Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମ ଥ୍ରୀ-ଟିର ଶ୍ରେଷ୍ଠ ନିଦର୍ଶନ : ନବୀନ

    Share on :
    Date: May 23, 2018    Views: 601

    ଭୁବନେଶ୍ୱର : ଆଜିଠାରୁ ବ୍ଲକସ୍ତରରେ ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି  । ଆଜି ୪ ବ୍ଲକର ୧୦୮ ପଂଚାୟତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୯.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି  ।
    ଚଳିତ ବର୍ଷ ମାର୍ଚ୍ଚ ବିଜୁ ଜୟନ୍ତୀରେ ରାଜ୍ୟ ସରକାର ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ  । ଏହି କାର୍ଯ୍ୟକ୍ରମରେ ଗ୍ରାମାଂଚଳର ଲୋକଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନେ ଆବଶ୍ୟକ କରୁଥିବା ପ୍ରକଳ୍ପଗୁଡ଼ିକୁ ମୁଖ୍ୟମନ୍ତ୍ରୀ ତୁରନ୍ତ ମଂଜୁରୀ କରୁଛନ୍ତି  ।

    ଆଜି ବ୍ଲକସ୍ତରୀୟ ଆମଗାଁ, ଆମ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ପ୍ରସ୍ତାବ କ୍ରମେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର ୩୨ ପଂଚାୟତ ପାଇଁ ୮.୧୨ କୋଟି ଟଙ୍କା, କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକର ୧୫ ପଂଚାୟତ ପାଇଁ ୪.୩୮ କୋଟି ଟଙ୍କା, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ୩୬ ପଂଚାୟତ ପାଇଁ ୯ କୋଟି ଟଙ୍କା ଏବଂ ଯାଜପୁର ଜିଲ୍ଲ ସଦର ବ୍ଲକର ୨୫ ପଂଚାୟତ ପାଇଁ ୮ କୋଟି ଟଙ୍କାର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି  । ଏହିପରି ସମୁଦାୟ ୪ ବ୍ଲକର ୧୦୮ ପଂଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୨୯.୫୦ କୋଟି ଟଙ୍କା ମଂଜୁର କରିଛନ୍ତି  ।

    ଏହି କାର୍ଯ୍ୟକ୍ରମ ଅବସରରେ ବ୍ଲକସ୍ତରରେ ଥିବା ପ୍ରତିନିଧିମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଲେଯେ, ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ଗାଁର ବିକାଶ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ  । ରାଜ୍ୟର ବିକାଶ ପାଇଁ ସେ ସବୁବେଳେ ଥ୍ରୀଟି ବା ଟ୍ରାନ୍ସପାରେନ୍ସି, ଟିମ ୱାର୍କ ଓ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି  । ପ୍ରଯୁକ୍ତି ବିଦ୍ୟା ଦ୍ୱାରା ସେ ଗାଁ ଲୋକଙ୍କ ପାଖରେ ପହଁଚି ପାରୁଥିବାବେଳେ ଗାଁର ବିକାଶ ପାଇଁ ସବୁ ଲୋକ ଗୋଟିଏ ଜାଗାରେ ଏକାଠି ହେବା ହେଉଛି ଟିମ୍ ୱାର୍କର ପ୍ରତୀକ  । ଆଗରୁ ଗାଁକୁ ଆସୁଥିବା ଟଙ୍କା ବିଷୟରେ ମାତ୍ର ୪-୫ ଜଣ ଲୋକ ଜାଣିପାରୁଥିବାବେଳେ ଏବେ ମଂଜୁର ହୋଇଥିବା ସବୁ ପ୍ରକଳ୍ପକୁ ହଜାର ହଜାର ଲୋକ ଏକ ସମୟରେ ଜାଣିପାରୁଛନ୍ତି  । ଏହା ହେଉଛି ଟ୍ରାନ୍ସପାରେନ୍ସି ବା ସ୍ୱଚ୍ଛତାର ପ୍ରତୀକ  । ତେଣୁ ଏହି କାର୍ଯ୍ୟକ୍ରମ ଥ୍ରୀ-ଟି ମନ୍ତ୍ରର ଶ୍ରେଷ୍ଠ ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  ।

    ଗାଁର ବିକାଶ ପାଇଁ ସମସ୍ତେ ଥ୍ରୀ-ଡ଼ି ବା ଡେଡ଼ିକେସନ (ଉତ୍ସର୍ଗୀକୃତ ମନୋଭାବ), ଡିଟରମିନେସନ୍ (ସଂକଳ୍ପ) ଓ ଡିଭୋସନ୍ (ନିଷ୍ଠା) ସହ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ  । ଡେଭଲପମେଂଟ ଓ ଡେଲିଭରୀ ବା ବିକାଶ ଓ ସେବା ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ୍  । ଏହାଦ୍ୱାରା ବିକାଶ ତ୍ୱରାନ୍ୱିତ ହୋଇପାରିବ ଏବଂ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ଏହା ଏକ ଶକ୍ତିଶାଳୀ ଅସ୍ତ୍ର ହେବବୋଲି ସେ କହିଥିଲେ  । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ  ।

    Maximum 500 characters

    ତାଜା ଖବର View all

    Find Us on Facebook