ମୁଖ୍ୟ ଖବର
ଭୁବନେଶ୍ୱର : ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ବିଜେପି ମନରେ ଛନକା ପଶିଥିବାବେଳେ ବିଜେଡ଼ି ନେତାମାନେ ମନେମନେ କୁତୁକୁତୁ ହେଉଥିବା ଦେଖିବାକୁ ମିଳିଛି । ଏମିତିକି ପୂର୍ବରୁ ଧର୍ମେନ୍ଦ୍ରଙ୍କ ଭୟ ଘାରିଥିବାବେଳେ ଏବେ ବିଜେଡ଼ି ନେତାମାନେ ଧର୍ମେନ୍ଦ୍ରଙ୍କୁ ଛିଗୁଲାଉଥିବା ଦେଖିବାକୁ ମିଳିଛି । ଧର୍ମେନ୍ଦ୍ରଙ୍କର ଆଜିକାଲି ଆଉ ଦେଖା ଦର୍ଶନ ନାହିଁ ବୋଲି ମହାରଥୀ ଛିଗୁଲାଇ ଥିବାବେଳେ ବିଜେପି ବି ଏହାର କଡ଼ା ଜବାବ ଦେଇ ପୁଣି ରୋଚକ ଚର୍ଚ୍ଚା ସୃଷ୍ଟିକରିଛି ।
ଗଣମାଧ୍ୟମକୁ ପ୍ରଦୀପ ମହାରଥୀ କହିଛନ୍ତିଯେ, ଆଉ ଆଗଭଳି ଧର୍ମେନ୍ଦ୍ରଙ୍କର ଦେଖା ଦର୍ଶନ ମିଳୁନି । ଟିଭି ପେପରରେ ବି ତାଙ୍କର ମୁହଁ ଦିଶୁନି । ବିଜେପୁରରେ ହାରିବା ପରେ ତାଙ୍କର ଓଡ଼ିଶା ଗସ୍ତ କମିଯାଇଛି । ଏମିତି ଭାବେ ମହାରଥୀ ଛିଗୁଲାଇ ଥିବାବେଳେ ବିଜେପି ଦେହରେ ନିଅାଁ ଲାଗିଯାଇଛି । ବିଜେଡ଼ି ଧର୍ମେନ୍ଦ୍ରଙ୍କୁ ଏତେ ଡରୁଛି କାହିଁକି ବୋଲି ବିଜେପି ପ୍ରଶ୍ନ କରିଛି । ଧର୍ମେନ୍ଦ୍ରଙ୍କୁ ବିଜେଡ଼ି ଡରୁଥିବାରୁ ସବୁବେଳେ ତାଙ୍କ ଉପରେ ନଜର ରଖିବାକୁ ବାଧ୍ୟ ହେଉଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ସେପଟେ ଜୁଆଁଇଙ୍କ ପଦ ଯିବା ପରେ ଗୁମସୁମ ଥିବା ସୁର ରାଉତରାୟ କିନ୍ତୁ ଧର୍ମେନ୍ଦ୍ରଙ୍କ ପାଇଁ ବ୍ୟାଟିଂ କରିଛନ୍ତି । ସିଧାସିଧା କହିଛନ୍ତି, କେନ୍ଦ୍ରରେ ଗୋଟିଏ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ ହିଁ ଓଡ଼ିଶାର ଟେକ ରଖିଛନ୍ତି । ଓଡ଼ିଶା ପାଇଁ କାମ କରୁଛନ୍ତି । ପ୍ରତିଦିନ ଖବରକାଗଜ ଓ ଟିଭି ଖୋଲିଲେ ଧର୍ମେନ୍ଦ୍ର ଆଉ ଧର୍ମେନ୍ଦ୍ର । ମହାରଥୀ କିଭଳି ଏକଥା ଜାଣିପାରୁନାହାନ୍ତି ବୋଲି ସୁର ମଧ୍ୟ ପ୍ରଶ୍ନ କରିଛନ୍ତି ।
Comments ସମସ୍ତ ମତାମତ 0