Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଦାମଙ୍କ ଅଷ୍ଟମ ଥର ବିଧାୟକ ହେବାର ସ୍ୱପ୍ନ ପୂରଣ ହେବ କି ?

    Share on :
    Date: Aug 4, 2018    Views: 14163

    ଭୁବନେଶ୍ୱର : କ୍ଷମତାରେ ଥାଆନ୍ତୁ ବା ନଥାଆନ୍ତୁ ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଚେହେରା ହେଉଛନ୍ତି ଡାକ୍ତର ଦାମୋଦର ରାଉତ  । ନିର୍ବାଚନ ମଇଦାନରେ ଅନେକବାର ଜିତିଛନ୍ତି ଆଉ କେତେଥର ହାରିଛନ୍ତି ମଧ୍ୟ  । ମନ୍ତ୍ରୀ ପଦ ମିଳିଛି, ପୁଣି ମନ୍ତ୍ରୀ ପଦ ଯାଇଛି  । ରାଜନୀତିର ଏହି ସାପ ଶିଡ଼ି ଖେଳରେ ଅନେକ ଥର ତଳକୁ ଉପରକୁ ହେଉଥିବା ଦାମୋଦର କିନ୍ତୁ ନିଜ ତୁଣ୍ଡ ପାଇଁ ଓଡ଼ିଶା ରାଜନୀତିରେ ବେଶ ପରିଚିତ  । ଇତିମଧ୍ୟରେ ୭ ଥର ବିଧାନସଭାକୁ ଯାଇଥିବା ଡାକ୍ତର ରାଉତ ୭୬ ବର୍ଷରେ ଉପନୀତ ହୋଇସାରିଛନ୍ତି  । ତଥାପିବି ଅଷ୍ଟମ ଥର ପାଇଁ ବିଧାନସଭାକୁ ଯିବା ପାଇଁ ସେ ସ୍ୱପ୍ନ ଦେଖୁଛନ୍ତି  । କିନ୍ତୁ ଅପରପକ୍ଷରେ ଦାମୋଦରଙ୍କ ପୁଅ ସମ୍ବିତ ରାଉତରାୟ ରାଜନୀତି ମଇଦାନରେ ଲଢ଼ିବା ପାଇଁ ଅହେତୁକ ଆଗ୍ରହ ପ୍ରକାଶ କରୁଥିବାବେଳେ ତାହା ଦାମଙ୍କ ପଥ ଓଗାଳିପାରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି  ।

    ୧୯୭୭ରେ ଡାକ୍ତର ରାଉତ ଏରସମାରୁ ଜନତା ଟିକେଟରେ ପ୍ରଥମ ଥର ବିଧାୟକ ହେବାର ସୌଭାଗ୍ୟ ପାଇଥିଲେ  । ୧୯୮୦ରେ ସେ ଜନତା (ଏସ) ଓ ୧୯୯୦ରେ ଜନତା ଦଳରୁ ଏରସମାରୁ ବିଜୟୀ ହୋଇଥିଲେ  । ବିଜୁ ଜନତା ଦଳ ଗଢ଼ା ହେବା ବେଳେ ପ୍ରଥମେ ଏଥିରେ ସାମିଲ ନଥିବା ଡାକ୍ତର ରାଉତ ପରେ ଶଙ୍ଖ ଫୁଙ୍କିଥିଲେ  । ୨୦୦୦ରୁ ଆଜି ପର୍ଯ୍ୟନ୍ତ ଦୁଇ ଥର ଏରସମା ଓ ଦୁଇଥର ପାରାଦୀପରୁ ବାଜିମାତ କରିଛନ୍ତି ଡାକ୍ତର ରାଉତ  । ସୀମା ପୁନଃ ନିର୍ଦ୍ଧାରଣ ପରେ ତାଙ୍କର କିଛି ଅଂଚଳ ବାଲିକୁଦା-ଏରସମା ଅଂଚଳରେ ରହିଆସିଥିବାରୁ ସେହି ନିର୍ବାଚନମଣ୍ଡଳୀକୁ ନିୟନ୍ତ୍ରଣରେ ରଖିବା ପାଇଁ ମଧ୍ୟ ଉଦ୍ୟମ କରିଥିଲେ  । ତେବେ ସେଥିରେ ସେ ସଫଳ ହୋଇପାରିନଥିଲେ  । ବିଶେଷକରି ନିଜର ବେଲଗାମ ତୁଣ୍ଡ ପାଇଁ ତାଙ୍କୁ ମୂଲ୍ୟ ଦେବାକୁ ପଡ଼ିଥିଲା  । ସମ୍ପ୍ରତି ଜଗତସିଂହପୁର ରାଜନୀତିର ସବୁ ନେତା ଏକାକୀ ଚାଲିଛନ୍ତି  । ଜିଲ୍ଲାର କୌଣସି ବିଜେଡ଼ି ବିଧାୟକ କେବଳ ଦଳ ସହ ହିଁ ରହିଛନ୍ତି  । ପୂର୍ବାପେକ୍ଷା ଦାମଙ୍କ କାଟତି ମଧ୍ୟ କମୁଥିବା ପରିଲକ୍ଷିତ ହୋଇଛି  ।

    ଦଳରେ ଥାଇ ଅନେକବାର ଦଳୀୟ ନେତା ଏମିତିକି ସୁପ୍ରିମୋଙ୍କୁ ଆକ୍ଷେପ କରୁଥିବା ଦାମୋଦରଙ୍କ ଉପରେ ଊଣା ଅଧିକେ ସବୁ ନେତା ଫିଡ଼ିକି ଯାଇଛନ୍ତି  । ବାରବାର ଦାମଙ୍କୁ ଦଳ ବରଦାସ୍ତ କରି ଆସୁଥିବାବେଳେ ଆଉ ବରଦାସ୍ତ କରିବା ମୁଡ଼ରେ ନାହିଁ  । ଯେଉଁଥିପାଇଁ ଦାମଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯିବା ସହ ଦଳୀୟ ପଦପଦବୀରୁ ବି ହଟାଇ ନିଆଯାଇଛି  । ତେବେ ପାରାଦୀପରେ ଏବେବି ଦାମଙ୍କର ଦବଦବା ଥିବାରୁ ବିନା ଦାମଙ୍କ ସହଯୋଗରେ ପାରାଦୀପ ଆସନ କବଜା କରିବା ସମ୍ଭବପର ନୁହେଁ  । ଅପରପକ୍ଷରେ ବିଜେପି କ୍ଷମତାକୁ ଆସିବା ପରେ ଓ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଦାୟିତ୍ୱ ନେବା ପରେ ପାରାଦୀପରେ ବିଜେପି ମଧ୍ୟ ବେଶ ଦବଦବା ଜାହିର କରୁଥିବା ଦେଖିବାକୁ ମିଳିଛି  । ତେବେ ପୁଅ ପ୍ରୀତିରଂଜନ ଘଡେ଼ଇଙ୍କୁ ମୋହରା କରି ଯେଭଳି ପ୍ରଫୁଲ୍ଳ ଘଡେ଼ଇଙ୍କୁ ନିଷ୍କ୍ରୟ କରି ଦିଆଗଲା ଠିକ ସେମିତି ଦାମଙ୍କୁ ନିଷ୍କି୍ରୟ କରିବା ପାଇଁ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ମୋହରା କରାଯାଇଛି  । ଦାମଙ୍କ ବଦଳରେ ତାଙ୍କ ପୁଅଙ୍କୁ ଦଳ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି  । ସେହିପରି ପିତାଙ୍କର ରାଜନୀତିକ କ୍ୟାରିୟର ଶେଷ ହୋଇ ଆସୁଥିବାବେଳେ ଏହି ମଉକାରେ ସମ୍ବିତ ନିଜ ରାଜନୀତିକ ଭବିଷ୍ୟତ ଗଢ଼ିବା ପାଇଁ ଚିନ୍ତା କରିଛନ୍ତି  । ଖାଲି ପୁଅ ସମ୍ବିତ ନୁହେଁ ଝିଅ ପ୍ରୀତିନନ୍ଦା ମଧ୍ୟ ରାଜନୀତିକ ଉଚ୍ଚାଭିଳାଷୀ ଅଛନ୍ତି  । ଏବେ କର୍ପୋରେଟର ଥିବା ପ୍ରୀତିନନ୍ଦା ଏବେ ମେୟର କିମ୍ବା ବିଧାୟକ ହେବାର ସ୍ୱପ୍ନ ଦେଖୁଛନ୍ତି  । ଗୋଟିଏ ପଟେ ଦାମ ପୁଣି ଥରେ ପ୍ରାର୍ଥୀ ହେବାକୁ ଚାହୁଁଥିବାବେଳେ ସେମାନଙ୍କ ପୁଅ ଝିଅ ମଧ୍ୟ ନିର୍ବାଚନ ଲଢ଼ିବା ପାଇଁ ଆଶାବାନ୍ଧି ବସିଛନ୍ତି  । ସେମାନେ ମଧ୍ୟ ଏନେଇ ଦାମଙ୍କ ଉପରେ ଚାପ ସୃଷ୍ଟି କରୁଥିବା ଜାଣିବାକୁ ମିଳିଛି  ।

    ସାମ୍ପ୍ରତିକ ରାଜନୀତିକ ସ୍ଥିତିରେ ଦାମଙ୍କ ବଦଳରେ ତାଙ୍କ ପୁଅଙ୍କୁ ପାରାଦୀପ କିମ୍ବା ବାଲିକୁଦା-ଏରସମାରୁ ଲଢ଼ାଇବା ପାଇଁ ଯୋଜନା ହେଉଥିବାବେଳେ ଦାମ ମଧ୍ୟ ପିଲାଙ୍କୁ ବାଟ ଛାଡ଼ିବା ପାଇଁ ଧିରେଧିରେ ମନବଳାଇଲେଣି  । କିନ୍ତୁ ଏପର୍ଯ୍ୟନ୍ତ ସେ ଶତପ୍ରତିଶତ ମନ ସ୍ଥିର କରିପାରିନାହାନ୍ତି  ।  ଏକ୍ଷେତ୍ରରେ ଦାମ ପୁଣି ଥରେ ବିଧାୟକ ହେବେକି ନାହିଁ ତାହାକୁ ନେଇ ସ୍ୱାଭାବିକ ଭାବେ ଆଶଙ୍କା ପ୍ରକାଶ ପାଇଛି  ।

    Maximum 500 characters

    ରାଜନୀତି View all

    Find Us on Facebook