Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଂଚଳିକ ଦଳକୁ କଂଗ୍ରେସର କ୍ଷମତା ଥୋପ

    Share on :
    Date: Jul 10, 2018    Views: 2311

    ନୂଆଦିଲ୍ଲୀ : ଆମେ ସରକାର ଗଢ଼ୁ ବା ନଗଢ଼ୁ  । କ୍ଷମତା ପାଉବା ନପାଉ  । ଯେନେତେନ ପ୍ରକାରେଣ ବିଜେପିକୁ କ୍ଷମତାରୁ ହଟାଇବାକୁ ପଡ଼ିବ  । ବିଜେପି କ୍ଷମତାରୁ ହଟିଲେ ଯାଇ ହିଁ କଂଗ୍ରେସ ପୁଣି ପୁରୁଣା ଟ୍ରାକକୁ ଫେରିପାରିବ  । ସେଥିପାଇଁ ଯେଉଁ ସହଯୋଗୀ ଦଳ ଯାହା ମାଗିବ କଂଗ୍ରେସ ତାହା ଦେବାକୁ ପ୍ରସ୍ତୁତ  । ଆଂଚଳିକ ଦଳକୁ ପୂର୍ଣ୍ଣ କ୍ଷମତାର ଥୋପ ଦେଇ କଂଗ୍ରେସ ଏବେ ସେମାନଙ୍କୁ ଉପା ଆଡ଼କୁ ଭିଡ଼ିବା ପାଇଁ ରଣନୀତି କରିଛି  । 

    ଗୋଟିଏ ପଟେ ଆଂଚଳିକ ଦଳଗୁଡ଼ିକୁ ବିଜେପି ବିଶେଷ ଗୁରୁତ୍ୱ ଦେଉନଥିବା ଦେଖିବାକୁ ମିଳିଛି  । ଯେଉଁଠି ବିଜେପି ଆଂଚଳିକ ଦଳ ସହ ମେଂଟ କରି ସରକାର ଗଢ଼ିଛି ସେଠାରେ ନିଜର ସଂଗଠନକୁ ମଜବୁତ କରିବା ପାଇଁ ବିଜେପି ବେଶୀ ପରିଶ୍ରମ କରୁଛି  । ସାରା ଭାରତକୁ ‘ପଦ୍ମଫୁଲ’ ମୟ କରିବା ନିମନ୍ତେ ବିଜେପି ଯୋଜନା କରୁଛି  । ଗତ ୨୦୧୪ରେ ଯେଭଳି ବିନା ସହଯୋଗୀରେ ସରକାର ଗଢ଼ିପାରିବା ସ୍ଥିତିରେ ରହିଥିଲା ୨୦୧୯ ପାଇଁ ବି ସମାନ ରଣନୀତି ଆପଣାଇଛି  । ବିଜେପିର ରଣନୀତିକୁ ମାତ ଦେବା ପାଇଁ କଂଗ୍ରେସ ନୂଆ ଚାଲ ଖେଳିଛି  । ଯେଉଁ ସବୁ ରାଜ୍ୟରେ ଆଂଚଳିକ ଦଳ ଅପେକ୍ଷାକୃତ ଭାବେ ଶକ୍ତିଶାଳୀ ଥିବ ସେଠାରେ ଆଂଚଳିକ ଦଳ ଯାହାସବୁ ଦାବି କରିବ କଂଗ୍ରେସ ତାହାକୁ ପୂରଣ କରିବ  । ମୋଟାମୋଟି ଭାବେ ଦେଖିଲେ ନିଜ ଦଳକୁ ପୂର୍ଣ୍ଣ ସମର୍ପିତ କରିବା ପାଇଁ ବି କଂଗ୍ରେସ ପଛାଇବ ନାହିଁ  । ବିହାରରେ ପୁଣି ଆରଜେଡ଼ି ସହ ମେଂଟ ହେବା ନିଶ୍ଚିତ । ଆରଜେଡ଼ି କଂଗ୍ରେସକୁ ଯେତିକି ଆସନ ଦେବ ସେତିକିରେ ଦଳ ସନ୍ତୁଷ୍ଟ ହେବ  । ସେହିପରି ଉତରପ୍ରଦେଶରେ ସପା, ବସପା ଓ କଂଗ୍ରେସ ମେଂଟ କରିବେ  । ସପା ଓ ବସପାର ଭାଗବଂଟା ଭିତରେ ସେମାନେ କଂଗ୍ରେସ ପାଇଁ ଯେତିକି ଆସନ ଛାଡ଼ିବେ ସେତିକି ବି ନେବାକୁ ରାହୁଲ ପ୍ରସ୍ତୁତ ହୋଇଛନ୍ତି  । ଏମିତିକି ରାଏବରେଲୀ ଓ ଆମେଥିରେ କେବଳ ଯଦି କଂଗ୍ରେସକୁ ଲଢ଼ିବାର ସୁଯୋଗ ଦିଆଯାଏ ତଥାପିବି କଂଗ୍ରେସ ରାଜି ହେବ  । ଆନ୍ଧ୍ରପ୍ରଦେଶରେ ଦଳ ଟିଡ଼ିପି ସହ ମେଂଟ ପାଇଁ ଯୋଜନା କରିଛି  । ଏବେ ଟିଡ଼ିପି ଏନଡ଼ିଏର ହାତ ଛାଡ଼ି ଥିବାବେଳେ ମୋଦିଙ୍କୁ ବିରୋଧ କରୁଛି  । ଆନ୍ଧ୍ରରେ କଂଗ୍ରେସର ମଧ୍ୟ ଭଲ ଭୋଟ ରହିଛି  । ସେହିପରି ତେଲେଙ୍ଗାନାରେ ଟିଆରଏସଙ୍କୁ ମଧ୍ୟ କଂଗ୍ରେସ ସହଯୋଗ କରିବ  । କର୍ଣ୍ଣାଟକରେ ସହଜେ ଜେଡ଼ିଏସ ଓ କଂଗ୍ରେସ ମେଂଟ ଥିବାବେଳେ ଉଭୟଙ୍କ ମଧ୍ୟରେ ୨୦୧୯ରେ ବୁଝାମଣା ହେବା ନିଶ୍ଚିତ ହୋଇଯାଇଛି  । ସେହିପରି ତାମିଲନାଡ଼ୁରେ ପୂର୍ବଭଳି ଡିଏମକେ ସହ ମେଂଟ ହେବ  । ଜୟଲଳିତାଙ୍କ ମୃତୁ୍ୟ ପରେ ପୁଣି ଡିଏମକେ ଶକ୍ତିଶାଳୀ ହୋଇଯାଇଛି  । କମଲ ହାସନଙ୍କ ଦଳ ସହ ମଧ୍ୟ କଂଗ୍ରେସ ଯୋଗାଯୋଗରେ ଅଛନ୍ତି  । କେରଳରେ ବିଜେପି ପଶିବାର ଚାନ୍ସ ହିଁ ନାହିଁ  । ସେଠାରେ ଏବେବି କଂଗ୍ରେସ ଓ ବାମପନ୍ଥୀଙ୍କ ଦୃଢ଼ ସଂଗଠନ ରହିଛି  । ଯିଏ ଜିତିଲେ ବି ଚଳିବ  । ମହାରାଷ୍ଟ୍ରରେ ଏନସିପି ସହ ମେଂଟ ରହିଛି । ଆବଶ୍ୟକସ୍ଥଳେ ଶିବସେନା କିମ୍ବା ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା ସହ ମଧ୍ୟ ଭିତିରି ବୁଝାମଣା ହୋଇପାରେ  । ଯେଉଁ ଯେଉଁ ସ୍ଥାନରେ ଶିବସେନା ବିଜେପିକୁ ଟକ୍କର ଦେବା ସ୍ଥିତିରେ ଥିବ ସେଠାରେ କଂଗ୍ରେସ ଓ ଏନସିପି ଭିତିରିଆ ସମର୍ଥନ ଦେବେବୋଲି ମହାରାଷ୍ଟ୍ରର ଗଣମାଧ୍ୟମଗୁଡ଼ିକରେ ଚର୍ଚ୍ଚା ହେଉଛି  । 

    ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ ଭଳି ରାଜ୍ୟରେ କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ିବ  । ଆବଶ୍ୟକସ୍ଥଳେ ଛୋଟମୋଟ ସହଯୋଗୀ ସାଉଁଟି ଦଳ ସେମାନଙ୍କୁ ସମ୍ମାନଜନକ ଆସନ ଦେବାକୁ ବି ଯୋଜନା କରିଛି  । ଦିଲ୍ଲୀରେ କଂଗ୍ରେସ ଉଠି ପାରୁନାହିଁ  । ଏବେବି ଆମ ଆଦମୀ ପାର୍ଟିର ଲୋକପ୍ରିୟତା ରହିଛି  । ତେଣୁ ବିଜେପିକୁ ମାତ ଦେବା ପାଇଁ ଆପ୍ର ଅନିଚ୍ଛା ସତ୍ୱେ ମଧ୍ୟ କଂଗ୍ରେସ ନିଜ ଆଡ଼ୁ ସମର୍ଥନ ଅଜାଡ଼ି ଦେବ ବୋଲି କୁହାଯାଉଛି  । ଏହିପରି ଭାବେ ବିଜେପିକୁ ଅଟକାଇବା ପାଇଁ କଂଗ୍ରେସ ଯୋଜନା କରିଥିବାବେଳେ ୨୦୧୯ରେ କଂଗ୍ରେସ ନିଜ ଯୋଜନାରେ କେତେ ସଫଳ ହେବ ତାହା ବର୍ଷ ଶେଷ ଆଡ଼କୁ ସ୍ପଷ୍ଟ ହୋଇଯିବ  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook