ମୁଖ୍ୟ ଖବର
ଭୁବନେଶ୍ୱର : ପାଣି ଖେଳୁଛି ଦୋଳିରେ ଭାଇ, ଦୋଳି ଖେଳୁଛି ପାଣି, ତଳୁ ଉପର, ଉପର ତଳ ଦେଖାଏ କେତେ ଠାଣି । ହାଲକୁ ଜଗତସିଂହପୁର ରାଜନୀତିରେ ଏମିତି ପରିସ୍ଥିତି ଦେଖିବାକୁ ମିଳୁଛି । ଏକଦା ବିଷ୍ଣୁ ଦାସ ଥିଲେ ରାଜ୍ୟସଭା ସାଂସଦ । ବିଧାୟକ ଭାବେ ନିର୍ବାଚିତ ନହେଲେ ବି ତାଙ୍କ ପତିଆରା କମ୍ ନଥିଲା । ଆଜିଯାଏଁ ଦାମବାବୁ ସଂସଦକୁ ଯାଇନଥିବାବେଳେ ବିଷ୍ଣୁଙ୍କୁ ଦିଲ୍ଲୀ ଲଡ଼ୁ ଖୁଆଇଥିଲେ ନବୀନ । ହେଲେ ବିଷ୍ଣୁ ଲଡ଼ୁର ସୁଆଦ ପାଇବା ପୂର୍ବରୁ ହଠାତ୍ ନବୀନ ବିଷ୍ଣୁଙ୍କ ପାଟିରୁ ଲଡ଼ୁ ଛଡ଼ାଇ ଆଣିଥିଲେ । ସେତେବେଳେ ଦାମବାବୁଙ୍କ ଆନନ୍ଦ କହିଲେ ନସରେ । ହେଲେ ପରେ ଦାମଙ୍କ ଭାଗ୍ୟ ଆକାଶରେ ଧୂମକେତୁ ଘୂରି ବୁଲିଥିଲା । ଅମାନିଆ ତୁଣ୍ଡ ପାଇଁ ନବୀନବାବୁ ତାଙ୍କ ମୁଣ୍ଡ ଗଡ଼ାଇ ଦେଇଥିଲେ । ବ୍ରାହ୍ମଣମାନେ ଭିକ ମାଗିବା କଥା କହି ବ୍ରହ୍ମଶାପର ଶିକାର ହୋଇଥିଲେ ଦାମ । ଖାଲି ମନ୍ତ୍ରୀମଣ୍ଡଳରୁ ନୁହେଁ ଦଳର ଉପସଭାପତି ପଦରୁ ବି ଦାମଙ୍କୁ ବିଦା କରାଯାଇସାରିଛି । ଦାମଙ୍କ ଏଭଳି ଅବସ୍ଥା ଦେଖି ବିଷ୍ଣୁ ଖୁସିରେ ନାଚି ଉଠିଛନ୍ତି । ତାଙ୍କ ପଦ ଯିବାର ଦୁଃଖ ଦାମଙ୍କ ବେଦନା ପାଇଁ ସୁଖରେ ପରିଣତ ହୋଇଛି । ଦାମଙ୍କ ଏଭଳି ବେହାଲ୍ ହାଲ୍ ଦେଖି ବିଷ୍ଣୁ ଏବେ ପୁରୁଣା ଖୁଟିଆ ବୁଦ୍ଧି ଆପଣାଇଛନ୍ତି । ଦାମଙ୍କ ଗଡ଼ରେ ଯାଇ ସଭା ସମିତି ବି କରୁଛନ୍ତି । ଏମିତିକି ପାରାଦୀପ କଲେଜରେ ଦାମଙ୍କୁ ଅତିଥି ଭାବେ ନଡାକି ବିଷ୍ଣୁଙ୍କୁ ଡକାଯାଇଥିଲା । କଥା ଏତିକିରେ ସରିନି । କୈବର୍ତ ମହାସଭାର ଚଇତି ପରବରେ ବି ଅତିଥି ସାଜିଛନ୍ତି ବିଷ୍ଣୁ । ଦାମଙ୍କୁ ପାନେ ଦେଇଥିବାରୁ ବିଷ୍ଣୁ ଏବେ କୁରୁଳି ଉଠୁଥିବାବେଳେ ପାନ ପାକୁଳି ପାଟିରେ ଦାମବାବୁ କେବେ ବାଣ ଛାଡ଼ିବେ ତାହାକୁ ନେଇ ଜଗତସିଂହପୁର ରାଜନୀତିରେ ଘମାସାନ ଚର୍ଚ୍ଚା ଚାଲିଛି ।
Comments ସମସ୍ତ ମତାମତ 0