Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନିଜ ଭୁଲ ବୁଝିପାରୁଛି କି କଂଗ୍ରେସ ?

    Share on :
    Date: Aug 9, 2018    Views: 5983

    ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜୁ ଜନତା ଦଳ ଜେଡ଼ିୟୂ ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କଲା  । ହରିବଂଶ ମଧ୍ୟ ବିଜୟୀ ହେଲେ  । ଉପା ଗଣିତ ଫେଲ ମାରିଲା  । ଏହା ପରେ କଂଗ୍ରେସ ପକ୍ଷରୁ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ  ଟାର୍ଗେଟ ଆରମ୍ଭ ହୋଇଯାଇଛି  । କେଉଁ ନେତା ବିଜେଡ଼ି ସହ ବିଜେପିର ବୁଝାମଣା ଅଛି ବୋଲି କହୁଥିବାବେଳେ ଆଉ କେଉଁ ନେତା ବିଜେଡ଼ି ଆରଏସଏସ କୋଳରେ ଅଛି ବୋଲି କହିଛନ୍ତି  । ଆଉ କେହି କେହି ସିବିଆଇ ଡରରେ ବିଜେଡ଼ି ଏଭଳି ନିଷ୍ପତି ନେଇଛି ବୋଲି ମତବ୍ୟକ୍ତ କରିଛନ୍ତି  । ତେବେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ କଂଗ୍ରେସ ଯେଉଁଭଳି ଗୋଟି ଚଳାଇଥିଲା ତାହା କେତେଦୂର ଠିକ ଥିଲା ସେନେଇ ଆଲୋଚନା କରିବାର ଆବଶ୍ୟକତା ରହିଛି  ।

    ୧. ଏନଡ଼ିଏ ତିନି ଦିନ ପୂର୍ବରୁ ପ୍ରାର୍ଥୀଙ୍କ ନାମ ପ୍ରକାଶ କଲା  । ପୁଣି ବିଜେପିର ପ୍ରାର୍ଥୀ ନଦେଇ ସହଯୋଗୀ ଜେଡ଼ିୟୂ ସାଂସଦଙ୍କୁ ବଛାଗଲା  । ବିଜେଡ଼ିର ସହଯୋଗ ନିହାତି ଆବଶ୍ୟକ ବୋଲି ପ୍ରଥମେ ଜେଡ଼ିୟୂ ସୁପ୍ରିମୋ ନୀତିଶ କୁମାର ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କଲେ  । ଏମିତିକି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନବୀନଙ୍କ ସହଯୋଗ କାମନା କଲେ  । ଟେଲିଫୋନ ଯୋଗେ ଉଭୟ ନେତା ନବୀନଙ୍କ ସହ ଆଲୋଚନା କଲେ  । ଖାଲି ସେତିକିନୁହେଁ ହରିବଂଶ ନିଜେ ମଧ୍ୟ ବିଜେଡ଼ି ସାଂସଦଙ୍କୁ ଭେଟି ସମର୍ଥନ ପାଇଁ ଅନୁରୋଧ କରିଥିଲେ  ।

    ୨. ଉପା ପକ୍ଷରୁ କିଏ ପ୍ରାର୍ଥୀ ହେବେ ତାହା ସ୍ଥିରୀକୃତ ହେବାରେ ବିଳମ୍ବ ହେଲା  । ଏମିତିକି ନିଜ ଦଳର ସାଂସଦ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହେବେବୋଲି ଶରଦ ପାୱାର ଘୋଷଣା କଲେ  । ନବୀନଙ୍କ ସହ ଆଲୋଚନା ମଧ୍ୟ କଲେ  । କିନ୍ତୁ ପରେପରେ ଉପାର ପ୍ରାର୍ଥୀ ବଦଳିଗଲେ  । କଂଗ୍ରେସ ନିଜ ସହଯୋଗୀ ବଦଳରେ ନିଜ ଦଳର ପ୍ରାର୍ଥୀ ଦେଲା  । ନବୀନଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କି ସୋନିଆ ଗାନ୍ଧୀ ଆଲୋଚନା ବି କଲେ ନାହିଁ  । ରାହୁଲ ପ୍ରଧାନମନ୍ତ୍ରୀଙ୍କୁ କୋଳାଗ୍ରତ କଲେ ହେଲେ ଆପ ସହ ଆଲୋଚନା କଲେ ନାହିଁ ବୋଲି ଆପ ମତଦାନରୁ ବିରତ ରହିଲା  । ଅର୍ଥାତ କଂଗ୍ରେସ ନିଜ ଅହଂରେ ରହିଲା  । ଶରଦ ପାୱାରଙ୍କୁ ନବୀନ ଏହି କଥା ହିଁ କହିଥିଲେ  । ଉପା କିମ୍ବା ସହଯୋଗୀ ଦଳର ନେତାମାନେ ତାଙ୍କ ସହ ଯୋଗାଯୋଗ କରିନାହାନ୍ତି  । ବିକେ ହରିପ୍ରସାଦ ଗଣମାଧ୍ୟମକୁ କହିଲେ ଆମ ଦଳର ନେତା ନବୀନଙ୍କୁ ଯୋଗାଯୋଗ କରୁଛନ୍ତି  । କିନ୍ତୁ କିଏ କଥା ହୋଇଛନ୍ତି ତାହା କହିପାରିଲେ ନାହିଁ  । ଅର୍ଥାତ୍ କଂଗ୍ରେସ ପକ୍ଷରୁ ନବୀନଙ୍କୁ ଗୁରୁତ୍ୱ ଦିଆଗଲା ନାହିଁ  ।

    ୩. କଂଗ୍ରେସ ନେତା ମହାନଦୀ ଓ ପୋଲାଭରମ ଆନେ୍ଦାଳନକୁୁ ନେଇ ବିଜେଡ଼ି ବିରୋଧରେ ପ୍ରଶ୍ନ ଉଠାଉଛନ୍ତି  । ତେବେ ଖୋଦ ରାହୁଲ ଗାନ୍ଧୀ ପୋଲାଭରମକୁ ଖୋଲାଖୋଲି ସମର୍ଥନ କରୁଛନ୍ତି  । ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ କଂଗ୍ରେସ ଯୁକ୍ତି ବାଢ଼ୁଛି  । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏନେଇ ସୋନିଆଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ  । ତେବେ ସୋନିଆ କହିଥିଲେ ଆମେ ଆନ୍ଧ୍ରକୁ ପ୍ରତିଶ୍ରୁତି ଦେଇଛୁ, ସରକାରକୁ ଆସିଲେ ତାହା ପୂରଣ କରିବୁ  । ଛତିଶଗଡ଼ରେ କଂଗ୍ରେସ ମହାନଦୀ ପ୍ରସଙ୍ଗରେ ଶାସକ ବିଜେପିକୁ ସମର୍ଥନ କରିଆସୁଛି  । ଅତୀତରେ ନରସିଂହ ମିଶ୍ର ଛତିଶଗଡ଼ ଯାଇଥିବାବେଳେ ସମାନ କଥା ଅନୁମାନ କରିଥିଲେ  । ତେଣୁ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ କଂଗ୍ରେସ କ’ଣ ବିଜେଡ଼ି ଓ ଓଡ଼ିଶାକୁ ସମର୍ଥନ କରୁଛି କି ? କାହିଁକିନା ଏହି ଦୁଇ ରାଜ୍ୟର ପ୍ରକଳ୍ପଗୁଡ଼ିକରେ ଉପା ସରକାରଙ୍କ ଭାଗିଦାରୀ ଅଧିକ ରହିଛି  ।

