Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡ଼ିର ‘ମହାନଦୀ ସୁରକ୍ଷା’ ବନାମ ବିଜେପିର ‘ମହିଳା ସୁରକ୍ଷା’

    Share on :
    Date: May 14, 2018    Views: 547

    ଭୁବନେଶ୍ୱର : ଆସନ୍ତା ୧୬ରୁ ବିଜୁ ଜନତା ଦଳ ‘ମହାନଦୀ ସୁରକ୍ଷା ଅଭିଯାନ’ ଆରମ୍ଭ କରୁଥିବାବେଳେ ୧୭ରୁ ବିଜେପି ‘ମହିଳା ସୁରକ୍ଷା ଯାତ୍ରା’ ଆରମ୍ଭ କରିବ ବୋଲି ଘୋଷଣା କରିଛି  । ୧୫ ଜିଲ୍ଲାର ୪୫ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳ ସଭା ସମିତି କରିବାର ଯୋଜନା ରଖିଥିବାବେଳେ ବିଜେପି ରାଜ୍ୟରେ ପ୍ରାୟ ୪୫୦ ସଭା କରିବାର କାର୍ଯ୍ୟକ୍ରମ ରଖିଛି  । ଫଳରେ ଚଳିତ ସପ୍ତାହରେ ପୁଣି ବିଜେଡ଼ି ଓ ବିଜେପି ମଧ୍ୟରେ ସରଗରମ ଲଢେ଼ଇ ଦେଖିବାକୁ ମିଳିବ  । ଅପରପକ୍ଷରେ ନିରଞ୍ଜନ ପଟ୍ଟନାୟକ ପିସିସି ମଙ୍ଗ ଧରିବା ଦିନ ଠାରୁ କଂଗ୍ରେସ ନେତା ଦିନରାତି ଏକ କରି ଦେଇଛନ୍ତି  । ପ୍ରତିଦିନ କୌଣସିନା କୌଣସି ଜିଲ୍ଲାରେ ହେଉଛି ବୈଠକ  । ଚଳଚଂଚଳ ହୋଇଯାଇଛି କଂଗ୍ରେସ ଶିବିର  । ତିନି ଦଳର ହାଲାବୋଲ ରାଜ୍ୟ ରାଜନୀତିକୁ ବେଶ୍ ସରଗରମ କରିଦେବ ବୋଲି ଆଶା କରାଯାଉଛି  ।

    ଆସନ୍ତା ୧୬ରେ ବିଜୁ ଜନତା ଦଳ ପକ୍ଷରୁ ସୁଖାସୋଡ଼ାରୁ ଆରମ୍ଭ ହେବ ମହାନଦୀ ସୁରକ୍ଷା ଅଭିଯାନ  । ଓଡ଼ିଶା ଭିତରକୁ ମହାନଦୀର ପ୍ରବେଶ ସ୍ଥଳ ଝାରସୁଗୁଡ଼ା ଜିଲ୍ଳା ଲଖନପୁର ବ୍ଲକର ସୁଖାଶୋଡ଼ା ଏବଂ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଚିଖଲି ଠାରୁ ମହାନଦୀ ସୁରକ୍ଷା ସଚେତନତା ଅଭିଯାନ ଆରମ୍ଭ ହେବ  । ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ୧୬ ତାରିଖ ସକାଳ ୯ଟା ସମୟରେ ସୁଖାଶୋଡ଼ା ଠାରେ ଏବଂ ସକାଳ ୧୦ଟା ସମୟରେ ଚିଖଲି ଠାରେ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନର ନେତୃତ୍ୱ ନେବେ । ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, କଟକ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର ଜିଲ୍ଲାର ନିର୍ଦ୍ଧାରିତ ରୁଟ ଚାର୍ଟରେ ପଥପ୍ରାନ୍ତ ସଭା, ସାଧାରଣ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କରାଯିବା ସହ ମହାନଦୀ ସମସ୍ୟା ସଂପର୍କିତ ପୁସ୍ତିକା ଓ ପ୍ରଚାରପତ୍ର ସର୍ବସାଧାରଣରେ ବଂଟନ କରାଯିବ ।  ମହାନଦୀ ଅବବାହିକାର ଉଭୟ ପାଶ୍ୱର୍ରେ ଥିବା ପୁରାତନ ଦେବାଦେବୀ ପୀଠଗୁଡିକରେ ସମୂହ ଦୀପଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ପୀଠରେ ଜଳ ଆଳତି ଏବଂ କଟକର ଗଡ଼ଗଡେ଼ଶ୍ୱରଙ୍କ ପୀଠରେ ଜଳ ଆଳତି କରାଯିବ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି  । 

