୍ତ ବିଜେପିକୁ ଆସନ୍ତି ତେବେ ସେହି ନେତାମାନେ ବୈଜୟନ୍ତଙ୍କୁ ସହଯୋଗ କରିବେ ବୋଲି ଧର୍ମେନ୍ଦ୍ର ଜାଣି ସାରିଛନ୍ତି  ।

    ଖାଲି ସେତିକିନୁହେଁ ଇତିମଧ୍ୟରେ ଧର୍ମେନ୍ଦ୍ରଙ୍କ କୋଟରୀର କେତେକ ନେତାଙ୍କ ବିରୋଧରେ ଦଳରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି  । ଧର୍ମେନ୍ଦ୍ରଙ୍କ ଅନୁଗାମୀ ନେତାମାନଙ୍କୁ ତୃଣମୂଳସ୍ତରରେ ବିରୋଧର ସାମ୍ନା କରିବାକୁ ପଡ଼ୁଛି  । ତୃଣମୂଳସ୍ତରରେ ଯେଉଁ ଯେଉଁ ନେତାମାନେ ଧର୍ମେନ୍ଦ୍ର ଓ ତାଙ୍କ କୋଟରୀ ବିରୋଧରେ ଅସନ୍ତୁଷ୍ଟ ସେମାନେ ଚାହିଁଲେ ବି କିଛି କରିପାରୁନାହାନ୍ତି  । କାରଣ ସେମାନଙ୍କ ପାଖରେ ବିକଳ୍ପ ନାହିଁ  । କାହିଁକିନା ସେମାନେ ଜାଣିସାରିଛନ୍ତ, ଧର୍ମେନ୍ଦ୍ର ବିଜେପିରେ ଏତେ ଶକ୍ତିଶାଳୀଯେ, ତାଙ୍କୁ ମୁକାବିଲା କରିବାର ଶକ୍ତି ରାଜ୍ୟର ଆଉ କେଉଁ ନେତାଙ୍କର ନାହିଁ  । ଏଭଳି ସ୍ଥିତି ଲାଗି ରହିଥିବାବେଳେ ବୈଜୟନ୍ତ ଯଦି ବିଜେପିରେ ମିଶନ୍ତି ତେବେ ଅସନ୍ତୁଷ୍ଟ ବିଜେପି ନେତାମାନେ ବୈଜୟନ୍ତଙ୍କ ସହ ହାତ ମିଳାଇବେ  । ଏମିତିକି ବୈଜୟନ୍ତ ବିଜେପିରେ ମିଶିବେ ବୋଲି ପ୍ରଚାର ହେବା ପରେ କେତେକ ବିଜେପି ନେତା ଏବେଠାରୁ ବୈଜୟନ୍ତଙ୍କ ଯୋଗାଯୋଗରେ ରହିଥିବା ଦେଖିବାକୁ ମିଳିଛି  । ଫଳରେ ଦଳରେ ମିଶୁମିଶୁ ବୈଜୟନ୍ତ ବିଜେପିରେ ଶକ୍ତିଶାଳୀ ହୋଇଯିବେ ବୋଲି କହିଲେ ଭୁଲ ହେବ ନାହିଁ  । ଧର୍ମେନ୍ଦ୍ର ମଧ୍ୟ ସେହି ଅଙ୍କ କଷିଛନ୍ତି  । ତେଣୁ ସେ ବୈଜୟନ୍ତଙ୍କୁ ବିଜେପିରେ ମିଶାଇ ତାଙ୍କ ପାଇଁ ଭବିଷ୍ୟରେ କଂଟା ସୃଷ୍ଟି କରିବାକୁ ଚାହୁଁନାହାନ୍ତି  ।

    ବୈଜୟନ୍ତ ଭାବିଥିଲେ, ବିଜେପି ନେତାମାନେ ତାଙ୍କୁ ବାରବାର ଅନୁରୋଧ କରିବେ  । କିନ୍ତୁ ଏବେ ରାଜ୍ୟ ବିଜେପି ପକ୍ଷରୁ ସେଭଳି ପ୍ରୟାସ କରାଯାଉନାହିଁ  । ବରଂ ସେ କିଭଳି ଦଳକୁ ନଆସିବେ ସେ ବାଟ ତିଆରି ଚାଲିଛି  । କିନ୍ତୁ ଏଠାରେ ଗୋଟିଏ କଥା ସ୍ପଷ୍ଟଯେ, ବୈଜୟନ୍ତ ଯେବେ ଚାହିଁବେ ସେଦିନ ମଧ୍ୟ ବିଜେପିରେ ମିଶିପାରିବେ  । ଓଡ଼ିଶାରେ ନୁହେଁ ମୋଦି ଓ ଶାହାଙ୍କ ଉପସ୍ଥିତିରେ ସେ ମିଶିବାକୁ ଚାହୁଁଛନ୍ତି  । କିନ୍ତୁ ଯଦି ରାଷ୍ଟ୍ରୀୟ ବିଜେପି ପକ୍ଷରୁ ତାଙ୍କୁ ସେଭଳି ଶକ୍ତିଶାଳୀ ନକରାଯାଏ ତେବେ ବିଜେପିରେ ଯୋଗଦେଲେ ସେ କୌଣସି ଲାଭ ପାଇବେ ନାହିଁ  । ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ସେ ମଧ୍ୟ କାର୍ଯ୍ୟ କରିବାକୁ ଚାହିଁବେ ନାହିଁ  । ୨୦୧୯ ନିର୍ବାଚନ ବେଳେ ସେ ରାଜ୍ୟ ବିଜେପିର ପ୍ରଚାର କମିଟି ଅଧ୍ୟକ୍ଷ ହେବାକୁ ଚାହୁଁଥିବା ବିଜେପି ଅଳିନ୍ଦରେ ଚର୍ଚ୍ଚା ହେଉଛି  । ଏହି ପଦବୀଟି ବିଜେପିର ମୁଖ୍ୟ ପଦବୀ  । ସାଧାରଣତଃ ପ୍ରଚାର କମିଟି ଅଧ୍ୟକ୍ଷ ହିଁ ବିଜେପିର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପରିଗଣିତ ହୋଇଥା’ନ୍ତି  । 

    ବୈଜୟନ୍ତଙ୍କର କ’ଣ ଉଦେ୍ଧଶ୍ୟ ରହିଛି ଧର୍ମେନ୍ଦ୍ର ତାହାର ନାଡ଼ି ଠଉରାଇପାରିଛନ୍ତି  । ଧର୍ମେନ୍ଦ୍ର ଏକଦା ବୈଜୟନ୍ତଙ୍କୁ ମଧ୍ୟ ଓଡ଼ିଶା ରାଜନୀତିରେ ନିଜର ପ୍ରତିଦ୍ୱନ୍ଦ୍ୱୀ ମନେ କରୁଥିଲେ  । ବରଂ ବିଜେଡ଼ିରୁ ବିଦା ହେବା ପରେ ବୈଜୟନ୍ତଙ୍କର ପ୍ରଭାବ ଓ କ୍ଷମତା ହ୍ରାସ ପାଇବା ନିଶ୍ଚିତ  । ଯଦି ତାଙ୍କୁ ବିଜେପି ରାଜନୀତିରୁ ଦୂରେଇ ରଖାଯାଏ ତେବେ ଭବିଷ୍ୟତରେ ତାହା ଧର୍ମେନ୍ଦ୍ରଙ୍କ ପାଇଁ ସୁବିଧାଜନକ ହେବ  । ଧର୍ମେନ୍ଦ୍ର ଭଲଭାବେ ଜାଣିଛନ୍ତି ୨୦୧୯ରେ ରାଜ୍ୟରେ କ୍ଷମତା ଦଖଲ କରିବା ଅସମ୍ଭବ  । କିନ୍ତୁ ୨୦୨୪ ବେଳକୁ ବିଜେପି କ୍ଷମତାକୁ ଆସିପାରିବ ବୋଲି ଧର୍ମେନ୍ଦ୍ର ଅଙ୍କ କଷିଛନ୍ତି  । ଫଳରେ ଆଗାମୀ ଦିନରେ ବୈଜୟନ୍ତ ବିଜେପିକୁ ଆସୁଛନ୍ତି କି ନାହିଁ, ଯଦି ଆସିବେ ତାଙ୍କୁ କି କ୍ଷମତା ମିଳିବ ତାହା ଉପରେ ସମସ୍ତଙ୍କ ନଜର ରହିବା ସ୍ୱାଭାବିକ  । ସେହିପରି ଧର୍ମେନ୍ଦ୍ର ନା ବୈଜୟନ୍ତ କିଏ ନିଜ ଚାଲରେ ସଫଳ ହେବ ତାହା ଉପରେ ହିଁ ଦୁହିଁଙ୍କ ରାଜନୀତିକ ଭବିଷ୍ୟତ ନିର୍ଭର କରିବ  ।

    Maximum 500 characters

    ଅଧିକ ମତାମତ

    Dharmendranka anuman sata ate

    Parbati Behera

    Aug 26, 2018

    ରାଜନୀତି View all

    Find Us on Facebook