Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆପଣଙ୍କ ମତ

ମୁଖ୍ୟ ଖବର

    ରଜ ପର୍ବ, ରଜୋ ମାନସିକତା

    Share on :
    Date: May 12, 2018    Views: 823

    ରୁଦ୍ର ପ୍ରସନ୍ନ ରଥ

    ଆମ ଓଡିଶାରେ ଅତୀତରେ ରଜ ବେଶ୍ ଧୂମଧାମ୍ରେ ପାଳିତ ହେଉଥିଲା । ଏବେ ସେଥିରେ ସାମାନ୍ୟ ଭଟ୍ଟା ପଡିଯାଇଛି । ଅଧିକରୁ ଅଧିକ ଲୋକ କର୍ମସଂସ୍ଥାନ ପାଇଁ ସହର ଆଡକୁ ଆସୁଥିବାବେଳେ ଗାଁ ଗୁଡିକ ଶ୍ରୀହୀନ ହୋଇପଡୁଛି । ଶ୍ରୀହୀନ ହୋଇପଡୁଥିବା ଗାଁ ଗୁଡିକରେ ରଜ ପର୍ବ ଧିରେ ଧିରେ ମଳିନ ପଡିଆସିଲାଣି । ନା ଗାଁରୁ ରଜଦୋଳିର କଟମଟ ଶୁଭୁଛି ନା ଭାସି ଆସୁଛି ଚୂଲିମୁଣ୍ଡରୁ ପୋଡପିଠାର ବାସ୍ନା । ପୂର୍ବ ରାତିରେ ଅନିଦ୍ରା ରହି ସଜ ହେବାର ଇଛା ବି ଆଉ ଗାଁ କୁମାରୀ ର ନାହିଁ । ସେପଟେ ସହରରେ ତ ରଜ ଖୋଜିଲେ ମିଳୁନି । ସହରରେ ରଜ ଯାହା ସୀମିତ ଅଛି ସପିଂ ମଲର ବିଜ୍ଞାପନରେ । ରଜ ସମୟରେ ସପିଂ ମଲରେ ଭିଡ ଲାଗୁଛି ଡିସକାଉଣ୍ଟକୁ ନେଇ । ବ୍ରିକିବଟାର ଘୋଘାରେ ରଜ କେତେବେଳେ ଆସି କେତେବେଳେ ପଳାଉଛି ତାହା ଜାଣିବି ହେଉନି । ଏଥର ରଜ ଆସିବାକୁ ଅନେକ ଦିନ ବାକି ଥିଲେ ବି ରଜକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଜ୍ଞାପନରେ ରଜକୁ  ଇଂରାଜୀରେ RAJA ପରିବର୍ତ୍ତେ  RAJO ଲେଖିବାକୁ ନେଇ ବିରୋଧ ଆରମ୍ଭ ହୋଇଛି । ସମାଜିକ ଗଣମାଧ୍ୟମରେ #ରଜୋନୁହେଁରଜ ନାମକ ଅଭିଯାନ ବେଶ୍ ଯୋରସୋରରେ ଚାଲିଛି ।

