Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଧର୍ମେନ୍ଦ୍ର ହେବେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

    Share on :
    Date: Jul 10, 2018    Views: 15823

    ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ ହେବେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ  । ରାଜ୍ୟ ବିଜେପିରେ ତାଙ୍କର ଦବଦବା ଓ କେନ୍ଦ୍ରରେ ତାଙ୍କର ପ୍ରାଧାନ୍ୟ ଯୋଗୁଁ ସେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ନିଶ୍ଚିତ ହୋଇଯାଇଛି  । ମିଶନ ୧୨୦ର ସେ ହିଁ ହେବେ ମୁଖ୍ୟ ମଙ୍ଗୁଆଳ  । ଏହି ଚର୍ଚ୍ଚା ଏବେ ବିଜେପି ଅଳିନ୍ଦରେ ଜୋରଧରିଛି  । ସଂଘର ବିରୋଧ ସତ୍ତ୍ୱେ ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିବାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଜନା କରିଛନ୍ତି  । ସଂଘର କାର୍ଯ୍ୟକର୍ତାଙ୍କ ସହ ଧର୍ମେନ୍ଦ୍ରଙ୍କ ସମନ୍ୱୟ ରକ୍ଷା କରିବା ପାଇଁ ଶାହା କେତେକ ନେତାଙ୍କୁ ମଧ୍ୟ ଦାୟିତ୍ୱ ଦେଇଛନ୍ତି  । ଅତୀତରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିବାର ନଜିର ନଥିବାବେଳେ ଧର୍ମେନ୍ଦ୍ରଙ୍କ ଠାରୁ ହିଁ ରାଜ୍ୟ ବିଜେପିରେ ଏହି ପରମ୍ପରା ଆରମ୍ଭ ହେବବୋଲି ଧର୍ମେନ୍ଦ୍ରଙ୍କ କୋଟରୀର ଜଣେ ପ୍ରଭାବଶାଳୀ ନେତା ସୂଚନା ଦେଇଛନ୍ତି  ।

    ଅତୀତରେ ରାଜ୍ୟ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିନଥିଲା  । ୨୦୦୦ ଓ ୨୦୦୪ରେ ବିଜେଡ଼ି ସହ ମେଂଟ ଥିବାରୁ ଦଳ ପାଇଁ ସୁଯୋଗ ନଥିଲା  । ତେବେ ୨୦୦୯ ଓ ୨୦୧୪ରେ ଦଳର ସ୍ଥିତି ଭଲ ନଥିବାରୁ ଅଯଥାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଦଳ ପସନ୍ଦ କରିନଥିଲା  । କିନ୍ତୁ ୨୦୧୯ ପାଇଁ ଦଳର ସ୍ଥିତି ଭଲ ରହିଛି  । ରାଜ୍ୟରେ କଂଗ୍ରେସ ବଢ଼ୁଥିଲେ ବି ପଂଚାୟତ ନିର୍ବାଚନ ଭଳି ପୁଣି ବିଜେପି ଶାସକ ବିଜେଡ଼ିକୁ ଚକମା ଦେବବୋଲି ଦଳ ଆଶା ରଖିଛି  । ତେବେ ଦଳୀୟ ଅଳିନ୍ଦରେ ହେଉଥିବା ଅନ୍ୟ ଏକ ଚର୍ଚ୍ଚା ଅନୁଯାୟୀ ୨୦୧୯ରେ ଯେକୌଣସି ପ୍ରକାରେ ନବୀନ ହିଁ ସରକାର ଗଢ଼ିବେ  । ଧର୍ମେନ୍ଦ୍ରଙ୍କ କୋଟରୀର ଆକଳନ ଅନୁଯାୟୀ, ବିଜେଡ଼ିର ଆସନ ପୂର୍ବାପେକ୍ଷା କମିବ  । ବିଜେଡ଼ି ୭୦ରୁ ୮୦ ମଧ୍ୟରେ ସୀମିତ ରହିବ  । ବିଜେପି ୪୦ରୁ ୫୦ ଆସନ ପାଇବାର ଥିବାବେଳେ କଂଗ୍ରେସ ୨୦ ମଧ୍ୟରେ ଅଟକି ଯିବ । ଯଦି ପରିବର୍ତିତ ରାଜନୀତିକ ସ୍ଥିତିରେ ବିଜେଡ଼ି ୭୪ ମ୍ୟାଜିକ ଅଙ୍କ ଛୁଇଁନପାରିବ ତଥାପିବି କଂଗ୍ରେସର ବାହ୍ୟ ସମର୍ଥନରେ ସରକାର ଗଢ଼ିବେ ନବୀନ  । ବିଜେପି ଏମିତି ହିଁ ଆକଳନ କରିଛି  । ଯଦି ଏମିତି ହୁଏ ତଥାପିବି ବିଜେପି ଲାଭରେ ରହିବ  । ଧର୍ମେନ୍ଦ୍ର ବିରୋଧୀ ଦଳ ନେତା ହେବେ  । ସେପଟେ ୨୦୧୯ରେ ମୋଦି ପୁଣି ଥରେ କ୍ଷମତାସୀନ ହେବା ନିଶ୍ଚିତ  । ଏହି ପରିପ୍ରେକ୍ଷୀରେ ଧର୍ମେନ୍ଦ୍ର କେନ୍ଦ୍ରମନ୍ତ୍ରୀ ନହେଲେବି ପୂର୍ବଭଳି କ୍ଷମତାଶାଳୀ ରହିବେ  । ଓଡ଼ିଶାର ସବୁ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ସେ ହିଁ ବୁଝିବେ  । ଓଡ଼ିଶା ପାଇଁ କ’ଣ କରିବା ଦରକାର, ସରକାରଙ୍କୁ କିଭଳି ଅକଳରେ ପକାଇ ହେବ ସବୁଥିରେ ତାଙ୍କୁ କେନ୍ଦ୍ରମନ୍ତ୍ରୀମାନେ ସହଯୋଗ କରିବେ  । ୨୦୧୯ ନବୀନଙ୍କର ଶେଷ ପାଳି ନିର୍ବାଚନ ହେବବୋଲି ଧର୍ମେନ୍ଦ୍ରଙ୍କ କୋଟରୀ ଅଙ୍କ କଷିଛି  । ତେଣୁ ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବେ ରହି ଧର୍ମେନ୍ଦ୍ର ଗାଁ ଗାଁରେ ନିଜର ଲୋକପ୍ରିୟତା ବୃଦ୍ଧି କରିବେ  । ଯାହାଫଳରେ ୨୦୨୪ରେ ସେ ମୁଖ୍ୟମନ୍ତ୍ରୀ ହୋଇପାରିବେ  । ଧର୍ମେନ୍ଦ୍ରଙ୍କ କୋଟରୀ ଏଭଳି ଅଙ୍କକଷି ଆଗକୁ ବଢ଼ୁଛି  ।

