ମୁଖ୍ୟ ଖବର
ଭୁବନେଶ୍ୱର : ବିଗତ ୮୦ ବର୍ଷ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି କରିଛି । ସରକାରମାନେ ପ୍ରତିବଦ୍ଧତାର ସହ ବିକାଶର ଆହ୍ୱାନକୁ ଗ୍ରହଣ କରିଛନ୍ତି । ଅଶୀ ବର୍ଷ ମଧ୍ୟରେ ଓଡ଼ିଶା ଅନେକ ମାଇଲଖୁଂଟ ସ୍ଥାପନ କରିଛି । ତେବେ ଓଡ଼ିଶାବାସୀଙ୍କ ମନରେ ଅଭିଳାଷା ମଧ୍ୟ ବୃଦ୍ଧି ପାଇଛି । ଏହାକୁ ଆଖିଆଗରେ ରଖି ଏକ ଉନ୍ନତ ଭବିଷ୍ୟତ ପାଇଁ ସମସ୍ତଙ୍କୁ ଏକାଠି ହୋଇ କାର୍ଯ୍ୟ କରିବାକୁ ପଡ଼ିବ । ‘୮୦ ବର୍ଷର ଓଡ଼ିଶା ବଜେଟ୍-ଏକ ସ୍ମରଣୀୟ ପ୍ରକାଶନ’ ପୁସ୍ତକ ଉନ୍ମୋଚନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ କହିଲେଯେ, ଏହା ହେଉଛି ଏକ ନିଆରା ପ୍ରକାଶନ । ଯାହାକି ଓଡ଼ିଶାର ସମୃଦ୍ଧମୟ ଇତିହାସ ସହ ସାମାଜିକ-ଅର୍ଥନୈତିକ, ରାଜନୈତିକ ଓ ସାଂସ୍କୃତିକ ପରିବର୍ତ୍ତନର ଝଲକ ପ୍ରଦାନ କରିଛି । ବିଗତ ୮୦ ବର୍ଷ ମଧ୍ୟରେ ଓଡ଼ିଶାର ବିକାଶ ଯାତ୍ରାକୁ ପ୍ରତିପାଦିତ କରିବା ପାଇଁ ଏହି ସଂକଳନର ପ୍ରୟାସ କରାଯାଇଛି । ଏଭଳି ସଂକଳନ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ତଥ୍ୟଗୁଡ଼ିକ ବୁଦ୍ଧିଜୀବୀ, ଗବେଷକ ଓ ନୀତି ନିର୍ଦ୍ଧାରକଙ୍କ କାର୍ଯ୍ୟରେ ଲାଗିପାରିବ । ୧୯୩୬ ଅପ୍ରେଲ ପହିଲାରେ ଦେଶର ପ୍ରଥମ ଭାଷାଭିତ୍ତକ ରାଜ୍ୟ ଭାବେ ଓଡ଼ିଶା ମାନ୍ୟତା ପାଇଥିଲା । ଉକôଳଗୌରବ ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ପଣ୍ଡିତ ନୀଳକଣ୍ଠ ଦାସ, ଭୁବନାନନ୍ଦ ଦାସ ଓ ଅନେକ ମହାପୁରୁଷଙ୍କ ଉଦ୍ୟମରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହୋଇପାରିଥିଲା । ବଜେଟ୍ ହେଉଛି ସରକାରଙ୍କ ନୀତିର ଦର୍ପଣ । ୧୯୩୬ରୁ ଏଯାବତ୍ ୮୦ ବର୍ଷର ବଜେଟ୍ରେ ଓଡ଼ିଶାକୁ ବିକାଶ ପଥରେ ଆଗେଇନେବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ପ୍ରତିପାଦିତ ହୋଇଛି ବୋଲି ନବୀନ କହିଛନ୍ତି ।
ନବୀନ କହିଲେଯେ, ଏହି ପୁସ୍ତକରେ ଆଦ୍ୟର ରାଜ୍ୟ ପୁନର୍ଗଠନର ସମସ୍ୟାରୁ ନେଇ ବର୍ତମାନର ସ୍ଥିରତା ପର୍ଯ୍ୟନ୍ତ ଯାତ୍ରାର ଅବତାରଣା କରାଯାଇଛି । ୧୯୩୬-୩୭ରେ ରାଜ୍ୟର ମୋଟ୍ ବଜେଟ୍ ଥିଲା ୧ କୋଟି ୭୭ ଲକ୍ଷ ଟଙ୍କା । ବିଗତ ୮୦ ବର୍ଷ ମଧ୍ୟରେ ବାର୍ଷିକ ୧୫% ହାରରେ ଓଡ଼ିଶାର ବଜେଟ ଅଭିବୃଦ୍ଧି ହୋଇ ୨୦୧୭-୧୮ରେ ୧ ଲକ୍ଷ ୬୯୧୦ କୋଟି ଟଙ୍କାରେ ପହଁଚିଥିଲା । ୨୦୧୮-୧୯ରେ ତାହା ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି । କୃଷି କ୍ଷେତ୍ରର ବିକାଶ ପାଇଁ ୨୦୧୩-୧୪ରେ ସ୍ୱତନ୍ତ୍ର କୃଷି ବଜେଟ୍ ଉପସ୍ଥାପିତ ହୋଇଥିବାବେଳେ ୨୦୧୬ରେ ସ୍ୱତନ୍ତ୍ର କୃଷି କ୍ୟାବିନେଟ ଗଠନ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।
ଜୟଦେବ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଚସ୍ପତି ପ୍ରଦୀପ କୁମାର ଅମାତ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ଉନ୍ନୟନ କମିଶନର ଆର. ବାଲକ୍ରୀଷ୍ଣନ, ଅର୍ଥ ସଚିବ ଟିକେ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ ।
Comments ସମସ୍ତ ମତାମତ 0