Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମେ’ ୧୫ ପରେ ମୋଡ଼ ବଦଳାଇବ ବିଜେପି !

    Share on :
    Date: May 10, 2018    Views: 11685

    ଭୁବନେଶ୍ୱର : ଅକ୍ଷିତୃତୀୟା ପରଠାରୁ ଧିମେଇ ଯାଇଛି ବିଜେପି  । ଆଉ ନେତାଙ୍କ ଠାଣି ନାହିଁ କି ଆଉ ବିଜେଡ଼ିକୁ ଆଖିତରାଟି ଚାହିଁ ପାରୁନାହାନ୍ତି  । ମିଡିଆରୁ ନେଇ ସୋସିଆଲ ମିଡ଼ିଆ ଯାଏଁ, ଗାଁଠୁ ନେଇ ସହର ଯାଏଁ ସବୁଠି ବିଜେପି କର୍ମୀ ଗୁମସୁମ୍  । ‘ପଦ୍ମ’ ପାଖୁଡ଼ା ଉପରେ ପଡ଼ିଛି ‘ହାତ’ର ପ୍ରଭାବ  । ରାଜଧାନୀର ବଡ଼ ନେତା ହୁଅନ୍ତୁ କି ତୃଣମୂଳସ୍ତରର ନେତା, ସବୁ ଶିବିର ଚିନ୍ତାଗ୍ରସ୍ତ  । ପଂଚାୟତ ନିର୍ବାଚନର ଯୋଶ ହଠାତ୍ ନିରଞ୍ଜନଙ୍କ ଆବିର୍ଭାବ ପରେ ମଳିନ ପଡ଼ିଛି  । ବିଜେଡ଼ି ସହ ତାଳଦେଇ ଗଣମାଧ୍ୟମର ଶିରୋନାମାରେ ବିଜେପି ରହୁଥିବାବେଳେ ଏବେ ବିଜେପିର ସ୍ଥାନ ଛଡ଼ାଇ ନେଇଛି କଂଗ୍ରେସ  । ପ୍ରଦୀପ ମହାରଥୀଙ୍କ ଭାଷାରେ ଧର୍ମେନ୍ଦ୍ର ଆଉ ଆଗଭଳି ଓଡ଼ିଶା ଆସୁନାହାନ୍ତି କି ବିଜେଡ଼ି ସରକାରଙ୍କ ଉପରେ ତୁମ୍ବିତୋଫାନ ଦେଖାଉନାହାନ୍ତି  । ରାଜ୍ୟ ବିଜେପି ଅଳିନ୍ଦରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ ମେ’ ୧୫କୁ ହିଁ ସମସ୍ତେ ଅପେକ୍ଷା କରି ରହିଛନ୍ତି  । ମେ’ ୧୫ରେ ରାଜ୍ୟ ବିଜେପିର ଗତିପଥ ବଦଳିବ  । ନୂଆ ରଣନୀତି ହେବବୋଲି ଜଣେ ବରିଷ୍ଠ ବିଜେପି ନେତା ସୂଚନା ଦେଇଛନ୍ତି  ।

    ପଂଚାୟତ ନିର୍ବାଚନରେ ବିଜେପିର ଆଶାତୀତ ସଫଳତା ନବୀନ ସରକାରଙ୍କୁ ଜୋରଦାର ଝଟକା ଦେଇଥିବାବେଳେ ବିଜେପୁର ଉପନିର୍ବାଚନରେ ବିଜେଡ଼ି ପଲଟବାର କରିଥିଲା  । ବିଜେପୁରରେ ପଂଚାୟତ ନିର୍ବାଚନରେ ବିଜେଡ଼ି ଠାରୁ ବିଜେପି ପ୍ରାୟ ୫୦ ହଜାର ଭୋଟ ଆଗରେ ଥିବାବେଳେ ଉପନିର୍ବାଚନରେ କିନ୍ତୁ ବିଜେପି ୪୦ ହଜାର ଭୋଟରେ ଲଜ୍ଜାଜନକ ପରାଜୟ ବରଣ କରିଥିଲା  । ଫଳରେ ପଂଚାୟତ ନିର୍ବାଚନର ଉଜାଣି ଉତ୍ସାହ ଗୋଟିଏ ଝଡ଼ରେ ଥମି ଯାଇଥିଲା  । ସେହିଦିନ ଠାରୁ ବିଜେପିରେ ଘଂଟାଚକଟା ଜାରି ରହିଥିବାବେଳେ ପୁଣି ପୂର୍ବ ଉତ୍ସାହ ଫେରି ପାଇବା ପାଇଁ ଅଙ୍କ କଷୁଥିଲା  । କିନ୍ତୁ ହଠାତ୍ ପିସିସି ବଦଳିଗଲା  । ପ୍ରସାଦ ହରିଚନ୍ଦନଙ୍କ ସ୍ଥାନ ନେଇଗଲେ ନିରଞ୍ଜନ ପଟ୍ଟନାୟକ  । ନିରଞ୍ଜନ ସଭାପତି ହେବାର ମାସେ ହୋଇନଥିବାବେଳେ ଏବେ କଂଗ୍ରେସକୁ ନେଇ ରାଜ୍ୟ ରାଜନୀତିରେ ସରଗରମ ଚର୍ଚ୍ଚା  । ପ୍ରତିଦିନ କଂଗ୍ରେସର ବଡ଼ ନେତାମାନେ ଜିଲ୍ଲା ଗସ୍ତ କରୁଛନ୍ତି  । ଜିଲ୍ଲାରେ ବଡ଼ ଆକାରର ସମ୍ବଦ୍ଧ୍ୱର୍ନା ପର୍ବ ସହ ରଣନୀତି ପ୍ରସ୍ତୁତ କରାଯାଉଛି  । ଏଇ କଂଗ୍ରେସ ଭୋଟ ଖାଇ ବିଜେପିର ନାଡ଼ ଫୁଲି ଯାଇଥିବାବେଳେ ପଦ୍ମଫୁଲ ସତେଜ ହୋଇଯାଇଥିଲା  । କିନ୍ତୁ ଏବେ ସ୍ଥିତି ପୂରା ବଦଳିଯାଇଛି  । ହଠାତ୍ ଆଶ୍ଚର୍ଯ୍ୟଜନକ ଭାବେ କଂଗ୍ରେସିଆ ଏକ ହୋଇଯାଇଛନ୍ତି  । ଗାଁ ଗହଳିରେ ତୁନି ପଡ଼ିଥିବା କଂଗ୍ରେସ କର୍ମୀମନରେ ଫୁଲ୍ ଯୋଶ ଭରିଯାଇଛି  । ଫଳରେ ଗତ ମାସ ଧରି ବିଜେଡ଼ି ବନାମ କଂଗ୍ରେସ ବୋଲି ଚର୍ଚ୍ଚା ହେଉଛି  ।

