ମୁଖ୍ୟ ଖବର
ଭୁବନେଶ୍ୱର : ଆଗକୁ ସାଧାରଣ ନିର୍ବାଚନ । ରାଜନୀତିକ ମଇଦାନରେ ଚାଲିଛି ଚେସ ଖେଳ । କଳା ଘୋଡ଼ା ଅଢେ଼ଇ ପାଦକୁ ହାତୀ କଣୁଆ ଚାଲିଛି । ସେପଟେ ବୋଟ ସିଧା ସିଧା ଚାଲି ପ୍ରତିପକ୍ଷକୁ ଅକଳରେ ପକାଉଥିବାବେଳେ ମନ୍ତ୍ରୀ କେବେ କଣୁଆ ତ କେବେ ସିଧା ସିଧା ରାଜାକୁ ଚେକ ଦେବାକୁ ଉଦ୍ୟମ କରୁଛି । ହେଲେ ସେପଟେ କଳା ଘୋଡା, ହାତୀ, ବୋଟ ଓ ମନ୍ତ୍ରୀଙ୍କ ସବୁ ଚାଲକୁ ନିରେଖି ଦେଖି ସନ୍ତର୍ପଣରେ ଧଳା ତା’ର ଗୋଟି ଚଳାଇ ଚାଲିଛି । ବେଶୀ ଗୌରଚନ୍ଦି୍ରକା ନକରି ସିଧା ଆସିବା ପଏଂଟ ଉପରକୁ । ହାଲକୁ ରାଜ୍ୟ ରାଜନୀତିର ସ୍ଥିତି ହିଁ ଏଇୟା ବୟାନ କରୁଛନ୍ତି । ରାଜା ନବୀନଙ୍କୁ ମାତ୍ ଦେବା ପାଇଁ କଂଗ୍ରେସର ନିରଞ୍ଜନ ପଟ୍ଟନାୟକ ଓ ବିଜେପିର ଧର୍ମେନ୍ଦ୍ର ପ୍ରଧାନ ଗୋଟି ଚଳାଉଥିଲେ ମଧ୍ୟ ଏଯାଏଁ ତାହା ଫଳପ୍ରସୂ ହୋଇପାରିନାହିଁ । ଗାଏମୋଟ ଦେଖିଲେ ପୂର୍ବଭଳି ନବୀନ ଏବେବି ଅପରାଜେୟ ରହିଥିବାବେଳେ ପ୍ରତିପକ୍ଷଙ୍କ ସମସ୍ତ ପଲିଟକାଲ ଚାଲକୁ ସେ ମାତ ଦେବାରେ ସଫଳ ହେଉଥିବା ମନେହେଉଛି ।
୨୦୧୪ ପ୍ରାରମ୍ଭରୁ ନବୀନଙ୍କ ପ୍ରତି ସବୁଠୁ ବଡ଼ ଆହ୍ୱାନ ସୃଷ୍ଟି କରିଥିଲା ବିଜେପି । ପ୍ରାରମ୍ଭରୁ ରକ୍ଷଣାତ୍ମକ ଗୋଟି ଚାଳନା କରୁଥିବା ବିଜେପି ହଠାତ୍ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିଥିଲା । ବିଶେଷକରି କନକବର୍ଦ୍ଧନ ସିଂହଦେଓ ବିଜେପି ସଭାପତି ଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତିଆରା ରାଜ୍ୟ ବିଜେପି ଉପରେ ଏତେଟା ନଥିଲା । କାହିଁକିନା ସେ ଜାଣିଥିଲେ କେଭି କେବେ ତାଙ୍କ ଇସାରାରେ ରାଜନୀତିକ ଗୋଟି ଚଳାଇବେ ନାହିଁ । ସେପଟେ କେଭି ମଧ୍ୟ ବିଜୟ ମହାପାତ୍ରଙ୍କୁ ସାଙ୍ଗରେ ନେଇ ରାଜନୀତିକ ବ୍ଲୁପ୍ରିଂଟ ପ୍ରସ୍ତୁତ କରୁଥିଲେ । ସେହି ସମୟରେ ନୂଆ ନୂଆ କେନ୍ଦ୍ରମନ୍ତ୍ରୀ ଦାୟିତ୍ୱ ନେଇଥିବାରୁ ଧର୍ମେନ୍ଦ୍ର ଦିନାକେତେ ଓଡ଼ିଶା ରାଜନୀତି ଉପରେ ଫୋକସ କରିପାରିନଥିଲେ । କିନ୍ତୁ ପରେପରେ ସେ ରାଜ୍ୟ ରାଜନୀତିରେ ନିଜର ଧାକ ଜମାଇବା ଆରମ୍ଭ କରିଥିଲେ । ପେଟ୍ରୋଲିୟମ ମନ୍ତ୍ରଣାଳୟ ଭଳି ଦୁଧିଆଳୀ ବିଭାଗ ପାଇଥିବାରୁ ଧର୍ମେନ୍ଦ୍ର ଓଡ଼ିଆ ଗଣମାଧ୍ୟମଗୁଡ଼ିକୁ ବିପୁଳ ପରିମାଣର ବିଜ୍ଞାପନ ଦେଇ କରାୟତ୍ତ କରିବାରେ ସମର୍ଥ ହୋଇଥିଲେ । ପ୍ରଥମେ ଛୋଟ ଛୋଟ ଖବରକାଗଜକୁ ନିଜ ହାତମୁଠାକୁ ନେବା ପରେ ଧିରେଧିରେ ବଡ଼ ବଡ଼ ଗଣମାଧ୍ୟମଗୁଡ଼ିକୁ ମଧ୍ୟ ନିଜ ଆଡ଼କୁ ଆକର୍ଷିତ କରିବାରେ ଧର୍ମେନ୍ଦ୍ର ସମର୍ଥ ହୋଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ରାଜ୍ୟ ବିଜେପି ସଭାପତି ପରିବର୍ତ୍ତନ ପ୍ରକ୍ରିୟା । ସଂଘ ଆଦର୍ଶରେ ଉଦବୋଧିତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ସଭାପତି ହେବାକୁ ଚାହୁଁଥିଲେ ମଧ୍ୟ ଧର୍ମେନ୍ଦ୍ରଙ୍କ ଚାପରେ ବସନ୍ତ ପଣ୍ଡାଙ୍କୁ ହିଁ ସଭାପତି କରାଯାଇଥିଲା । ଉଭୟ ପ୍ରତାପ ଓ ବସନ୍ତ ଦୁଇ ଥର ବିଧାୟକ । ଉଭୟ ମଧ୍ୟ ସଂଘ ଆଦର୍ଶରେ ଉଦବୋଧିତ । ତେବେ ଫରକ ହେଉଛି ଏତିକି ପ୍ରତାପ ସ୍ୱୟଂସମ୍ପୂର୍ଣ୍ଣ ଥିବାବେଳେ ବସନ୍ତ କିନ୍ତୁ ନିର୍ଭରଶୀଳ ଥିଲେ । ବସନ୍ତଙ୍କ କାନ୍ଧରେ ବନ୍ଧୁକ ଥୋଇ ଧର୍ମେନ୍ଦ୍ର ରାଜ୍ୟ ବିଜେପିକୁ ନିଜର କରାୟତ କରିବାରେ ସମର୍ଥ ହୋଇଥିଲେ । ଖାଲି ରାଜ୍ୟ ବିଜେପି ନୁହେଁ, ବିଜେପିର ସମସ୍ତ ଛାମୁଆ ମୋର୍ଚ୍ଚାଗୁଡ଼ିକ ମଧ୍ୟ ଧର୍ମେନ୍ଦ୍ରଙ୍କ ହାତମୁଠାରେ ରହିଥିଲା । ଅପରପକ୍ଷରେ ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ଓଡ଼ିଶାକୁ ଫୋକସରେ ରଖିବାକୁ ଆରମ୍ଭ କରିଥିଲେ । ଅମିତ ଶାହାଙ୍କ ଅଭୟ ବର ଓ ସାହାଯ୍ୟ ସହଯୋଗ ପାଇ ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ବିଜେପି ମଧ୍ୟ ନିଜର କଳେବର ବୃଦ୍ଧି କରିବାରେ ସମର୍ଥ ହୋଇଥିଲା । ତେବେ ଧର୍ମେନ୍ଦ୍ରଙ୍କ ପାଇଁ ସୋନେପେ ସୁହାଗା ଭଳି କଂଗ୍ରେସର ଦୁର୍ବଳ ସ୍ଥିତି ବେଶ ସୁହାଇଥିଲା । ଫଳରେ ନବୀନ ବିରୋଧୀ ଭୋଟ ବିଜେପି ଆଡ଼କୁ ଢଳାଇବାରେ ବିଜେପି ସମର୍ଥ ହୋଇପାରିଥିଲା । ୨୦୧୭ ପଂଚାୟତ ନିର୍ବାଚନରେ ବିଜେପି ଆଶାତୀତ ସଫଳତା ପାଇ ସମସ୍ତଙ୍କୁ ଚମକାଇ ଦେଇଥିଲେ । ଯେଉଁଥିପାଇଁ ପୂର୍ବରୁ ମିଶନ ୭୪ର ନାରା ଦେଉଥିବା ବିଜେପି ମିଶନ ୧୨୦ର ନାରା ଦେଇଥିଲା । ଅମିତ ଶାହା ମଧ୍ୟ ଓଡ଼ିଶାକୁ ୮ ଥର ଗସ୍ତ କରିଥିବାବେଳେ ପ୍ରତି ସପ୍ତାହରେ କୌଣସି ନା କୌଣସି କେନ୍ଦ୍ରମନ୍ତ୍ରୀ ଓଡ଼ିଶାକୁ ଆସିଛନ୍ତି । ସରକାରଙ୍କ ବିରୋଧରେ ପ୍ରତ୍ୟେକ ପ୍ରସଙ୍ଗ ହେଉ ଅବା ମୋଦି ସରକାରଙ୍କ କାର୍ଯ୍ୟକ୍ରମ ହେଉ ସବୁଥିରେ ଆଗରେ ରହିଛନ୍ତି ଧର୍ମେନ୍ଦ୍ର । ଏହି ପ୍ରସଙ୍ଗରେ ମଧ୍ୟ ସେ ବେଶ ରାଜନୈତିକ ମାଇଲେଜ ନେବାରେ ସମର୍ଥ ହୋଇଥିଲେ । ଏମିତିକି ପଂଚାୟତ ନିର୍ବାଚନ ପରେ ପରେ ଧର୍ମେନ୍ଦ୍ର ଓ ବିଜେପି ନବୀନ ଶିବିରରେ ଭିତି ସଂଚାର କରିଦେଇଥିଲେ । ଦଳର ଅନେକ ଆଗଧାଡ଼ିର ବିଜେଡ଼ି ନେତାମାନେ ମଧ୍ୟ ସମ୍ଭାବ୍ୟ ଭବିଷ୍ୟତକୁ ଆଖିଆଗରେ ରଖି ଧର୍ମେନ୍ଦ୍ରଙ୍କ କୋଟରୀ ସହ ଯୋଗାଯୋଗ ରକ୍ଷା କରିବା ଘଟଣା କାହାରିକୁ ଅଛପା ନାହିଁ । ନବୀନ ଯଦି ଟିକେଟ ନଦିଅନ୍ତି ତେବେ ସେମାନେ ବିଜେପିକୁ ଯିବା ପାଇଁ ଗୋଡ଼ ଟେକି ବସିଥିଲେ ।
କିନ୍ତୁ ହଠାତ୍ ରାଜ୍ୟ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତନ ଆସିଯାଇଛି । ପିସିସି ବଦଳିବା ପରେ ବଦଳି ଯାଇଛି ରାଜ୍ୟ ରାଜନୀତିକ ସମୀକରଣ । ନିରଞ୍ଜନ ପଟ୍ଟନାୟକ ସଭାପତି ହେବା ପରେ କଂଗ୍ରେସ ଏବେ ଏକାକାର ହୋଇଯାଇଛି । ପ୍ରସାଦଙ୍କ ଭୁଲ ମଧ୍ୟ ନିରଞ୍ଜନ ଦୋହରାଉନାହାନ୍ତି । ତାଙ୍କ ସବୁବେଳେ ବିରୋଧ କରି ଆସୁଥିବା ଶ୍ରୀକାନ୍ତ ଜେନାଙ୍କୁ ମଧ୍ୟ ମନାଇବା ପାଇଁ ସେ ନିଜ ଆଡ଼ୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ପଂଚାୟତ ନିର୍ବାଚନ ଭଳି ସବୁ ସରକାରୀ ବିରୋଧୀ ଭୋଟ ଟାଣିବା ପାଇଁ ବିଜେପି ଯେଉଁ ଯୋଜନା କରିଥିଲା ସେଥିରେ ପାଣି ପଶିଯାଇଛି । ଏମିତିକି କଂଗ୍ରେସ ଏବେ ବିଜେପି ପାଇଁ ଚିନ୍ତାର କାରଣ ପାଲଟିଥିବାବେଳେ କଂଗ୍ରେସ ଦ୍ୱିତୀୟ ସ୍ଥାନ ଫେରି ପାଇବା ପାଇଁ କସରତ ଆରମ୍ଭ କରିଦେଇଛି । ଅମିତ ଶାହା ଯେଭଳି ଓଡ଼ିଶାକୁ ଫୋକସରେ ରଖିଛନ୍ତି ଠିକ୍ ସେଭଳି ରାହୁଲ ଗାନ୍ଧୀ ମଧ୍ୟ ଓଡ଼ିଶା ପାଇଁ ଅଙ୍କକଷା ଆରମ୍ଭ କରିଛନ୍ତି । ନିର୍ବାଚନ ପାଖେଇ ଆସିନଥିଲେ ମଧ୍ୟ ଏକମାତ୍ର ରାଜ୍ୟ ଭାବେ ଓଡ଼ିଶା ପାଇଁ ରାହୁଲ ସ୍କ୍ରିନିଂ କମିଟି ଗଠନ କରିଛନ୍ତି । ଆଗୁଆ ଟିକେଟ ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଓଡ଼ିଶା ପାଇଁ ଜଣେ ନୁହେଁ ୪ ପ୍ରଭାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଅମିତ ଶାହାଙ୍କ ଭଳି ସେ ମଧ୍ୟ ତୃଣମୂଳସ୍ତରର କାର୍ଯ୍ୟକର୍ତାଙ୍କୁ ଭେଟିବେ । ପ୍ରଥମେ ଜିଲ୍ଲା ସଭାପତିଙ୍କୁ ଭେଟି ଦଳୀୟ ସଂଗଠନ ନେଇ ସେ ଖୁବଶୀଘ୍ର ଆଲୋଚନା କରିବେ ବୋଲି ଜାଣିବାକୁ ମିଳିଛି । ବିଜେପି ଯେଉଁଭଳି ଭାବେ ସଂଗଠିତ ଭାବେ ସଂଗଠନ କରୁଛି ରାହୁଲ ଠିକ ସମାନ ନୀତି ଆପଣାଇ ନେଇଥିବା ଦେଖିବାକୁ ମିଳୁଛି ।
ଏପଟେ କଂଗ୍ରେସ, ସେପଟେ ବିଜେପି । ବିଜେଡ଼ି ସରକାରଙ୍କୁ ଦୁଇ ଦଳ ସଣ୍ଢୁଆସୀ ଆକ୍ରମଣ କରୁଛନ୍ତି । କିନ୍ତୁ ଏହାର ପ୍ରଭାବ ନବୀନଙ୍କ ଉପରେ ପଡ଼ୁନଥିବା ପରିଲକ୍ଷିତ ହେଉଛି । ବିରୋଧୀ ପାଦେ ଗଲେ ସେ ଦିପାଦେ ଆଗେଇ ଯାଉଛନ୍ତି । ମୋଦିଙ୍କୁ ଟକ୍କର ଦେଇ ସେ ନିଜର ସ୍ୱାସ୍ଥ୍ୟବୀମା ଯୋଜନା ଘୋଷଣା କରିଛନ୍ତି । ଖାଲି ସେତିକିନୁହେଁ ଗାଁର ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ନବୀନ ପ୍ରକଳ୍ପକୁ ଚୂଡ଼ାନ୍ତ ରୂପରେଖ ଦେଇଛନ୍ତି । ସଚିବାଳୟରେ ବସି ଗାଁ ପାଇଁ କୋଟି କୋଟି ଟଙ୍କା ବିତରଣ କରୁଛନ୍ତି । ଯାହାର ପ୍ରଭାବ ଗାଁ ଗହଳିରେ ପଡ଼ୁଥିବା ଦେଖିବାକୁ ମିଳିଲାଣି । ସହଜେ ପ୍ରତି ଗାଁରେ ବିଜେଡ଼ିର ପଲା ବେଶ ଭାରି ରହିଛି । ସଂଗଠନ ପାଇଁ ପର୍ଯ୍ୟାପ୍ତ ଅର୍ଥ ବି ମିଳୁଛି । କର୍ମୀଙ୍କୁ ଠିକା କାମ ମିଳିବାରେ ବି ହେଳା ନାହିଁ । ଯେଉଁଥିପାଇଁ ବିଜେପି ଓ କଂଗ୍ରେସର ଆକ୍ରମଣ ସତ୍ୱେ ନବୀନ କିମ୍ବା ବିଜେଡ଼ି ଅଡ଼ୁଆରେ ପଡ଼ୁନାହାନ୍ତି । ନିର୍ବାଚନୀ ବର୍ଷ ହୋଇଥିବାରୁ ଯେଭଳି ବଡ଼ ପ୍ରସଙ୍ଗ ଉଭା ନହୁଏ ସେଦିଗରେ ମଧ୍ୟ ନବୀନ ଯନôବାନ ହେଉଛନ୍ତି । ନବୀନ ଭଲ ଭାବେ ଜାଣିଛନ୍ତି କୋଟି କୋଟି ଟଙ୍କାର ବଡ଼ ପ୍ରକଳ୍ପ କରାଗଲେ ତାହା ଜନତାଙ୍କୁ କେବେ ଆକର୍ଷିତ କରିପାରିବ ନାହିଁ । ଓଡ଼ିଆମାନେ ଆଜିକୁ ନେଇ ବଂଚିଥା’ନ୍ତି । ସେମାନେ କେବେ ଦୀର୍ଘମିଆଦୀ ଯୋଜନା ବା ପ୍ରକଳ୍ପକୁ ଦେଖି ଆକର୍ଷିତ ହୁଅନ୍ତି ନାହିଁ । ତେଣୁ ଲୋକଙ୍କ ସ୍ୱଳ୍ପମିଆଦୀ ସୁଫଳ ପ୍ରଦାନ ପାଇଁ ନବୀନ ସବୁମତେ ଉଦ୍ୟମ ଜାରି ରଖିଛନ୍ତି । ସବୁଠାରୁ ବଡ଼ କଥା ହେଲା ବିଜୁ ଯୁବ ବାହିନୀ ଜରିଆରେ ବିଜେଡ଼ି ନିଜକୁ ମଜବୁତ କରିପାରିଛି । ଲକ୍ଷ ଲକ୍ଷ ଯୁବକ ବିଜୁ ଯୁବ ବାହିନୀରେ ସାମିଲ ହୋଇ ସାରିଛନ୍ତି । ଗୋଟିଏ କାର୍ଯ୍ୟକ୍ରମରେ ଏତେସଂଖ୍ୟକ ଯୁବକଙ୍କୁ ସାମିଲ କରିବାର ନଜିର ଅତୀତରେ କେବେ ଦେଖିବାକୁ ମିଳିନଥିଲା ।
ଗୋଟିଏ ପଟେ ବିଜେପି ଓ କଂଗ୍ରେସ ନିଜ ନିଜ ତରିକାରେ ନବୀନଙ୍କୁ ଚେକ ଦେବାପାଇଁ ଯୋଜନା କରିଛନ୍ତି । କିନ୍ତୁ ନବୀନ ଏଭଳି ଗୋଟି ଚାଳନା କରୁଛନ୍ତିଯେ, ଉଭୟ ଦଳର ଷ୍ଟ୍ରାଟେଜୀ ଫୁସ୍ ହୋଇଯାଉଛି । ନବୀନଙ୍କ ପାଇଁ ଠାଏ ଠାଏ ନିଜ ଦଳର ଗୋଷ୍ଠୀକନ୍ଦଳ ଯେମିତି ଚିନ୍ତାରେ ପକାଇ ଦେଇଛି ଠିକ୍ ସେମିତି ବିଜେପି ଓ କଂଗ୍ରେସର ଗୋଷ୍ଠୀକନ୍ଦଳ ଦଳକୁ କିଛିଟା ଆଶ୍ୱସ୍ତ କରିଛି । ଟିକେଟ ପାଇବା ଆଶାରେ ଉଭୟ କଂଗ୍ରେସ ଓ ବିଜେଡ଼ି ନେତାମାନେ ବିଜେପିରେ ଯୋଗ ଦେଇଥିଲେ । କିନ୍ତୁ ଏବେ ସ୍ଥିତି ଏମିତିଯେ, ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ମୂଳ ନେତାମାନେ ଜୋରଦାର ବିରୋଧ ଆରମ୍ଭ କରିଛନ୍ତି । ଯାହାର ନଜିର ଏବେ ନୟାଗଡ଼ରେ ଦେଖିବାକୁ ମିଳିଥିଲା । ଯାଜପୁରରେ ମଧ୍ୟ ଅନରୂପ ସ୍ଥିତି ଆରମ୍ଭ ହେଲାଣି । ମୂଳ କର୍ମୀଙ୍କ ବିରୋଧ ଏବେ ବିଜେପି ଓ ଧର୍ମେନ୍ଦ୍ରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଧର୍ମେନ୍ଦ୍ର କେନ୍ଦ୍ର ସରକାରଙ୍କ ଜରିଆରେ ରାଜ୍ୟରେ ବହୁ ବିକାଶମୂଳକ କାର୍ଯ୍ୟ କରୁଛନ୍ତି । ଏହା ସତ୍ୟ । କିନ୍ତୁ ଏହି କାର୍ଯ୍ୟକ୍ରମଗୁଡ଼ିକ ସହରାଂଚଳରେ ହିଁ ସୀମିତ । ଉଜ୍ଜ୍ୱଳା ଗ୍ୟାସ ବ୍ୟତିରେକ ଗ୍ରାମାଂଚଳ ଲୋକମାନଙ୍କ ପଲସରେ ତାହା ପ୍ରବେଶ କରିପାରୁନାହିଁ । ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ଯେତିକି ବଢ଼ିଚାଲିଛି ଖାଲି ଟାଙ୍କି ସଂଖ୍ୟା ବି ସେତିକି ବଢ଼ି ଚାଲିଛି । ବିଶେଷକରି ତୈଳ ଓ ଗ୍ୟାସ ଦର ବୃଦ୍ଧି ଧର୍ମେନ୍ଦ୍ରଙ୍କ ପାଇଁ ବିରାଟ ଆହ୍ୱାନ ସୃଷ୍ଟିକରିଛି । ଭାରତୀୟ ଅର୍ଥନୀତିର ସ୍ଥିତି ଏମିତିଯେ, ତୈଳ ଓ ଗ୍ୟାସ ଦର ବୃଦ୍ଧି ପାଇଁ କୌଣସି ବାଟ ବାହାରି ପାରୁନାହିଁ । ମୋଟାମୋଟି ଦେଖିଲେ ନିଜ ବିଭାଗରେ ଧର୍ମେନ୍ଦ୍ର ବିଫଳ ହୋଇଥିବା ବାର୍ତା ଯାଇସାରିଲାଣି । ବିଜେପି ଦରବୃଦ୍ଧିକୁ ନେଇ ଯେତେ ଯୁକ୍ତି କଲେ ବି ସାଧାରଣ ଲୋକମାନେ ତାହା ଗ୍ରହଣ କରିବା ସ୍ଥିତିରେ ନାହାନ୍ତି । ଅପରପକ୍ଷରେ କଂଗ୍ରେସ ମଧ୍ୟ ପୂର୍ବକର୍ମର ଫଳ ଭୋଗିଚାଲିଛି । କଂଗ୍ରେସ ଦେହରୁ ଏବେବି ଦୁର୍ନୀତିର ଛିଟା ଲିଭି ପାରିନାହିଁ । ସେହିପରି ନିରଞ୍ଜନ କଂଗ୍ରେସକୁ ଚଳଚଂଚଳ କରିଥିଲେ ମଧ୍ୟ ସାଧାରଣ ଲୋକ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିବା ମୁଡ଼ରେ ନାହାନ୍ତି । କାରଣ ନିରଞ୍ଜନଙ୍କ ବ୍ୟକ୍ତିତ୍ୱ ଓ ଶକ୍ତି କଂଗ୍ରେସ ମଧ୍ୟରେ ହିଁ ସୀମିତ । ସାଧାରଣ ଜନତାଯେ, ନିରଞ୍ଜନଙ୍କ ପ୍ରତି ଆକର୍ଷିତ ହେବେ ତାହା ଭାବିବା ଭୁଲ ହେବ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଖାଲି ଓଡ଼ିଶାରେ ନୁହେଁ ସାରା ଭାରତରେ ଏବେ ବିଜେପି ଅକଳରେ ପଡ଼ିଯାଇଛି । ବିଜେପି ବିରୋଧରେ ସବୁ ବିରୋଧୀ ଶକ୍ତି ଏକ ହେବା ଆରମ୍ଭ କରିଛନ୍ତି । ଦକ୍ଷିଣ ଭାରତର କୌଣସି ଏକ ରାଜ୍ୟରେ ବି ବିଜେପିର ସ୍ଥିତି ମଜବୁତ ନାହିଁ । ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଭଳି ରାଜ୍ୟରେ ବିଜେପି ୨୦୧୯ରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଇପାରିବ ନାହିଁ । ପଶ୍ଚିମାଂଚଳର ମହାରାଷ୍ଟ୍ରରେ ଏବେ ବିଜେପି ପାଇଁ ଆହ୍ୱାନ ସୃଷ୍ଟି ହୋଇଛି । ରାଜସ୍ଥାନରେ ବି ସମାନ ଅବସ୍ଥା । ପଞ୍ଜାବ ତ ହାତରୁ ଖସିଯାଇଛି । କେନ୍ଦ୍ରାଂଚଳର ମଧ୍ୟପ୍ରଦେଶରେ ବି ବିଜେପି କ୍ଲିନ ସ୍ୱିପ କରିବା ସ୍ଥିତି ନାହିଁ । କେବଳ ଉତରଭାରତରେ ହିଁ ବିଜେପି ନିଜର ଶକ୍ତି ବଜାୟ ରଖିପାରିଛି । ଯଦି ଉତରପ୍ରଦେଶ ଉପନିର୍ବାଚନ ଭଳି ବିରୋଧୀ ଶକ୍ତି ଏକ ହୁଅନ୍ତି ତାହା ମୋଦିଙ୍କ ପାଇଁ ନିଶ୍ଚିତ ଭାବେ ଚ୍ୟାଲେଞ୍ଜ ସୃଷ୍ଟିକରିବ । ମୋଦି ନିଜକୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଦାବି କରୁଥିବାବେଳେ ଗୁଜୁରାଟରେ ବିଜେପି ଯେଭଳି ସ୍ଥିତିର ସମ୍ମୁଖୀନ ହେଲା ତାହା ନିଶ୍ଚିତ ଭାବେ ଯନ୍ତ୍ରଣାଦାୟକ । କେହିକେହି ଗୁଜୁରାଟର ରାଜନୀତିକ ସ୍ଥିତି ଓଡ଼ିଶା ସହ ତୁଳନା କରୁଛନ୍ତି । ଯଦି ଗୁଜୁରାଟ ଭଳି ବିଜେପି ଗଡ଼ରେ ଦଳ ହଲଚଲ ହୋଇଗଲା ଅନରୂପ ଭାବେ ଓଡ଼ିଶାରେ ବି ସେମିତି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । କିନ୍ତୁ ଯେଉଁମାନେ ଏଭଳି ଯୁକ୍ତି କରୁଛନ୍ତି ସେମାନେ ବୁଝିବା ଦରକାରଯେ, ମୋଦି ଗୁଜୁରାଟରେ ଶାସନରେ ଥିବାବେଳେ ମଧ୍ୟ କଂଗ୍ରେସ ସେଠାରେ ବେଶ ମଜବୁତ ଥିଲା । କିନ୍ତୁ ନବୀନ ଓଡ଼ିଶାରେ କଂଗ୍ରେସର ମୂଳ ଉପାଡ଼ି ଦେଇଥିବାବେଳେ ବିଜେପିକୁ ନିଷ୍ପ୍ରଭ କରିଦେଇଥିଲେ । ଯେଉଁଥିପାଇଁ ସରକାରୀ ବିରୋଧୀ ହାୱା ସତ୍ୱେ ବିଜେପି କିମ୍ବା କଂଗ୍ରେସ ନିଜକୁ ଏଯାବତ୍ ବିକଳ୍ପ ଭାବେ ଉପସ୍ଥାପନ କରିବାରେ ସଫଳ ହୋଇନାହାନ୍ତି । ଯାହାକି ୨୦୧୯ରେ ନବୀନଙ୍କୁ ପୁଣି କ୍ଷମତାସୀନ କରିବାରେ ସକ୍ଷମ ହେବ । କିନ୍ତୁ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟେ । ଗୋଟିଏ ଗୋଟିଏ ପ୍ରସଙ୍ଗ ବି ସରକାରଙ୍କୁ ଗଡ଼ାଇବା ପାଇଁ ଯଥେଷ୍ଟ । ଯଦି ବିଜେଡ଼ି ଓ ନବୀନ ୨୦୧୯ ପର୍ଯ୍ୟନ୍ତ ଏହାକୁ ରୋକିପାରନ୍ତି ତେବେ ବିଜେଡ଼ିକୁ ହଟାଇବା ମୁସ୍କିଲ ନୁହେଁ ଅସମ୍ଭବ ହେବବୋଲି କୁହାଯାଇପାରିବ ।
Comments ସମସ୍ତ ମତାମତ 0