May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କର୍ଣ୍ଣାଟକ : କାହାର ଲାଭ, କାହାର କ୍ଷତି ?

    Share on :
    Date: May 15, 2018    Views: 663

    ଭୁବନେଶ୍ୱର : କର୍ଣ୍ଣାଟକ ଭୋଟ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି  । ଗୋଟିଏ ପଟେ କଂଗ୍ରେସ ହାତରୁ କ୍ଷମତା ଯାଇଥିବାବେଳେ ଅପରପକ୍ଷରେ ବିଜେପି ଅଳ୍ପକେ କ୍ଷମତାରୁ ବଂଚିତ ହୋଇଛି  । ହୁଏତ ଘୋଡ଼ାବେପାର କରି ବିଜେପି ସରକାର ଗଢ଼ିପାରେ, ତେବେ ନିଜ ଦମ୍ରେ ମ୍ୟାଜିକ ଅଙ୍କ ଛୁଇଁବାରେ ବିଫଳ ହୋଇଛି  । ଏହି ପରିପ୍ରେକ୍ଷୀରେ କିଏ କେତେ ହରାଇଛି, କିଏ କେତେ ପାଇଛି ସେନେଇ ରାଜନୀତିକ ବିଶ୍ଲେଷକମାନେ ଅଙ୍କ କଷା ଆରମ୍ଭ କରିଦେଇଛନ୍ତି  । ଖାଲି ସେତିକିନୁହେଁ ଆଗାମୀ ଦିନରେ ଏହାର ପ୍ରଭାବ ଜାତୀୟ ଓ ଆଂଚଳିକ ସ୍ତରରେ କିଭଳି ପଡ଼ିବ ତାହାର ଏକ ନକ୍ସା ମଧ୍ୟ ଅଙ୍କା ଯାଇପାରେ  । 

    କଂଗ୍ରେସ ଅଧିକ ଭୋଟ ପାଇଲା, କିନ୍ତୁ କଂଗ୍ରେସଠୁ କମ୍ ଭୋଟ ପାଇ ବି ବହୁ ଆସନରେ ବିଜେପିର ବାଜିମାତ୍ : ରିପୋର୍ଟ ଲେଖା ହେବାବେଳକୁ ୨୨୨ ଆସନ ମଧ୍ୟରୁ ୨୧୦ ଆସନରେ ଭୋଟ ଗଣତି ସରିଥିଲା  । ବିଜେପି ସବୁଠାରୁ ବଡ଼ ଦଳ ଭାବେ ୯୭ ଆସନରେ ଜିତିବା ସହ ୭ ଆନସରେ ଆଗୁଆ ଥିଲା  । ଅପରପକ୍ଷରେ କଂଗ୍ରେସ ୭୪ ଆସନରେ ଜିତିଥିବାବେଳେ ୪ ଆସନରେ ଆଗୁଆ ରହିଥିଲା  । ସେହିପରି ଜେଡ଼ିଏସ ୩୭ ଆସନରେ ଜିତିସାରିଥିବାବେଳେ ବିଏସପି ୧ ଆସନରେ ଜିତିଯାଇଥିଲା  । କେପିଜେପି ଓ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଗୋଟିଏ ଲେଖାଏଁ ଆସନରେ ବାଜିମାତ୍ କରିଥିଲେ  । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ବିଜେପି କଂଗ୍ରେସ ଠାରୁ ପ୍ରାୟ ୩୬ ଆସନ ଅଧିକ ପାଇଥିଲେ ବି ଭୋଟରେ କଂଗ୍ରେସ ଠାରୁ ପଛରେ ପଡ଼ି ଯାଇଥିଲା  । କଂଗ୍ରେସକୁ ୩୮% ଅର୍ଥାତ୍ ୧କୋଟି ୩୭ ଲକ୍ଷରୁ ଉଦ୍ଧ୍ୱର୍ ଭୋଟ ମିଳିଥିବାବେଳେ ବିଜେପିକୁ ମିଳିଛି ୩୬.୨% ଅର୍ଥାତ୍ ୧ କୋଟି ୩୦ ଲକ୍ଷରୁ ଉଦ୍ଧ୍ୱର୍ ଭୋଟ୍  । ସେହିପରି ତୃତୀୟ ବୃହତମ ଦଳ ଭାବେ ଜେଡ଼ିଏସ ୧୮.୪% ଭୋଟ୍ ଅର୍ଥାତ୍ ୬୬ ଲକ୍ଷରୁ ଉଦ୍ଧ୍ୱର୍ ଭୋଟ ହାସଲ କରିବାରେ ସମର୍ଥ ହୋଇଥିଲା  ।

    ୨୦୧୩ ଓ ୨୦୧୪ ତୁଳନାରେ କାହାର କେତେ ଫାଇଦା : ୨୦୧୩ରେ କର୍ଣ୍ଣାଟକରେ ବିଜେପି ପାଇଥିଲା ୬୨ ଲକ୍ଷ ଭୋଟ  । ଭୋଟ ହାର ଥିଲା ୨୦%  । କିନ୍ତୁ ଏବେ ବିଜେପିର ଭୋଟ ୩୬%କୁ ବୃଦ୍ଧି ପାଇଛି  । ଅର୍ଥାତ୍ ୨୦୧୩ ତୁଳନାରେ ସିଧା ୧୬% ଫାଇଦା  । କିନ୍ତୁ ୨୦୧୪ ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ ବିଜେପି ପାଇଥିଲା ୧ କୋଟି ୩୩ ଲକ୍ଷରୁ ଉଦ୍ଧ୍ୱର୍ ଭୋଟ୍  । ଭୋଟ ହାର ରହିଥିଲା ୪୩.୩୭%  । ଅର୍ଥାତ୍ ୨୦୧୪ ତୁଳନାରେ ବିଜେପିକୁ ଏଥର ୭% କମ୍ ଭୋଟ ମିଳିଛି  ।

    ୨୦୧୩ରେ କଂଗ୍ରେସ ପାଇଥିଲା ୧ କୋଟି ୧୪ ଲକ୍ଷ ଭୋଟ  । ଭୋଟ ହାର ଥିଲା ୩୬.୭୬%  । କିନ୍ତୁ ଏଥର ତାହା ୩୮%କୁ ବୃଦ୍ଧି ପାଇଛି  । ଅର୍ଥାତ୍ ସିଦ୍ଧରମେୟା ସରକାର ପୂର୍ବାପେକ୍ଷା କମ୍ ସିଟ୍ ପାଇଥିଲେ ମଧ୍ୟ ଅଧିକ ଭୋଟ ପାଇବାରେ ସଫଳ ହୋଇଛି  । କିନ୍ତୁ ୨୦୧୪ରେ ଦଳକୁ ମିଳିଥିଲା ୪୧.୧୫% ଭୋଟ୍  । ଦଳକୁ ୧ କୋଟି ୨୬ ଲକ୍ଷ ଭୋଟ ମିଳିଥିଲା  । କିନ୍ତୁ ଏଥର ଭୋଟ ହାର ୩୮%କୁ ହ୍ରାସ ପାଇଛି  । ଅର୍ଥାତ୍ ୨୦୧୪ ତୁଳନାରେ କଂଗ୍ରେସ ପାଇଛି ୩% କମ୍ ଭୋଟ  ।

    ୨୦୧୩ରେ ଜେଡ଼ିଏସ ପାଇଥିଲା ୬୩ ଲକ୍ଷରୁ ଉଦ୍ଧ୍ୱର୍ ଭୋଟ୍  । ଭୋଟ ହାର ଥିଲା ୨୦%ରୁ ଟିକେ ଅଧିକ  । ଏବେ ତାହା ୧୮.୪%କୁ ଖସିଆସିଛି  । ୨୦୧୪ରେ ଜେଡ଼ିଏସ ପାଇଥିଲା ୧୧% ଭୋଟ୍  । ଅର୍ଥାତ୍ ୨୦୧୪ ତୁଳନାରେ ଦଳ ଫାଇଦାରେ ରହିଛି  । ସେହିପରି ପୂର୍ବଥର ଜେଡ଼ିଏସ ୪୦ ଆସନ ପାଇଥିବାବେଳେ ଏବେ ତାହା ୩୭କୁ ଖସିଆସିଛି  ।

    ନରେନ୍ଦ୍ର ମୋଦି ବନାମ ରାହୁଲ ଗାନ୍ଧୀ : କର୍ଣ୍ଣାଟକରେ କିଏ ଜିତିଲେ, ନରେନ୍ଦ୍ର ମୋଦି ନା ରାହୁଲ ଗାନ୍ଧୀ  । ଆସନ ଦୃଷ୍ଟିରୁ କଂଗ୍ରେସ କମ୍ ପାଇଥିବାରୁୁ ରାହୁଲ ଗାନ୍ଧୀଙ୍କର ପରାଜୟ ହୋଇଛି  । ତେବେ କଂଗ୍ରେସ ବିଜେପି ଠାରୁ ଅଧିକ ଭୋଟ ପାଇ ‘କଂଗ୍ରେସ ମୁକ୍ତ ଭାରତ’ରେ ବିଜେପି ସଫଳ ହେବନାହିଁ ବୋଲି ବାର୍ତ୍ତା ଦେବାରେ ସମର୍ଥ ହୋଇଛି  । 

    ୨୦୧୯ ପାଇଁ କ’ଣ ବାର୍ତ୍ତା : ହାଲକୁ ବିଜେପିକୁ ମାତ୍ ଦେବା ପାଇଁ କଂଗ୍ରେସ ଜେଡ଼ିଏସ ମେଂଟ କରିଛି  । ଉଭୟ ପକ୍ଷର ଏଥିରେ ସହମତି ରହିଛି  । ଯଦି ଉଭୟଙ୍କ ଭୋଟ ଓ ଆସନ ସଂଖ୍ୟା ମିଶାଯାଏ ତାହା ବିଜେପିଠୁ ଅଧିକ ରହିଛି  । ୨୦୧୯ରେ କଂଗ୍ରେସକୁ ଆଂଚଳିକ ଦଳ ସହ ମେଂଟ କରିବା ପାଇଁ ଏହି ନିର୍ବାଚନ ସ୍ୱାଭାବିକ ଭାବେ ବାଧ୍ୟ କରିବ  । କାରଣ ବିଜେପିକୁ ଅଟକାଇବା ପାଇଁ ରାଜ୍ୟର ଆଂଚଳିକ ଦଳ ଉପରେ ହିଁ କଂଗ୍ରେସ ଫୋକସ କରିବାକୁ ବାଧ୍ୟ  । ତେଣୁ ବିଜେପି ମଧ୍ୟ ସ୍ୱାଭାବିକ ଭାବେ ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି ମନେକରିବ  । ସମ୍ପ୍ରତି ଅନେକ ରାଜ୍ୟର ଆଂଚଳିକ ଦଳ ସହ ବିଜେପିର ସୁସମ୍ପର୍କ ନାହିଁ  । ତେଣୁ ନରେନ୍ଦ୍ର ମୋଦିଙ୍କ ପ୍ରତି ଲୋକଙ୍କ ଭଲ ପାଇବା ଅତୁଟ ଥିଲେ ମଧ୍ୟ ରାଜନୀତିକ ସମୀକରଣ ମୋଦିଙ୍କ ବିଜୟ ପଥରେ କଂଟା ସାଜିପାରେ  । ପଶ୍ଚିମବଙ୍ଗରେ ମମତା ବାନାର୍ଜୀ, ଓଡ଼ିଶାରେ ନବୀନ ପଟ୍ଟନାୟକ, ଉତରପ୍ରଦେଶରେ ଅଖିଳେଶ ଓ ମାୟାବତୀ, ଆନ୍ଧ୍ରପ୍ରଦେଶରେ ଟିଡ଼ିପି, ମହାରାଷ୍ଟ୍ରରେ ଶିବସେନା, ବିହାରରେ ଆରଜେଡ଼ି, ତେଲେଙ୍ଗାନାରେ ଟିଆରଏସ ସହ ବିଜେପିର ଆଦୌ ସୁସମ୍ପର୍କ ନାହିଁ  । ଏବେ ଜେଡ଼ିଏସ ବି ବିଜେପିର ବିରୋଧୀ  । ଅର୍ଥାତ୍ ଜେଡ଼ିୟୁକୁ ଛାଡ଼ିଦେଲେ ବୋଧହୁଏ ବିଜେପିର କୌଣସି ମଜବୁତ୍ ଆଂଚଳିକ ଦଳ ସହ ମେଂଟ ନାହିଁ  । ପଞ୍ଜାବରେ ଶିରୋମଣୀ ଅକାଳୀ ଦଳ ହେଉ କି ଜାମ୍ମୁକାଶ୍ମୀରର ପିଡ଼ିପି ଆଉ ଭରସାଯୋଗ୍ୟ ହୋଇ ରହିନାହିଁ  । ଯଦି କଂଗ୍ରେସ ବିଭିନ୍ନ ରାଜ୍ୟର ଆଂଚଳିକ ଦଳ ସହ ଓପନ ବା ଗୋପନ ବୁଝାମଣା କରେ ୨୦୧୯ରେ ଫାଇଦା ପାଇବାର ଯଥେଷ୍ଟ ସମ୍ଭାବନା ରହିଛି  ।

    ସାରା ଭାରତ ଦଖଲ ଓ କଂଗ୍ରେସ ମୁକ୍ତ କରିବାର ମହତ୍ୱାକାଂକ୍ଷୀ ସ୍ୱପ୍ନ ବିଜେପି ପାଇଁ କଂଟା ହେବାର ବି ଆଶଙ୍କା ରହିଛି  । ସମସ୍ତ ରାଜ୍ୟର ଆଂଚଳିକ ଦଳକୁ ବିଜେପି ହଟାଇବା ପାଇଁ ସଂକଳ୍ପ ନେଇଥିବାବେଳେ ସେମାନେ ଯଦି କଂଗ୍ରେସ ସହ ବୁଝାମଣା କରନ୍ତି ତେବେ ବିଜେପି ଘାଟାରେ ପଡ଼ିବା ନିଶ୍ଚିତ  । ଯଦିଓ ବିଜେପି କଂଗ୍ରେସ ହାତରୁ ଗୋଟିକ ପରେ ଗୋଟିଏ ରାଜ୍ୟ ଛଡ଼ାଇ ନେଇଛି ତଥାପିବି ଅଧିକାଂଶ ରାଜ୍ୟରେ କଂଗ୍ରେସର ଭୋଟ ଏବେବି ମଜବୁତ୍ ରହିଛି  । ଯେକୌଣସି ସମୟରେ ଫିନିକ୍ସ ଚଢେ଼ଇ ଭଳି କଂଗ୍ରେସ ପାଉଁଶ ଗଦାରୁ ଉଠିପାରେ  । ଯାହାର ନଜିର ଗୁଜୁରାଟରେ ଦେଖିବାକୁ ମିଳିଥିଲା  । ଏଥିପାଇଁ ବିଜେପିକୁୁ ଯେତିକି ଶ୍ରେୟ ନମିଳିବ ତାହାଠୁ ରାହୁଲଙ୍କ ରାଜନୈତିକ ଅପରିପକ୍କତାକୁ ଶ୍ରେୟ ଦିଆଯାଇପାରେ  । ଆଗକୁ ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ନିର୍ବାଚନ  । ଯେଉଁ ରାଜ୍ୟରେ ବିଜେପି କଂଗ୍ରେସକୁ କଡ଼ା ଟକ୍କର ଦେବା ସ୍ଥିତିରେ ରହିଛି  । ଯଦି ବିଜେପି ନିଜର ତ୍ରୁଟି ନସାଜଡ଼ି ଓଭର କନଫିଡେ଼ନ୍ସ ହୁଏ ତେବେ କର୍ଣ୍ଣାଟକରେ ସକାଳର ବାଜବାଣ ସଂଧ୍ୟାରେ ନୀରବି ଯିବା ଭଳି ଅବସ୍ଥା ହେବବୋଲି କୁହାଯାଇପାରେ  ।

    Maximum 500 characters

    ରାଜନୀତି View all

    Find Us on Facebook