ମୁଖ୍ୟ ଖବର
ଭୁବନେଶ୍ୱର : ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୟାଗଡ଼ର ନୋତର ଗ୍ରାମ ପଂଚାୟତ, ରାୟଗଡ଼ାର କୋଲନରା, ନୂଆପଡ଼ାର ଭୁଲିଆସିକୁଅାଁ ଓ ଭଦ୍ରକର ନାଆମୀ ପଂଚାୟତ ପାଇଁ ୧ କୋଟି ୧୬ ଲକ୍ଷ ଟଙ୍କାର ୨୨ ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗ୍ରାମ ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡ଼ିବା ସହିତ ମଂଜୁର ହୋଇଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶୀଘ୍ର ଏବଂ ଭଲ ଭାବେ କରିବା ପାଇଁ ପରାମର୍ଶ ଦେଇଥିଲେ । ନୟାଗଡ଼ ନୋତର ପଂଚାୟତର ୫ ପ୍ରକଳ୍ପ, ରାୟଗଡ଼ା କୋଲନରା ପଂଚାୟତର ୪ ପ୍ରକଳ୍ପ, ଭଦ୍ରକ ନାଆମୀ ପଂଚାୟତର ୭ ପ୍ରକଳ୍ପ ଓ ନୂଆପଡ଼ା ଭୁଲିଆସିକୁଅାଁ ପଂଚାୟତର ୬ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଂଜୁର ପ୍ରଦାନ କରିଛନ୍ତି ।
ଭିଡ଼ିଓ କନଫେରେନ୍ସିଂ ଦ୍ୱାରା ପ୍ରଥମେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ଗ୍ରାମ ପଂଚାୟତଗୁଡ଼ିକର ସରଂପଚମାନଙ୍କୁ ସେମାନଙ୍କ ଗାଁର ବିକାଶ ଯୋଜନା ସମ୍ପର୍କରେ ଉପସ୍ଥାପନା କରିବା ପାଇଁ କହିଥିଲେ । ସେମାନଙ୍କ ଠାରୁ ପଂଚାୟତ ଭିତିଭୂମି ବିକାଶ ପାଇଁ ଆସିଥିବା ପ୍ରସ୍ତାବଗୁଡ଼ିକୁ ବିଚାର କରି ତୁରନ୍ତ ମଂଜୁରୀ ପ୍ରଦାନ କରିଥିଲେ । ଗାଁର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କର ଏହି ଅଭିନବ ପ୍ରୟାସ ପାଇଁ ସ୍ଥାନୀୟ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ସୂଚନାଯୋଗ୍ୟଯେ, ଚଳିତ ମାର୍ଚ୍ଚ ୫ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରତି ସପ୍ତାହରେ ବୁଧବାର ଓ ଶୁକ୍ରବାର ବିଭିନ୍ନ ପଂଚାୟତର ଜନସାଧାରଣଙ୍କୁ ଭେଟି ସେମାନଙ୍କ ଗାଁର ବିକାଶ ସମ୍ପର୍କରେ ଆଲୋଚନା କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।
Comments ସମସ୍ତ ମତାମତ 0