    ଅପରପକ୍ଷରେ ରାଜ୍ୟ ବିଜେପି ମନରେ ଯୋଶ ଭରିଥିବା ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ଏବେ ଚିନ୍ତାଗ୍ରସ୍ତ  । କର୍ଣ୍ଣାଟକ ନିର୍ବାଚନରେ ଦଳ ପୂର୍ବରୁ ଯେଉଁ ସଫଳତା ପାଇବ ବୋଲି ଆଶା କରିଥିଲା ସେଭଳି ହେବନି ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି  । ଏମିତିକି ବିଜେପିର ଅନ୍ତରୀଣ ସର୍ଭେ ବି ସେଇଆ କହୁଛି  । ସେପଟେ ଉତରପ୍ରଦେଶରେ ବିଶାଳ କାୟା ମେଲିଥିବା ବିଜେପି ଯୋଗୀ ଆଦିତ୍ୟନାଥଙ୍କ ଗୋରଖପୁର ଓ ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟଙ୍କ ଫୁଲପୁରରେ ଫୁଲର ସତା ହଜିଯାଇଛି  । ସତେଯେମିତି ପଦ୍ମଫୁଲରେ ‘ହାତୀ’ ଖୋଜ ପକାଇ ଦେଇଥିବାବେଳେ ‘ସାଇକେଲ’ ମାଡ଼ି ଯାଇଛି  । ପୂର୍ବରୁ ରାଜସ୍ଥାନ ଉପନିର୍ବାଚନରେ ବି ଦଳ ଦୁଇ ଦୁଇଟି ଆସନ ହରାଇଛି  । ୨୦୧୪ରେ ବିଜେପି ଯେତିକି ଆସନ ପାଇଥିଲା ଏବେ ତାହା କମି ସାରିଲାଣି  । ଶାହା ଓ ମୋଦିଙ୍କ ଗଡ଼ରେ ବି ‘ହାତ’ ଦବଦବା ଦେଖାଇଛି  । ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡ଼ୁ ହାତ ଛାଡ଼ି ସାରିଛନ୍ତି  । ମହାରାଷ୍ଟ୍ରରେ ଶିବସେନା ଏବେ ବିଜେପିକୁ ପରମ ଶତ୍ରୁ ବୋଲି ଭାବିଛି  । ଜାମ୍ମୁକାଶ୍ମୀରରେ ବି ସହଯୋଗୀ ଦଳ ବିଜେପିକୁ ଭାରି ଅକଳରେ ପକାଇ ସାରିଛି  । ପଂଜାବରେ ବି ସମାନ ଅବସ୍ଥା  । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବି ବିଜେପି ଛନ୍ଦି ହୋଇ ସାରିଲାଣି  । ଏଭଳି ପରିପ୍ରେକ୍ଷୀରେ ବିଜେପିର ଟନିକ୍ ଭାବେ କାର୍ଯ୍ୟ କରୁଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଶାହା ଓ ମୋଦିଙ୍କୁ ଟାର୍ଗେଟ କରିବା ଆରମ୍ଭ କଲାଣି  । ବିଶେଷକରି ଦଳିତ ଭୋଜନକୁ ଡ୍ରାମାବାଜି ବୋଲି କହି ଶାହାଙ୍କ ଯୋଜନାରେ ପାଣି ପୂରାଇ ଦେଇଛି ସଂଘ  ।
    ଏବେ କର୍ଣ୍ଣାଟକ ନିର୍ବାଚନ ଫଳକୁ ଅପେକ୍ଷା କରିଛି ବିଜେପି  । କର୍ଣ୍ଣାଟକରେ ପୁଣି ୟେଦୁରପ୍ପାଙ୍କ ଉପରେ ଭରସା କରିଛି ବିଜେପି  । ମୋଦି ଓ ଶାହା ଦିନ ରାତି ଏକ କରିଦେଇଛନ୍ତି  । ମେ’ ୧୫ରେ କର୍ଣ୍ଣାଟକ ନିର୍ବାଚନ ଫଳ ବାହାରିବ । ଯଦି ବିଜେପି ବାଜିମାତ୍ କରେ ତେବେ ପୁଣି ଶାହା ଶକ୍ତିଶାଳୀ ହୋଇଯିବେ  । ଯାହାର ପ୍ରଭାବ ଓଡ଼ିଶା ରାଜନୀତିରେ ବି ପଡ଼ିବ  । ଗୁମସୁମ୍ ଥିବା ବିଜେପି ପୁଣି ଚାଙ୍ଗା ହୋଇଯିବ  । ଯଦି କର୍ଣ୍ଣାଟକରେ ବିଜେପି ପରାସ୍ତ ହୁଏ ତେବେ ବିଜେପି ହାୱାରେ ରୋକ ଲାଗିବ  । ଆଉ ଦଳ ଆଗ୍ରେସିଭ ରଣନୀତି ନ ଆପଣାଇ ଡିଫେନ୍ସିଭ ହେବାକୁ ବାଧ୍ୟ ହେବ  । ଭାରତର ସବୁ ରାଜ୍ୟ କରାୟତ କରିବା ବଦଳରେ ଦଳ ଅନ୍ୟ ଦଳ ସହ ମେଂଟ କରିବାକୁ ଆଗ୍ରହ ପ୍ରକାଶ କରିବା ଥୟ  । ଏଭଳି କ୍ଷେତ୍ରରେ ବିଜେଡ଼ିର ନିକଟତର ହେବାକୁ ଚେଷ୍ଟା କରିବ କେନ୍ଦ୍ରୀୟ ବିଜେପି  । ଖାଲି ସେତିକିନୁହେଁ ରାଜ୍ୟ ବିଜେପିର ଅସନ୍ତୁଷ୍ଟ ନେତାମାନଙ୍କୁ ପୁଣି ଗୁରୁତ୍ୱ ଦେବାକୁ ବିଜେପି ବାଧ୍ୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି  । ଏମିତିକି ରାଜ୍ୟ ବିଜେପି ସଭାପତି ବଦଳିବା ନେଇ ରଣନୀତି ଆରମ୍ଭ ହେବାର ଆଶଙ୍କା ରହିଛି  । ମେ’ ୧୫ ପରେ ରାଜ୍ୟ ବିଜେପି କେଉଁ ମୋଡ଼ ନେବ ତାହା ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି  ।

    Maximum 500 characters

    ଅଧିକ ମତାମତ

    ଖୁବ ସୁନ୍ଦର ଅନୁଚିନ୍ତା ସତ୍ୟକୁ ନେଇ ସାମ୍ନା

    Mahendra Sahoo

    May 10, 2018

    ଖୁବ ସୁନ୍ଦର ଅନୁଚିନ୍ତା ସତ୍ୟକୁ ନେଇ ସାମ୍ନା

    Mahendra Sahoo

    May 10, 2018

    ରାଜନୀତି View all

    Find Us on Facebook