Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସତରେ କ’ଣ ବୈଜୟନ୍ତଙ୍କ ପାଇଁ କଂଗ୍ରେସ ଏକ ବିକଳ୍ପ

    Share on :
    Date: Jun 10, 2018    Views: 9253

    ଭୁବନେଶ୍ୱର (ଓଡ଼ିଆ ସ୍ପଟ ନୁ୍ୟଜ) : ବୈଜୟନ୍ତ ପଣ୍ଡା ବିଜେଡ଼ି ଛାଡ଼ିବା ଯେମିତି ନିଶ୍ଚିତ ଥିଲା ଠିକ୍ ସେମିତି ସେ ବିଜେପିରେ ଯୋଗଦେବା  ମଧ୍ୟ ନିଶ୍ଚିତ ବୋଲି ଚର୍ଚ୍ଚା ହୋଇ ଆସୁଥିଲା  । ଦିବଂଗତ ବଂଶୀଧର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇଁ ଅନେକ ବଡ଼ ବଡ଼ ବିଜେପି ନେତା ଭୁବନେଶ୍ୱର ବାସଭବନରେ ମଧ୍ୟ ପହଁଚିଥିଲେ  । ଖାଲି ସେତିକିନୁହେଁ ଦିଲ୍ଲୀରେ ବଡ଼ ବଡ଼ ବିଜେପି ନେତା ମଧ୍ୟ ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ଥିଲେ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଶୋକବାର୍ତା ପଠାଇଥିଲେ  । କିନ୍ତୁ ଏଯାଏଁ ବୈଜୟନ୍ତ ବିଜେପିକୁ ଯିବା ପାଇଁ ମନସ୍ଥିର କରିନାହାନ୍ତି ବୋଲି କହିଛନ୍ତି  । ଏମିତିକି କଂଗ୍ରେସ ମଧ୍ୟ ତାଙ୍କ ବିକଳ୍ପ ବୋଲି ଇସାରା ଦେବାକୁ ଭୁଲିନାହାନ୍ତି  । 

    ହେଲେ ଏମିତି କାହିଁକି ? ବୈଜୟନ୍ତ ରାଜନୀତିରେ ନୂଆ ନେତା ନୁହଁନ୍ତି  । ଦୁଇ ଦୁଇ ଥର ରାଜ୍ୟସଭାକୁ ଯାଇଥିବାବେଳେ ଦୁଇଥର ଲୋକସଭାକୁ ମଧ୍ୟ ଯାଇଛନ୍ତି  । ସେ ଭଲ ଭାବେ ଜାଣିସାରିଥିଲେ, ବିଜେଡ଼ିରୁ ସେ ବିଦା ହେବା ଥୟ  । ନବୀନଙ୍କୁ ପରୋକ୍ଷ ବା ପ୍ରତ୍ୟକ୍ଷରେ କାଉଂଟର କରୁଥିବା ନେତାଙ୍କରଯେ, ବିଜେଡ଼ିରେ ସ୍ଥାନ ନାହିଁ ସେନେଇ ବୈଜୟନ୍ତ ମଧ୍ୟ ଭଲ ଭାବେ ଅବଗତ ଥିଲେ  । ଅର୍ଥାତ୍ ବିଜେଡ଼ି ଛାଡ଼ିବା ପରେ ସେ କ’ଣ କରିବେ ନିଶ୍ଚିତ ଭାବେ ତାହା ସ୍ଥିର କରିସାରିଥିବେ  । କିନ୍ତୁ ଅର୍ଣ୍ଣବ ଗୋସ୍ୱାମୀଙ୍କ ସହ ସାକ୍ଷାତକାର ବେଳେ ବୈଜୟନ୍ତ କହିଲେଯେ, ‘ମୋ ପାଇଁ ସବୁ ବିକଳ୍ପ ଖୋଲା ଅଛି  । ଏଯାଏଁ ମୁଁ ସେନେଇ କିଛି ସ୍ଥିର କରିନାହିଁ  ।’ 

