ମୁଖ୍ୟ ଖବର
ଗୌହ୍ୱାଟୀ/ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛରେ ରସାୟନିକ ପଦାର୍ଥ ଫର୍ମାଲିନ ରହିଛି । ଏହି ଫର୍ମାଲିନ ପାଇଁ କ୍ୟାନସର ହେବାର ବି ଆଶଙ୍କା ରହିଛି । ଆସାମ ସରକାର ଆନ୍ଧ୍ର ମାଛ ପରୀକ୍ଷା କରିବା ପରେ ଏହି ନିଷ୍କର୍ସରେ ପହଁଛିଛନ୍ତି । ଯେଉଁଥିପାଇଁ ଖାଲି ଆନ୍ଧ୍ରପ୍ରଦେଶ ନୁହେଁ ବରଂ ଅନ୍ୟ ରାଜ୍ୟରୁ ମାଛ ଆମଦାନୀ ଉପରେ ଆସାମ ସରକାର ୧୦ ଦିନ ପାଇଁ କଟକଣା ଜାରି କରିଛନ୍ତି । ଆସାମ ସରକାରଙ୍କ ପଦକ୍ଷେପର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ପଡ଼ିଛି । ଓଡ଼ିଶାରେ ଆନ୍ଧ୍ର ମାଛ ବ୍ୟାପକ ଭାବେ ବିକ୍ରି ହେଉଥିବାରୁ ଏହି ମାଛ ପରୀକ୍ଷା କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଗତ ଜୁନ ୨୯ରେ ଆସାମ ସରକାର ବିଭିନ୍ନ ରାଜ୍ୟରୁ ଆସୁଥିବା ମାଛର ପରୀକ୍ଷା କରିଥିଲେ । ତେବେ ଲାବୋରୋଟୋରୀରେ ପରୀକ୍ଷା ପରେ ସେଥିରେ ଫର୍ମାଲିନ ଥିବା ଜାଣିବାକୁ ମିଳିଥିଲା । ତେଣୁ ୧୦ ଦିନ ପାଇଁ ମାଛ ଆମଦାନୀ ଉପରେ ଆସାମ ସରକାର କଟକଣା ଜାରି କରିଛନ୍ତି । ପୁଣି ଥରେ ବାହାର ରାଜ୍ୟରୁ ଆସୁଥିବା ମାଛ ପରୀକ୍ଷା କରାଯିବ । ଯଦି ଫର୍ମାଲିନ ନଥିବ ତେବେ ଯାଇ ଆମଦାନୀ ପାଇଁ ଅନୁମତି ପ୍ରଦାନ କରାଯିବ । ମାଛଗୁଡ଼ିକୁ ସତେଜ ରଖିବା ପାଇଁ ଫର୍ମାଲିନର ବହୁଳ ଉପଯୋଗ କରାଯାଉଛି । ଏହା ଉପରେ ମଧ୍ୟ ଆସାମ ସରକାର ରୋକ ଲାଗିଛନ୍ତି । ଏମିତିକି ଫର୍ମାଲିନ ବ୍ୟବହାର କଲେ ଦୁଇରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଓ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାରେ ଦଣ୍ଡିତ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ଅପରପକ୍ଷରେ ଏଭଳି ରିପୋର୍ଟ ପ୍ରକାଶ ପାଇବା ପରେ ଓଡ଼ିଶା ସରକାର ମଧ୍ୟ ତପôରତା ପ୍ରକାଶ କରିଛନ୍ତି । ଆନ୍ଧ୍ରପ୍ରଦେଶରୁ ରାଜ୍ୟକୁ ପ୍ରତିଦିନ ଶହ ଶହ ଟ୍ରକ ମାଛ ଆସୁଛି । ତେଣୁ ସେହି ମାଛ ମଧ୍ୟ ପରୀକ୍ଷା କରାଯିବ ବୋଲି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି । ଓଡ଼ିଶାରେ ଏସଂକ୍ରାନ୍ତୀୟ ଅଭିଯୋଗ ଆସିନଥିଲେ ମଧ୍ୟ ମାଛ ପରୀକ୍ଷା କରାଯିବ । ରିପୋର୍ଟ ମିଳିବା ପରେ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ମହାରଥୀ କହିଛନ୍ତି । ସେହିପରି ଏନେଇ ଅନୁଧ୍ୟାନ କରାଯିବ ବୋଲି ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି ।
Comments ସମସ୍ତ ମତାମତ 0