Jul 19, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପିରେ ଯୋଗଦେବେ ବାଲେଶ୍ୱରର କଂଗ୍ରେସ ନେତା

    Share on :
    Date: Apr 10, 2018    Views: 8439

    ଭୁବନେଶ୍ୱର : କେତେବେଳେ ବିଜେଡ଼ି ତ କେବେ ବିଜେପି କଂଗ୍ରେସକୁ ମେନ୍ଥିବାରେ ଲାଗି ପଡ଼ିଛନ୍ତି  । ଗୋଟିଏ ପଟେ ଗଂଜାମର ଟାଣୁଆ କଂଗ୍ରେସ ନେତାମାନଙ୍କୁ ବିଜେଡ଼ି ନିଜ ଖାଳେଇରେ ଭର୍ତି କରି ସାରିଥିବାବେଳେ ଅପରପକ୍ଷରେ ବାଲେଶ୍ୱରର ଆଗଧାଡ଼ିର କଂଗ୍ରେସ ନେତାମାନେ ବିଜେପିକୁ ଯିବା ପାଇଁ ସଜବାଜ ହେଉଥିବା ଜାଣିବାକୁ ମିଳିଛି  । ସିମୁଳିଆର ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡା, ଜଳେଶ୍ୱରର ଜୟନାରାୟଣ ମହାନ୍ତି ଓ ଦେବୀ ପ୍ରସନ୍ନ ଚାନ୍ଦ ଖୁବଶୀଘ୍ର ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଜୋରଧରିଛି  । ତିନି ବରିଷ୍ଠ କଂଗ୍ରେସ ନେତା ବିଜେପିରେ ଯୋଗଦେବାର ସମ୍ଭାବନା ଥିବାରୁ ବାଲେଶ୍ୱର ରାଜନୀତି ସରଗରମ ହୋଇଯାଇଛି  ।
    ବାଲେଶ୍ୱର ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ସମ୍ପତି କଂଗ୍ରେସର ଅବସ୍ଥା ଯାହା ସେହି ପରିସ୍ଥିତିରେ ବିଜେପି କିମ୍ବା ବିଜେଡ଼ିକୁ ଯିବା ବ୍ୟତିରେକ ନେତାଙ୍କ ପାଖରେ ଆଉ କିଛି ଚାରା ନାହିଁ  । ଏବେ ବାଲେଶ୍ୱରରେ ବିଜେଡ଼ିର ଦବଦବା ରହିଥିବାବେଳେ ପ୍ରତି ନିର୍ବାଚନମଣ୍ଡଳୀରେ ଦଳର ଟାଣୁଆ ନେତା ବିଧାୟକ ଅଛନ୍ତି  । ତେଣୁ ବିଜେଡ଼ିକୁ ଗଲେ ଟିକେଟ ମିଳିବାର ସମ୍ଭାବନା ଆଦୌ ନାହିଁ କହିଲେ ଚଳେ  । ସେଥିପାଇଁ ଆଗଧାଡ଼ିର କଂଗ୍ରେସ ନେତାମାନେ ବିଜେପିକୁ ଯିବା ପାଇଁ ଗୋଡ଼ ଟେକି ବସିଥିବା କୁହାଯାଉଛି  ।
    ମିଳିଥିବା ସୂଚନାନୁଯାୟୀ, ୧୯୯୫ ଓ ୨୦୦୦ରେ ଜଳେଶ୍ୱରରୁ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଜୟନାରାୟଣ ମହାନ୍ତି  । କିନ୍ତୁ ପରବର୍ତୀ ସମୟରେ ସେ ପରାଜୟର ସାମ୍ନା କରିଥିବାବେଳେ ଟିକେଟ ମଧ୍ୟ ପାଇନଥିଲେ  । କିନ୍ତୁ ରାଜନୀତିରେ ଏବେବି ସେ ସକ୍ରିୟ ରହିଥିବା କୁହାଯାଉଛି  । ଅପରପକ୍ଷରେ ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି  । ଜଳେଶ୍ୱରରେ ବେଶ୍ ପ୍ରଭାବ ବିସ୍ତାର କରିଥିବା ଦେବୀ ଚାନ୍ଦ ଜୟନାରାୟଣଙ୍କ ସ୍ଥାନ ନେଇଥିଲେ  । ଦେବୀ ୨୦୦୯ରେ ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ  । ସେହିପରି ସିମୁଳିଆର ଆଉ ଜଣେ ଟାଣୁଆ କଂଗ୍ରେସ ନେତା ହେଉଛନ୍ତି ପଦ୍ମଲୋଚନ ପଣ୍ଡା  । ୧୯୮୫, ୧୯୯୫ ଓ ୨୦୦୪ରେ ପଦ୍ମଲୋଚନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ  । ଏମିତିକି ଗିରିଧର ଗମାଙ୍ଗ ଓ ହେମାନନ୍ଦ ବିଶ୍ୱାଳଙ୍କ ମନ୍ତ୍ରୀମଣ୍ଡଳରେ ମଧ୍ୟ ସେ ମନ୍ତ୍ରୀ ହେବାର ସୌଭାଗ୍ୟ ପାଇଥିଲେ  । ୨୦୦୯ ଓ ୨୦୧୪ରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି  । ଫଳରେ ସେ ମଧ୍ୟ ବିଜେପିକୁ ଯାଇ ନିଜର ରାଜନୈତିକ ଭବିଷ୍ୟତ ଉଜ୍ଜ୍ୱଳ କରିବାର ଲକ୍ଷ୍ୟ ରଖିଥିବା ତାଙ୍କର ସମର୍ଥକମାନେ ମତପ୍ରକାଶ କରିଛନ୍ତି  । ତେବେ ତିନି ନେତା ଏପର୍ଯ୍ୟନ୍ତ ନିଜର ରଣନୀତି ନେଇ ମୁହଁ ଖୋଲିନାହାନ୍ତି  । ଏଯାଏଁ ବି ସେମାନେ କଂଗ୍ରେସରେ ରହିଛନ୍ତି । ଆଗାମୀ ଦିନରେ ରାଜ୍ୟ କଂଗ୍ରେସର ରୂପରେଖ ବଦଳିବାର ସମ୍ଭାବନା ଥିବାରୁ ସେମାନେ ନୀରବ ରହିବାକୁ ଉଚିତ ମନେ କରୁଛନ୍ତି  । ଯଦି କଂଗ୍ରେସର ଅବସ୍ଥା ପୂର୍ବଭଳି ରହେ ତେବେ ସେମାନେ ଦଳ ଛାଡ଼ିଲେ ଆଶ୍ଚର୍ଯ୍ୟ ହେବାର ନାହିଁ  । ସେହିପରି ତିନି ନେତାଙ୍କର ଦୃଢ଼ ସଂଗଠନ ଥିବାରୁ ବିଜେପି ମଧ୍ୟ ଫାଇଦାରେ ରହିବା ସହ ବିଜେଡ଼ିକୁ ଟକ୍କର ଦେବାରେ ସମର୍ଥ ହୋଇପାରିବ  ।

    Maximum 500 characters

    ରାଜନୀତି View all

    Find Us on Facebook