Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପିପିଲି : ସପ୍ତମ ବିଜୟ ଲକ୍ଷ୍ୟରେ ପ୍ରଦୀପ ମହାରଥୀ

    Share on :
    Date: Aug 1, 2018    Views: 14061

    ଭୁବନେଶ୍ୱର (ଓଡ଼ିଆ ସ୍ପଟ ନୁ୍ୟଜ) : ଏକଦା କଂଗ୍ରେସର ଗଡ଼ ଥିବା ପିପିଲିକୁ ପ୍ରଦୀପ ମହାରଥୀ ଅଣକଂଗ୍ରେସ ଦୁର୍ଗରେ ପରିଣତ କରିଦେଇଛନ୍ତି  । ୧୯୮୫ରେ ପ୍ରଥମ ଥର ପାଇଁ ଜନତା ପାର୍ଟି ଟିକେଟରେ ବିଧାନସଭା ଯାଇଥିବା ପ୍ରଦୀପ ମହାରଥୀ ଇତିମଧ୍ୟରେ ଛଅ ଥର ବିଧାୟକ ହେବାର ସୌଭାଗ୍ୟ ଅର୍ଜନ କରିସାରିଛନ୍ତି  । ୨୦୧୯ରେ ସେ ପୁଣି ବିଜେଡ଼ିରୁ ପ୍ରାର୍ଥୀ ହେବା ନିଶ୍ଚିତ ହୋଇଯାଇଥିବାବେଳେ ସପ୍ତମ ଥର ବିଜୟୀ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି  । ଅପରପକ୍ଷରେ ଏବେବି ପିପିଲିରେ ପ୍ରଦୀପଙ୍କ ଲୋକପ୍ରିୟତା ଓ ଦବଦବା ରହିଛି  । ଗତ ପଂଚାୟତ ନିର୍ବାଚନରେ ପିପିଲି ଓ ଡେଲାଙ୍ଗର ୬ଟି ଯାକ ଜିଲ୍ଲା ପରିଷଦ ଜୋନକୁ ବିଜେଡ଼ି କବ୍ଜା କରିନେଇଥିଲା  । ପ୍ରଦୀପଙ୍କ ବିଜୟକୁ ନେଇ ଖାଲିଯେ, ବିଜେଡ଼ି କର୍ମୀମାନେ ଆଶାବାଦୀ ତାହା ନୁହେଁ ତାଙ୍କର ମୁଖ୍ୟ ବିରୋଧୀ ବିଜେପି ଓ କଂଗ୍ରେସ କର୍ମୀମାନେ ମଧ୍ୟ ଏହା ସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି  ।

    ପିପିଲି ଏନଏସି, ପିପିଲି ବ୍ଲକ ଓ ଡେଲାଙ୍ଗ ବ୍ଲକକୁ ନେଇ ପିପିଲି ନିର୍ବାଚନମଣ୍ଡଳୀ ଗଠିତ  । ୧୯୭୭ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ପିପିଲି ଥିଲା କଂଗ୍ରେସ କବଜାରେ  । ୧୯୫୧ରେ କଂଗ୍ରେସ ନେତା ଜୟକୃଷ୍ଣ ମହାନ୍ତି ପ୍ରଥମ ବିଧାୟକ ହେବାର ସୌଭାଗ୍ୟ ଅର୍ଜନ କରିଥିବାବେଳେ ୧୯୫୭ରେ ଗୋପୀନାଥ ଭୋଇ, ୧୯୬୧ରେ ରାମଚନ୍ଦ୍ର ପଟ୍ଟନାୟକ, ୧୯୬୭ରେ ବନମାଳୀ ପଟ୍ଟନାୟକ (ଜନକଂଗ୍ରେସ), ୧୯୭୧ରେ ଅଭିମନୁ୍ୟ ରଣସିଂହ ଓ ୧୯୭୪ରେ ବିପିନ ବିହାରୀ ଦାସ ବିଜୟୀ ହୋଇଥିଲେ  । ୧୯୭୪ ପର୍ଯ୍ୟନ୍ତ କଂଗ୍ରେସର ଏହି ଦବଦବା ଜାରି ରହିଥିବାବେଳେ ୧୯୭୭ରେ କିରଣ ଲେଖା ମହାନ୍ତି ଜନତା ପାର୍ଟି ଟିକେଟରୁ ବିଜୟ ଲାଭ କରିଥିଲେ  । କିନ୍ତୁ ୧୯୮୦ରେ କଂଗ୍ରେସ-ଆଇର ବିପିନ ବିହାରୀ ଦାସ ବାଜିମାତ କରିଥିଲେ  ।

    ୧୯୮୫ରେ ପିପିଲି ରାଜନୀତି ନୂଆ ମୋଡ଼ ନେଇଥିଲା  । ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ମହାରଥୀ ମାତ୍ର ୩୦ ବର୍ଷ ବୟସରେ ବିଧାୟକ ହୋଇପାରିଥିଲେ  । ୧୯୯୦ରେ ମଧ୍ୟ ସେ ବିଜୟୀ ହୋଇଥିଲେ  । ତେବେ ୧୯୯୫ରେ ଓଡ଼ିଶାରେ ଯେମିତି ଆଶ୍ଚର୍ଯ୍ୟଜନକ ଭାବେ ଜନତା ଦଳର ପରାଜୟ ହୋଇଥିଲା ଠିକ୍ ସେମିତି ପ୍ରଦୀପ ମହାରଥୀ ମଧ୍ୟ ପିପିଲିରୁ ପରାସ୍ତ ହୋଇଥିଲେ  । ହାଟ୍ରିକ ବିଜୟ ଆଶା ମଉଳାଇ ଦେଇଥିଲେ ଯୁଦ୍ଧିଷ୍ଠିର ସାମନ୍ତରାୟ  । ଯୁଦ୍ଧିଷ୍ଠିର ଓ ପ୍ରଦୀପଙ୍କ ମଧ୍ୟରେ ଲଢେ଼ଇ ସେହିଦିନଠାରୁ ଏଯାଏଁ ବି ଜାରି ରହିଛି  । ଏମିତିକି ଦୁଇ ନେତାଙ୍କ ପତିଆରା ପାଇଁ ଅନେକ ହତ୍ୟାକାଣ୍ଡ, ବୋମାମାଡ଼ ଓ ଗୁଳିମାଡ଼ ଦେଖିବାକୁ ପାଇଛି ପିପିଲି  । ଉଭୟ ନେତାଙ୍କ ନାମରେ ବହୁ ମାମଲା ଏବେବି ଗଡ଼ୁଛି  ।

    ୧୯୯୫ରେ ଥରେ ମାତ୍ର ପରାଜୟ ବରଣ କରିଥିବା ପ୍ରଦୀପ ମହାରଥୀ ୨୦୦୦ରେ ପୁଣି ବାଜିମାତ କରିଥିଲେ  । ସେବେଠାରୁ ସେ ବିଜୟୀ ହୋଇ ଆସୁଛନ୍ତି  । ଗତ ୧୮ ବର୍ଷ ଧରି ପିପିଲିର ଅପରାଜେୟ ନେତା ପାଲଟିଛନ୍ତି ମହାରଥୀ  । ଅପରପକ୍ଷରେ ମହାରଥୀଙ୍କୁ ଟକ୍କର ଦେଉଥିବା ଯୁଦ୍ଧିଷ୍ଠିର ସାମନ୍ତରାୟଙ୍କ ସ୍ଥିତି ଧିରେଧିରେ ଦୁର୍ବଳ ହେବାରେ ଲାଗିଛି  । ଏଯାବତ ବିଜେପି ମଧ୍ୟ ପିପିଲିରେ ମହାରଥୀଙ୍କୁ ଟକ୍କର ଦେବା ଭଳି ସ୍ଥିତି ସୃଷ୍ଟି କରିପାରିନାହିଁ  । ତେଣୁ ୨୦୧୯ରେ ମହାରଥୀ ଏକ ସହଜ ବିଜୟ ହାସଲ କରିବେ ବୋଲି ତାଙ୍କ କର୍ମୀମାନେ ଦୃଢ଼ ଆଶା ପ୍ରକାଶ କରିଛନ୍ତି  । ତେବେ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟିଥାଏ  । ଗୋଟିଏ ଗୋଟିଏ ଛୋଟ ପ୍ରସଙ୍ଗ ବି ବିଜୟ ରାସ୍ତାରେ ଖାଇ ହୋଇ ଉଭା ହୋଇଥାଏ  । ଏବେ ମହାରଥୀ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବାବେଳେ ତାଙ୍କର ଦବଦବା ଆହୁରି ବୃଦ୍ଧି ପାଇଛି  । ଯଦି ମହାରଥୀଙ୍କୁ ନେଇ କୌଣସି ବ୍ୟକ୍ତିଗତ ପ୍ରସଙ୍ଗ ପିପିଲି ରାଜନୀତିକୁ ଧସେଇ ନପଶେ ତେବେ ସପ୍ତମ ଥର ପାଇଁ ମହାରଥୀ ବିଧାନସଭା ଯିବା ରାସ୍ତା ପ୍ରଶସ୍ତ ହୋଇଯିବ ବୋଲି କୁହାଯାଇପାରେ  ।

    Maximum 500 characters

    ରାଜନୀତି View all

    Find Us on Facebook