Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଖୋର୍ଦ୍ଧା ଜିଲ୍ଲା ରାଜନୀତି : ୫ ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ କରିସାରିଛି ବିଜେଡ଼ି

    Share on :
    Date: Aug 6, 2018    Views: 18167

    ଭୁବନେଶ୍ୱର : ନିର୍ବାଚନ ଯହୁଁ ପାଖେଇ ଆସୁଛି, ଖୋର୍ଦ୍ଧା ଜିଲ୍ଲା ରାଜନୀତି ତହୁଁ ସରଗରମ ହେବାରେ ଲାଗିଛି  । ଖୋର୍ଦ୍ଧା ରାଜନୀତିର ସବୁଠୁ ବଡ଼ ବିଶେଷତ୍ୱ ହେଉଛି, ଟିକେଟ ପାଇବା ନେଇ ସବୁବେଳେ ନେତାମାନେ ଆଶା ଆଶଙ୍କାରେ ରହିଥା’ନ୍ତି  । ତେଣୁ ନିର୍ବାଚନ ପାଖେଇ ଆସିଲେ ଖୋର୍ଦ୍ଧା ଜିଲ୍ଳାର ନେତାମାନେ କେବଳ ଟିକେଟ ଟେନସନରେ ହିଁ ରହୁଥିବା ଦେଖିବାକୁ ମିଳିଥାଏ  । ଟିକେଟ ଆଶାରେ ଅନେକ ନୂଆ ନେତା ଏହି ସମୟରେ ନିର୍ବାଚନମଣ୍ଡଳୀ ବୁଲିବାର ମଧ୍ୟ ନଜିର ରହିଛି  । ଟିକେଟ ନେଇ ନିଜ ନିଜ ସମର୍ଥକଙ୍କ ସହ ବିଧାୟକ ଓ ଆଶାୟୀମାନେ ଅଙ୍କ କଷା ଜାରି ରଖିଥିବାବେଳେ କାହା ଉପରେ ନବୀନଙ୍କ ସୁଦୃଷ୍ଟି ପଡ଼ିବ ତାହା ଉପରେ ନିଘା ରହିବା ସ୍ୱାଭାବିକ  । ତେବେ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଭୁବନେଶ୍ୱର ଏକାମ୍ର, ଜୟଦେବ, ଜଟଣୀ, ଖୋର୍ଦ୍ଧା ଓ ବେଗୁନିଆ ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ସ୍ଥିର କରିସାରିଛି  ।

    ନବୀନ ଶାସନ କାଳରେ ଖୋର୍ଦ୍ଧା ଜିଲ୍ଲା ବିଜେଡ଼ିର ଗଡ଼ ପାଲଟିଛି  । ବିଜେଡ଼ି କ୍ଷମତାକୁ ଆସିବା ପରେ ୨୦୦୦ରୁ  ୨୦୧୪ ମଧ୍ୟରେ ୪ଟି ସାଧାରଣ ନିର୍ବାଚନ ହୋଇଛି  । ତେବେ ୨୦୦୪ରେ ବେଗୁନିଆରୁ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ୨୦୦୦ରେ ଜଟଣୀରୁ ସୁରେଶ ରାଉତରାୟ ହିଁ ଥରେ କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହେବାରେ ସମର୍ଥ ହୋଇଥିଲେ  । ସେହିପରି ୨୦୦୦ରେ ଖୋର୍ଦ୍ଧାରେ ଜିତୁ ମିତ୍ର ଥରେ ସ୍ୱାଧୀନ ଭାବେ ବିଜୟୀ ହୋଇପାରିଥିଲେ  । ୨୦୦୯ରେ ରାଜେନ୍ଦ୍ର ସାହୁ ସ୍ୱାଧୀନ ଭାବେ ବିଜୟୀ ହୋଇଥିଲେ ମଧ୍ୟ ତାଙ୍କୁ ବିଜେଡ଼ି ସମର୍ଥିତ ବୋଲି କୁହାଯାଇପାରିବ  ।

    ୨୦୦୦ ମସିହା ପରଠାରୁ ଖୋର୍ଦ୍ଧା ଜିଲ୍ଲାର କେଉଁ ବିଧାନସଭା ନିର୍ବାଚନମଣ୍ଡଳୀରୁ କାହାକୁ ଟିକେଟ ମିଳିବ ତାହାର କେବେ ଠିକଣା ନଥାଏ  । ବାରବାର ପ୍ରାର୍ଥୀ ବଦଳୁଥିବାରୁ ସ୍ୱାଭାବିକ ଭାବେ ନେତାମାନେ ଚିନ୍ତାରେ ପଡ଼ି ଯାଇଥା’ନ୍ତି  । ଏବେ ଖୋର୍ଦ୍ଧା ଜିଲ୍ଲାରେ ୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି  । ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତର, ଭୁବନେଶ୍ୱର ଏକାମ୍ର, ଖୋର୍ଦ୍ଧା, ଜଟଣୀ, ଚିଲିକା ଓ ବେଗୁନିଆ  । 
    ପ୍ରଥମେ ଆସିବା ଜୟଦେବ ନିର୍ବାଚନମଣ୍ଡଳୀ ଆଡ଼କୁ  । ଏବେ ଜୟଦେବର ବିଧାୟକ ଅଛନ୍ତି ଶଶୀ ଭୂଷଣ ବେହେରା  । ପୂର୍ବରୁ ସେ ବାଲିପାଟଣାର ବି ବିଧାୟକ ଥିଲେ  । ତେବେ ୨୦୦୯ ସୀମା ପୁନଃ ନିର୍ଦ୍ଧାରଣ ବେଳେ ବାଲିପାଟଣା ନିର୍ବାଚନମଣ୍ଡଳୀଟି ଲୋପ ପାଇ ଜୟଦେବ ନିର୍ବାଚନମଣ୍ଡଳୀ ସୃଷ୍ଟି ହୋଇଛି  । ୨୦୦୯ରେ ଶଶୀଭୂଷଣ ଭାବିଥିଲେ ତାଙ୍କୁ ଜୟଦେବରୁ ଟିକେଟ ମିଳିବ  । ତେବେ ଅପ୍ରତ୍ୟାଶିତ ଭାବେ ବିଜେଡ଼ି ଅରବିନ୍ଦ ଢାଲିଙ୍କୁ ଟିକେଟ ଦେଇଥିଲା  । ୨୦୧୪ରେ ଢ଼ାଲି ଭାବିଥିଲେ ପୁଣି ଜୟଦେବରୁ ଲଢ଼ିବେ  । ହେଲେ ସେଥର ଶଶୀଭୂଷଣଙ୍କୁ ଟିକେଟ ମିଳିଥିଲା  । ଶଶୀଭୂଷଣ ଏବେ ଅର୍ଥମନ୍ତ୍ରୀ ଅଛନ୍ତି  । ଅପରପକ୍ଷରେ ହଠାତ ଅରବିନ୍ଦ ଢାଲିଙ୍କୁ ବିଜେଡ଼ି ଥଇଥାନ କରିଛି  । ଜୟଦେବରୁ ୨୦୧୯ରେ କିଏ ଟିକେଟ ପାଇବ ବୋଲି ଚର୍ଚ୍ଚା ହେଉଥିବାବେଳେ ଶଶୀଭୂଷଣ ନିଶ୍ଚିତ ଟିକେଟ ପାଇବେ ବୋଲି ବିଜେଡ଼ି ଅଳିନ୍ଦରୁ ଜାଣିବାକୁ ମିଳିଛି  ।

    ରାଜଧାନୀ ଭୁବନେଶ୍ୱରରେ ରହିଛି ୩ ଆସନ  । ୨୦୦୯ରେ ସୁର ନାୟକ ଓ ଡାକ୍ତର ଶରତ ମିଶ୍ରଙ୍କୁ ଟିକେଟ ମିଳିଥିଲା  । ହେଲେ ପୁଣି ହଠାତ ତାହା ବଦଳି ଯାଇଥିଲା  । ୨୦୦୯ରେ ଭୁବନେଶ୍ୱର ଏକାମ୍ରରୁ ଅଶୋକ ପଣ୍ଡା, ମଧ୍ୟରୁ ବିଜୟ ମହାନ୍ତି ଓ ଉତରରୁ ଭାଗିରଥି ବଡ଼ଜେନା ଟିକେଟ ପାଇଥିଲେ  । ତିନି ନେତା ବିଜୟ ଲାଭ କରିଥିଲେ  । କିନ୍ତୁ ୨୦୧୪ରେ ଉତରରୁ ଭାଗିରଥି ବଡ଼ଜେନାଙ୍କ ଟିକେଟ କଟିଗଲା  । ତାଙ୍କୁ ଜଟଣୀରୁ ଟିକେଟ ମିଳିଥିବାବେଳେ ଉତରରୁ ପ୍ରାର୍ଥୀ ହୋଇଥିଲେ ପ୍ରିୟଦର୍ଶୀ ମିଶ୍ର  । ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ଏବେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଛନ୍ତି  । ନବୀନଙ୍କ ଖାସ ନେତାମାନଙ୍କ ମଧ୍ୟରୁ ସେ ଅନ୍ୟତମ  । ତେଣୁ ତାଙ୍କ ଟିକେଟ ପକ୍କା ବୋଲି ବିଜେଡ଼ି ଅଳିନ୍ଦରେ ଜୋରଦାର ଚର୍ଚ୍ଚା ହେଉଛି  । ଅପରପକ୍ଷରେ ଭୁବନେଶ୍ୱର ମଧ୍ୟରୁ ଦୁଇ ଥର ବିଜୟ ଲାଭ କରିଥିବା ବିଜୟ ମହାନ୍ତ ୨୦୧୯ରେ ଟିକେଟ ପାଇବା ନେଇ ଆଶଙ୍କା ରହିଛି  । ତାଙ୍କୁ ଆଉ ରିପିଟ ନକରି ବିଜେଡ଼ି ନୂଆ ପ୍ରାର୍ଥୀ ଦେବା ପାଇଁ ଯୋଜନା କରୁଛି  । ଅପରପକ୍ଷରେ ଉତର ଟିକେଟ ଦୌଡ଼ରେ ପ୍ରିୟଦର୍ଶୀ ମିଶ୍ର ଆଗରେ ରହିଥିବା ଜାଣିବାକୁ ମିଳିଛି  ।

    ଜଟଣୀରୁ ଏକଦା ବିଜେଡ଼ିର ଟାଣୁଆ ନେତା ଶରତ ପାଇକରାୟ ପ୍ରାର୍ଥୀ ହେଉଥିଲେ  । ୨୦୦୪ରେ ସେ ବିଜୟ ଲାଭ କରିଥିଲେ ବି ୨୦୦୯ରେ ତାଙ୍କୁ ଟିକେଟ ମିଳିନଥିଲା  । ବରଂ ଶରତଙ୍କ ବଦଳରେ ବିଜେଡ଼ି ବିଭୂତି ଭୂଷଣ ବଳବନ୍ତରାୟଙ୍କୁ ପ୍ରାର୍ଥୀ କରିଥିଲା  । ବିଭୂତି ଏହା ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ପରିଷଦର ଅଧ୍ୟକ୍ଷ ମଧ୍ୟ ଥିଲେ  । ସେ ପ୍ୟାରୀମୋହନଙ୍କ ଖାସ ଲୋକ ଥିଲେ  । ତେବେ ପ୍ୟାରୀଙ୍କ ସହ ତାଙ୍କର ନିବିଡ଼ତା ପାଇଁ ସେ ୨୦୦୯ରେ ଟିକେଟ ପାଇଥିବାବେଳେ ସମାନ କାରଣରୁ ୨୦୧୪ରେ ତାଙ୍କୁ ଟିକେଟ ମିଳିନଥିଲା  । ଜଟଣୀରୁ ମିଟୁ ବଡ଼ଜେନାଙ୍କୁ ପ୍ରାର୍ଥୀ କରାଯାଇଥିଲା  । ତେବେ ଶାରୀରିକ ଅସୁସ୍ଥତା ଓ ଅନ୍ୟାନ୍ୟ କାରଣରୁ ମିଟୁ ଆଉ ରାଜନୀତିରେ ସକ୍ରିୟ ରହିବେ ନାହିଁ  । ୨୦୧୯ରେ ଜଟଣୀରୁ ବିଭୂତି ଭୂଷଣ ବଳବନ୍ତରାୟ ଟିକେଟ ପାଇବା ନେଇ ଜୋରଦାର ଚର୍ଚ୍ଚା ହେଉଛି  ।
    ଖୋର୍ଦ୍ଧାରୁ ଅତୀତରେ ବିଜେଡ଼ି ଟିକେଟ ପାଇଥିଲେ ଜିତୁ ମିତ୍ର  । କିନ୍ତୁ ୨୦୧୪ରେ ବିଜେଡ଼ି ରାଜେନ୍ଦ୍ର ସାହୁଙ୍କୁ  ଟିକେଟ ଦେବାରୁ ଜିତୁ ବିଜେପିରେ ଯୋଗଦେଇଛନ୍ତି  । ଫଳରେ ଖୋର୍ଦ୍ଧା ରାଜନୀତିରେ ରାଜେନ୍ଦ୍ର ବିଜେଡ଼ିର ସର୍ବମାନ୍ୟ ନେତା ପାଲଟି ଯାଇଛନ୍ତି  । ପୌର ପରିଷଦ ବି ରାଜେନ୍ଦ୍ରଙ୍କ କବଜାରେ ରହିଛି  । ରାଜେନ୍ଦ୍ର ଓ ଜିତୁଙ୍କ ମଧ୍ୟରେ କଡ଼ା ଟକ୍କର ଚାଲିଥିବାବେଳେ ପୂର୍ବାପେକ୍ଷା ରାଜେନ୍ଦ୍ରଙ୍କ ପଲା ଟିକେ କମ ରହିଛି  । କିନ୍ତୁ ରାଜେନ୍ଦ୍ରଙ୍କ ବଦଳରେ ବିଜେଡ଼ି ଆଉ ଯାହାକୁ ପ୍ରାର୍ଥୀ କରିବ ଜିତୁ ଅନାୟସରେ ଜିତିଯିବେ  । ତେଣୁ ବିଜେପିକୁ ଅଟକାଇବା ପାଇଁ ସେଠାରୁ ରାଜେନ୍ଦ୍ରଙ୍କୁ ଟିକେଟ ଦେବା ବ୍ୟତିରେକ ଅନ୍ୟ ବିକଳ୍ପ ନାହିଁ  । ଫଳରେ ରାଜେନ୍ଦ୍ର ପୁଣି ଥରେ ବିଜେଡ଼ି ଟିକେଟ ପାଇବା ସ୍ପଷ୍ଟ ହୋଇଯାଇଛି  ।

    ଚିଲିକା ନିର୍ବାଚନମଣ୍ଡଳୀରେ ରଘୁଙ୍କ ଉପରେ ବିଜେଡ଼ି ଆସ୍ଥା ପ୍ରକଟ କରିଆସିଛି  । ୨୦୦୯ରେ ବିଜୟୀ ହୋଇଥିବା ରଘୁନାଥ ସାହୁ ଗତ ନିର୍ବାଚନରେ ହାରି ଯାଇଥିଲେ  । ଇତିମଧ୍ୟରେ କଂଗ୍ରେସ ଛାଡ଼ି ମାନସ ମଙ୍ଗରାଜ ବିଜେଡ଼ିରେ ସାମିଲ ହୋଇଛନ୍ତି  । ତେବେ ୨୦୧୯ ପାଇଁ ରଘୁଙ୍କ ପଲା ଭାରି ରହିଥିବା କୁହାଯାଉଛି  । 

    ଏବେ ଆସିବା ବେଗୁନିଆ ଆଡ଼କୁ  । ୨୦୦୦ରେ ବେଗୁନିଆ ଆସନଟି ବିଜେପି ଭାଗରେ ପଡ଼ିବାରୁ ପ୍ରଶାନ୍ତ ନନ୍ଦ ପ୍ରାର୍ଥୀ ହୋଇଥିଲେ  । ତେବେ ୨୦୦୪ରେ ପ୍ରଶାନ୍ତ ଜଗଦେ୍ଧବଙ୍କୁ ବିଜେଡ଼ି ଟିକେଟ ଦେଇଥିଲା  । କିନ୍ତୁ ସେ ଅଳ୍ପ ବ୍ୟବଧାନରେ ଜାନକୀବାବୁଙ୍କ ଠାରୁ ପରାସ୍ତ ହୋଇଥିଲେ  । ଜାନକୀଙ୍କ ଗଡ଼ରେ ଜାନକୀଙ୍କୁ ଟକ୍କର ଦେଇ ସେ ରାଜ୍ୟରେ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲେ  । କିନ୍ତୁ ୨୦୦୯ରେ ଏନସିପି ସହ ବୁଝାମଣା ହେବାରୁ ପୁଣି ପ୍ରଶାନ୍ତ ନନ୍ଦ ଟିକେଟ ପାଇଗଲେ  । ତେବେ ୨୦୧୪ରେ ବିଜେଡ଼ି ସେଠାରୁ ପ୍ରାର୍ଥୀ ଦେଇଥିଲା  । ଟିକେଟ ପାଇଥିଲେ ପ୍ରଶାନ୍ତ ଜଗଦେ୍ଧବ  । ୨୦୧୯ରେ ଅନ୍ୟ ଦଳ ସହ ବୁଝାମଣା ହେବାର ନଥିବାରୁ ବେଗୁନିଆରେ ପୁଣି ବିଜେଡ଼ି ଲଢ଼ିବ  । ଯେତେବେଳେ ବିଜେଡ଼ିର ପାଳି ପଡ଼ିଛି ସେତେବେଳେ ବିଜେଡ଼ି ସୁପ୍ରିମୋ ଗଣେଶ ଜଗଦେ୍ଧବଙ୍କ ଉପରେ ଭରସା ପ୍ରକଟ କରିଛନ୍ତି  । ପୂର୍ବରୁ ବେଗୁନିଆ ବିଜେଡ଼ି ଟିକେଟ ଦୌଡ଼ରେ ପ୍ରଶାନ୍ତ ନନ୍ଦ ଓ ପ୍ରଶାନ୍ତ ଜଗଦେ୍ଧବ ରହିଥିଲେ  । ଫଳରେ ୨୦୧୯ରେ କିଏ ଟିକେଟ ପାଇବ ନେଇ ସେ ନେଇ ଆଶା ଆଶଙ୍କା ରହିଥିଲା  । ଇତିମଧ୍ୟରେ ପ୍ରଶାନ୍ତ ନନ୍ଦ ରାଜ୍ୟସଭା ସାଂସଦ ହୋଇସାରିଛନ୍ତି  । ଫଳରେ ଗଣେଶଙ୍କ ଟିକେଟ ପାଇବା ରାସ୍ତା ପରିଷ୍କାର ହୋଇଯାଇଛି  । ସେହିପରି ଗଣେଶଙ୍କୁ ଟକ୍କର ଦେବା ଭଳି ବେଗୁନିଆ-ବୋଲଗଡ଼ରେ ଅନ୍ୟ କୌଣସି ବିଜେଡ଼ି ନେତା ସଂଗଠନ ସହ ଜଡ଼ିତ ଥିବା ଦେଖିବାକୁ ମିଳୁନାହିଁ  । ୨୦୦୨ରୁ ଏଯାବତ ୧୬ ବର୍ଷ ଧରି ସେ ବେଗୁନିଆ ରାଜନୀତି ସହ ଓତଃପ୍ରୋତ ଭାବେ ଜଡ଼ିତ ଥିବାବେଳେ ଗଣେଶଙ୍କୁ ନବୀନ ନିବାସରୁ ସବୁଜ ସଂକେତ ମିଳିସାରିଛି  । ଫଳରେ ୨୦୧୯ରେ ସେ ଟିକେଟ ପାଇବା ଆପାତତଃ ସ୍ପଷ୍ଟ ହୋଇସାରିଛି  ।

    Maximum 500 characters

    ଅଧିକ ମତାମତ

    BJD should collect views of the voterd then consider the consider and finalized the tickets. It is too early particularly in the case of Ekamra.

    ONE BBSR

    Aug 6, 2018

    khurda district s must win bjd 6 nos. Jayadev.madhya .uttera. ekamra .jatni& begunia ...khurda &chilika some problem.

    Ranjit kumar Mangaraj

    Aug 6, 2018

    ରାଜନୀତି View all

    Find Us on Facebook