    ଅପରପକ୍ଷରେ ବେଶ୍ କିଛିଦିନ ଧରି ସାଂଗଠନିକ କ୍ଷେତ୍ରରେ ପଛରେ ପଡ଼ିଯାଇଥିବା ବିଜେପି ମଧ୍ୟ ବିଜେଡ଼ି ରଣନୀତିକୁ ମାତ୍ ଦେବା ପାଇଁ ଆରମ୍ଭ କରିବ ମହିଳା ସୁରକ୍ଷା ଯାତ୍ରା  । ଆସନ୍ତା ୧୭ରୁ ମହିଳା ମୋର୍ଚ୍ଚା ପକ୍ଷରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ  । ମେ’ ୨୯ରେ ଏହି ଯାତ୍ରାର ପରିସମାପ୍ତି ଘଟିବ  । ତେବେ ଏହି ୧୧ ଦିନରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟରେ ପ୍ରାୟ ୪୫୦ଟି ସଭା କରିବାର କାର୍ଯ୍ୟକ୍ରମ ରଖିଛି  । ରାଜ୍ୟର ୭ ପ୍ରମୁଖ ମନ୍ଦିରରୁ ୭ ବିଜେପି ନେତ୍ରୀ ଏହି ଯାତ୍ରାର ନେତୃତ୍ୱ ନେବେ  । ଏହି ଯାତ୍ରା କାଳରେ ନାବାଳିକା ଦୁଷ୍କର୍ମ ଓ ସହ ରାଜ୍ୟରେ ବଢ଼ି ଚାଲିଥିବା କୁକର୍ମ ଘଟଣା, ନାରୀ କିଭଳି ଅସୁରକ୍ଷିତ ସେନେଇ ବିଜେପି ମହିଳା ମୋର୍ଚ୍ଚା ବାର୍ତା ଦେବ  । ଭଦ୍ରକର ମା’ ଭଦ୍ରକାଳୀ ମନ୍ଦିର, କାକଟପୁରର ମା’ ମଙ୍ଗଳା ମନ୍ଦିର, କଟକର ମା’ ଚଣ୍ଡୀ ମନ୍ଦିର, ସମ୍ବଲପୁରର ମା’ ସମଲେଶ୍ୱରୀ, ପାଟଣାଗଡ଼ରୁ ମା’ ପାଟଣାଶ୍ୱେରୀ, ଭୁବନେଶ୍ୱରର ମା’ ଶିଖରଚଣ୍ଡୀ ମନ୍ଦିର ଓ ସୋରଡ଼ାରୁ ଏକାକାଳୀନ ଏହି ଯାତ୍ରାର ଶୁଭାରମ୍ଭ ହେବ  । ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା, ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ, ବିଧାୟିକା ରାଧାରାଣୀ ପଣ୍ଡା, ଲେଖାଶ୍ରୀ ସାମନ୍ତସିଂହରାୟ, ସୁକେଶ ସିଂହ ଓରାମ୍, ସଂଗୀତା ସିଂହଦେଓ ଓ କୁମୁଦିନୀ ପଟ୍ଟନାୟକ ବିଭିନ୍ନ ସ୍ଥାନରେ ଏହି ଯାତ୍ରାର ନେତୃତ୍ୱ ନେବେ  । ଏହି ଯାତ୍ରା ମାଧ୍ୟମରେ ୧ କୋଟି ପରିବାର ନିକଟରେ ପହଁଚିବା ପାଇଁ ବିଜେପି ଲକ୍ଷ୍ୟ ରଖିଛି  । ତେବେ ୧୯ ଓ ୨୦ରେ କାର୍ଯ୍ୟକାରିଣୀ ବୈଠକ ଥିବାରୁ ସେହି ଦୁଇଦିନ ଯାତ୍ରା ବନ୍ଦ ରହିବ ବୋଲି ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook