May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡ଼ି, ବିଜେପି ଓ କଂଗ୍ରେସର ଚିନ୍ତା ବଢ଼ାଇଦେଲା କର୍ଣ୍ଣାଟକ

    Share on :
    Date: May 16, 2018    Views: 1419

    ଭୁବନେଶ୍ୱର : ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକର ନିର୍ବାଚନ ଫଳାଫଳ ପୂର୍ବ ଭାରତର ଓଡ଼ିଶା ଉପରେ ପ୍ରଭାବ ପକାଇ ପାରିବ ନାହିଁ  । କାହିଁକିନା ଉଭୟ କର୍ଣ୍ଣାଟକ ଓ ଓଡ଼ିଶାର ରାଜ୍ୟ ରାଜନୀତିକ ଅଙ୍କ, ଜାତି ଓ ଧର୍ମ ରାଜନୀତି, ସାଂଗଠନିକ ଦକ୍ଷତା, ନେତୃତ୍ୱର ପରାକାଷ୍ଠା ଭଳି ଅନେକ ଉପାଦାନ ସମ୍ପୂର୍ଣ୍ଣ ଭିନ୍ନ  । ତେବେ ଏହି ନିର୍ବାଚନ ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସକୁ ନିଶ୍ଚିତ ଭାବେ କେତେକ ଶିକ୍ଷା ଦେବା ସହ ଚିନ୍ତା ଉଦ୍ରେକ କରାଇବ ବୋଲି କୁହାଯାଇପାରେ  ।

    ବିଜେଡ଼ି ପାଇଁ ଚିନ୍ତା ସରକାର ବିରୋଧୀ ହାୱା : ଯେତେ ଭଲ କାମ କଲେ ଅବା ସଂଗଠନ ସୁଦୃଢ଼ ଥିଲେ ବି ସରକାରୀ ବିରୋଧୀ ହାୱା ଗୋଟିଏ ଦଳର ବହୁ କ୍ଷତି କରିଥାଏ  । ଗୁଜୁରାଟ ଭଳି ବିଜେପି ଗଡ଼ରେ ବି ମୋଦି ଓ ଅମିତ ଶାହା ସରକାରୀ ବିରୋଧୀ ହାୱା ସହିତ ଯୁଝିଛନ୍ତି  । ସ୍ଥିତି ଏମିତି ହୋଇଥିଲାଯେ, ଗୁଜୁରାଟରେ ଅଳ୍ପକେ ପରାଜୟରୁ ବର୍ତ୍ତି ଯାଇଥିଲା ବିଜେପି  । ବିଜେପି ଗଡ଼ରେ ଅବ୍ୟବସ୍ଥିତ କଂଗ୍ରେସର ପ୍ରଦର୍ଶନ ନିଶ୍ଚିତ ଭାବେ ବିଜେପିର ଚିନ୍ତା ବଢ଼ାଇ ଦେଇଥିଲା  । ସେହିପରି ଗୁଜୁରାଟ ଯେମିତି ବିଜେପି ପାଇଁ ରୋଲ ମଡେ଼ଲ ଥିଲା ଠିକ୍ ସେମିତି କଂଗ୍ରେସ ପାଇଁ ରୋଲ ମଡେ଼ଲ ଥିଲା କର୍ଣ୍ଣାଟକ  । ସବୁ ବର୍ଗର ଲୋକଙ୍କ ସମର୍ଥନ ହାସଲ ପାଇଁ ସିଦ୍ଧରାମେୟା ସରକାର ବି ବହୁ ଜନହିତକର ପଦକ୍ଷେପ ଗ୍ରହଣ କରିଥିଲେ  । କର୍ଣ୍ଣାଟକରେ ସେ ଏକ ପପୁଲାର ସରକାରର ନେତୃତ୍ୱ ନେଉଥିଲେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା  । କିନ୍ତୁ ଉଭୟ ମଡେ଼ଲ ଷ୍ଟେଟରେ ଶାସକ ଦଳ ନିର୍ବାଚନରେ କି ଫଳ ପାଇଛି ତାହା କାହାକୁ ଅଛପା ନାହିଁ  । ଗୋଟିଏ ପଟେ ବିଜେପି ଗୁଜୁରାଟରେ ଅଳ୍ପକେ ସରକାର ଗଠନ କରିଥିବାବେଳେ ଅପରପକ୍ଷରେ କର୍ଣ୍ଣାଟକରେ କଂଗ୍ରେସକୁ ପରାଜୟବରଣ କରିବାକୁ ପଡ଼ିଛି  । ଗୁଜୁରାଟରେ ବିଜେପିର ଆସନ ସଂଖ୍ୟା ୧୧୬ରୁ ଖସିଯାଇ ୯୯ରେ ପହଁଚିଥିଲା  । ସଂଖ୍ୟାଗରିଷ୍ଠତା ପାଇଁ ୯୧ ଆସନ ଦରକାର ଥିବାବେଳେ ବିଜେପି ତାହାଠାରୁ ଆଉ ୮ଟି ସିଟ୍ ଅଧିକ ପାଇଥିଲା  । ଅନରୂପ ଭାବେ କର୍ଣ୍ଣାଟକରେ କଂଗ୍ରେସର ଆସନ ୧୨୨ରୁ ୭୮କୁ ଖସି ଯାଇଛି  । ଅର୍ଥାତ୍ ଶାସକ ବିରୋଧୀ ହାୱା ଯୋଗୁଁ ୩୦ରୁ ୩୫ ଆସନ ହରାଇବାକୁ ପଡ଼ିଛି  । ଏବେ ବିଜେଡ଼ିର ସଭ୍ୟ ସଂଖ୍ୟା ୧୧୮  । ଯଦି ଶାସକ ବିରୋଧୀ ହାୱା କାମ କରେ ତେବେ ବିଜେଡ଼ି ୭୫ରୁ ୮୦ ଭିତରେ ରହିବାର ବି ଆଶଙ୍କା ରହିଛି  । ତେଣୁ ବିଜେଡ଼ି ସରକାର ଯେତେ ଲୋକପ୍ରିୟ ଓ ମଜବୁତ୍ ସଂଗଠନ ବୋଲି ପ୍ରଚାର କରୁଥିଲେ ବି ସରକାର ବିରୋଧୀ ହାୱା ନବୀନଙ୍କୁ ଟେନସନ ଦେବା ଥୟ  ।

    କଂଗ୍ରେସ ପାଇଁ ଟେନସନ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ : ବିଗତ ଚାରି ପାଂଚ ବର୍ଷ ଧରି ମୋଦି ଓ ରାହୁଲଙ୍କ ମଧ୍ୟରେ ଚାଲିଛି ପ୍ରତିଦ୍ୱନ୍ଦ୍ୱିତା  । ପୂର୍ବାପେକ୍ଷା ରାହୁଲ ଗାନ୍ଧୀ ପରିପକ୍ୱ ହୋଇଥିଲେ ବି ଏଯାଏଁ ମୋଦିଙ୍କ ସମକକ୍ଷ ନେତା ଭାବେ ରାହୁଲ ପରିଗଣିତ ହୋଇପାରିନାହାନ୍ତି  । କର୍ଣ୍ଣାଟକ ହେଉକି ଗୁଜୁରାଟ, କଂଗ୍ରେସ ଯେଉଁ ଟିକକ ସଫଳତା ହାସଲ କରିଛି ସେଥିରେ ରାହୁଲ ଗାନ୍ଧୀଙ୍କ ଭୂମିକା କିଛି ନାହିଁ କହିଲେ ଚଳେ  । କର୍ଣ୍ଣାଟକର ପ୍ରକୃତ ପୋଷ୍ଟର ବୟ ଥିଲେ ସିଦ୍ଧରମେୟା  । ଠିକ୍ ସେମିତି ଗୁଜୁରାଟରେ ବି ଲୋକେ ରାହୁଲ ଗାନ୍ଧୀଙ୍କୁ ପୋଷ୍ଟର ବୟ ଭାବେ ମନେ କରୁନଥିଲେ  । ଅନରୂପ ଭାବେ ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ରାଜସ୍ଥାନରେ ସଚିନ ପାଇଲଟ ହିଁ କଂଗ୍ରେସର ସଂଗଠନକୁ ସୁଦୃଢ଼ କରିବାରେ ବଡ଼ ଭୂମିକା ଗ୍ରହଣ କରିଛନ୍ତି  । ତେଣୁ ବିଜେପିକୁ ମୋଦି ଯେମିତି ଫାଇଦା ଦେଉଛନ୍ତି ରାହୁଲ କଂଗ୍ରେସ ପାଇଁ ସେତିକି ଫାଇଦା ଆଣିପାରୁନାହାନ୍ତି  । କଂଗ୍ରେସର ଫାଇଦା କେବଳ ସଂପୃକ୍ତ ରାଜ୍ୟର କଂଗ୍ରେସ ନେତାଙ୍କ ଉପରେ ନିର୍ଭର କରେ  । ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ କଂଗ୍ରେସ ଶିବିର ଉତ୍ସାହିତ ହୋଇପଡ଼ିଛି  । ତେବେ ଏହି ଉତ୍ସାହର କାରଣ ନିରଞ୍ଜନଙ୍କ ବ୍ୟକ୍ତିତ୍ୱ ନୁହେଁ  । ବରଂ ନିରଞ୍ଜନଙ୍କ ପାଖରେ ଥିବା ବିପୁଳ ଅର୍ଥ ହିଁ ଝାଉଁଳି ପଡ଼ିଥିବା କଂଗ୍ରେସ କର୍ମୀଙ୍କୁ ସାମାନ୍ୟ ଉତ୍ସାହିତ କରିପାରିଛି ବୋଲି କୁହାଯାଇପାରେ  । ଯଦି କର୍ଣ୍ଣାଟକରେ କଂଗ୍ରେସ ବିଜୟୀ ହୋଇଥା’ନ୍ତା ତେବେ ସାଧାରଣ ଜନତାଙ୍କ ମନରେ କଂଗ୍ରେସ ପ୍ରତି ଭାବନା ଜାଗ୍ରତ ହୋଇଥା’ନ୍ତା  । କର୍ମୀଙ୍କ ମନରେ ପୁଣି ଓଡ଼ିଶାରେ ସରକାର ଗଢ଼ିବାର ଆଶା ଦୃଢ଼ୀଭୂତ ହୋଇପାରିଥା’ନ୍ତା  ।

    ଆଗଭଳି ଚାଲୁନି ମୋଦିଙ୍କ ମ୍ୟାଜିକ୍ : ହଁ, ଏବେବି ନରେନ୍ଦ୍ର ମୋଦି ଭାରତର ଲୋକପ୍ରିୟ ନେତା  । ଏହାକୁ କେହି ଅସ୍ୱୀକାର କରିବେ ନାହିଁ  । କିନ୍ତୁ ନିର୍ବାଚନୀ ପରିସଂଖ୍ୟାନକୁ ଅନୁଶୀଳନ କଲେ ପୂର୍ବଭଳି ମୋଦିଙ୍କ ମ୍ୟାଜିକ ଚାଲୁନଥିବା କୁହାଯାଇପାରେ  । ଯାହାର ପ୍ରତିଫଳନ କେତେକ ରାଜ୍ୟର ଲୋକସଭା ଉପନିର୍ବାଚନରେ ଦେଖିବାକୁ ମିଳିଛି  । ବିଜେପିର ବଡ଼ ବଡ଼ ପ୍ରାର୍ଥୀ ହାରି ଯାଇଛନ୍ତି  । କର୍ଣ୍ଣାଟକରେ ବିଜେପି ୨୦୧୪ ଲୋକସଭା ନିର୍ବାଚନରେ ଯେତିକି ଭୋଟ୍ ପାଇଥିଲା ଏବେ ସେତିକି ଭୋଟ୍ ପାଇନାହିଁ  । ଖାଲି ସେତିକିନୁହେଁ, ବିଜେପି ବିଜୟର ଅନ୍ୟତମ କାରଣଟି ହେଉଛି ରାଜନୈତିକ ଗଣିତ  । କର୍ଣ୍ଣାଟକରେ ବିଜେପି କଂଗ୍ରେସ ଠାରୁ ମଧ୍ୟ କମ୍ ଭୋଟ ପାଇଛି  । ହେଲେ ଅଧିକ ଆସନ ପାଇପାରିଛି  । ଯଦି ଜେଡ଼ିଏସ ଓ କଂଗ୍ରେସ ମିଳିତ ଭାବେ ଲଢ଼ିଥା’ନ୍ତେ ତେବେ ଫଳାଫଳ ଭିନ୍ନ ହୋଇଥା’ନ୍ତା  । ଅନୁରୂପ ଭାବେ ୟୁପିରେ ଏସପି ବିଏସପି ମିଶିବାରୁ ଯୋଗୀ-ମୋଦିଙ୍କୁ ମଧ୍ୟ ପରାଜୟ ଭୋଗିବାକୁ ପଡ଼ିଥିଲା  । ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବି ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି  । ସ୍ଥିତି ଏମିତି ହୋଇଛିଯେ, ଆଗାମୀ ଦିନରେ ଆଂଚଳିକ ଦଳକୁ ସାଙ୍ଗରେ ଧରି ବିଜେପି ଚାଲିବାକୁ ବାଧ୍ୟ ହେବ  । ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ମଧ୍ୟ ଚିନ୍ତାରେ ପଡ଼ିବା ସ୍ୱାଭାବିକ  । ଦିଲ୍ଲୀରୁ ସମସ୍ତ ପ୍ରକାର ସାଧନ ଯୋଗାଇ ଦିଆଯିବା ସତ୍ୱେ ରାଜ୍ୟରେ ବିଜେପି କର୍ମୀଙ୍କ ମନରେ ଉତ୍ସାହ ସେତେଟା ପରିଲକ୍ଷିତ ହେଉନାହିଁ  । ପଂଚାୟତ ନିର୍ବାଚନର ଉତ୍ସାହ ବିଜେପୁର ଉପନିର୍ବାଚନ ପରେ ଫିକା ପଡ଼ି ଯାଇଥିଲା  । ତଥାପିବି କର୍ମୀଙ୍କ ମନରେ ଉତ୍ସାହ ଜାଗ୍ରତ କରିବା ପାଇଁ ଅମିତ ଶାହା ଆସିଥିଲେବି ନିରଞ୍ଜନଙ୍କ ନେତୃତ୍ୱରେ କଂଗ୍ରେସର ଉତଥାନ ପୁଣି ବିଜେପି ଶିବିରରେ ନୈରାଶ୍ୟ ଖେଳାଇ ଦେଇଛି  । କର୍ଣ୍ଣାଟକରେ ବିଜେପି ସରକାର ଗଢ଼ିବାର ନିକଟତର ହୋଇଥିଲେ ବି ସରକାର ଗଢ଼ିପାରିବ ନାହିଁ  । କାହିଁକିନା କଂଗ୍ରେସ ଓ ଜେଡ଼ିଏସ ମଧ୍ୟରେ ବୁଝାମଣା ହୋଇସାରିଛି  । ତେଣୁ ତାହା ବି ସ୍ୱାଭାବିକ ଭାବେ ବିଜେପି କର୍ମୀଙ୍କୁ ନିରାଶ କରିଛି  ।

    ୨୦୧୯ରେ ଓଡ଼ିଶାରେ ପୁନରାବୃତି ହେବ କି କର୍ଣ୍ଣାଟକ ସ୍ଥିତି : କେତେକ ରାଜନୀତିକ ସମୀକ୍ଷକ ୨୦୧୯ରେ ଓଡ଼ିଶାରେ ବି କର୍ଣ୍ଣାଟକ ଭଳି ସ୍ଥିତି ସୃଷ୍ଟି ହେବବୋଲି ଅନୁଶୀଳନ କରୁଛନ୍ତି  । ଓଡ଼ିଶାରେ ବି ତି୍ରମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ, ଝୁଲା ବିଧାନସଭା ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି  । କିନ୍ତୁ କର୍ଣ୍ଣାଟକ ରାଜନୀତି ଓ ଓଡ଼ିଶା ରାଜନୀତି ଭିନ୍ନ ବୋଲି ମାନିବାକୁ ହେବ  । କର୍ଣ୍ଣାଟକରେ ବିଜେପି ଓ କଂଗ୍ରେସ ମଧ୍ୟରେ ଫାଇଟ୍ ହେଉଥିଲା  । ତେବେ ଦୁଇ ଜାତୀୟ ଦଳର ଯୁଦ୍ଧ ଭିତରେ ଆଂଚଳିକ ଦଳ ଜେଡ଼ିଏସ କିନ୍ତୁ ଭଲ ପ୍ରଦର୍ଶନ କରିଛି  । ଖାଲି ସେତିକିନୁହେଁ ବିଜେପି, କଂଗ୍ରେସ ଓ ଜେଡ଼ିଏସର ପୋଷ୍ଟର ବୟ ନିକଟ ଅତୀତରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ  । ବିଏସ ୟେଦୁରପ୍ପା, ସିଦ୍ଧରମେୟା ଓ କୁମାରସ୍ୱାମୀ ପୂର୍ବରୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ  । କିନ୍ତୁ ଓଡ଼ିଶାରେ ନବୀନଙ୍କ ସହ ଲଢେ଼ଇ କରୁଥିବା ନେତାମାନେ ସେଭଳି ଖ୍ୟାତି ଅର୍ଜନ କରିନାହାନ୍ତି  । ନବୀନଙ୍କ ସହ ମେଂଟ ବେଳେ ଧର୍ମେନ୍ଦ୍ର ବିଧାୟକ ଓ ସାଂସଦ ହୋଇଥିଲେ  । ଅପରପକ୍ଷରେ ଧର୍ମେନ୍ଦ୍ରଙ୍କ ଭଳି ନିରଞ୍ଜନ ଦୀର୍ଘଦିନ ଧରି ରାଜ୍ୟ ବିଧାନସଭାକୁ ଆସିପାରିନାହାନ୍ତି  । ଅପରପକ୍ଷରେ ବିଜୁ ଜନତା ଦଳ ଆଂଚଳିକ ଦଳ  । ଏଠାରେ ଦୁଇ ଜାତୀୟ ଦଳ ଆଂଚଳିକ ଦଳ ବିରୋଧରେ ଲଢେ଼ଇ କରିବେ  । ଏଯାଏଁ ନବୀନଙ୍କ ସମକକ୍ଷ ଭାବେ ଧର୍ମେନ୍ଦ୍ର ଓ ନିରଞ୍ଜନ ନିଜକୁ ଉପସ୍ଥାପିତ କରିପାରିନାହାନ୍ତି  । ରାହୁଲ ମୋଦିଙ୍କ ସମକକ୍ଷ ନେତା ଭାବେ ପରିଗଣିତ ହେଉନଥିବାରୁ ବିଜେପି ଯେଉଁଭଳି ଫାଇଦାରେ ରହୁଛି ଠିକ୍ ସେଭଳି ନବୀନ ମଧ୍ୟ ଓଡ଼ିଶାରେ ଫାଇଦାରେ ରହିବେ ବୋଲି କୁହାଯାଇପାରିବ  ।

    Maximum 500 characters

    ରାଜନୀତି View all

    Find Us on Facebook