ମୁଖ୍ୟ ଖବର
ଭୁବନେଶ୍ୱର : ଆଜିକାଲି ଡାକ୍ତରଙ୍କ ପ୍ରତି ସାଧାରଣ ଲୋକଙ୍କର କ’ଣ ଧାରଣା ରହିଛି ତାହା ସମସ୍ତଙ୍କୁ ବେଶ୍ ଭଲ ଭାବେ ଜଣା । ହେଲେ ଡାକ୍ତର କେସି ଦାସ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ନିଜ ଅଂଚଳରେ ସେ ଏମିତି ଜନତାଙ୍କ ପ୍ରିୟଭାଜନ ହୋଇ ପାରିଛନ୍ତିଯେ, ଉଚ୍ଚଶିକ୍ଷା ପାଇଁ ସେ ବାହାରକୁ ଯିବା ଖବର ଶୁଣିବା ପରେ ସ୍ଥାନୀୟ ଅଂଚଳବାସୀ କାନ୍ଦିକାନ୍ଦି ଗଡ଼ି ଯାଇଛନ୍ତି । ଏଭଳି ଏକ ମର୍ମସ୍ପର୍ଶୀ ଦୃଶ୍ୟ ଏବେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି ।
୨୦୧୩ ଅପ୍ରେଲରେ ନବରଙ୍ଗପୁର ତେନ୍ତୁଳିଖୁଂଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗ ଦେଇଥିଲେ । ସେହି ଦିନ ଠାରୁ ସେ ଡାକ୍ତର ନୁହଁନ୍ତି ବରଂ ଜଣେ ସେବକ ଭାବେ ଜନତାଙ୍କ ସେବା କରି ଚାଲିଥିଲେ । ଚିକିତ୍ସା ପାଇଁ କାହାଠାରୁ ସେ ଟଙ୍କାଟିଏ ବି ନେଇନଥିଲେ । ବରଂ ରୋଗୀକୁ ନିଜ ପକେଟରୁ ସାହାଯ୍ୟ କରିବାର ମଧ୍ୟ ଅନେକ ନଜିର ରହିଥିଲା । ତେବେ ଗତ ସୋମବାର ଉଚ୍ଚଶିକ୍ଷା ପାଇଁ ସେ ତେନ୍ତୁଳିଖୁଂଟି ସ୍ୱାସ୍ଥ୍ୟ କେନ୍ଦ୍ର ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ଏହି ଖବର ପ୍ରଚାରିତ ହେବା କ୍ଷଣି ଶହ ଶହ ଜନତା ସ୍ୱାସ୍ଥ୍ୟକେନ୍ଦ୍ର ନିକଟକୁ ଚାଲି ଆସିଥିଲେ । ଡାକ୍ତରଙ୍କୁ ଧରି ସମସ୍ତେ କାନ୍ଦିଥିଲେ । ଡାକ୍ତର ଦାସ ମଧ୍ୟ କୋହ ସମ୍ବରଣ କରିପାରିନଥିଲେ । ଏଭଳି ବିରଳ ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
Comments ସମସ୍ତ ମତାମତ 0