    ୧. ବୈଜୟନ୍ତଙ୍କର ଏହି ଧାଡ଼ିଏ କଥା ପଛରେ ଅନେକ ରହସ୍ୟ ରହିଛି ବୋଲି ରାଜନୀତିକ ବିଶ୍ଲେଷକମାନେ ମତପୋଷଣ କରୁଛନ୍ତି  । କେତେକଙ୍କ ମତରେ ବୈଜୟନ୍ତଙ୍କୁ ଏଯାଏଁ ବୋଧହୁଏ ବିଜେପିରୁ ଡାକରା ଆସିନାହିଁ  । ବିଜେପି ଆଡ଼ୁ ତାଙ୍କୁ ଡାକରା ଆସିଲେ ସେ ଆଲୋଚନାକୁ ଯିବେ  । ଓଡ଼ିଶା ବିଜେପିରେ ତାଙ୍କୁ କେଉଁ ଦାୟିତ୍ୱ ମିଳିବ, କେନ୍ଦ୍ରୀୟ ବିଜେପିରେ ତାଙ୍କୁ କିଭଳି ଗୁରୁତ୍ୱ ଦିଆଯିବ ଆଦି ସମ୍ପର୍କରେ ସେ ଡିଲ କରିବେ  । ନହେଲେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଭଳି ତାଙ୍କୁ ଯଦି ବିଜେପିରେ ଅପଦସ୍ତ କରାଯାଏ ତେବେ ମହରଗରୁ ଆସି କାନ୍ତାରରେ ପଡ଼ିବା ଭଳି ଅବସ୍ଥା ହେବାର ଆଶଙ୍କା ରହିଛି  । ଯଦି ଏମିତି ହୁଏ ତେବେ ରାଜନୈତିକ ପତିଆରା ଗୁଣ୍ଡ ହୋଇଯିବ  । ସେଥିପାଇଁ ବିଜେପିକୁ ଯିବାର ଇଚ୍ଛା ଥିଲେ ବି ବୈଜୟନ୍ତ ଜଗିରଖି କଥା କହିଥାଇପାରନ୍ତି  । ଏପରିକି ଅନ୍ୟ ବିକଳ୍ପ କଥା କହି ବିଜେପି ଉପରେ ଚାପ ସୃଷ୍ଟି କରିବା ନିମନ୍ତେ ଏମିତି ଏକ କୌଶଳ କରିଛନ୍ତି ବୋଲି କୁହାଯାଉଛି  ।

    ୨. ଅନ୍ୟ ଏକ ଅନୁଶୀଳନ ଅନୁଯାୟୀ, ବିଜେଡ଼ିରୁ ଇସ୍ତଫା ଦେବାବେଳେ ବୈଜୟନ୍ତ କହିଥିଲେ ସେ ଲୋକସଭା ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବେ  । ବାପାଙ୍କ ଶୁଦ୍ଧିକ୍ରିୟା ସରିବା ପରେ ସେ ବାଚସ୍ପତିଙ୍କୁ ଜଣାଇବେ  । ଏବେ ସେ ଦିଲ୍ଲୀରେ ଅଛନ୍ତି  । କିନ୍ତୁ ବାଚସ୍ପତିଙ୍କୁ ଇସ୍ତଫା ପତ୍ର ପଠାଇନାହାନ୍ତି  । କ’ଣ ପାଇ ପଠାଉ ନାହାନ୍ତି ସେନେଇ ଚର୍ଚ୍ଚା ହେବା ସ୍ୱାଭାବିକ  । ହୁଏତ ଅନ୍ୟ ଦଳକୁ ଗଲେ ସଭ୍ୟ ପଦ ରଦ୍ଧ ହୋଇଯିବ  । ସେଥିପାଇଁ ଆଉ କିଛିଦିନ ସାଂସଦ ଭାବେ କାର୍ଯ୍ୟ କରିବା ପାଇଁ ତାଙ୍କ ମନରେ ଅଭିଳାଷ ଥାଇପାରେ  । ବିଜେଡ଼ି ନିଜ ଆଡ଼ୁ ଲୋକସଭା ବାଚସ୍ପତିଙ୍କୁ କ’ଣ ଅବଗତ କରାଉଛି ତାହା ଉପରେ ମଧ୍ୟ ସ୍ୱାଭାବିକ ଭାବେ ନିଘା ରଖିଥିବେ  ।

    ୩. ସେହିପରି ଅନ୍ୟ କେତେକ ବିଶ୍ଲେଷକଙ୍କ ମତରେ ବୈଜୟନ୍ତ ବିଜେପିରେ ଯୋଗଦେବା ନିଶ୍ଚିତ  । ତେବେ ସେ ବିଜେଡ଼ିରୁ କେତେକ ପୂର୍ବତନ ବିଧାୟକ ଓ ଟାଣୁଆ ନେତାଙ୍କୁ ନେଇ ବିଜେପିରେ ଯୋଗଦେବା ପାଇଁ ଯୋଜନା କରିଥାଇପାରନ୍ତି  । ଯାହାଫଳରେ ବିଜେପିରେ ତାଙ୍କର ପତିଆରା ବଢ଼ିବା ସହ ରାଜନୈତିକସ୍ତରରେ ମଧ୍ୟ ଚର୍ଚ୍ଚା ହେବ  । କିନ୍ତୁ ସେ ବିଜେଡ଼ିରୁ ଇସ୍ତଫା ଦେବା ଦିନ ହାତଗଣତି ତୃଣମୂଳସ୍ତରର ନେତା ଦଳରୁ ଇସ୍ତଫା ଦେଇଥିଲେ  । ସେହିପରି କୌଣସି ପୂର୍ବତନ ବିଧାୟକ କିମ୍ବା ପ୍ରଭାବଶାଳୀ ନେତା ତାଙ୍କ ସପକ୍ଷରେ ପଦୁଟିଏ ବି କହିନାହାନ୍ତି  । ତେଣୁ କ୍ଷମତାରେ ଥିବାବେଳେ ପ୍ୟାରୀଙ୍କୁ ଯେମିତି ବିଜେଡ଼ି ନେତାମାନେ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ କ୍ଷମତା ଯିବା ପରେ ହାତଛାଡ଼ି ଯିଏ ଯାହାବାଟରେ ଚାଲିଗଲେ ଯଦି ସେମିତି ବୈଜୟନ୍ତଙ୍କୁ ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ନେତାମାନେ କରଛଡ଼ା ଦେଉଥିବେ ତେବେ ବୈଜୟନ୍ତ ସମୟ ଗଡ଼ାଇବାକୁ ଉଚିତ ମନେ କରୁଥିବେ  ।

    ୪. ମୋଦିଙ୍କ ଭଳି ପ୍ରଭାବଶାଳୀ ନେତାଙ୍କ ପାଖକୁ ନଯାଇ କଂଗ୍ରେସରେ ଯିବାକୁ ତ ବୈଜୟନ୍ତଙ୍କର ଜମା ଇଚ୍ଛା ହେଉନଥିବ  । କିନ୍ତୁ ସମ୍ପ୍ରତି ରାଜ୍ୟରେ କଂଗ୍ରେସ ବଢ଼ିବାରେ ଲାଗିଛି  । ନିରଞ୍ଜନଙ୍କ ନେତୃତ୍ୱରେ କଂଗ୍ରେସ ମଜବୁତ୍ ହେବାରେ ଲାଗିଛି  । ଏପରିକି ଗାଁ ଗହଳିରେ କଂଗ୍ରେସ ଏବେ ବିଜେପିକୁ ପଛରେ ପକାଇ ଦେଇଥିବା ଦେଖିବାକୁ ମିଳିଛି  । ସବୁଠୁ ବଡ଼ କଥା ହେଉଛି ବୈଜୟନ୍ତ କେନ୍ଦ୍ରାପଡ଼ାରୁ ୨୦୦୯ ଓ ୨୦୧୪ରେ ନିର୍ବାଚନ ଜିଣିଥିଲେ  । ହେଲେ ତାଙ୍କର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଥିଲା କଂଗ୍ରେସ  । ଉଭୟ ରଂଜୀବ ବିଶ୍ୱାଳ ଓ ଧରଣୀଧର ନାୟକ ତାଙ୍କୁ ଟକ୍କର ଦେଇଥିଲେ  । ୨୦୧୪ରେ ମୋଦି ହାୱା ସତ୍ୱେ ବିଜେପି ତୃତୀୟ ସ୍ଥାନରେ ହିଁ ସନ୍ତୁଷ୍ଟ ରହିଥିଲା  । ଏବେବି ଆଳି ଓ ରାଜନଗରରେ କଂଗ୍ରେସ ବିଧାୟକ ଥିବାବେଳେ କେନ୍ଦ୍ରାପଡ଼ାରେ କଂଗ୍ରେସ କମ୍ ଭୋଟରେ ପରାସ୍ତ ହୋଇଥିଲା  । ତେଣୁ ବିଜେଡ଼ିକୁ ଟକ୍କର ଦେଇ ନିଜ ଇଜ୍ଜତ ରଖିବାକୁ ହେଲେ କଂଗ୍ରେସର ସହଯୋଗ ନିହାତି ଆବଶ୍ୟକ  । କାହିଁକିନା ବିଜେପି ଟିକେଟରେ କେନ୍ଦ୍ରାପଡ଼ାରୁ ଜିତିବା ସହଜସାଧ୍ୟ ନୁହେଁ ବୋଲି ବୈଜୟନ୍ତ ଅନୁମାନ କରୁଥିବେ  । ସେଥିପାଇଁ କଂଗ୍ରେସକୁ ମଧ୍ୟ ନିଜର ବିକଳ୍ପ ତାଲିକାରେ ରଖିବାକୁ ବୈଜୟନ୍ତ ବାଧ୍ୟ ହୋଇଥିବେବୋଲି କୁହାଯାଇପାରେ  ।

    Maximum 500 characters

    ରାଜନୀତି View all

    Find Us on Facebook