    ତେବେ ସଂଘ କାର୍ଯ୍ୟକର୍ତାମାନେ ଧର୍ମେନ୍ଦ୍ରଙ୍କୁ ଚାହୁଁନଥିବା ସଂକ୍ରାନ୍ତରେ ଧର୍ମେନ୍ଦ୍ରଙ୍କ କୋଟରୀର ନେତା କହିଛନ୍ତିଯେ, ଓଡ଼ିଶାରେ ସଂଘର ସେଭଳି କୌଣସି ବୃହତ ନେଟୱାର୍କ ନାହିଁ  । ତଥାପିବି ଅନେକ ସଂଘ ନେତା ଧର୍ମେନ୍ଦ୍ରଙ୍କ ସପକ୍ଷରେ ରହିଛନ୍ତି  । ଆଗାମୀ ଦିନରେ ସଂଘ କାର୍ଯ୍ୟକର୍ତାଙ୍କ ନିକଟତର ହେବା ପାଇଁ  ମଧ୍ୟ ଯୋଜନା କରାଯାଇଛି  । ଏବେ ଧର୍ମେନ୍ଦ୍ରଙ୍କର ନୀତିନ ଗଡ଼କରୀଙ୍କ ସହ ସୁସମ୍ପର୍କ ରହିଛି  । ଗଡ଼କରୀଙ୍କ ରାଷ୍ଟ୍ରୀୟ ସଂଘ ନେତାଙ୍କ ସହ ଭଲ ସମ୍ପର୍କ ରହିଛି  । ତେଣୁ ଗଡ଼କରୀଙ୍କ ଜରିଆରେ ଧର୍ମେନ୍ଦ୍ର ସଂଘରେ ମଧ୍ୟ ନିଜର ଦବଦବା ଜାହିର କରିପାରିବେ ବୋଲି ଜାଣିବାକୁ ମିଳିଛି  । 
    ୨୦୧୪ରେ ଧର୍ମେନ୍ଦ୍ର ଓଡ଼ିଶା ରାଜନୀତିରେ ପ୍ରାଧାନ୍ୟ ବିସ୍ତାର କରିବା ବେଳେ ଯେଉଁ ନେତାମାନେ ତାହା ଗ୍ରହଣ କରିପାରୁନଥିଲେ ସେମାନେ ଏବେ ଧର୍ମେନ୍ଦ୍ରଙ୍କ ଆଡ଼କୁ ଢଳିବାକୁ ବାଧ୍ୟ ହୋଇଛନ୍ତି  । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଧର୍ମେନ୍ଦ୍ରଙ୍କ ପ୍ରାଧାନ୍ୟ ଓ କ୍ଷମତାକୁ ସ୍ୱୀକାର କରିବା ପାଇଁ ବାଧ୍ୟ ହୋଇଛନ୍ତି  । ଏମିତିକି ଓଡ଼ିଶା କଥା ବୁଝିବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଦାୟିତ୍ୱ ଦେଇଥିବା ସ୍ୱୀକାର କରିଛନ୍ତି  । ଅପରପକ୍ଷରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଧିରେଧିରେ ଧର୍ମେନ୍ଦ୍ର ମୁହାଁ ହେବାକୁ ବାଧ୍ୟ ହୋଇଛନ୍ତି  । ବାଲେଶ୍ୱରରେ ୨୦୧୯ରେ ବିଜେପି ଜିତିବା ସହଜସାଧ୍ୟ ନୁହେଁ  । ତେଣୁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ୨୦୧୯ରେ ପୁଣି ନୀଳଗିରିରୁ ବିଧାୟକ ଭାବେ ଲଢ଼ିବେ ବୋଲି କୁହାଯାଉଛି  । ସେହିପରି ଜୁଏଲ ପୁନଶ୍ଚ ଲୋକସଭା ଲଢ଼ିବାର ଥିବାରୁ ତାଙ୍କର ଆଉ ଧର୍ମେନ୍ଦ୍ରଙ୍କ ସହ ବିବାଦ ମଧ୍ୟ ହେବନାହିଁ  । ଯଦି ୨୦୧୯ରେ ଜୁଏଲ ଜିତନ୍ତି ଓ ପୁନଶ୍ଚ ମୋଦି ସରକାର ଗଢ଼ନ୍ତି ତେବେ ପୁଣି ସେ କେନ୍ଦ୍ରମନ୍ତ୍ରୀ ହେବା ନିଶ୍ଚିତ  । ଜଣଙ୍କ ପରେ ଜଣେ ଧର୍ମେନ୍ଦ୍ରଙ୍କ ରାସ୍ତାରୁ ସମସ୍ତେ ହଟି ଚାଲିଥିବାବେଳେ ଓଡ଼ିଶା ବିଜେପିରେ ଧର୍ମେନ୍ଦ୍ରଙ୍କ ଯୁଗ ଆରମ୍ଭ ହେବବୋଲି ତାଙ୍କ ସମର୍ଥକମାନେ ମତବ୍ୟକ୍ତ କରିଛନ୍ତି  ।

    Maximum 500 characters

    ଅଧିକ ମତାମତ

    Good

    Jagan das

    Jul 10, 2018

    Good

    Jagan das

    Jul 10, 2018

    ତାଜା ଖବର View all

    Find Us on Facebook