Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡ଼ି ଫୋକସରେ ପୁରୀ, ୫ ବିଧାୟକଙ୍କୁ ପୁଣି ଟିକେଟ !

    Share on :
    Date: Aug 3, 2018    Views: 14037

    ଭୁବନେଶ୍ୱର (http://odiaspotnews.in) : ଉପକୂଳ ଜିଲ୍ଲାଗୁଡ଼ିକ ମଧ୍ୟରେ ପୁରୀ ଜିଲ୍ଲାରେ ମଧ୍ୟ ବିଜୁ ଜନତା ଦଳର ବେଶ ଦବଦବା ରହିଛି  । ଅପରପକ୍ଷରେ ବିଜେପି ପୁରୀ ଜିଲ୍ଲା ଉପରେ ଗୁରୁତ୍ୱାରୋପ କରୁଥିବା ଦେଖିବାକୁ ମିଳିଛି  । ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରୁ ଲୋକସଭା ପ୍ରାର୍ଥୀ ହେବେବୋଲି ଜାତୀୟସ୍ତରରେ ଚର୍ଚ୍ଚା ଜୋରଧରିଛି  । ଏହାକୁ ଆଖିଆଗରେ ରଖି ବିଜୁ ଜନତା ଦଳ ମଧ୍ୟ ପୁରୀ ଜିଲ୍ଲା ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିଛି  । ଜିଲ୍ଲାର ୬ ଆସନକୁ ନିଜ କବଜାରେ ରଖିବା ପାଇଁ ବିଜେଡ଼ି ଗୋଟିଚାଳନା କରୁଥିବାବେଳେ କାକଟପୁର ବିଧାୟକଙ୍କୁ ଛାଡ଼ି ଆଉ ସମସ୍ତ ବିଧାୟକଙ୍କୁ ପୁଣି ଥରେ ଟିକେଟ ମିଳିବା ସ୍ପଷ୍ଟ ହୋଇଯାଇଛି  ।

    ପୁରୀ ଜିଲ୍ଲାରେ ରହିଛି ୬ଟି ବିଧାନସଭା ନିର୍ବାଚନମଣ୍ଡଳୀ  । କାକଟପୁର ଆସନଟି ସଂରକ୍ଷିତ ହୋଇଥିବାବେଳେ ବାକି ସବୁ ଆସନ ଅଣସଂରକ୍ଷିତ ରହିଛି  । କାକଟପୁରଠୁ ନେଇ ନିମାପଡ଼ା, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲିରେ ବିଜେଡ଼ିର ହିଁ ବିଧାୟକ ଅଛନ୍ତି  । ଗତ ୨୦୧୭ ପଂଚାୟତ ନିର୍ବାଚନରେ ଉପକୂଳର କେତେକ ନିର୍ବାଚନମଣ୍ଡଳୀରେ ବିଜେପି ନିଜର ଦମ ଦେଖାଇଥିଲେ ବି ପୁରୀରେ ବିଜେପି ଫେଲ ମାରିଥିଲା  । ଏମିତିକି ନିମାପଡ଼ା ଓ ବ୍ରହ୍ମଗିରିରେ ବିଜେପି ଦମ ଦେଖାଇବାରେ ବିଫଳ ହୋଇଥିଲା  । ତେବେ ନିମାପଡ଼ାରେ ବିଜେପି, ବିଜେଡ଼ି ବିଧାୟକଙ୍କ ଭାଇଙ୍କୁ ପରାସ୍ତ କରି ସମୀର ରଂଜନ ଦାସଙ୍କୁ ଚେକ ଦେବାରେ ସମର୍ଥ ହୋଇଥିଲା  । କିନ୍ତୁ ଏଥିରେ ବିଜେପିର ଯେତିକି ଭୂମିକା ରହିଥିଲା କଂଗ୍ରେସ ନେତା ବିଶ୍ୱରଂଜନ ମହାନ୍ତିଙ୍କର ଗୋଟିଚାଳନାର ବି ସେତିକି ଭୂମିକା ରହିଥିବା ଚର୍ଚ୍ଚା ହେଉଛି  । ନିମାପଡ଼ାରେ ସବୁବେଳେ ସମୀର ରଂଜନ ଦାସ ଓ ପ୍ରଭାତୀ ପରିଡ଼ାଙ୍କ ମଧ୍ୟରେ ଲଢେ଼ଇ ହେଉଥିବାବେଳେ ସମୀର ବାଜିମାତ କରିବାରେ ସମର୍ଥ ହୋଇଛନ୍ତି  । ନିର୍ବାଚନବେଳେ ପ୍ରଭାତୀଙ୍କୁ ନେଇ ହାୱା ସୃଷ୍ଟି ହେଉଥିଲେବି ସମୀର ଚକମା ଦେଖାଇବାରେ ସମର୍ଥ ହୋଇଛନ୍ତି  । ସମୀର ଏବେ ବିଜେଡ଼ିର ମୁଖପାତ୍ର ଥିବାବେଳେ ଦଳର ତାଙ୍କର ଢେ଼ର ପ୍ରଭାବ ରହିଛି  । ସେହିପରି ସାଂଗଠନିକ ଦୃଷ୍ଟିକୋଣରୁ ବି ସେ ବେଶ ସୁଦୃଢ଼ ରହିଛନ୍ତି  । ଯଦିଓ ସମୀରଙ୍କ ଟିକେଟକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଛି ତଥାପିବି ବିଜେଡ଼ି ତାଙ୍କୁ ହିଁ ଟିକେଟ ଦେବବୋଲି ସ୍ପଷ୍ଟ ହୋଇଯାଇଛି  ।

    କାକଟପୁର ଅଣସଂରକ୍ଷିତ ଆସନ ହୋଇଥିବାରୁ ଆଉ ସୁର ନାୟକ କିମ୍ବା ତାଙ୍କ ପୁଅ ସ୍ୱାଧୀନ ନାୟକ ପ୍ରାର୍ଥୀ ହୋଇପାରୁନାହାନ୍ତି  । ତେବେ ଏବେ ମଧ୍ୟ କାକଟପୁରରେ ସୁର ଓ ତାଙ୍କ ପୁଅଙ୍କର ଯଥେଷ୍ଟ ପ୍ରଭାବ ରହିଛି  । ସେମାନଙ୍କ ଉପରେ ହିଁ ବିଜେଡ଼ି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଭର କରେ  । ୨୦୦୯ରେ କାକଟପୁରରୁ ବିଧାୟକ ହୋଇଥିବା ରବି ମଲ୍ଲିକ ସୁରଙ୍କ ସମର୍ଥକ ଥିଲେ  । କିନ୍ତୁ ପରବର୍ତୀ ସମୟରେ ରବି ମଲ୍ଲିକଙ୍କ ସହ ସ୍ୱାଧୀନ ନାୟକଙ୍କର ଭଲ ପଡ଼ିଲା ନାହିଁ  । ଫଳରେ ୨୦୧୪ରେ ସୁରେନ୍ଦ୍ର ସେଠୀଙ୍କୁ ଟିକେଟ ଦିଆଯାଇଥିଲା  । ତେବେ ତାଙ୍କ ସହ ସ୍ୱାଧୀନଙ୍କର ଫାଟ ସୃଷ୍ଟି ହୋଇଛି  । ଫଳରେ ସୁରେନ୍ଦ୍ରଙ୍କ ଟିକେଟକୁ ନେଇ ଅନିଶ୍ଚିତତା ଲାଗି ରହିଛି  ।

    ସତ୍ୟବାଦୀ ଆସନରେ ରମାରଂଜନ ବଳିୟାରସିଂହ ଓ ଉମାକାନ୍ତ ସାମନ୍ତରାୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ଲଢେ଼ଇ ଚାଲିଛି  । ଉଭୟ ନେତା ବିଜେଡ଼ି ସମର୍ଥକ ଥିଲେ  । ଫଳରେ ଦୁହିଁଙ୍କ ମଧ୍ୟରୁ କାହାକୁ ଟିକେଟ ମିଳିବ ସେନେଇ ଅନିଶ୍ଚିତତା ପ୍ରକାଶ ପାଇଥାଏ  । କିନ୍ତୁ ଇତିମଧ୍ୟରେ ରମାରଂଜନ ବଳିୟାରସିଂହ ବିଜେପିରେ ଯୋଗଦେଇଥିବାରୁ ଆଉ ଉମାଙ୍କ ପାଇଁ ବିଜେଡ଼ି ନିମନ୍ତେ କେହି ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି  । ଗତଥର ନିଜ ଦମରେ ସ୍ୱାଧୀନ ଭାବେ ବିଜୟୀ ହୋଇଥିବା ଉମା ପୁଣିଥରେ ଟିକେଟ ପାଇବା ନିଶ୍ଚିତ ହୋଇଯାଇଛି  । ତେବେ ରମା ଓ ଉମାଙ୍କ ଲଢେ଼ଇରୁ ପୁଣି ଫାଇଦା ନେବାକୁ ଆଶା ବାନ୍ଧି ବସିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ  ।

    ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ହେଉଛି ପୁରୀର ସବୁଠାରୁ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ  । ବ୍ରହ୍ମଗିରିରେ କଂଗ୍ରେସର ଟାଣୁଆ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓ ସଂଜୟ ଦାସବର୍ମାଙ୍କ ମଧ୍ୟରେ ଲଢେ଼ଇ ଦେଖିବାକୁ ମିଳୁଥିଲା  । କଂଗ୍ରେସ ଓ ବିଜେଡ଼ି ଟକ୍କରାଟକ୍କରି ସ୍ଥିତିରେ ଥିଲେ  । ହେଲେ ଲୁଲୁଙ୍କ ଅବର୍ତମାନରେ ତାଙ୍କ ପରିବାର ବିଜେପିରେ ସାମିଲ ହୋଇଛନ୍ତି  । କିନ୍ତୁ ସବୁ କଂଗ୍ରେସ କର୍ମୀଙ୍କୁ ସେ ବିଜେପିକୁ ନେଇପାରିନାହାନ୍ତି  । ଏହାଛଡ଼ା ଲୁଲୁଙ୍କ ଲୋକସମ୍ପର୍କ ଓ ତାଙ୍କର ସାଂଗଠନିକ ଶୈଳୀ ସହ ତାଳଦେଇ ଚାଲିପାରୁନାହାନ୍ତି ଲୁଲୁଙ୍କ ଭାଇ ଲଳିତେନ୍ଦୁ   । ପଂଚାୟତ ନିର୍ବାଚନରେ ଲୁଲୁଙ୍କ ପ୍ରତି ଅନୁକମ୍ପା ଭୋଟ ଥିଲେବି ତାହା ଆସନରେ ରୂପାନ୍ତରିତ ହୋଇପାରିନଥିଲା  । ସବୁ ଆସନ ପୋଛି ନେଇଥିଲା ବିଜେଡ଼ି  । ସଂଜୟ ମଧ୍ୟ ଏବେ ବେଶ ଆକ୍ରମଣାତ୍ମକ ଢଙ୍ଗରେ ଗୋଟି ଚାଳନା କରିବା ସହ ଅନେକ ପୁରୁଖା କଂଗ୍ରେସ ନେତାଙ୍କ ନିଜ ଆଡ଼କୁ ଟାଣିନେବାରେ ସମର୍ଥ ହୋଇପାରିଛନ୍ତି  । ସଂଜୟ ପୁଣି ଥରେ ବ୍ରହ୍ମଗିରିରୁ ଟିକେଟ ନେବା ନିଶ୍ଚିତ ଥିବାବେଳେ ବିଜୟ ସମ୍ଭାବନା ମଧ୍ୟ ଅଧିକ ରହିଛି  ।

    ଅପରପକ୍ଷରେ ପୁରୀ ଓ ପିପିଲିରେ ବିଜେଡ଼ିର ଦୁଇ ରଥୀ ନେତୃତ୍ୱ ନେଉଛନ୍ତି  ।  ପୁରୀରୁ ଲଗାତର ଭାବେ ୫ ଥର ବିଜୟୀ ହୋଇଛନ୍ତି ମହେଶ୍ୱର ମହାନ୍ତି  । ୨୦୧୯ରେ ସେ ପୁଣି ଟିକେଟ ପାଇବା ନିଶ୍ଚିତ ହୋଇଯାଇଥିବାବେଳେ ଷଷ୍ଠ ବିଜୟ ହାସଲ ଲକ୍ଷ୍ୟରେ ସଂଗଠନ ଜାରି ରଖିଛନ୍ତି  । ନବକଳେବର ହେଉ ବା ଅନ୍ୟ ପ୍ରକଳ୍ପରେ ପୁରୀରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି  । ଯାହାର ଫାଇଦା ମଧ୍ୟ ମହେଶ୍ୱର ନେବେ  । ଅନରୂପ ଭାବେ ପିପିଲିରୁ ପ୍ରଦୀପ ମହାରଥୀ ୬ଥର ବିଜୟୀ ହୋଇଥିବବେଳେ ସପ୍ତମ ଥର ପାଇଁ ବିଜୟୀ ହେବାର ଲକ୍ଷ୍ୟ ରଖିଛନ୍ତି  । ତାଙ୍କର ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ଯୁଦ୍ଧିଷ୍ଠିର ସାମନ୍ତରାୟ ପୂର୍ବାପେକ୍ଷା ଶକ୍ତିହୀନ ହୋଇଯାଇଛନ୍ତି  । ଯାହାକି ପ୍ରଦୀପ ମହାରଥୀଙ୍କ ପାଇଁ ବେଶ ରାଜନୈତିକ ଅନୁକୂଳ ପରିବେଶ ସୃଷ୍ଟିକରିଛି  ।

    ୨୦୧୪ ଭଳି ୨୦୧୯ରେ ମଧ୍ୟ ପୁରୀର ସମସ୍ତ ୬ ଆସନ କବଜା କରିବା ପାଇଁ ବିଜେଡ଼ି ରଣନୀତି ପ୍ରସ୍ତୁତ କରୁଥିବାବେଳେ ଜିଲ୍ଲାର ରାଜନୈତିକ ସ୍ଥିତି ଏବେବି ବିଜେଡ଼ି ମୁହାଁ ରହିଛି ବୋଲି କୁହାଯାଇପାରେ  ।

    Maximum 500 characters

    ରାଜନୀତି View all

    Find Us on Facebook