    ଓଡିଶାର ବିଭିନ୍ନ ପର୍ବପର୍ବାଣୀକୁ ବିକୃତ କରି ଲେଖାଯିବା କିମ୍ବା ବିକୃତ କରି ଉଚ୍ଚାରଣ କରିବା କିଛି ନୂଆକଥା ନୁହେଁ । ଏହା ବିଗତ କେତେବର୍ଷଧରି ନିୟମିତ ଚାଲିଆସୁଥିଲା । ଏହାକୁ କାଁଭାଁ ବିରୋଧ ବି କରାଯାଉଥିଲା । ସାଧାରଣତଃ ଓଡିଆମାନେ ଶାନ୍ତିପି୍ରୟ ହୋଇଥିବାରୁ ସେମାନେ କଳିଗୋଳ, ତର୍କ ବିବାଦରେ ପଶିବାକୁ ଚାହାନ୍ତି ନାହିଁ  । ଏମିତି ଦେଖିବାକୁ ଗଲେ ଜଣେ ସାଧାରଣ ଓଡିଆର ଆବଶ୍ୟକତା ବେଶ୍ କମ୍ । ଆବଶ୍ୟକତା ନ ପଡିଲେ ସେମାନେ ବାହାରକୁ ଯିବାକୁ ପସନ୍ଦ କରନ୍ତି ନାହିଁ । ବରଂ ନିଜର ଛୋଟକାଟର ଆବଶ୍ୟକତା ପୂରଣ ହୋଇଗଲେ ସେମାନେ ନିଜଘରେ ରହି ସମୟ କାଟିବାକୁ ଭଲ ପାଆନ୍ତି । ଏପରି ସ୍ଥଳେ ଭାଷା କିମ୍ବା ଜାତିକୁ ନେଇ ସାମଗ୍ରିକ ଭାବେ ବିରୋଧ କରିବା କାହିଁ କେତେ ଯୁଗରୁ ଦେଖାଯାଇ ନାହିଁ । ଏଣୁ ରଜକୁ ରଜୋ ଲେଖିବାରେ କିମ୍ବା ପୂଜା କୁ କେହି ପୂଜୋ ଲେଖିଦେଲେ ତାହା ଅନେକଙ୍କୁ କଷ୍ଟ ଦିଏ ନାହିଁ । ବରଂ କିଏ କ’ଣ ଲେଖିଲେ ମୋର କ’ଣ ଗଲା ନ୍ୟାୟରେ ଏହି ପରି ଭାଷାରେ ତୃଟି ଆଉ ବନାନଗତ ଅଶୁଦ୍ଧି ଓଡିଆର କ୍ରମଶଃ ଅସ୍ଥିମଜ୍ଜାଗତ ହୋଇଯାଉଥିଲା । ସବୁଦେଖୁଥିଲେ ବି ଏହାକୁ କେହି ପ୍ରତିବାଦକରୁନଥିଲେ । ପ୍ରତିବାଦ କରିବାରେ ମୁଖଲାଜ ପ୍ରତିବନ୍ଧକ ସାଜୁଥିଲା । ସାମାଜିକ ଗଣମାଧ୍ୟମରେ ବି ଲୋକ କ୍ରମଶଃ ରଜକୁ ରଜୋ ବୋଲି ଗ୍ରହଣ କରିନେଇଥିଲେ । ରଜ କେମିତି ରଜୋ ହେଲା, କାହିଁକି ରଜୋ ହେଲା ଏହାର ଉତ୍ତର କାହାପାଖରେ ନଥିଲା । କେହି ଉତ୍ତର ଖୋଜିବାକୁ ଚେଷ୍ଟା ବି କରୁନଥିଲେ । ବରଂ ସୁଅରେ ଭାସିଗଲାପରି ଦେଖା ଶିଖା ଓଡିଆର ଉପପାଦ୍ୟକୁ କେବଳ ପ୍ରମାଣ କରିଚାଲିିଥିଲେ ଯାହା । ଓଡିଆଙ୍କ ସହ୍ୟଶକ୍ତିର ବ୍ୟାପକ ପରୀକ୍ଷା ଚାଲିଥିଲା । ଭାଷା ବଂଚାଅ ଅଭିଯାନ ସବୁ ଭାଷଣରେ ସୀମିତ ରହିଥିଲା ନହେଲେ ବୁଦ୍ଧିଜୀବିଙ୍କର ବିଳାସବ୍ୟସନର ବିଷୟ ବସ୍ତୁ ପାଲଟି ଯାଇଥିଲା ଯେମିତି । ସାଧାରଣ ଲୋକ ଭାଷାକୁ ନେଇ ବ୍ୟସ୍ତ ହେଉଥିଲେ ବି ଏହାର ପ୍ରତିବାଦ କିପରି କରିିବ ତାହା ବାଟ ପାଉନଥିଲା । ବରଂ ସବୁ କିଛି ତା ଆଖି ଆଗରେ ଘଟୁଥିଲେ ବି କିଛି ଗୋଟିଏ କରିନପାରିବାର ଅଶ୍ୱସ୍ତିବୋଧ ତାଙ୍କୁ ମାଡି ବସୁଥିଲା ଯେପରି । 

    ମାତ୍ର ଚଳିତ ଥରର #ରଜୋନୁହେଁରଜ ଅଭିଯାନରେ ଅନେକ ବିଶେଷତା ଅଛି । ୧୨ ମେରୁ ରୂପାଲୀଛକର କଳାମନ୍ଦିର ର ହୋର୍ଡିଂ ଆଗରେ ଏ ଲେଖକର ନୀରବ ପ୍ରତିବାଦ ପରେ ପରେ ଇଂଣ୍ଟରନେଟ୍ରେ ଏସବୁ ଘଟଣା ବ୍ୟାପକରୂପେ ଭାଇରାଲ ହୋଇଯାଇଛି । ଏ ସଂକ୍ରାନ୍ତୀୟ ମୂଳ ପୋଷ୍ଟକୁ ପାଖାପାଖି ୩୦୦ ଥର ସେୟାର କରାଯାଇଥିବା ବେଳେ ଏ ସଂକ୍ରାନ୍ତୀୟ ବିଭିନ୍ନ ପୋଷ୍ଟକୁ ୧୦୦୦ରୁ ଅଧିକ ଲାଇକ୍, ସେୟାର ଏବଂ ମତାମତ ମିଳିଛି । ପୁଣି ଏ ପରି ଅଭିଯାନ ସହ ଦିନକୁ ଦିନ ନୂଆ ନୂଆ ଲୋକ ଯୋଡି ହେଉଛନ୍ତି । ଉକ୍ରଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ଦେବୀ ରାୟ, ଦୃଷ୍ଟିବାଧିତ କ୍ରିକେଟର ଜାଫର ଇକବାଲ, ଉତ୍ତର ପ୍ରଦେଶରେ କାମ କରୁଥବା ଓଡିଆ ପରାମର୍ଶଦାତା ଡ. ବ୍ୟୋମକେଶ୍ , ସମାଜସେବୀ ଉମାକାନ୍ତ ପାତ୍ର ଆଦି ଅନେକ ନିଜେ ଏହି ଆନେ୍ଦାଳନରେ ପ୍ରତ୍ୟେକ୍ଷରୂପେ ଭାଗନେଇ ଏହାକୁ ଆଗକୁ ନେବାକୁ ବାହାରିଛନ୍ତି । ସେମାନଙ୍କୁ ଯୋଗୁଁ ଏ ଅଭିଯାନ ଧିରେ ଧିରେ ବ୍ୟାପକ ହେବାକୁ ଯାଉଛି । ଏ ପରିସ୍ଥିତିରେ ଏହା ଆଗକୁ ସାମାଜିକ ଗଣମାଧ୍ୟମରେ ସର୍ବାଧିକ ବ୍ୟାପକ ଅଣରାଜନୈତିକ ଗଣଅନେ୍ଦାଳନର ରୂପ ନେବାକୁ ଯାଉଛି । ପୁଣି ଏଥିରେ ସମାଜର ବିଭିନ୍ନ ବର୍ଗର ଲୋକ ନିଜ ଇଚ୍ଛାରେ ସାମିଲ ହୋଇଛନ୍ତି । ଛାପା  ଏବଂ ବୈଦୁତିକ ଗଣମାଧ୍ୟମର ସମର୍ଥନ ମଧ୍ୟ ଏହା ପ୍ରତି ଧିରେ ଧିରେ ବଢିଚାଲୁଛି । ଏହି #ରଜୋନୁହେଁରଜ ଅଭିଯାନ ଆରମ୍ଭ ହେବାର ମାତ୍ର କିଛି ଦିନ ମଧ୍ୟରେ ଏହା ଲକ୍ଷାଧିକ ଲୋକଙ୍କ ପାଖରେ ପହଁଚିଛି । ଏବଂ ସମାଜର ବିଭିନ୍ନ ବର୍ଗର ଲୋକ ଏହା ପ୍ରତି ନିଜର ଆସ୍ଥା ପ୍ରକଟ କରିଛନ୍ତି ।

    ସବୁଥର ଭଳି ଏହି ଆନେ୍ଦାଳନର ଆରମ୍ଭ ହୋଇଛି ଜଣଙ୍କ ଠାରୁ । ମାତ୍ର ପ୍ରତିବାଦର ସ୍ୱର ବେଶ୍ ତୀବ୍ର ହୋଇଚାଲିଛି । ଅନେକ ଓଡିଆ ଯେଉଁମାନେ ଏପରି ବିକୃତୀକରଣକୁ ବିରୋଧ କରୁଥିଲେ ବି ନିଜର ମତାମତ ଜଣାଇବାକୁ ବାଟ ପାଉନଥିଲେ ସେମାନେ ସତେ ଯେମିତି ଗୋଟିଏ ରାସ୍ତା ପାଇଛନ୍ତି । ସେମାନଙ୍କ ମତାମତରୁ ଜଣାପଡୁଛି ଯେ ସେମାନେ ସହରରେ ସୁଯୋଗ ଅଭାବରୁ ହୁଏତ ରଜ ପାଳିନପାରନ୍ତି ମାତ୍ର ରଜୋକୁ କଦାପି ମାନସିକ ସ୍ତରରେ ରଜର ପ୍ରତିଶବ୍ଦ ବୋଲି ଗ୍ରହଣ କରିପାରିବେ ନାହିଁ । ପୁଣି ପ୍ରତିବାଦ କରିବା ପାଇଁ ଯେ ରାସ୍ତାକୁ ଓହ୍ଲାଇ ରାସ୍ତା ରୋକ କରିବା ଦରକାର, ବନ୍ଦ ପାଳନ କରିବା ବା ହିଂସାକାଣ୍ଡ କରିବା ଦରକାର ତାହା କୁ ଭୁଲ୍ ବୋଲି ପ୍ରମାଣିତ କରିଛନ୍ତି ଏହି ଅଭିଯାନର ଭାଗ ନେଉଥିବା ଲୋକମାନେ । ଚୁପ ରହି ଫଟୋ ଉଠାଇ, ନୀରବରେ କିଛି ଶବ୍ଦ ମାଧ୍ୟମରେ ବି ଜବରଦସ୍ତ ପ୍ରତିବାଦ କରାଯାଇପାରେ ତାହା ପ୍ରମାଣିତ କରାଯାଇଛି । ସାଧାରଣ ଜାଗାରେ ସାଧାରଣ ପୋଷାକରେ ସାଧାରଣଭାବରେ ଅସାଧାରଣଭାବେ ଅତୀବ ତୀବ୍ର ବିରୋଧର ଏ ଯେଉଁ ଅୟମାରମ୍ଭ ହୋଇଛି ତାହା ସତରେ ଓଡିଶାର ସାମାଜିକ ଗଣମାଧ୍ୟମ ଇତିହାସରେ ବିରଳ ଦୃଷ୍ଟାନ୍ତ ହୋଇ ଠିଆ ହୋଇଛି ।

    ବ୍ୟବସାୟିକ ପ୍ରତିଷ୍ଠାନ ଓଡିଆଙ୍କର ଶତ୍ରୁ ନୁହନ୍ତି । ବରଂ ଓଡିଆମାନେ କାହିଁ କେଉଁ ଆଦିମ କାଳରୁ ସେମାନଙ୍କ ସହିତ ଏକ ମିତ୍ରତା ସୂତ୍ରରେ ବାନ୍ଧି ହୋଇ ଆସିଛନ୍ତି । ମାତ୍ର ଓଡିଆଙ୍କ ଭାଷାକୁ ବିକୃତ କରୁଥିବା ରଜୋ ମାନସିକତା ହିଁ ଆମର ଓଡିଆଙ୍କ ଶତ୍ରୁ । ମାତୃଭାଷାକୁ ଅପଭ୍ରଂଶ କରି ବିକୃତ କରି ଲେଖୁଥିବା ପ୍ରତ୍ୟେକ ବ୍ୟକ୍ତି ଏହି ଅଭିଯାନରୁ ଶିକ୍ଷା ଗ୍ରହଣ କରିଥିବେ ବୋଲି ଆଶା କରାଯାଉଛି । କାନ୍ଥରୁ ପ୍ରାଚୀରପତ୍ର ହଟାଇବା କିମ୍ବା ହୋର୍ଡିଂ ଉଠାଇବାଠୁ ବରଂ ମନ ଭିତରେ ଥିବା ରଜୋ ମାନସିକତା ହଟାଇବା ବେଶୀ ଆବଶ୍ୟକ । ତେଣୁ ଏ ଅଭିଯାନର ଗହଣୀୟତା ସହଜରେ ବଢି ଚାଲିଛି । ଏହି ଅଭିଯାନ ଯଦି ସଫଳ ହୁଏ ତେବେ ଆଗାମୀ ଦିନରେ ବିଜ୍ଞାପନରେ ହେଉଥିବା ଓଡିଆଭାଷାର ବିକୃତକରଣ ରୋକିବାପାଇଁ ବାଟ ଖୋଲିଯିବ ବୋଲି ଆଶାକରାଯାଊଛି ।

    ଧବଳଗିରି, ଯାଜପୁର ରୋଡ
    ୭୯୭୮୬୭୧୭୭୬

     

    Maximum 500 characters

    ଆପଣଙ୍କ ମତ View all

    Find Us on Facebook