Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କ’ଣ ରହିବ ଦିଲ୍ଲୀପ ଓ ବିଜୟଙ୍କ ଆଭିମୁଖ୍ୟ ?

    Share on :
    Date: Jun 8, 2018    Views: 11727

    ଭୁବନେଶ୍ୱର : ୨୦୧୯ ନିର୍ବାଚନ ପାଖେଇ ଆସୁଛି  । ଆଉ ତିନି ଚାରି ମାସ ପରେ ରାଜ୍ୟ ରାଜନୀତି ୨୦୧୯ ପାଇଁ ଉଷ୍ଣ ହୋଇଯିବ  । ଘନଘନ ନିର୍ବାଚନମଣ୍ଡଳୀ ଗସ୍ତ ସାଙ୍ଗକୁ ଶୋଭାଯାତ୍ରା ଓ ବିକ୍ଷୋଭ ମଧ୍ୟ ଜୋର ଧରିବ  । ଅନେକ ନେତା ପରବର୍ତ୍ତୀ ରଣନୀତି ନିର୍ଦ୍ଧାରଣ କରିବା ସହ ନିଜ ନିଜ ବ୍ଲୁପ୍ରିଂଟ ଆଧାରରେ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଦେଲେଣି  । ହେଲେ ରାଜ୍ୟ ରାଜନୀତିର ଦୁଇ ତୁଙ୍ଗ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଏଯାଏଁ ନିଜର କାଡର଼୍ ଖୋଲିନାହାନ୍ତି  । ଯାହାକୁ ନେଇ ରାଜ୍ୟ ରାଜନୀତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି  । ବିଜୟ ଓ ଦିଲ୍ଲୀପ ବିଜେପିରେ ନିଜର ଭବିଷ୍ୟତ ଗଢ଼ିବେ ନା ଅନ୍ୟ ଦଳକୁ ଯିବେ ? ଯଦି ଅନ୍ୟ ଦଳକୁ ଯିବେ ତେବେ କେଉଁ ଦଳ ସେମାନଙ୍କର ପସନ୍ଦ ? ଯଦି ଅନ୍ୟ ଦଳକୁ ଯିବାର ସୁଯୋଗ ନମିଳେ ତେବେ ନୂଆ ଆଂଚଳିକ ଦଳ ଗଢ଼ା ହେବ କି ? ଏମିତି ଅନେକ ଅନୁତ୍ତରିତ ପ୍ରଶ୍ନ ଉଙ୍କି ମାରୁଛି  ।

    ୨୦୦୯ ନିର୍ବାଚନ ସମୟରେ ବିଜେପିରେ ସାମିଲ୍ ହୋଇଥିଲେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ  । ବିଜେପି ମଂଚରେ ଉଭୟ ନେତା ନବୀନ ସରକାରଙ୍କୁ ହଟାଇବା ପାଇଁ ସଂକଳ୍ପ ବି ନେଇଥିଲେ  । ୨୦୧୪ ପର୍ଯ୍ୟନ୍ତ ସବୁ କିଛି ଠିକ ଠାକ ଚାଲିଥିଲା  । ବିଜୟଙ୍କୁ ଦଳରେ ମଧ୍ୟ ଗୁରୁତ୍ୱ ଦିଆଯାଉଥିଲା  । ଉଭୟ ଜାତୀୟ ଓ ରାଜ୍ୟସ୍ତରରେ ବିଜେପି ମହଲରେ ତାଙ୍କର ଢେର ଖାତିର ମଧ୍ୟ ରହିଥିଲା  । କିନ୍ତୁ ୨୦୧୪ ସାଧାରଣ ନିର୍ବାଚନ ପରେପରେ ସ୍ଥିତି ପଲଟବାର କରିଥିଲା  । କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ଦାୟିତ୍ୱ ପାଇବା ପରେ ତାଙ୍କର ପତିଆର ଢେ଼ର ବଢ଼ିଥିଲା  । ଜୁଏଲ ଓରାମ କ୍ୟାବିନେଟ୍ ମନ୍ତ୍ରୀ ଥିଲେ ମଧ୍ୟ ସ୍ୱାଧୀନ ମନ୍ତ୍ରୀ ଭାବେ ଧର୍ମେନ୍ଦ୍ରଙ୍କୁ ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ମିଳିଥିଲା  । ପରେପରେ କନକବର୍ଦ୍ଧନ ସିଂହଦେଓ ସଭାପତିରୁ ହଟିଥିବାବେଳେ ବସନ୍ତ ପଣ୍ଡା ରାଜ୍ୟ ବିଜେପି ମଙ୍ଗ ଧରିଥିଲେ  । ବସନ୍ତ ପଣ୍ଡାଙ୍କ ରିମୋଟ କଂଟ୍ରୋଲ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତକୁ ପଳାଇ ଯାଇଥିଲା  । ଆଉ ତା’ପରେ ପରେ ଧିରେଧିରେ ବିଜୟଙ୍କ ପକ୍ଷଚ୍ଛେଦନ ଆରମ୍ଭ ହୋଇଥିଲା  । ଫଳରେ ୨୦୧୫ରୁ ହିଁ ବିଜୟ ବିଜେପି ରାଜନୀତିରୁ ନିଷ୍ପ୍ରଭ ହୋଇପଡ଼ିଲେ  । ଗତ ତିନି ବର୍ଷ ଧରି ବିଜୟ ଆଉ ବିଜେପି ଅଫିସ ମାଟି ମାଡ଼ିନାହାନ୍ତି  । ଦଳର ପ୍ରମୁଖ ବୈଠକରେ ମଧ୍ୟ ସାମିଲ୍ ହେଉନାହାନ୍ତି  । ବରଂ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ଅନେକ ସମୟରେ ବିଜୟ ରାଜ୍ୟ ବିଜେପି ନେତାଙ୍କୁ ଟାର୍ଗେଟ୍ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି  । ଅପରପକ୍ଷରେ ବିଜେପିର ଛୋଟ ବଡ଼ ନେତା ମଧ୍ୟ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ସିଧାସଳଖ ଭାବେ ବିଜୟଙ୍କୁ ଟାର୍ଗେଟ୍ କରୁଥିବା ଦେଖିବାକୁ ମିଳୁଛି  । ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିଥିବାବେଳେ ବିଜୟଙ୍କୁ ସେଠାରେ ଦେଖିବାକୁ ମିଳୁନାହିଁ  । କିନ୍ତୁ ଏଯାବତ୍ ବିଜୟ ବିଜେପି ଛାଡ଼ିନାହାନ୍ତି  । ଫଳରେ ସେ ଏକ ସୁଯୋଗ ଅପେକ୍ଷାରେ ରହିଥାଇପାରନ୍ତି ବୋଲି କୁହାଯାଉଛି  । କିନ୍ତୁ ସେଭଳି ସମ୍ଭାବନା ପରିଦୃଶ୍ୟ ହେଉନାହିଁ  । 

    ବିଜୟଙ୍କ ଭଳି ଦିଲ୍ଲୀପ ରାୟ ମଧ୍ୟ ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରୁନାହାନ୍ତି  । ବରଂ ବ୍ରାହ୍ମଣୀ ଦ୍ୱିତୀୟ ସେତୁ ପ୍ରସଙ୍ଗରେ ସେ ଖାଲି ବିଜେପିକୁ ନୁହେଁ ବରଂ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ୍ କରିବାକୁ ପଛାଇନାହାନ୍ତି  । ଦଳୀୟ ସଂଗଠନ ସହ ମଧ୍ୟ ସେ ଜଡ଼ିତ ରହୁନାହାନ୍ତି  । ବିଗତ କିଛି ବର୍ଷ ମଧ୍ୟରେ ରାଉରକେଲାରେ ବିଜେପିର ସମାବେଶ ମଧ୍ୟ କରିନାହାନ୍ତି  । ବିଜୟଙ୍କ ଭଳି ଦିଲ୍ଲୀପ ମଧ୍ୟ ବିଜେପିକୁ କରଛଡ଼ା ଦେଉଥିବା ଦେଖିବାକୁ ମିଳୁଛି  । ନିକଟରେ ସେ ଦଳୀୟ ନେତାଙ୍କ ନାଁ ନନେଇ ମଧ୍ୟ ବଷିଁଛନ୍ତି  । ମାଟି ଅପେକ୍ଷା ସେହି ନେତାମାନେ ପାର୍ଟି ପାଇଁ ଚିନ୍ତା କରୁଛନ୍ତି ବୋଲି ଦିଲ୍ଲୀପ କଟାକ୍ଷ ମଧ୍ୟ କରିଥିଲେ  ।  ଅପରପକ୍ଷରେ ଧର୍ମେନ୍ଦ୍ର ପୂରା ରାଜ୍ୟ ବିଜେପିକୁ ସବୁଦିନ ପାଇଁ କବଜା କରିବାକୁ ଚାହୁଁଥିବାରୁ ଭବିଷ୍ୟତରେ ବିଜୟ ବା ଦିଲ୍ଲୀପ କାଳେ ତାଙ୍କ ପତିଆରାରେ ଆଂଚ ଆଣିବେ ସେଥିପାଇଁ ଦୁଇ ନେତାଙ୍କୁ ଦଳରେ ସକ୍ରିୟ କରିବା ପାଇଁ ଉଦ୍ୟମ କରୁନାହାନ୍ତି  ।

    ଏହି ପରିପ୍ରେକ୍ଷୀରେ ବିଜୟ ଓ ଦିଲ୍ଲୀପଙ୍କ ପରବର୍ତ୍ତୀ ରାଜନୀତିକ ପଦକ୍ଷେପ ଉପରେ ନଜର ରହିବା ସ୍ୱାଭାବିକ  । ଯଦି ଦୁଇ ନେତା ବିଜେପି ଛାଡ଼ନ୍ତି ତେବେ କୁଆଡେ଼ ଯିବେ ? ଦୁଇ ନେତା ଥିଲେ ବିଜେଡ଼ିର ପ୍ରତିଷ୍ଠାତା ସଭ୍ୟ  । ନବୀନ ପଟ୍ଟନାୟକ ଦୁଇ ନେତାଙ୍କୁ ଦଳରୁ ଅପ୍ରତ୍ୟାଶିତ ଭାବେ ବହିଷ୍କାର କରିଥିଲେ  । କିନ୍ତୁ ପଂଚାୟତ ନିର୍ବାଚନ ପରେପରେ ନବୀନ ପୁରୁଣା ନେତାଙ୍କ ଘରବାହୁଡ଼ା ନେଇ ସଂକେତ ଦେଇଥିଲେ  । ସେତେବେଳେ ଦୁଇ ନେତା ପୁଣି ବିଜେଡ଼ିକୁ ଫେରିବେ ବୋଲି ଚର୍ଚ୍ଚା ହେଉଥିଲା  । କିନ୍ତୁ ଏବେ ଏହି ଚର୍ଚ୍ଚା ସମାଧି ନେଇଥିବା ଭଳି ପ୍ରତୀୟମାନ ହେଉଛି  । ଦୁଇ ନେତା ଅଣକଂଗ୍ରେସ ରାଜନୀତି ସହ ଜଡ଼ିତ ଥିବାରୁ କଂଗ୍ରେସରେ ମିଶିବାର ସମ୍ଭାବନା କ୍ଷୀଣ  । ଅନ୍ୟ ବିକଳ୍ପଟି ହେଉଛି ନୂତନ ଆଂଚଳିକ ଦଳ ଗଠନ  । ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପୂର୍ବରୁ ଆଂଚଳିକ ଦଳ ଗଠନ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା  । ନିରଞ୍ଜନ, ବିଜୟ, ଦିଲ୍ଲୀପ ଓ ନିଜ ନିଜ ଦଳରେ କୋଣଠେସା ନେତାମାନେ ମିଶି ଆଂଚଳିକ ଦଳ ଗଢ଼ି ତିନି ଦଳକୁ ଚେକ୍ ଦେବେ ବୋଲି କୁହାଯାଉଥିଲା  । କିନ୍ତୁ ନିରଞ୍ଜନ ପିସିସି ସଭାପତି ହେବା ପରେ ଏହି ଚର୍ଚ୍ଚାଟି ବି ଥମିଯାଇଛି  । ଆଗାମୀ ଦିନରେ ବିଜୟ ଓ ଦିଲ୍ଲୀପ କି ରାଜନୀତିକ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ସ୍ୱାଭାବିକ ଭାବେ ସମସ୍ତଙ୍କର ନଜର ରହିଛି  ।

    Maximum 500 characters

    ଅଧିକ ମତାମତ

    Good news

    Bamadev Hota

    Jun 8, 2018

    They should join Bjd for the intrest of State.

    B.B.Das

    Jun 8, 2018

    ରାଜନୀତି View all

    Find Us on Facebook