    ୪. ଏନଡ଼ିଏ ଜେଡ଼ିୟୂକୁ ପ୍ରାର୍ଥୀ କରିଛି  । ତେଣୁ ଜେଡ଼ିୟୂକୁ ହିଁ ବିଜେଡ଼ି ସମର୍ଥନ କରିଛି ବୋଲି କହିପାରିବ  । ବିଜେଡ଼ି ମଧ୍ୟ ଏହି ମର୍ମରେ ପ୍ରେସବିଜ୍ଞପ୍ତି ଜାରି କରିଛି  । ଜେଡ଼ିୟୂ ଓ ବିଜେଡ଼ିର ମୂଳପିଣ୍ଡ ଗୋଟିଏ  । ଉଭୟ ପୂର୍ବରୁ ମୂଳ ଜନତା ଦଳରେ ହିଁ ଥିଲେ  । କିନ୍ତୁ ଯଦି ନବୀନ କଂଗ୍ରେସକୁ ସିଧାସଳଖ ଭାବେ ସମର୍ଥନ କରିଥା’ନ୍ତେ ତେବେ ଭିନ୍ନ ବାର୍ତା ଯାଇଥା’ନ୍ତା  । ରାଜ୍ୟରେ ବିଜେପି ଏହି ମଉକା ହିଁ ଖୋଜି ଚାଲିଛି  । କଂଗ୍ରେସ ସହ ବିଜେଡ଼ିର ସନ୍ଧି ହୋଇଛି ବୋଲି ଦଳ ପ୍ରଚାର କରିଥା’ନ୍ତା  । କଂଗ୍ରେସ ବିରୋଧୀ ମଂଚରୁ ହିଁ ବିଜେଡ଼ିର ଜନ୍ମ  । ତେଣୁ ଏଭଳି ବାର୍ତା ଯାଇଥିଲେ ବିଜେଡ଼ିର ଭୋଟ ବ୍ୟାଙ୍କ ପ୍ରଭାବିତ ହେବା ନିଶ୍ଚିତ ଥିଲା  । ଅପରପକ୍ଷରେ ବିରୋଧୀ ଦଳ ମଧ୍ୟରେ ଏକତା ନାହିଁ  । ସେହିପରି ରାଜ୍ୟରେ ନିଜ ଦମରେ ନବୀନଙ୍କ ପଲା ଏବେବି ଭାରି ରହିଛି  । ତେଣୁ ନିର୍ବାଚନରେ କାହାର ସହଯୋଗ ସେ ଭିକ୍ଷା ନକରିବା ସ୍ୱାଭାବିକ  । ଏକ୍ଷେତ୍ରରେ କଂଗ୍ରେସକୁ ସିଧାସଳଖ ସମର୍ଥନ କରି ନବୀନ ଭୁଲ ବାର୍ତା କାହିଁକି ଦେବେ ତାହାବି ଅନୁଶୀଳନ କରିବା ଦରକାର  ।

    ୫. କଂଗ୍ରେସ ଯଦି ନିଜ ଦଳ ବିନା ଆଉ କେଉଁ ଦଳର ନେତାଙ୍କୁ ପ୍ରାର୍ଥୀ କରିଥା’ନ୍ତା ହୁଏତ ନବୀନଙ୍କୁ ତାହା ପ୍ରଭାବିତ କରିପାରିଥା’ନ୍ତା  । ନବୀନ ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ୱ ରକ୍ଷା କରି ଆସୁଛନ୍ତି  । ତେଣୁ ସିଧାସଳଖ ଭାବେ ଦୁଇ ଦଳ ମଧ୍ୟରୁ କୌଣସି ଏକ ଦଳର ବ୍ରାଣ୍ଡ ନେତାଙ୍କୁ ସମର୍ଥନ କରିବା ବୋକାମୀ ହୋଇଥା’ନ୍ତା  । ବିକେ ହରିପ୍ରସାଦ ଅତୀତରେ କଂଗ୍ରେସର ପ୍ରଭାରୀ ଥିଲେ  । ନବୀନଙ୍କୁ ପରାସ୍ତ କରିବା ପାଇଁ ସଂକଳ୍ପବଦ୍ଧ ଥିଲେ ବୋଲି କହିଥିଲେ  । ତେଣୁ ବିକେ ହରିପ୍ରସାଦଙ୍କ ଭଳି ବ୍ରାଣ୍ଡ କଂଗ୍ରେସୀ ନେତାଙ୍କୁ ସମର୍ଥନ କରିବା ଆଦୌ ଉଚିତ ନଥିଲା ବୋଲି କୁହାଯାଇପାରେ  ।

    ୬. ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀ ୧୨୫ ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସ ପାଇଥିଲା ୧୦୫  । ଯଦି ବିଜେଡ଼ି କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିଥା’ନ୍ତା ତେବେ ଏନଡ଼ିଏ ପ୍ରାର୍ଥୀ ୧୧୬ ଓ କଂଗ୍ରେସ ପ୍ରାର୍ଥୀ ୧୧୪ ପ୍ରାର୍ଥୀ ପାଇଥା’ନ୍ତେ  । ତେଣୁ କଂଗ୍ରେସର ପରାଜୟ ନିଶ୍ଚିତ ଥିଲା  । ଏଭଳି କ୍ଷେତ୍ରରେ ଜାତି ଯିବ, ପେଟ ପୂରିବନି ନ୍ୟାୟରେ କଂଗ୍ରେସକୁ ସମର୍ଥନ କରିବାର କିଛି ଆବଶ୍ୟକତା ନଥିଲା ବୋଲି କହିଲେ ଭୁଲ ହେବ ନାହିଁଁ  ।

    Maximum 500 characters

    ରାଜନୀତି View all

    Find Us on Facebook