ମୁଖ୍ୟ ଖବର
ଭୁବନେଶ୍ୱର : କଂଗ୍ରେସ ଦଳରେ ଏବେ ନେତୃତ୍ୱ ପରିବର୍ତନର ସ୍ୱର ତୀବ୍ର ହୋଇଛି । ଆଜି ବିଧାୟକ ଦଳ ବୈଠକରେ ଖୋଲାଖୋଲି ବିରୋଧର ସ୍ୱର ଉଠାଇଛନ୍ତି ବିଧାୟକ ତାରାବାହିନୀ ପତି ଓ ଯୋଗେଶ ସିଂହ । ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱକୁ କଡ଼ା ସମାଲୋଚନା କରିଛନ୍ତି । ବିଧାୟକ ଦଳ ବୈଠକ ନେଇ ବାହିନୀପତି କହିଛନ୍ତି ଦଳର ନେତୃତ୍ୱ ଓ ସ୍ଥିତି ଏଆଇସିସି ନିକଟରେ ଜଣାଇବୁ । ପ୍ରସାଦ ହରିଚନ୍ଦନ ପିସିସି ସଭାପତି ରହିବେ କି ନାହିିଁ ଜାଣିନାହିଁ । ପ୍ରସାଦ ସଭାପତି ପଦରେ ରହିଲେ ନିର୍ବାଚନ ଲଢ଼ିବି କି ନାହିଁ ଜାଣିନାହିଁ, କିନ୍ତୁ ନିର୍ବାଚନ ଲଢ଼ିବାକୁ ମନ କହୁନାହିଁ ବୋଲି କହିଛନ୍ତି ବାହିନୀପତି । ସେହିପରି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ମଧ୍ୟ ପ୍ରସାଦଙ୍କ ନେତୃତ୍ୱକୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି ପ୍ରସାଦଙ୍କ ନେତୃତ୍ୱ ଠିକ୍ ନୁହେଁ । ଏହା ଆଗରୁ କହିଛି ଓ ଏବେବି କହୁଛି । ପ୍ରସାଦ ସଭାପତି ପଦରେ ରହିଲେ ନିର୍ବାଚନ ବି ଲଢ଼ିବି ନାହିଁ କହିଛନ୍ତି ଯୋଗେଶ ।
ସୂଚନାଯୋଗ୍ୟ, ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଘରେ ବସିଥିଲା ବିଧାୟକ ଦଳ ବୈଠକ । ଏହି ବୈଠକରେ ତେବେ କଂଗ୍ରେସ ବିଧାୟକ ନବ କିଶୋର ଦାସ, କୃଷ୍ଣଚନ୍ଦ୍ର ସଗରିଆ ଓ କୈଳାସ କୁଳେଶିକା, ଚନ୍ଦ୍ରଶେଖର ମାଝୀଙ୍କୁ ବାଦ୍ ଦେଇ ଆଉ ସମସ୍ତ ବିଧାୟକ ବୈଠକରେ ଉପସ୍ଥିତ ଅଛନ୍ତି । ତେବେ ବ୍ୟକ୍ତିଗତ କାରଣରୁ ଏମାନେ ବୈଠକରେ ଯୋଗ ଦେଇପାରିବେ ନାହିଁ ବୋଲି ପୂର୍ବରୁ ବିରୋଧୀ ଦଳ ନେତାଙ୍କୁ ଅବଗତ କରାଇଛନ୍ତି । ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ ବୈଠକକୁ ଯାଇନଥିଲେ ।
ମିଳିଥିବା ସୂଚନାନୁଯାୟୀ, ଆସନ୍ତା ୧୬ରୁ ୧୮ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଏଆଇସିସିର ଅଧିବେଶନ ଅନୁଷ୍ଠିତ ହେବ । ଫଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଠାରୁ ଆରମ୍ଭ କରି ସମସ୍ତ ବିଧାୟକମାନେ ନୂଆଦିଲ୍ଲୀ ଯିବେ । ଓଡ଼ିଶାରୁ ପ୍ରାୟ ୪୫୦ କଂଗ୍ରେସ ନେତା ନୂଆଦିଲ୍ଲୀ ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ନୂଆଦିଲ୍ଲୀରୁ ବୈଠକ ସାରି ସେମାନେ ମାର୍ଚ୍ଚ ୧୯ରେ ଫେରିବେ । ମାର୍ଚ୍ଚ ୨୦ରୁ ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତେଣୁ ଏହା ପୂର୍ବରୁ ବଜେଟ ଅଧିବେଶନରେ ଦଳର ରଣନୀତି କ’ଣ ରହିବ ସେନେଇ ଆଲୋଚନା ହେବବୋଲି ଜାଣିବାକୁ ମିଳିଛି ।
Comments ସମସ୍ତ ମତାମତ 0