Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ‘ପୋଡା ଟ୍ରାନ୍ସଫର୍ମର କରେଂଟରେ ଏନଡ଼ିଏ ଆଲୁଅ’

    Share on :
    Date: Aug 11, 2018    Views: 3997

    ଭୁବନେଶ୍ୱର : ‘ଆରେ ଦେଖ ! ଯାହାକୁ ପୋଡ଼ା ଟ୍ରାନ୍ସଫର୍ମର କହୁଥିଲ, ଏବେ ତା’ରି କରେଂଟରେ ତମ ଦଳ ଆଲୁଅ ହେଲା  । ତମ ଦଳ ମୁଖିଆ ଆଉ ପୋଷ୍ଟର ବୟ ସମସ୍ତେ ତାଙ୍କୁ ହିଁ ଘନଘନ ଫୋନ କଲେ  । ବସେଇ ଉଠିଲେନି  । ଏଥର ୧୨୦ ସ୍ୱପ୍ନ ଦେଖୁଥାରେ ପୁଅ...  ।’ ବାଘମାରୀ ଛକରେ ଚା’ ପିଇବା ବେଳେ ବିଜେପିର ପ୍ରଚାର ଗାଡ଼ି ବୁଲୁଥିବାବେଳେ ଏଭଳି ବକ୍ରୋକ୍ତି କରିଥିଲେ କେତେକ ଲୋକ  । ଏହି ଛୋଟିଆ ଘଟଣାରୁ ଏହା ସ୍ପଷ୍ଟଯେ, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡ଼ି ଯେଉଁ ଗେମପ୍ଲାନ ଖେଳିଲା ତାହା ବିଜେପିକୁ ହିଁ ବେଶୀ ଅକଳରେ ପକାଇଦେଇଛି  । ଅନେକ ବିଜେପି ନେତାମାନେ ବ୍ୟକ୍ତିଗତ ଭାବେ ଏହା ମଧ୍ୟ ସ୍ୱୀକାର କରୁଛନ୍ତି  ।

    ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବେଳେ ଏନଡ଼ିଏ ସପକ୍ଷରେ ଗଣିତ ନଥିଲା  । ଯଦି ସବୁ ବିଜେପି ବିରୋଧୀ ଦଳ ଏକ ହୋଇଥା’ନ୍ତେ ତେବେ ଏନଡ଼ିଏ ପ୍ରାର୍ଥୀଙ୍କୁ ପରାଜୟରୁ କେହି ରକ୍ଷା କରିପାରିନଥାେ’ନ୍ତ  ।  ଏନଡ଼ିଏ ଓ ଉପା ଘନଘନ ଅଙ୍କ କଷୁଥିଲେ ବି ନବୀନଙ୍କ ଗେମପ୍ଲାନ ଜଣାପଡ଼ୁନଥିବାରୁ ଅତଏବ ଉତର ଲେଖା ଯାଇପାରୁନଥିଲା  । ପ୍ରଥମେ ଜେଡ଼ିୟୂ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନେଇ ନବୀନଙ୍କ ସହ ଆଲୋଚନା କରିଥିଲେ  । ନବୀନ କ’ଣ କହିଲେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ନୀତିଶ କୁମାରଙ୍କ ମନରେ ଆଶା ଆଶଙ୍କା ରହିଥିଲା  । କଥା ନୀତିଶଙ୍କ ଠାରେ ଅଟକି ନଥିଲା  । ରାଜନାଥ ସିଂହଙ୍କ ବି ନବୀନଙ୍କୁ ଫୋନ କରି ସହଯୋଗ ଲୋଡ଼ିଲେ  । ଏମିତିକି ନବୀନଙ୍କୁ ଉପାଡ଼ି ଫିଙ୍ଗିଦେବାକୁ ବାରବାର ଆହ୍ୱାନ ଦେଉଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବି ଫୋନ୍ କଲେ  । ନବୀନଙ୍କୁ ଦଳର ଆଗଧାଡ଼ିର ନେତାମାନଙ୍କ ଘନଘନ ଫୋନ ରାଜ୍ୟ ବିଜେପିକୁ ଅକଳରେ ପକାଇ ଦେଇଥିଲା  ।  ବରଂ ନବୀନ ଏନଡ଼ିଏକୁ ସମର୍ଥନ କରିବା କଥା ବୋଲି କହିଲେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା  ।

    ଶାହା ଓ ରାଜନାଥଙ୍କ ଫୋନ ପରେ ବିଜେପି ନେତାମାନେ ଭାବୁଥିଲେ ଆଉ କେହି ନବୀନଙ୍କୁ ଅନୁରୋଧ କରିବେନି  । ବରଂ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନର ଫଳାଫଳ ଯାହାହେଉନା କାହିଁକି ନବୀନ ଯଦି କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରନ୍ତେ ଭଲ ହୁଅନ୍ତା ବୋଲି ଅଙ୍କ କଷିଥିଲେ  । ଏହାକୁ ରାଜ୍ୟ ବିଜେପି ଏକ ପ୍ରସଙ୍ଗ କରିପାରିଥା’ନ୍ତା  । କିନ୍ତୁ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନବୀନଙ୍କ ସହଯୋଗ ଲୋଡ଼ିବାକୁ ବାଧ୍ୟ ହୋଇଥିଲେ  । ଟେଲିଫୋନ ଯୋଗେ କଥା ହେବା ସହ ଏନଡ଼ିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ  । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେପରେ ସେତେବେଳେ ବିଜେପି ନେତାମାନଙ୍କ ମୁହଁ ଶୁଖି ଯାଇଥିଲା  । ଗୋଟିଏ ପଟେ ଯୁଦ୍ଧଂଦେହୀ ଡାକରା ଦେଇ ଦଳୀୟ କାର୍ଯ୍ୟାଳୟରେ ରୂପରେଖ ପ୍ରସ୍ତୁତ ହୋଇଥିବାବେଳେ ଶାହାଙ୍କ ପରେ ମୋଦିଙ୍କ ଅନୁରୋଧ ରାଜ୍ୟ ବିଜେପି ନେତାମାନଙ୍କୁ ବିବ୍ରତ କରିଦେଇଥିଲା  । ତଥାପିବି ସମସ୍ତେ ଭାବୁଥିଲେ ନବୀନ ନୀରବ ରହିବେ  । ମାନେ ଅନ୍ୟ କେତେକ ଦଳ ଭଳି ଭୋଟଦାନରୁ ନିବୃତ ରହିବେ  । କିନ୍ତୁ ନବୀନ ସିଧାସଳଖ ଭାବେ ଜେଡ଼ିୟୂ ସାଂସଦଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କଲେ  । 

    ନବୀନଙ୍କ ଏଭଳି ଆଭିମୁଖ୍ୟ ନେଇ କଂଗ୍ରେସ ଜୋରଦାର ସମାଲୋଚନା କରିଥିବାବେଳେ ବିଜେଡ଼ି ଓ ବିଜେପିର ସମ୍ଭାବ୍ୟ ମେଂଟ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଲା  । ବିଜେପି ନେତାମାନେ ଯେତେ ମୁହଁ ତୋଡ଼ ଦେଖାଇଲେବି ଜାତୀୟସ୍ତରରେ ଦଳର ସ୍ଥିତି କ’ଣ ତାହା ସମସ୍ତେ ଜାଣିଛନ୍ତି  । ଏସପି ବିଏସପି ମେଂଟ ଯେଭଳି ଉତରପ୍ରଦେଶରେ ବିଜେପିକୁ ଧରାଶାୟୀ କଲେ, କର୍ଣ୍ଣାଟକରେ ଯେଉଁ ପରିଣାମ ଭୋଗିବାକୁ ପଡ଼ିଲା, ବିହାରରେ ଯେଭଳି ଆରଜେଡ଼ି ସଫଳତା ପାଇଲା, ଗୁଜୁରାଟରେ ଯେମିତି କଂଗ୍ରେସ ଦୃଢ଼ ଟକ୍କର ଦେଲା, ଆଗାମୀ ତିନି ବିଧାନସଭାର ପରିଣତି ନେଇ ଯେଉଁ ସର୍ଭେ ରିପୋର୍ଟମାନ ପ୍ରକାଶ ପାଉଛି, ଜାମ୍ମୁକାଶ୍ମୀରରେ ଯେଉଁଭଳି ଭାବେ ମେଂଟ ଭାଙ୍ଗିଲା ଆଦି ସମସ୍ତ ପ୍ରସଙ୍ଗ ସ୍ୱାଭାବିକ ଭାବେ ଆନେ୍ଦାଳିତ କରୁଛି  । ଏହି ପରିପ୍ରେକ୍ଷୀରେ ବିଜେଡ଼ି ଓ ବିଜେପି ମେଂଟ ପାଇଁ ମୋଦି ଓ ଶାହାଯେ, ଆଦୌ ଅଙ୍କ କଷୁନଥିବେ ତାହା ଭାବିବା ଭୁଲ୍ ହେବ  ।

    ନୀତିଶ କୁମାରଙ୍କ ଭଳି କଟ୍ଟର ମୋଦି ବିରୋଧୀଙ୍କୁ ଯଦି ବିଜେପି ଆପଣାଇପାରିଲା ତେବେ ବିଜେଡ଼ିକୁ ଆପଣାଇବାରେ କ’ଣ ଅସୁବିଧା ରହିଛି ? ସେହିପରି ୨୦୦୯ରେ ଓଡ଼ିଶାରେ ବିଜେପି ଓ ବିଜେଡ଼ି ସହ କଂଗ୍ରେସର ତ୍ରିମୁଖୀ ଲଢେ଼ଇ ହେବାରୁ ୬ ସାଂସଦ ଆସନ କଂଗ୍ରେସ ହାତେଇ ନେଇଥିଲା  । ବିଶେଷକରି ଯେଉଁଠାରେ ବିଜେପି ଭଲ ପ୍ରଦର୍ଶନ କରିଥିଲା ଅର୍ଥାତ ଭଲ ଭୋଟ ଭିଡ଼ିଥିଲା ସେହି ସେହି ସଂସଦୀୟ କ୍ଷେତ୍ରଗୁଡ଼ିକରେ କଂଗ୍ରେସ ବିଜୟୀ ହୋଇଥିଲା  । କାହିଁକିନା ୨୦୦୯ରେ କଂଗ୍ରେସ ବାଲେଶ୍ୱର, ବରଗଡ଼, କଳାହାଣ୍ଡି, ନବରଙ୍ଗପୁର, ସମ୍ବଲପୁର ଓ ସୁନ୍ଦରଗଡ଼ ଆସନରେ କଂଗ୍ରେସ ବିଜୟୀ ହୋଇଥିବାବେଳେ ୨୦୦୪ରେ ବାଲେଶ୍ୱର, କଳହାଣ୍ଡି, ନବରଙ୍ଗପୁର ଓ ସୁନ୍ଦରଗଡ଼ ବିଜେପି ହାତରେ ହିଁ ଥିଲା  । ଯଦି ୨୦୧୯ରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହୁଏ ତେବେ କେତେକ ଆସନ କଂଗ୍ରେସ ହାତକୁ ଗଲେ ଆଶ୍ଚର୍ଯ୍ୟ ହେବାର ନାହିଁ  । ଯାହାକି ପ୍ରକାରନ୍ତରେ ମୋଦିଙ୍କ ପାଇଁ ହିଁ ଆହ୍ୱାନ ସୃଷ୍ଟିକରିବ କହିଲେ ଭୁଲ ହେବନାହିଁ  ।

    ଜାତୀୟ ନେତାମାନେ ଏମିତି ଅଙ୍କ କଷୁଥିବାର ଆଭାସ ମିଳୁଥିବାବେଳେ ରାଜ୍ୟର ଅନେକ ବିଜେପି ନେତା ଆଶା ଆଶଙ୍କାରେ ପଡ଼ିଯାଇଛନ୍ତି  । କେତେକ ଆଗଧାଡ଼ିର ନେତା ବିଜେଡ଼ି ସହ ମେଂଟ ହେଲେ ଅନାୟସରେ ବିଜୟ ଲାଭ କରିପାରିବେ ବୋଲି ଭାବୁଥିବାବେଳେ ଆଉ କେତେକ ନେତା ମେଂଟ ହେଲେ ଟିକେଟ ପାଇବେ କି ନାହିଁ ବୋଲି ଚିନ୍ତାରେ ପଡ଼ିଯାଇଛନ୍ତି  । ପଂଚାୟତ ନିର୍ବାଚନରେ ଦଳର ଅଦ୍ଭୂତପୂର୍ବ ବିଜୟ ପରେ ଯେଉଁ ତୃଣମୂଳସ୍ତରର ନେତାମାନେ ୨୦୧୯ ସ୍ୱପ୍ନ ଦେଖୁଥିଲେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଗଣିତ ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି  । ନବୀନଙ୍କ ଗୋଟି ଚାଳନାରେ ରାଜ୍ୟ ବିଜେପି ଫୁ୍ୟଜ ହୋଇଯାଇଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook