Apr 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ମୁଖ୍ୟ ଖବର

    ବିଜୟ ଓ ପ୍ୟାରୀଙ୍କ ଠାରୁ ବୈଜୟନ୍ତ କ’ଣ ପ୍ରଭାବଶାଳୀ ?

    Share on :
    Date: Apr 3, 2018    Views: 3905

    ଭୁବନେଶ୍ୱର : ବିଜୁ ଜନତା ଦଳୁ ରାଜନୈତିକ ଚକ୍ରର ଗତି ବଡ଼ ବିଚିତ୍ର  । ଏକଦା ବିଜେଡ଼ିର କ୍ଷମତାଶାଳୀ ନେତା ବିଜୟ ମହାପାତ୍ରଙ୍କୁ ବିଦା କରିବାରେ ସମର୍ଥ ହୋଇଥିଲେ ପ୍ୟାରୀମୋହନ ମହାପାତ୍ର  । ବିଜୟଙ୍କୁ ବିଦା କରିବା ପରେ ପ୍ୟାରୀ ପାଲଟିଗଲେ ବିଜେଡ଼ିର କ୍ଷମତାଶାଳୀ ନେତା  । ହେଲେ ଶେଷରେ ପ୍ୟାରୀଙ୍କୁ ମଧ୍ୟ ସମାନ ଦଶା ଭୋଗିବାକୁ ପଡ଼ିଥିଲା  । ପ୍ୟାରୀଙ୍କୁ ବିଦା କରିବାରେ ଯେଉଁ କେତେ ଜଣ ନେତା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରୁ ଜଣେ ଥିଲେ ବୈଜୟନ୍ତ ପଣ୍ଡା  । ଲଣ୍ଡନରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସହ ବୈଜୟନ୍ତ ହିଁ ସେଦିନ କଥା ହୋଇଥିଲେ  । ଏବେ ସେଇ ବୈଜୟନ୍ତଙ୍କ ପାଳି ପଡ଼ିଛି  । ତିନି ଜଣଙ୍କ ବିରୋଧରେ ନବୀନଙ୍କର ସମାନ ଅଭିଯୋଗ ‘ସେମାନେ ଅନ୍ତର୍ଘାତୀ  କାର୍ଯ୍ୟ’ କରୁଛନ୍ତି  । ଅପରପକ୍ଷରେ ନବୀନ ସେମାନଙ୍କ ପ୍ରତି ବିଶ୍ୱାସଘାତକତା କଲେ ବୋଲି ଅତୀତରେ ଦୁଇ ନେତା ବିଜୟ ଓ ପ୍ୟାରୀ କହିଥିବାବେଳେ ଏବେ ସମାନ କଥା ପରୋକ୍ଷରେ ଦୋହରାଇବା ଆରମ୍ଭ କରିଛନ୍ତି ବୈଜୟନ୍ତ ପଣ୍ଡା  ।

    ବିଜୁ ଜନତା ଦଳରୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଯେଉଁ ଯେଉଁମାନଙ୍କୁ ବହିଷ୍କାର କରିଛନ୍ତି ସେମାନଙ୍କ ରାଜନୈତିକ କ୍ୟାରିୟର ସମ୍ପୂର୍ଣ୍ଣ ଭାବେ ଅସ୍ତ ହୋଇଯାଇଛି  । ବିଜୁ ଜନତା ଦଳର ପ୍ରତିଷ୍ଠାତା ତଥା ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ ସାଂଗଠନିକ ଶକ୍ତି ରଖିଥିବା ବିଜୟ ମହାପାତ୍ର ହୁଅନ୍ତୁ କି ବିଜୁ ଜନତା ଦଳକୁ ପ୍ରାୟ ଏକ ଦଶନ୍ଧି ଧରି ପରିଚାଳିତ କରି ଆସୁଥିବା ମାର୍ଗଦର୍ଶକ ତଥା କ୍ଷମତାକେନ୍ଦ୍ର ପ୍ୟାରୀମୋହନ ମହାପାତ୍ର ହୁଅନ୍ତୁ କେହି ବି ବାଦ୍ ପଡ଼ିନାହାନ୍ତି  । ଦଳରୁ ବହିଷ୍କୃତ ହେବା ପରେ ସେମାନେଯେ, ଚୁପ ରହିଛନ୍ତି ତାହା ନୁହେଁ  । ବିଜୁ ଜନତା ଦଳର ପତନ ପାଇଁ ବଜ୍ର ସଂକଳ୍ପ ନେବା ସହ ଆଂଚଳିକ ଦଳ ମଧ୍ୟ ଗଠନ କରିଛନ୍ତି  । ଗଣମାଧ୍ୟମଠାରୁ ନେଇ ବିଭିନ୍ନ ଫୋରମ୍ରେ ମଧ୍ୟ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି  । ହେଲେ ନବୀନ ପୂର୍ବାପେକ୍ଷା ଆହୁରି ଶକ୍ତିଶାଳୀ ହୋଇଥିବାବେଳେ ସେହି ନେତାମାନଙ୍କ ରାଜନୈତିକ ଭବିଷ୍ୟତ ଅନିଶ୍ଚିତତା ଦେଇ ଗତି କରିଥିବାର ନଜିର ରହିଛି  । ଏହି କ୍ରମରେ ଏବେ ବୈଜୟନ୍ତ ପଣ୍ଡାଙ୍କ ପାଳି ଆସିଛି  । ତାଙ୍କୁ ବିଜେଡ଼ିରୁ ବହିଷ୍କାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଖୁବଶୀଘ୍ର ତାହା ମଧ୍ୟ ଘୋଷଣା ହୋଇଯିବ  । ତେବେ ଏହା ବିଜେଡ଼ିକୁ ପ୍ରଭାବିତ କରିବ ବୋଲି ବୈଜୟନ୍ତଙ୍କ ସମର୍ଥକମାନେ କହି ବୁଲୁଥିବାବେଳେ ସେ କ’ଣ ବିଜୟ ଓ ପ୍ୟାରୀଙ୍କ ଠାରୁ ଶକ୍ତିଶାଳୀ ଥିଲେ କି ବୋଲି ଚର୍ଚ୍ଚା ହେବା ସ୍ୱାଭାବିକ  ।

    ଅତୀତରେ ନବୀନ ଯେଉଁ ଯେଉଁମାନଙ୍କୁ ଦଳରୁ ବହିଷ୍କାର କରିଛନ୍ତି ବିଜେଡ଼ିକୁ ଶକ୍ତିଶାଳୀ କରିବାରେ ସେମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ଗ୍ରହଣ କରିଥିଲେ  । ନବୀନଙ୍କ ନିକଟତର ମଧ୍ୟ ଥିଲେ  । ପ୍ରଥମେ ଆସିବା ବିଜୟ ମହାପାତ୍ରଙ୍କ ଆଡ଼କୁ  । ବିଜୟବାବୁ ଥିଲେ ବିଜେଡ଼ିର ପ୍ରତିଷ୍ଠାତା ସଭ୍ୟ  । ନବୀନ ବାବୁ ନୂଆ ନୂଆ କରି ସଭାପତି ଦାୟିତ୍ୱ ନେଇଥିବାବେଳେ ବିଜୟଙ୍କୁ ହିଁ ବିଜେଡ଼ି କର୍ମୀ ଓ ନେତାଙ୍କ ନିକଟରେ ମୁଖ୍ୟ କ୍ଷମତା କେନ୍ଦ୍ର ଭାବେ ବିବେଚିତ ହେଉଥିଲେ  । ତେବେ ବିଜୟ ମହାପାତ୍ର ବିଜେଡ଼ିରେ ୩ ବର୍ଷ ପୂର୍ତି ପାଳନ କରୁଣୁ ଦଳରୁ ବିଦା ହୋଇଗଲେ  । ଅପ୍ରତ୍ୟାଶିତ ଭାବେ ତାଙ୍କର ଟିକେଟ କଟାଯିବା ସହ ଦଳରୁ ବହିଷ୍କାର ମଧ୍ୟ କରି ଦିଆଗଲା  । ନବୀନଙ୍କ ଏଭଳି ଆଭିମୁଖ୍ୟକୁ ବିଜୟ ବିଶ୍ୱାସଘାତକ ବୋଲି କହିଥିଲେ  । ପରବର୍ତୀ ସମୟରେ ସେ ଓଡ଼ିଶା ଗଣ ପରିଷଦ ନାମରେ ଏକ ଆଂଚଳିକ ଦଳ ମଧ୍ୟ ଗଠନ କଲେ  । ପ୍ରଥମ ନିର୍ବାଚନରେ ଓଜିପି ମଧ୍ୟ ଅଳ୍ପ କିଛି ସଫଳତା ପାଇଥିଲା  । କିନ୍ତୁ ପରବର୍ତୀ ସମୟରେ ଏହି ଦଳଟି ବିଲୀନ ହୋଇଯାଇଥିଲା  । ୨୦୦୦ ମସିହାରୁ ଏଯାବତ୍ ବିଜୟ ନବୀନଙ୍କ ବିରୋଧରେ ସ୍ୱର ଉତୋଳନ କରି ଆସୁଥିଲେ ମଧ୍ୟ ୨୦୦୦ରେ ବିଜେଡ଼ି ଯେତିକି ସଫଳତା ପାଇନଥିଲା ଏବେ ତାହାର ଦୁଇଗୁଣା ସଫଳତା ପାଇସାରିଛି  ।

    ବିଜୟଙ୍କୁ ବିଦା କରିବା ପଛରେ ପ୍ୟାରୀମୋହନ ମହାପାତ୍ରଙ୍କ ପ୍ରମୁଖ ଭୂମିକା ରହିଥିଲା ବୋଲି ଚର୍ଚ୍ଚା ହେଉଥିଲା  । ପ୍ୟାରୀଙ୍କ ନେତୃତ୍ୱରେ ବିଜେଡ଼ି ୨୦୦୪ ଓ ୨୦୦୯ରେ ବହୁ ସଫଳତା ପାଇଥିଲା  । ପ୍ୟାରୀ ମଧ୍ୟ ବାମପନ୍ଥୀ ଢାଂଚାରେ ବିଜେଡ଼ିକୁ କ୍ୟାଡ଼ରମୁଖୀ କରାଇବାରେ ଅନେକାଂଶରେ ସଫଳ ହୋଇଥିଲେ  । ପ୍ୟାରୀଙ୍କ ଗୋଟି ଚାଳନା ବିରୋଧୀଙ୍କ ଅକଲଗୁଡ଼ୁମ କରିଦେଇଥିଲା  । ଶେଷରେ ପ୍ୟାରୀ ମଧ୍ୟ ବିଜୟଙ୍କ ଭଳି ନିଜକୁ ସର୍ବଶକ୍ତିମାନ ନେତା ଭାବିନେଲେ  । ଅଧିକ ଆତ୍ମବିଶ୍ୱାସ କାରଣରୁ ସେ ଯେଉଁ କାର୍ଯ୍ୟ କଲେ ତାହାର ଫଳ ଭୋଗିବାକୁ ପଡ଼ିଲା  । ପ୍ୟାରୀଙ୍କୁ ମଧ୍ୟ ବିଜେଡ଼ିରୁ ବହିଷ୍କାର କରାଗଲା  । ଅପରପକ୍ଷରେ ବ୍ରହ୍ମାସ୍ତ୍ର ଛାଡ଼ିବେ ବୋଲି ଚେତାବନୀ ଦେଇଥିବା ପ୍ୟାରୀ ଓଡ଼ିଶା ଜନମୋର୍ଚ୍ଚା ଦଳଗଠନ କରିଥିଲେ ବି କୌଣସି ସ୍ଥାନରେ ଅମାନତ ରଖିପାରିନଥିଲେ  । ଏହିପରି ଭାବେ ପ୍ୟାରୀଙ୍କ ରାଜନୀତି ଅସ୍ତଗାମୀ ହୋଇଯାଇଥିଲା  । 

    ପ୍ୟାରୀମୋହନଙ୍କୁ ଦଳରୁ ବିତାଡ଼ିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୈଜୟନ୍ତ ପଣ୍ଡା  । ଏକଦା ବିଜୟ ଓ ପ୍ୟାରୀ ଯେମିତି ନବୀନଙ୍କର ନିକଟତର ଥିଲେ ଠିକ୍ ସେମିତି ବୈଜୟନ୍ତ ମଧ୍ୟ ନବୀନଙ୍କ ଖାସ୍ ଲୋକ ଥିଲେ  । କିନ୍ତୁ ଏବେ ଉଭୟଙ୍କ ମଧ୍ୟରେ ଅହି ନକୁଳ ସମ୍ପର୍କ  । ନବୀନ ଓ ବୈଜୟନ୍ତଙ୍କ ମଧ୍ୟରେ ଦୂରତା ଏତେ ବଢ଼ିଯାଇଛିଯେ ଆଉ ଏକାଠି ହେବା ସମ୍ଭବପର ନୁହେଁ  । ଏମିତିକି ବିଜୟ ଓ ପ୍ୟାରୀଙ୍କ ଭଳି ବୈଜୟନ୍ତଙ୍କୁ ମଧ୍ୟ ବହିଷ୍କାର କରିବା ପାଇଁ ନବୀନ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି  । ଏବେ ବୈଜୟନ୍ତ କରିବେ କ’ଣ ତାହା ଉପରେ ସମସ୍ତଙ୍କ ନିଘା ରହିଛି  । ଅତୀତରେ ଦୁଇ ଦୁଇ ଜଣ ଟାଣୁଆ ନେତା ଆଂଚଳିକ ଦଳ ଗଠନ କରି ବିଫଳ ହୋଇଛନ୍ତି  । ସେହିପରି ନବୀନଙ୍କୁ ମାତ୍ ଦେବା ପାଇଁ ବିଜୟ ଶେଷରେ ବିଜେପି ହାତ ଧରିଥିବାବେଳେ ୨୦୧୪ରେ ପ୍ୟାରୀମୋହନ ମଧ୍ୟ ବିଜେପିର ନିକଟତର ହୋଇଥିଲେ  । ଏବେ ବୈଜୟନ୍ତ ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି  । ତେବେ ବିଜେପି ବିଜୟଙ୍କୁ ହତାଦର କରିଥିବାବେଳେ ପ୍ୟାରୀଙ୍କୁ ତିରସ୍କାର କରିଥିଲା  । କିନ୍ତୁ ବୈଜୟନ୍ତଙ୍କୁ ବିଜେପି କେଉଁ ଦୃଷ୍ଟିରେ ଦେଖୁଛି ତାହା ଉପରେ ହିଁ ବୈଜୟନ୍ତଙ୍କ ରାଜନୀତିକ ଭବିଷ୍ୟତ ନିର୍ଭର କରେ ବୋଲି କୁହାଯାଇପାରିବ  । 

    Maximum 500 characters

    ଅଧିକ ମତାମତ

    No doubt, Jay Panda is a good leader .. but his vision towards Mr.CM ( He is a null and completely depends upon foreign minds like Pandian....) is childlike.!! Jay sir should go with his consciousness ! Jay Jagannath

    Ashutosh Rath

    Apr 3, 2018

    ତାଜା ଖବର View all

    Find Us on Facebook