Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମଧ୍ୟପ୍ରଦେଶରେ ବିଜେପିକୁ ଅଟକାଇବା ପାଇଁ ବିଏସପି ସହ ମେଂଟ କରିବ କଂଗ୍ରେସ

    Share on :
    Date: Jun 1, 2018    Views: 2357

    ନୂଆଦିଲ୍ଲୀ : ଏକାକୀ ବିଜେପି ସହ ମୁହାଁମୁହିଁ ହେଲେ ପରାଜୟ ନିଶ୍ଚିତ  । ବିରୋଧୀ ଦଳଗୁଡ଼ିକ ଏକାଠି ହେଲେ ହିଁ ବିଜେପିକୁ ହରାଇବା ସହଜସାଧ୍ୟ ହେବ  । ବିଗତ ନିର୍ବାଚନମାନଙ୍କରେ ଏହାର ସୁଫଳ ଦେଖିବା ପରେ କଂଗ୍ରେସ ଏହି ଫର୍ମୂଲାକୁ ବିଭିନ୍ନ ରାଜ୍ୟରେ ପ୍ରୟୋଗ କରିବାକୁ ଯୋଜନା କରିଛି  । ମଧ୍ୟପ୍ରଦେଶରେ ବିଏସପିର ଭଲ ପ୍ରଭାବ ଥିବାବେଳେ ସେଠାରେ କଂଗ୍ରେସ-ବିଏସପି ମେଂଟ ହେବାର ସମ୍ଭାବନା ସୃଷ୍ଠି ହୋଇଛି  ।

    ତେବେ ବିଏସପି ସହ ଖୋଲାଖୋଲି ମେଂଟ ହେବ ନା ବିଜେପିକୁ ହରାଇବା ପାଇଁ କେତେକ ସ୍ଥାନରେ ବିଏସପିକୁ ବ୍ୟବହାର କରାଯିବ ତାହା କିନ୍ତୁ ସ୍ଥିର ହୋଇନାହିଁ  । ଜାତୀୟ ରାଜନୀତିରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ଉଭୟ ଦଳ ପାଖରେ ଦୁଇଟି ବିକଳ୍ପ ରହିଛି  । ପ୍ରଥମ ବିକଳ୍ପଟି ହେଉଛି ଉଭୟ ନିର୍ବାଚନ ପୂର୍ବରୁ ମେଂଟ କରି ଲଢ଼ିବେ  । ଅନ୍ୟ ବିକଳ୍ପଟି ହେଉଛି ଯେଉଁ ଯେଉଁ ନିର୍ବାଚନମଣ୍ଡଳୀରେ ଜାତିଆଣ ଭୋଟର ପ୍ରଭାବ ଅଧିକ କିନ୍ତୁ ସେଠାରେ ବିଜେପିର ପଲା ଭାରିରହିଛି ସେହି ସବୁ ସ୍ଥାନ ଚିହ୍ନଟ କରି ବିଏସପି ପ୍ରାର୍ଥୀଙ୍କୁ ଠିଆ କରାଯିବ  । ଯାହାଫଳରେ ବିଜେପିର ଜାତିଆଣ ଭୋଟ ଉପରେ ସେମାନେ ଭାଗ ବସାଇପାରିବେ  । ଯେଉଁ ଯେଉଁ ଆସନରେ ବିଏସପି ପ୍ରାର୍ଥୀ ଦେଲେ କଂଗ୍ରେସର ଭୋଟ ହ୍ରାସ ପାଇବାର ସମ୍ଭାବନା ଥିବ ସେଠାରେ ବିଏସପି ଲଢ଼ିବ ନାହିଁ  । ଏଭଳି ବିକଳ୍ପ ନେଇ ଆଲୋଚନା ହେଉଥିବା ଜାଣିବାକୁ ମିଳିଛି  । 

    ଗତବର୍ଷ ମଧ୍ୟପ୍ରଦେଶର ଭିଣ୍ଡ ଓ ସତନା ଜିଲ୍ଲାର ଦୁଇ ଆସନରେ ଉପ ନିର୍ବାଚନ ହୋଇଥିଲା  । କିନ୍ତୁ ବସପା ପ୍ରାର୍ଥୀ ନଦେବାରୁ ତାହାର ସୁଫଳ କଂଗ୍ରେସ ପାଇଥିଲା  । ଫଳରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା  । ସେହିପରି ରାଜ୍ୟସଭା ନିର୍ବାଚନରେ ମଧ୍ୟ ବିଏସପି କଂଗ୍ରେସକୁ ସମର୍ଥନ ଦେଇଥିଲା  । ତଥ୍ୟ ଅନୁଯାୟୀ ବିଏସପିର ଗ୍ୱାଲିୟର-ଚମ୍ବଲ ଓ ରିୱା କ୍ଷେତ୍ରରେ ଭଲ ପ୍ରଭାବ ରହିଛି  । ତେବେ କଂଗ୍ରେସ ଓ ବିଏସପି ପରସ୍ପର ବିରୋଧରେ ଲଢ଼ୁଥିବାରୁ ପ୍ରାୟ ଦଶ ବାରଟି ଆସନରେ ବିଜେପି ଜିତିବାରେ ସକ୍ଷମ ହୋଇଥିଲା  । ଗତ ତିନୋଟି ବିଧାନସଭା ନିର୍ବାଚନକୁ ଅନୁଶୀଳନ କଲେ ଗ୍ୱାଲିୟର, ମୁରୈନା, ଶିବପୁରୀ, ରିୱା ଓ ସତନା ଜିଲ୍ଲାରେ ବିଏସପି ୨ରୁ ୭ ଆସନ ଜିତିବାରେ ସକ୍ଷମ ହୋଇଛି  । ଖାଲି ସେତିକିନୁହେଁ ଭିଣ୍ଡ, ମୁରୈନା, ଗ୍ୱାଲିୟର, ଦତିଆ, ଶିବପୁରୀ, ଟିକମଗଡ଼, ଛତରପୁର, ପନ୍ନା, ଦମୋହ, ରିୱା, ସତନା ଜିଲ୍ଲାର କେତେକ ଆସନରେ ବିଏସପି ଦ୍ୱିତୀୟ ସ୍ଥାନରେ ରହିପାରିଥିଲା । ତେଣୁ ବିଏସପି ସହ ମେଂଟ କରି କଂଗ୍ରେସ ଚଳିତ ବର୍ଷ ଶେଷ ଆଡ଼କୁ ହେଉଥିବା ମଧ୍ୟପ୍ରଦେଶ ନିର୍ବାଚନରେ ସଫଳ ହେବାର ଲକ୍ଷ୍ୟ ରଖିଛି  ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook