Apr 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ମୁଖ୍ୟ ଖବର

    ଓଡ଼ିଶାରେ ମନରେଗା ବିଫଳ: ସିଏଜି

    Share on :
    Date: Mar 26, 2018    Views: 525

    ଭୁବନେଶ୍ୱର : ଗ୍ରାମସଭାରେ ଶ୍ରମ ବଜେଟ୍ ଅନୁମୋଦନ ହେଉନାହିଁ । ମଜୁରୀ ମଧ୍ୟ ଠିକ୍ ସମୟରେ ମିଳୁନାହିଁ । କାମ ପାଇଁ ଲୋକମାନେ ଆବେଦନ କରୁଥିଲେ ମଧ୍ୟ ସେମାନଙ୍କୁ କାମ ବା ବେକାରୀ ଭତା ମଧ୍ୟ ଦିଆଯାଇନାହିଁ । ଯେଉଁ ମାଟି ରାସ୍ତା ହେଉଛି ତାହା ମଧ୍ୟ ଦୀର୍ଘସ୍ଥାୟୀ ନୁହେଁ । ମଷ୍ଟର ରୋଲ୍ରେ ମଧ୍ୟ ବହୁ ତ୍ରୁଟି ପରିଲକ୍ଷିତ ହେଉଛି । ଭାରତୀୟ ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । 
    ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ରାଜ୍ୟର ୩୦ଟି ଜିଲ୍ଲାରେ ପରିବାରଗୁଡ଼ିକର ବାର୍ଷିକ ହାରାହାରି ଆୟ ୬୭୧ରୁ ୧୬୩୦ ମଧ୍ୟରେ ସୀମିତ ରହିଥିଲା । ଯେତେବେଳେ କି ଆଇନରେ ଥିବା ପ୍ରାବଧାନ ଅନୁଯାୟୀ ୧୦୦ ଦିନ କାର୍ଯ୍ୟ କରିଥିଲେ ୧୨୬୦୦ରୁ ୧୭୪୦୦ ଟଙ୍କା ମିଳିବାର ସମ୍ଭାବନା ରହିଥିଲା । ୨୦୧୨-୨୦୧୭ ମଧ୍ୟରେ ୮୩.୨୨ଲକ୍ଷ ପରିବାର ମଧ୍ୟରୁ ୬୩.୯୮ ପରିବାର ମନରେଗାରେ ପଂଜିକୃତ ହୋଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୨୬ରୁ ୩୭ ପ୍ରତିଶତ କାମ ପାଇଁ ଦାବି କରିଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି କାମ ଦାବି କରିଥିବା ପଂଜୀକୃତ ପରିବାର ମଧ୍ୟରୁ ମାତ୍ର ୨୩ରୁ ୩୨ ପ୍ରତିଶତ ପରିବାର କାମରେ ଯୋଗଦେଇଥିଲେ । ସେହିପରି ୧୦୦ ଦିନ କାମ ପାଇଥିବା ପରିବାର ସଂଖ୍ୟା ରାଜ୍ୟରେ ୨ରୁ ୯ ପ୍ରତିଶତ ରହିଥିବା ବେଳେ ଯେଉଁ ଯେଉଁ ଜିଲ୍ଲାରେ ଯାଂଚ କରାଯାଇଥିଲା ସେଠାରେ ତାହା ୧ରୁ ୧୫ ପ୍ରତିଶତ ରହିଥିଲା । ଜବକାର୍ଡ ନମିଳିବା, ବ୍ୟାଙ୍କ ଖାତା ଖୋଲାନଯିବା, ମଜୁରୀ ଦେବାରେ ବିଳମ୍ବ ଓ ବିଳମ୍ବିତ ମଜୁରୀ ପାଇଁ କ୍ଷତିପୂରଣ ଆଦି ନମିଳୁଥିବାରୁ ମନରେଗା ଯୋଜନାରେ ଆଶାନୁରୂପକ କର୍ମନିଯୁକ୍ତି ସୃଷ୍ଟି ହୋଇପାରିନାହିଁ । 
    ମନେରେଗା ଯୋଜନା ଦ୍ୱାରା ଯେଉଁ ପରିବାରଗୁଡ଼ିକ ନିଯୁକ୍ତି ପାଇଛନ୍ତି ସେମାନଙ୍କର ବାର୍ଷିକ ମଜୁରୀ ଗତ ପାଂଚ ବର୍ଷ ମଧ୍ୟରେ ୩୩୫୭ ଟଙ୍କାରୁ ୮୧୪୯ ଟଙ୍କା ମଧ୍ୟରେ ସୀମିତ ରହିଛି । ମୟୂରଭଂଜ ଜିଲ୍ଲାରେ ସର୍ବାଧିକ ପରିବାର ପିଛା ହାରାହାରି ୮୧୪୯ ଟଙ୍କା, ବଲାଙ୍ଗିରରେ ୭୯୫୮ ଟଙ୍କା ଓ ସୁନ୍ଦରଗଡ଼ରେ ୭୫୪୬ ଟଙ୍କା ମିଳିପାରିଥିଲା । ସେହିପରି ଗଂଜାମ, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର, ଦେଓଗଡ଼, କେନ୍ଦୁଝର ଜିଲ୍ଲାରେ ପରିବାର ପିଛା ଆୟ ୬୦୦୧ରୁ ୭୫୦୦ ଟଙ୍କା ରହିଛି, ଯେତେବେଳେ କି ବାଲେଶ୍ୱର, ଢେ଼ଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ଅନୁଗୋଳ, ସୋନପୁର, ବରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି ଓ ମାଲକାନଗିରିରେ ପରିବାରର ବାର୍ଷିକ ମଜୁରୀ ହାରାହାରି ୪୫୦୧ରୁ ୬ହଜାର ଟଙ୍କା ରହିଛି । ତେବେ ଉପକୂଳ ଓଡ଼ିଶାରେ ମନରେଗା ଦ୍ୱାରା ପରିବାରଗୁଡ଼ିକ କମ୍ ରୋଜଗାର କରିଥିବା ଲକ୍ଷ୍ୟ କରାଯାଇଛି । ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକରେ ପରିବାରର ହାରାହାରି ମଜୁରୀ ୩୩୫୭ ଟଙ୍କାରୁ ୪୫୦୦ ଟଙ୍କା ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । 

    Maximum 500 characters

    ବିଶେଷ View all

    Find Us on Facebook