Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ରାଜ୍ୟ କ୍ୟାବିନେଟରେ କ’ଣ ନିଷ୍ପତି ନିଆଗଲା, ପଢ଼ନ୍ତୁ

    Share on :
    Date: Aug 24, 2018    Views: 16041

    ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି  । ବିଭିନ୍ନ ବିଭାଗର ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ଲାଗିଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ହେଉଛି;

    ‘କଳିଙ୍ଗ ଶିକ୍ଷା ସାଥୀ’ ସୁଧ ରିହାତି ପ୍ରସ୍ତାବରେ ପରିବର୍ତ୍ତନ : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ‘କଳିଙ୍ଗ ଶିକ୍ଷା ସାଥୀ ଯୋଜନା’ରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଋଣରେ ସୁଧ ରିହାତି ପ୍ରଦାନ କରାଯାଉଛି  । ଏହି ଯୋଜନାରେ ସାଢେ଼ ୭ ଲକ୍ଷ ଟଙ୍କା ଓ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷାଋଣ ପ୍ରଦାନ କରାଯାଉଛି  । ଏହି ସବୁ ଋଣର ପରିଶୋଧ ସମୟ ଋଣ ପରିଶୋଧ ସ୍ଥଗନ ଅବଧି ସହିତ ଯଥାକ୍ରମେ ୭ ବର୍ଷ ଓ ୧୫ ବର୍ଷ ରହିଛି  । ସେହିପରି ମ୍ୟାନେଜମେଂଟ, ଇଂଟିଗ୍ରେଟେଡ଼ ଲ, ଇଞ୍ଜିନିୟରିଂ ଓ ମେଡ଼ିକାଲ ପାଠ୍ୟକ୍ରମ ପାଇଁ ଋଣ ପ୍ରଦାନ କରାଯାଉଛି  । ତେବେ ସ୍ୱଳ୍ପ ସଂଖ୍ୟକ ବିଷୟ ଓ ସ୍ୱଳ୍ପକାଳୀନ ଋଣ ପରିଶୋଧ ସମୟ ପାଇଁ ଅନେକ ଯୋଗ୍ୟ ଛାତ୍ରଛାତ୍ରୀ ଶିକ୍ଷାଋଣ ପାଇବାରୁ ବଂଚିତ ହେଉଛନ୍ତି  । ଏହି ଯୋଜନାରେ ଅଧିକ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ କରିବା ପାଇଁ ଯୋଜନାରେ ପରିବର୍ତନ କରାଯାଇଛି  । 

    ଆଜି କ୍ୟାବିନେଟରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ, ଯେଉଁସବୁ ଶିକ୍ଷାନୁଷ୍ଠାନରେ ଯେଉଁ ସବୁ ଅଧ୍ୟୟନ ବିଷୟ ପାଇଁ ସିଏସଆଇସି ଯୋଜନା ପ୍ରଯୁଜ୍ୟ ହେଉଛି ସେହି ସମସ୍ତ ପାଇଁ କଳିଙ୍ଗ ଶିକ୍ଷା ସାଥୀ ଯୋଜନା ପ୍ରଯୁଜ୍ୟ ହେବ  । ସେହିପରି ସାଢେ଼ ୭ ଲକ୍ଷ ଟଙ୍କା ଋଣ ପାଇଁ ପରିଶୋଧର ସମୟ, ଋଣ ପରିଶୋଧ ସ୍ଥଗନ ଅବଧି ସହିତ ୧୦ ବର୍ଷରୁ ୧୫ ବର୍ଷକୁ ବୃଦ୍ଧି କରାଯାଇଛି  । ୨୦୧୬ ଅପ୍ରେଲ ପହିଲା କିମ୍ବା ତା’ପରେ ଏହି ଯୋଜନାରେ ମଞ୍ଜୁରୀପ୍ରାପ୍ତ ଶିକ୍ଷା ଋଣ ପାଇଁ ଏହି ନୂତନ ନିୟମ ଲାଗୁ ହେବ  ।

    ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା ନିୟମାବଳୀ ୨୦୧୮ର ପ୍ରଣୟନ : ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା ବିଭାଗର ଡାକ୍ତରମାନଙ୍କୁ ୩ଟି ଶାଖାରେ ବିଭକ୍ତ କରାଯାଇଛି । ସ୍ନାତକୋତର ଓ ଅତି ସ୍ନାତକୋତର ଶିକ୍ଷା ଯୋଗ୍ୟତା ସଂପନ୍ନ ଡାକ୍ତରମାନଙ୍କୁ ବିଶେଷଜ୍ଞ ଶାଖାରେ ଅନ୍ତର୍ଭୁକ୍ତ କରାଯିବ । ସେହିପରି ଜନସ୍ୱାସ୍ଥ୍ୟ ଶିକ୍ଷା ଯୋଗ୍ୟତା ଥିବା ଡାକ୍ତରମାନଙ୍କୁ ଜନସ୍ୱାସ୍ଥ୍ୟ ଶାଖା ଓ ସ୍ନାତକ ଶିକ୍ଷାସଂପନ୍ନ ଡାକ୍ତରମାନଙ୍କୁ ସାଧାରଣ ସେବା କ୍ଷେତ୍ରରେ ଅନ୍ତର୍ଭୁକ୍ତ କରାଯିବ । ପ୍ରାଥମିକ ଚୟନ ଲିଖିତ ଓ ଅନଲାଇନ ପରୀକ୍ଷାରେ ପାଇଥିବା ଅଙ୍କକୁ ବିବେଚନା କରି କରାଯିବ ।  ଅସ୍ଥାୟୀଭାବେ କାର୍ଯ୍ୟରତ ଡାକ୍ତରମାନଙ୍କୁ ବାର୍ଷିକ ୩ ପ୍ରତିଶତ ଅତିରିକ୍ତ ଅଙ୍କ ଭାବେ ସର୍ବାଧିକ୧୫ପ୍ରତିଶତ ଅଙ୍କ ପ୍ରଦାନ କରାଯିବ । ସେହିପରି ସ୍ନାତକୋତର ଓ ଅତି ସ୍ନାତକୋତର ଶିକ୍ଷା ଯୋଗ୍ୟତା ସଂପନ୍ନ ଡାକ୍ତରମାନଙ୍କୁ ମୋଟ ଅଙ୍କର ଅତିରିକ୍ତ ୧୫ପ୍ରତିଶତ ଅଙ୍କ ପ୍ରଦାନ କରାଯିବ । 

    ସାଧାରଣ ସେବା ଶାଖା ଅନ୍ତର୍ଭୁକ୍ତ କନିଷ୍ଠ-କ ବର୍ଗର ପାହ୍ୟାର ଡାକ୍ତରଙ୍କୁ ବରିଷ୍ଠ-କ ପାହ୍ୟାକୁ ପଦୋନ୍ନତି ନିମନ୍ତେ ଏହି ପାହ୍ୟାରେ ଅନ୍ତତଃ ୬ବର୍ଷ ନିରବଚ୍ଛିନ୍ନ କାର୍ଯ୍ୟ ସଂପାଦନ କରିଥିବେ । ସେହିପରି ବିଶେଷଜ୍ଞ ଶାଖା ଓ ଜନସ୍ୱାସ୍ଥ୍ୟ ଶାଖା ଅନ୍ତର୍ଭୁକ୍ତ କନିଷ୍ଠ-କ ବର୍ଗର ଡାକ୍ତରଙ୍କୁ ବରିଷ୍ଠ-କ ପାହ୍ୟାକୁ ପଦୋନ୍ନତି ପାଇଁ ଏହି ପାହ୍ୟାରେ ଅନ୍ତତଃ ୫ବର୍ଷ ନିରବଚ୍ଛିନ୍ନ କାର୍ଯ୍ୟ ସଂପାଦନ କରିଥିବେ । 
    କନିଷ୍ଠ ପ୍ରଶାସନିକ ଯୁଗ୍ମ ନିଦେ୍ର୍ଧଶକ ପାହ୍ୟାକୁ ପଦୋନ୍ନତି ପାଇଁ ଜଣେ ସାଧାରଣ ସେବା ଶାଖା ଅନ୍ତର୍ଭୁକ୍ତ ବରିଷ୍ଠ-କ ବର୍ଗ ଡାକ୍ତରଙ୍କୁ ସମଗ୍ର କାର୍ଯ୍ୟକାଳ ମଧ୍ୟରେ ଅନ୍ତତଃ ୧୦ବର୍ଷ ନିରବଚ୍ଛିନ୍ନ କାର୍ଯ୍ୟ ସଂପାଦନ କରିଥିବେ । ଏଥିମଧ୍ୟରୁ ୪ବର୍ଷ କେବିକେ, କେବିକେ ପ୍ଲସ ଓ ଟିଏସପି କ୍ଷେତ୍ରରେ କାର୍ଯ୍ୟ ସଂପାଦନ କରିଥିବେ । 

    ହିନ୍ଦୁ ଧର୍ମାନୁଷ୍ଠାନରେ ରହିବ ସରକାରଙ୍କ ନିୟନ୍ତ୍ରଣ  : ରାଜ୍ୟରେ ହିନ୍ଦୁ ଧର୍ମାନୁଷ୍ଠାନଗୁଡ଼ିକର ସ୍ୱାର୍ଥର ସୁରକ୍ଷା ତଥା ସେଗୁଡ଼ିକର ଉତ୍ତମ ପ୍ରଶାସନ ଓ ପରିଚାଳନା ନିମନ୍ତେ ଓଡ଼ିଶା ହିନ୍ଦୁ ଦେବୋତ୍ତର ଅଧିନିୟମ, ୧୯୫୧କୁ ସଂଶୋଧନ କରାଯାଇଛି  । ଏହାଦ୍ୱାରା କୌଣସି ହିନ୍ଦୁ ଧର୍ମାନୁଷ୍ଠାନ ପାଇଁ ଯେକୌଣସି ପରିକଳ୍ପନା ପ୍ରସ୍ତୁତ କରିବା ବେଳେ ସରକାରଙ୍କ ନିୟନ୍ତ୍ରଣ ରହିବା ସଙ୍ଗେସଙ୍ଗେ ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ନ୍ୟାସୀ ରୂପେ ମନୋନୀତ କରାଯାଇପାରିବ  । ପ୍ରସ୍ତାବିତ ସଂଶୋଧନଟି ନ୍ୟାସ ମଣ୍ଡଳୀର କାର୍ଯ୍ୟପ୍ରଣାଳୀକୁ ସୁଗମ ଓ ସ୍ୱଚ୍ଛ କରିବା ସଙ୍ଗେସଙ୍ଗେ ଏହାଦ୍ୱାରା ଦେବାଦେବୀ, ଧାର୍ମିକ ଅନୁଷ୍ଠାନ ଓ ହିନ୍ଦୁ ଜନସାଧାରଣଙ୍କର ସ୍ୱାର୍ଥର ସୁରକ୍ଷା ହୋଇପାରିବ  ।

    ପଦୋନ୍ନତି ମାଧ୍ୟମରେ ପୂରଣ ହେବ ଅବକାରୀ ଅଧିକ୍ଷକ ପଦବୀ : ଏଭଳି ପ୍ରସ୍ତାବକୁ କ୍ୟାବିନେଟରେ ମଂଜୁରୀ ପ୍ରଦାନ କରାଯାଇଛି  । ୩୧ ଅବକାରୀ ଅଧିକ୍ଷକ ପଦବୀକୁ ଅବକାରୀ ଉପଅଧିକ୍ଷକମାନଙ୍କ ପଦୋନ୍ନତି ଆଧାରରେ ପୂରଣ କରିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି  ।

    ବିହାର ଏବଂ ଓଡ଼ିଶା ତୀର୍ଥସ୍ଥାନ ଅଧିନିୟମ ୧୯୨୦କୁ ନିରସନ କରିବା ପାଇଁ ଆସିଥିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି  । ସମ୍ପ୍ରତି ଲଜିଂ ହାଉସ ପାଣ୍ଠି ସଂକୁଚିତ ହୋଇଥିବାବେଳେ ପରିର୍ବତନକୁ ଆଖିଆଗରେ ରଖି ଏହା ଚାଲୁ ନକରିବା ପାଇଁ ବିଚାର କରାଯାଇଛି  ।  ଏହି ଆଇନରେ ଥିବା ଅନେକ ଭୂମିକା ଓ ଦାୟିତ୍ୱ ଓଡ଼ିଶା ପୌର ଅଧିନିୟମ ୧୯୫୦ରେ ରହିଥିବାରୁ ୧୯୨୦ର ବିହାର ଏବଂ ଓଡ଼ିଶା ତୀର୍ଥସ୍ଥାନ ଅଧିନିୟମକୁ ନିରସନ କରାଯାଇଛି  ।

    ବିଧାନ ପରିଷଦ ଗଠନ ପ୍ରକ୍ରିୟା ଆଉ ପାଦେ ଆଗେଇଛି  । ବିଧାନ ପରିଷଦ ଗଠନ ପାଇଁ ଆଗାମୀ ମୌସୁମୀ ଅଧିବେଶନରେ ଏକ ସଂକଳ୍ପ ଆସିବ  । ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି  ।

    ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା  । ବୈଠକର ନିଷ୍ପତି ସମ୍ପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଲେଯେ, ବିଧାନସଭା ପରିଷଦ ଗଠନ ପାଇଁ ଏକ କମିଟି ଗଠନ କରାଯାଇଥିଲା  । ଏହି କମିଟି କର୍ଣ୍ଣାଟକ, ବିହାର, ମହାରାଷ୍ଟ୍ର ଓ ତେଲେଙ୍ଗାନା ରାଜ୍ୟ ଗସ୍ତ କରି ବିଧାନ ପରିଷଦ ଗଠନ ପ୍ରକ୍ରିୟାକୁ ଅନୁଧ୍ୟାନ କରିଥିଲେ  । ଓଡ଼ିଶାରେ ବିଧାନ ପରିଷଦ ଗଠନ ହେଲେ ଉତମ ଶାସନ ଦିଆଯାଇପାରିବା ସହ ବୈଧାନିକ ଆଲୋଚନାରେ ସହାୟକ ହୋଇପାରିବ ବୋଲି କମିଟି ରିପୋର୍ଟ ଦେଇଥିଲେ  । ସମ୍ବିଧାନର ଧାରା ୧୬୯(୧) ଅନୁଯାୟୀ ବିଧାନ ପରିଷଦ ଗଠନ ନିମନ୍ତେ ବିଧାନସଭାରେ ଏକ ସଂକଳ୍ପ ପାରିତ ହେବାର ଆବଶ୍ୟକତା ରହିଛି  । କ୍ୟାବିନେଟରେ ଆସିଥିବା ଏହି ପ୍ରସ୍ତାବକୁ ଆଜି ଅନୁମୋଦନ କରାଯାଇଛି  । ଆସନ୍ତା ମୌସୁମୀ ଅଧିବେଶନରେ ବିଧାନ ପରିଷଦ ଗଠନ ନେଇ ସଂକଳ୍ପ ଆସିବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ସୂଚନା ଦେଇଛନ୍ତି  ।

    Maximum 500 characters

    ଅଧିକ ମତାମତ

    very nice

    Kishor Chhatar

    Aug 24, 2018

    ଯୋଜନା ଓ ବିକାଶ View all

    Find Us on Facebook