Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଆମ ଗାଁ ଆମ ବିକାଶ: ୭ ବ୍ଲକକୁ ୩୫ କୋଟି ମଂଜୁର

    Share on :
    Date: Jun 29, 2018    Views: 307

    ଭୁବନେଶ୍ୱର: ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ଜିଲ୍ଲାର ୭ଟି ବ୍ଲକ ପାଇଁ ୩୫.୩୬ କୋଟି ଟଙ୍କାର ପ୍ରକଳ୍ପ ମଂଜୁର କରିଛନ୍ତି । ଏହି ବ୍ଲକଗୁଡ଼ିକ ହେଲା ସୋନପୁର ଜିଲ୍ଲାର ଉଲୁଣ୍ଡା, ଭଦ୍ରକ ଜିଲ୍ଲାର ବାସୁଦେବପୁର, ଢେ଼ଙ୍କାନାଳ ଜିଲ୍ଲାର ଗଁଦିଆ, ବରଗଡ଼ ଜିଲ୍ଲାର ଅତାବିରା, କୋରାପୁଟ ଜିଲ୍ଲାର ସିମିିଳିଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ଓ ସବଡେଗା ବ୍ଲକ ।
    ଆଜିର ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହିଳାମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟସଚେତନତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରୁଛନ୍ତି । ଏଥିରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଥିବାବେଳେ ମହିଳାମାନଙ୍କ ପାଇଁ ଏହି ସୁବିଧା ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏ ଯୋଜନା ରାଜ୍ୟ ସରକାରଙ୍କ ଏବଂ ରାଜ୍ୟବାସୀଙ୍କ ଟଙ୍କାରେ କରାଯାଇଛି । ତେଣୁ ଏହି ଯୋଜନା ସୁଯୋଗ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । 
    ମହିଳା ଓ ଝିଅମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଦିଗରେ ଖୁସି କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଅକ୍ଟୋବର ମାସରେ ଏହି  ଯୋଜନା ମାଗଣାରେ ସାନିଟାରୀ ନାପକିନ ଯୋଗାଇ ଦିଆଯିବ । ଏହାଦ୍ୱାରା ମହିଳାମାନଙ୍କର ସବୁଠାରୁ ବଡ଼ ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇପାରିବ । ତେଣୁ ମହିଳାମାନେ ଓ ଝିଅମାନେ ଏହି ସୁବିଧାର ସୁଯୋଗ ନେବା ପାଇଁ ସେ ପରାମର୍ଶ ଦେଇଥିଲେ । ମା’ ସୁସ୍ଥ ରହିଲେ ପରିବାର ସୁସ୍ଥ ରହିବ ଏବଂ ସବୁ ପରିବାର ସୁସ୍ଥ ରହିଲେ ଗାଁର ବିକାଶ ଆଗେଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । 
    ଆଜି ମୁଖ୍ୟମନ୍ତ୍ରୀ ଉଲୁଣ୍ଡା ବ୍ଲକର ୧୭ଟି ପଂଚାୟତ ପାଇଁ ୪.୨୫ କୋଟି ଟଙ୍କାରେ ୧୨୮ଟି ପ୍ରକଳ୍ପ, ବାସୁଦେବପୁର ବ୍ଲକର ୩୫ଟି ପଂଚାୟତ ପାଇଁ ୮.୬୫ କୋଟି ଟଙ୍କାରେ ୨୭୫ଟି ପ୍ରକଳ୍ପ, ଗଁଦିଆ ବ୍ଲକର ୨୯ଟି ପଂଚାୟତ ପାଇଁ ୬.୮୦ କୋଟି ଟଙ୍କାରେ ୨୯୮ଟି ପ୍ରକଳ୍ପ, ଅତାବିରା ବ୍ଲକର ୨୩ଟି ପଂଚାୟତ ପାଇଁ ୫.୬୪ କୋଟି ଟଙ୍କାରେ ୨୧୫ଟି ପ୍ରକଳ୍ପ, ସିମିଳିଗୁଡ଼ା ବ୍ଲକର ୧୬ଟି ପଂଚାୟତ ପାଇଁ ୨.୯୭ କୋଟି ଟଙ୍କାର ୯୩ଟି ପ୍ରକଳ୍ପ, ଲାଠିକଟା ବ୍ଲକର ୧୮ଟି ପଂଚାୟତ ପାଇଁ ୪.୦୫ କୋଟି ଟଙ୍କାରେ ୧୩୩ଟି ପ୍ରକଳ୍ପ ଓ ସବଡେଗା ବ୍ଲକର ୧୪ଟି ପଂଚାୟତ ପାଇଁ ୩ କୋଟି ଟଙ୍କାରେ ୧୧୪ଟି ପ୍ରକଳ୍ପ ମଂଜୁର କରିଛନ୍ତି । ଏହିପରି ସମୁଦାୟ ୭ଟି ବ୍ଲକର ୧୫୨ଟି ପଂଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୩୫.୩୬ କୋଟି ଟଙ୍କାରେ ୧୨୫୬ଟି ପ୍ରକଳ୍ପ ମଂଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ବିଧାୟକ, ମୁଖ୍ୟ ଶାସନ ସଚିବ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ, ଜିଲ୍ଲାପାଳ ଓ ପଂଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook