Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସାଧାରଣ ନିର୍ବାଚନ ପରେ ହେବ ପୌର ନିର୍ବାଚନ !

    Share on :
    Date: Jun 12, 2018    Views: 3885

    ଭୁବନେଶ୍ୱର (ଓଡିଆ ସ୍ପଟ ନୁ୍ୟଜ) : ସାଧାରଣ ନିର୍ବାଚନ ପରୀକ୍ଷା ପୂର୍ବରୁ ପୌର ନିର୍ବାଚନରେ ଲିଟମସ ଟେଷ୍ଟ କରିଥା’ନ୍ତେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ  । ହେଲେ ଏବେ ସ୍ଥିତି ଏମିତି ଜଟିଳ ହୋଇଛିଯେ, ସାଧାରଣ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ ହେବାର ସମ୍ଭାବନା କ୍ଷୀଣ  । ହାଇକୋର୍ଟଙ୍କ ନିଦେ୍ର୍ଧଶ ପାଇଁ ସରକାର ହରଡ଼ଘଣାରେ ପଡ଼ି ଯାଇଛନ୍ତି  । ସାମ୍ପ୍ରତିକ ସ୍ଥିତିକୁ ଅନୁଶୀଳନ କଲେ ସାଧାରଣ ନିର୍ବାଚନ ପରେ ହିଁ ପୌର ନିର୍ବାଚନ ହେବବୋଲି ଆଶା କରାଯାଉଛି  । ଯାହାକି ବିଜୁ ଜନତା ଦଳକୁ ଚିନ୍ତାରେ ପକାଇ ଦେଇଥିବାବେଳେ କଂଗ୍ରେସ ଓ ବିଜେପି ମନରେ ଖୁସି ଭରିଦେଇଛି ବୋଲି ରାଜନୀତିକ ବିଶ୍ଲେଷକମାନେ ମତପୋଷଣ କରିଛନ୍ତି  ।

    ସେପ୍ଟେମ୍ବରରେ ରାଜ୍ୟର ୯୩ ପୌରସଂସ୍ଥାର କାର୍ଯ୍ୟକାଳ ପୂରୁଛି  । ଯେଉଁଥିପାଇଁ ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ପ୍ରାରମ୍ଭରେ ପୌର ନିର୍ବାଚନ ହେବ ବୋଲି ଆଶା କରାଯାଉଥିଲା  । ଏଥିପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଥିଲେ  । ୱାଡର଼୍ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ସହ ଭୋଟର ତାଲିକା ବି ସଂଶୋଧନ ପ୍ରକ୍ରିୟା ଚାଲିଥିଲା  । ତେବେ ପୌର ନିର୍ବାଚନରେ ଆସନ ସଂରକ୍ଷଣ ୫୦%ରୁ ଟପିବନି ବୋଲି ହାଇକୋର୍ଟ ରାୟ ଦେବା ପରେ ସରକାର ଅକଳରେ ପଡ଼ି ଯାଇଛନ୍ତି  । କାହିଁକିନା ହାଇକୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାକୁ ହେଲେ ପୌର ନିର୍ବାଚନ ସଂରକ୍ଷଣ ଆଇନରେ ସଂଶୋଧନ ଆଣିବାକୁ ପଡ଼ିବ  । ଏଥିପାଇଁ ବିଧାନସଭାରେ ସରକାରଙ୍କୁ ବିଲ୍ ଆଣିବାକୁ ପଡ଼ିବ  । ଆଗକୁ ମୌସୁମୀ ଅଧିବେଶନ  । ଯଦି ମୌସୁମୀ ଅଧିବେଶନରେ ସରକାର ବିଲ୍ ଆଣନ୍ତି ତେବେ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଁ ବିଜ୍ଞପ୍ତି ଜାରି ହେବାବେଳକୁ ଡିସେମ୍ବର ହୋଇଯିବ  । କିନ୍ତୁ ସେତେବେଳେ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ଥିବ  । ୨୦୧୯ ଫେବୃଆରୀ ବେଳକୁ ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବ  । ତେଣୁ ସେ ସମୟରେ ବା ତାହାର ମାସକ ପୂର୍ବରୁ ପୌର ନିର୍ବାଚନ କରିବା ସମ୍ଭବପର ହେବ ନାହିଁ ବୋଲି କୁହାଯାଉଛି  ।

     ଗୋଟିଏ ପଟେ ପୌର ନିର୍ବାଚନ ଧାର୍ଯ୍ୟ ସମୟରେ ହେବନାହିଁ ବୋଲି ସ୍ପଷ୍ଟ ହୋଇ ସାରିଥିବାବେଳେ ସାଧାରଣ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ ହେବା ଆଶା କ୍ଷୀଣ  । ପଂଚାୟତ ନିର୍ବାଚନର ବିପର୍ଯ୍ୟୟ ପରେ ବିଜୁ ଜନତା ଦଳ ସଂଗଠିତ ହୋଇଯାଇଥିଲା  । ଦଳ ସଭାପତି ନବୀନ ଘନଘନ ବୈଠକ କରି ସ୍ଥିତିରେ ଢେ଼ର ସୁଧାର ଆଣିପାରିଛନ୍ତି  । ପୌର ନିର୍ବାଚନରେ ବିଜେଡ଼ି ଭଲ ପ୍ରଦର୍ଶନ କରି ପୁଣି ଥରେ ରାଜ୍ୟବାସୀଙ୍କୁ ବାର୍ତା ଦେବାକୁ ଚାହୁଁଥିଲା  । ନବୀନ ହିଁ ସବୁଠୁ ଲୋକପ୍ରିୟ ଓ ବିଜେଡ଼ି ହିଁ ଏକମାତ୍ର ବିକଳ୍ପ ବୋଲି ବାର୍ତା ଦେଇଥା’ନ୍ତା ଦଳ  । ସେହିପରି ପୌର ନିର୍ବାଚନର ତ୍ରୁଟି ବିଚୁ୍ୟତି ମଧ୍ୟ ଦଳ ପରଖି ପାରିଥା’ନ୍ତା  । କେଉଁ କେଉଁ ବିଧାୟକମାନଙ୍କର ସହରରେ ସ୍ଥିତି ନାହିଁ ତାହାକୁ ମଧ୍ୟ ଅନୁଶୀଳନ କରାଯାଇପାରିଥା’ନ୍ତା  । ଯାହାର ପ୍ରଭାବ ୨୦୧୯ରେ ପଡ଼ିଥା’ନ୍ତା  ।  ଯେଉଁଥିପାଇଁ ବିଜେଡ଼ି ଚିନ୍ତାରେ ପଡ଼ି ଯାଇଛି  । ଅପରପକ୍ଷରେ କଂଗ୍ରେସ ଟିମ୍ ନୂତନ ଭାବେ ପୁନର୍ଗଠିତ ହୋଇଛି  । ଦଳ ଧିରେଧିରେ ସ୍ଥିତି ସଜାଡ଼ୁଥିଲେ ବି ଏଯାବତ୍ ମୁଣ୍ଡ ଟେକି ଠିଆ ହୋଇପାରିନାହିଁ  । ଏହି ସମୟରେ ହଠାତ୍ ପୌର ନିର୍ବାଚନ ହୋଇଥିଲେ ଦଳ ଅକଳରେ ପଡ଼ି ଯାଇଥା’ନ୍ତା  । ଯଦି ପଂଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନକୁ ଠେଲି ହୋଇ ଯାଇଥାନ୍ତା ତେବେ ବିଜେଡ଼ିର ବିକଳ୍ପ ଭାବେ  ରାଜ୍ୟବାସୀ ବିଜେପିକୁ ହିଁ ଗ୍ରହଣ କରିବାକୁ ବାଧ୍ୟ ହୋଇଥା’ନ୍ତେ  । ଯାହାକି କଂଗ୍ରେସ ପାଇଁ ଆଶ୍ୱସ୍ତି କହିଲେ ଭୁଲ ହେବନାହିଁ  । ଅନରୂପ ଭାବେ କଂଗ୍ରେସର ଉତଥାନ ବିଜେପିକୁ ଚିନ୍ତାରେ ପକାଇ ଦେଇଛି  । ପଂଚାୟତ ନିର୍ବାଚନରେ ବିଜେପି ହିଁ କଂଗ୍ରେସ ଭୋଟ ଗିଳି ଦେଇଥିଲା  । ସେହିପରି ପଂଚାୟତ ନିର୍ବାଚନରେ ଆଶାତୀତ ସଫଳତା ସତ୍ୱେ ବିଜେପୁର ଉପନିର୍ବାଚନରେ ମଧ୍ୟ ବିଜେପି ବହୁ ଭୋଟରେ ପରାସ୍ତ ହୋଇଛି  । ଏହି ପରିପ୍ରେକ୍ଷୀରେ ଯଦି ପୌର ନିର୍ବାଚନରେ କଂଗ୍ରେସ ଠାରୁ ବିଜେପି ପଛରେ ପଡ଼ି ଯାଇଥା’ନ୍ତା ତେବେ ରାଜ୍ୟ ରାଜନୀତିକୁ ଭିନ୍ନ ବାର୍ତା ଯାଇଥା’ନ୍ତା  । ଗାଏମୋଟ ଦେଖିଲେ ପୌର ନିର୍ବାଚନ ପାଇଁ ବିଜେଡ଼ି ହିଁ ପ୍ରସ୍ତୁତ ଥିବାବେଳେ କଂଗ୍ରେସ ଓ ବିଜେପି ଏଯାବତ୍ ପ୍ରସ୍ତୁତି ଆରମ୍ଭ କରିନଥିଲେ ବୋଲି କହିଲେ ଭୁଲ୍ ହେବନାହିଁ  । 

    Maximum 500 characters

    ରାଜନୀତି View all

    Find Us on Facebook