Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଅକ୍ଷିତୃତୀୟାରେ ବୀଜବପନ କରିବ କଂଗ୍ରେସ

    Share on :
    Date: Apr 10, 2018    Views: 3701

    ଭୁବନେଶ୍ୱର : ରାଜ୍ୟ କଂଗ୍ରେସରେ ଆମୂଳଚୁଳ ପରିବର୍ତ୍ତନ ହେବବୋଲି ଏଆଇସିସିର ନବନିଯୁକ୍ତ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ କହିବା ପରେ ରାଜ୍ୟ କଂଗ୍ରେସ ଚଳଚଂଚଳ ହୋଇଯାଇଛି  । ଗୋଟିଏ ପଟେ ପ୍ରସାଦ ବିରୋଧୀ ଗୋଷ୍ଠୀ ଉତ୍ସାହିତ ହୋଇପଡ଼ିଥିବାବେଳେ ଅପରପକ୍ଷରେ ପ୍ରସାଦଙ୍କ ଶିବିରରେ ଆଶଙ୍କା ପ୍ରକାଶ ପାଇଛି  । ତେବେ ଅପ୍ରେଲ ୧୮ରେ ଜିତେନ୍ଦ୍ର ସିଂହ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି  । ଫଳରେ ଅକ୍ଷୟ ତୃତୀୟାରୁ  ଜମିରେ ବୀଜ ବପନ ସହ କଂଗ୍ରେସରେ ମଧ୍ୟ ବୀଜ ବପନ ହେବବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି  ।

    ମିଳିଥିବା ସୂଚନାନୁସାରେ ପିସିସି ପକ୍ଷରୁ ଓଡ଼ିଶା ଆସିବା ପାଇଁ ଜିତେନ୍ଦ୍ର ସିଂହଙ୍କୁ ଆମନ୍ତ୍ରଣ କରାଯାଇଛି  । ଅକ୍ଷୟତୃତୀୟା ଓଡ଼ିଶାର ଏକ ମହତ୍ୱପୂର୍ଣ୍ଣ ପର୍ବ ହୋଇଥିବାରୁ ହିଡ଼ମୁଣ୍ଡରୁ ରାଜନୀତିକ ବୀଜ ବପନ ପାଇଁ ପିସିସି ଲକ୍ଷ୍ୟ ରଖିଛି  । ଅପରପକ୍ଷରେ କଂଗ୍ରେସର ସାଂଗଠନିକ ଅଦଳବଦଳ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି  । ଜିଲ୍ଲା ସଭାପତି ଅଦଳବଦଳ ସହ ପିସିସିରେ ଅଦଳବଦଳ କରାଯିବ  । ପୂର୍ବର ଜୁମ୍ବୋ ଟିମ୍କୁ ଫିଙ୍ଗିଦେଇ ଅପେକ୍ଷାକୃତ ଛୋଟ ଟିମ୍ କରିବା ପାଇଁ ଯୋଜନା ରଖାଯାଇଛି  । ସେହିପରି ପ୍ରସାଦଙ୍କ ଲାଇନ୍ରେ ନଥିବା କେତେକ ଜିଲ୍ଲା ସଭାପତି ବଦଳାଇବା ପାଇଁ ପିସିସି ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି  । ପ୍ରାୟ ୧୭ ଜିଲ୍ଲା ସଭାପତି ବଦଳାଇବା ପାଇଁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଯୋଜନା କରିଛନ୍ତି  । ଏହି ୧୭ ଜିଲ୍ଲାରେ ନିଜ ମନପସନ୍ଦର ଜିଲ୍ଲା ସଭାପତି ରଖି ପିସିସିକୁ ନିଜ ହାତମୁଠାରେ ରଖିବା ପାଇଁ ପ୍ରସାଦ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଛନ୍ତି  । ଚଳିତ ସପ୍ତାହରୁ ଜିଲ୍ଲା ସଭାପତି ଅବଳବଦଳ କାର୍ଯ୍ୟ ଆରମ୍ଭ ହେବବୋଲି ଜାଣିବାକୁ ମିଳିଛି  । ଯଦି ୧୫ ଜିଲ୍ଲାରେ ପ୍ରସାଦଙ୍କ ଗୋଷ୍ଠୀର ସମର୍ଥକଙ୍କୁ ଜିଲ୍ଲା କଂଗ୍ରେସ ସଭାପତି କରାଯାଏ ତେବେ ପ୍ରସାଦ ବଦଳିବେ ନାହିଁ ବୋଲି ସ୍ପଷ୍ଟ ହୋଇଯିବ  । କିନ୍ତୁ ସେଭଳି ନହେଲେ ପ୍ରସାଦଙ୍କ ପିସିସି ସଭାପତି ପଦ ଯିବା ଥୟ  । କାହିଁକିନା ଅନ୍ୟ କୌଣସି ଗୋଷ୍ଠୀ ପ୍ରସାଦଙ୍କ ତୁଳନାରେ ଶକ୍ତିଶାଳୀ ହୋଇଯାଇଛନ୍ତି ବୋଲି ବାର୍ତା ଯିବ  । ତେଣୁ ଜିଲ୍ଲା ସଭାପତି ଅଦଳବଦଳ ଉପରେ ଉଭୟ ପ୍ରସାଦଙ୍କ ସମର୍ଥକ ଓ ବିରୋଧୀ ଗୋଷ୍ଠୀ ନଜର ରଖିଛନ୍ତି  । ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ପିସିସିରେ ସଭାପତି ପଦ ସହ କାର୍ଯ୍ୟକାରୀ ସଭାପତି ପଦ ମଧ୍ୟ ରଖାଯିବ  । କାମାକ୍ଷା ପ୍ରସାଦ ସିଂହଦେଓଙ୍କ ଅମଳରେ ଯେଉଁଭଳି ଭାବେ ତିନି ତିନି ଜଣ ନେତାଙ୍କୁ ପିସିସି ସଭାପତି ସହ ସମାନ୍ତରାଳ ଭାବେ କ୍ଷମତା ପ୍ରଦାନ କରାଯାଇଥିଲା ପୁଣି ଥରେ ସେହି ରଣନୀତି ଆପଣାଇବାକୁ ଯାଉଛି ଏଆଇସିସି  । ସେହିପରି ଦଳର ଟାଣୁଆ ନେତାଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ଅର୍ପଣ କରାଯାଇ ମାନଭଞ୍ଜନର ଲକ୍ଷ୍ୟ ରଖାଯାଇଛି  । ଦଳର ସମସ୍ତ ଟାଣୁଆ ନେତାମାନଙ୍କୁ କିଛି କିଛି ଦାୟିତ୍ୱ ଓ କ୍ଷମତା ଦିଆଯିବ  । ଯଦି ଏହା ସତ୍ୱେ ସେହି ନେତାମାନେ ବିଦ୍ରୋହ ଆରମ୍ଭ କରନ୍ତି ତେବେ ସେମାନଙ୍କୁ କଂଗ୍ରେସରୁ ଯିବା ରାସ୍ତା ଦେଖାଇ ଦିଆଯିବ ବୋଲି ରାହୁଲ ରୋକଠୋକ୍ ଭାବେ କହିଥିବା ଜାଣିବାକୁ ମିଳିଛି  । 

    Maximum 500 characters

    ରାଜନୀତି View all

    Find Us on Facebook