Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଯାଜପୁର ବିଜେପି ସଭାପତି ଗୌତମ ରାୟଙ୍କ ବିରୋଧରେ ମେଳି

    Share on :
    Date: Jul 8, 2018    Views: 2995

    ଭୁବନେଶ୍ୱର : ଯାଜପୁର ଜିଲା ବିଜେପି ସଭାପତି ଗୌତମ ରାୟଙ୍କ ସ୍ଥିତି ଦୋହଲିଗଲାଣି  । ତାଙ୍କ ବିରୋଧରେ ଏବେ ଦଳ ଭିତରୁ ବିଦ୍ରୋହର ସ୍ୱର ଶୁଭିଲାଣି  । ଗୌତମଙ୍କୁ ହଟାଇବା ପାଇଁ ଜିଲ୍ଲାର କେତେକ ପୁରୁଖା ନେତା ଓ କର୍ମୀ କବାଟକିଳା ଆଲୋଚନା କରୁଥିବା ଜାଣିବାକୁ ମିଳିଛି  ।

    ଗୌତମ ଯାଜପୁର ଜିଲ୍ଲା ସଭାପତି ଦାୟିତ୍ୱ ନେବା ଦିନଠାରୁ ଦଳର ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇନାହିଁ  । ବରଂ ପୂର୍ବାପେକ୍ଷା ଦଳ ତଳକୁ ତଳ ଖସିବାରେ ଲାଗିଛି ବୋଲି ଯାଜପୁର ବିଜେପି ଅଳିନ୍ଦରେ ଚର୍ଚ୍ଚା ଜୋର ଧରିଛି  । ନିକଟରେ ହୋଇଥିବା ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେପି ପୂର୍ବାପେକ୍ଷା କମ୍ ଭୋଟ ପାଇଛି  । ୨୦୧୭ ପଂଚାୟତ ନିର୍ବାଚନବେଳେ ୩୦ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେପି ୮୪୧୪ ଭୋଟ ପାଇଥିଲା  । କିନ୍ତୁ ସଦ୍ୟସମାପ୍ତ ଉପନିର୍ବାଚନରେ ଦଳ ମାତ୍ର ୬୬୮୩ ଭୋଟ ପାଇଛି  । ଖାଲି ସେତିକିନୁହେଁ ଗୌତମ ଆକ୍ରମଣାତ୍ମକ ସଂଗଠନ ଉପରେ ମନୋନିବେଶ କରିବାରେ ବିଫଳ ହୋଇଛନ୍ତି  । ଯାହାକୁ ନେଇ କେତେକ ନେତା ରାଜ୍ୟ ସଂଗଠନ ମନ୍ତ୍ରୀଙ୍କ ନିକଟରେ ଫେରାଦ ମଧ୍ୟ ହୋଇଛନ୍ତି  । ଫଳରେ ଆଗାମୀ ଦିନରେ ଗୌତମ ହଟାଅ ଅଭିଯାନ ଆହୁରି ତୀବ୍ରତର ହେବାର ସମ୍ଭାବନା ରହିଛି  ।

    ଏନେଇ ଗୌତମ ରାୟଙ୍କ କେତେକ ସମର୍ଥକ କହିଛନ୍ତିଯେ, ଯାଜପୁରରେ ବିଜେଡ଼ିର ସ୍ଥିତି ବେଶ ମଜବୁତ ହୋଇଯାଇଛି  । ବିଜେଡ଼ି ରାଜନୀତିରେ ଏବେ ଯାଜପୁରର ଦବଦବା ଜାରି ରହିଛି  । ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ପ୍ରମିଳା ମଲ୍ଲିକ, ଅମର ପ୍ରସାଦ ଶତପଥୀ, ପ୍ରୀତିରଂଜନ ଘଡେ଼ଇଙ୍କର ନିଜ ନିଜ ନିର୍ବାଚନମଣ୍ଡଳୀରେ ଢେ଼ର ପ୍ରଭାବ ରହିଛି  । ସେହିପରି ରାଜ୍ୟ ରାଜନୀତିରେ ମଧ୍ୟ ସେମାନେ ବେଶ କ୍ଷମତାଶାଳୀ ରହିଛନ୍ତି  । ଗୋଟିଏ ପଟେ ବିଜେଡ଼ିର ପତିଆରା ଥିବାବେଳେ ଅପରପକ୍ଷରେ ଯାଜପୁର ବିଜେଡ଼ି ନେତାଙ୍କ ପାଖରେ ଅର୍ଥ ବଳ ଠାରୁ ନେଇ କ୍ଷମତା ବଳ ରହିଛି  । ତେଣୁ ବିଜେପିକୁ ସୁଦୃଢ଼ କରିବା ଏତେ ସହଜ ନୁହେଁ  । ଯାଜପୁରରେ ଆଜି ବିଜେପି ଯେତିକି ବଢ଼ିଛି ତାହା କେବଳ ଗୌତମ ରାୟଙ୍କ ପାଇଁ ସମ୍ଭବ ହୋଇଛି  । ଯଦି ଦଳର ନେତାମାନେ ତାଙ୍କୁ ହଟାଇ ଦିଅନ୍ତି ତେବେ ଏହା ବିଜେପି ପାଇଁ ବୁମେରାଂ ହେବବୋଲି ଗୌତମଙ୍କ ସମର୍ଥକମାନେ ଚେତାଇ ଦେଇଛନ୍ତି  ।

    Maximum 500 characters

    ତାଜା ଖବର View all

    Find Us on Facebook