Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କଂଗ୍ରେସରେ ଆରମ୍ଭ ହେବ ଦଳ ଡିଆଁ

    Share on :
    Date: Mar 11, 2018    Views: 7239

    ଭୁବନେଶ୍ୱର (ଓଡିଆ ସ୍ପଟ ନୁ୍ୟଜ୍) : କଥା ରଖିଲାନି ଦିଲ୍ଲୀ  । ଆଉ ଚାରା ନାହିଁ । ଦଳ ଡିଅାଁ ବ୍ୟତୀତ ଆଉ କିଛି ଗତି ନାହିଁ  । ନିର୍ବାଚନକୁ ଆଉ ମାତ୍ର ଛଅ ସାତ ମାସ ବାକି  । ଶଙ୍ଖ କି ପଦ୍ମ ଖୁଆଡ଼କୁ ନଗଲେ ହାତ ଟେକି କି ଛାତି ଫୁଲାଇ କଥା ହେଇହେବନି  । ନବୀନ ବାବୁ କି ଧର୍ମେନ୍ଦ୍ର ବାବୁ ଟିକେଟ ନଦେଲେ ନାହିଁ କିଛି ନହେଲେ ବି ଆମ ପାର୍ଟିର ଏତେ ବିଧାୟକ କି ଏତେ ସାଂସଦ ତ କହିହେବ  । ଏମଏଲଏ ଲ୍ୟାଡ଼ କି ଏମପି ଲ୍ୟାଡ଼ ମିଳିବ  । ଗାଁ ବିଜେଡ଼ି କି ବିଜେପି ନେତାଙ୍କ ସହ ମିଶି ପଲ୍ଲୀସଭାରେ ଲକ୍ଷେ ଦି ଲକ୍ଷ ଟଙ୍କିଆ ପ୍ରୋଜେକ୍ଟରେ ଠିକାଦାରୀ କରିବାକୁ ତ ମଉକା ମିଳିବ ? ପ୍ରସାଦ ହରିଚନ୍ଦନଙ୍କୁ ପିସିସି ଚଉକି ପଦରୁ ନହଟେଇବାକୁ ରାହୁଲ ଗାନ୍ଧୀଙ୍କ ନିଷ୍ପତି ପରେ ଏବେ କଂଗ୍ରେସ ନେତାମାନେ ଏମିତି ଭାବନାରେ ବୁଡ଼ି ରହିଛନ୍ତି  ।

    ୨୦୧୪ ନିର୍ବାଚନ ପରଠାରୁ ଅଧିକାଂଶ କଂଗ୍ରେସ ନେତା ଭାବୁଥିଲେ ନିରଂଜନ ପଟ୍ଟନାୟକ କିମ୍ବା ଲୁଲୁ ମହାପାତ୍ରଙ୍କୁ ପିସିସି ସଭାପତି ଚଉକି ଦେଲେ ଭଲହୁଅନ୍ତା  । ଦଳ ମଜବୁତ ହୋଇପାରନ୍ତା  । ହେଲେ ସେମିତି ହେଲାନି  । ପିସିସି ଚଉକି ଦୌଡ଼ରେ ଆଦୌ ଚର୍ଚ୍ଚାରେ ନଥିବା ପ୍ରସାଦ ହରିଚନ୍ଦନ ଡାର୍କ ହର୍ସ ହୋଇ ଉଭା ହୋଇଥିଲେ  । ପ୍ରସାଦଙ୍କ ଦାୟିତ୍ୱ ଗ୍ରହଣ ଦିନ ନିରଂଜନଙ୍କୁ ଛାଡ଼ିଦେଲେ ବାକି ସବୁ ନେତା ଆସିଥିଲେ  । ସମସ୍ତେ ଏକ ହୋଇ କାମ କରିବାକୁ ସଂକଳ୍ପ ନେଇଥିଲେ  । ହେଲେ ଯଥା ପୂର୍ବଂ ତଥା ପରଂ ଭଳି ଦିନା କେଇଟା ପରେ ଆରମ୍ଭ ହୋଇଗଲା ମନ ଫଟାଫଟି  । ବିଜେଡ଼ି ଓ ବିଜେପି ବିରୋଧରେ ଲଢ଼ିବା ବଦଳରେ ଦଳୀୟ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ପତିଆରା ଲଢେ଼ଇ  । ପିସିସି ସଭାପତିଙ୍କ ଜରିଆରେ ସମସ୍ତେ ନିଜ ନିଜ ନେତାଙ୍କୁ ଥଇଥାନ କରିବାକୁ ଭିତିରିଆ ଉଦ୍ୟମ ଆରମ୍ଭ କରିଦେଇଥିଲେ  । ଫଳତଃ ଯାହା କଥା ରହିଲା ସେ ପ୍ରସାଦଙ୍କ ସପକ୍ଷରେ ବାହାରିଥିବାବେଳେ ଯାହା କଥା ନରହିଲା ସେ ବିରୋଧ କରିବା ଆରମ୍ଭ କରିଦେଲେ  । ପ୍ରଥମେ ପ୍ରଥମେ ଦଳର ବରିଷ୍ଠ ନେତାମାନଙ୍କ ମଧ୍ୟରୁ ଥୋକେ ପ୍ରସାଦଙ୍କୁ ଟାର୍ଗେଟ କରୁଥିବାବେଳେ ଆଉ ଥୋକେ ସମର୍ଥନ କରି ଆସୁଥିଲେ  । କିନ୍ତୁ ପରେପରେ ସ୍ଥିତି ଏମିତି ହେଲାଯେ, ମୁଁ ନୁହେଁ ଆମେର ନାରା ଦେଇଥିବା ପ୍ରସାଦ ନିଜେ ନିଜେ ନିଷ୍ପତି ନେଲେ  । ଅଧିକାଂଶ ବରିଷ୍ଠ ନେତାଙ୍କୁ କୋଣଠେସା କରାଗଲା ଅବା ସେମାନଙ୍କ ପରାମର୍ଶ ନିଆଗଲା ନାହିଁ  । ରାହୁଲଙ୍କ ବଳରେ ବଳୀୟାନ ପ୍ରସାଦଙ୍କ ଏକପାଖିଆ କାରବାର ଦେଖି ଶେଷରେ ସବୁ ବରିଷ୍ଠ ନେତାମାନେ ଏକ ହୋଇ ରାହୁଲ ହଟାଅ ଅଭିଯାନ ଆରମ୍ଭ କରିଥିଲେ  । ତୁହାକୁ ତୁହା ନୂଆଦିଲ୍ଲୀ ଦୌଡ଼ ହେଲା  । ପିଠି ଠାପୁଡ଼ିବା ଭଳି ରାହୁଲ ହଁ ପିସିସି ବଦଳାଇବା କହି ଛାଡ଼ିଦେଲେ  । ହେଲେ ବସ୍ତୁତଃ ଏଭଳି ହେଲାନାହିଁ  । ଶେଷରେ ସମସ୍ତଙ୍କ ଆଖି ଥିଲା ବିଜେପୁର ଉପନିର୍ବାଚନ ଉପରେ  । ବିଜେପୁରରେ କଂଗ୍ରେସ ଅମାନତ ହରାଇବାରୁ  ପ୍ରସାଦ ନିଜ ଆଡ଼ୁ ଇସ୍ତଫା ଦେଇଥିଲେ  । ତେବେ ପ୍ରସାଦଙ୍କ ଇସ୍ତଫା ଗ୍ରହଣ କରିନାହାନ୍ତି ରାହୁଲ  । ଏପରିକି ୨୦୧୯ ପର୍ଯ୍ୟନ୍ତ ସେ ବଦଳିବେ ନାହିଁ ବୋଲି ଚର୍ଚ୍ଚା ହେଉଛି  । ଅପରପକ୍ଷରେ ୨୦୧୯ ପାଇଁ ଆଉ ହାତରେ ଛଅ ସାତ ମାସ ସମୟ ଥିବାବେଳେ କଂଗ୍ରେସ ଆଉ ଉତ୍ତୁରିବ ନାହିଁ ବୋଲି କଂଗ୍ରେସ ନେତାମାନେ ଧରି ନେଇଛନ୍ତି  । ତେଣୁ ବେଳ ଥାଉଥାଉ ବନ୍ଧ ବାନ୍ଧିବା ନ୍ୟାୟରେ ଏବେ ବିଜେପି କିମ୍ବା ବିଜେଡ଼ି କାନି ଧରିବାକୁ କଂଗ୍ରେସ ନେତାମାନେ ପ୍ରୟାସ ଆରମ୍ଭ କରିଦେଇଛନ୍ତି  । ବିଜେଡ଼ି ଓ ବିଜେପି ଅଳିନ୍ଦରେ କଂଗ୍ରେସ ନେତାମାନେ ଲବି ଆରମ୍ଭ କରିଦେଇଛନ୍ତି  । ତେବେ ଏସବୁ ଭିତରେ କଂଗ୍ରେସ ନେତାମାନଙ୍କ ପ୍ରଥମ ପସନ୍ଦ ରହିଛି ବିଜେଡ଼ି  । ତେବେ ବିଜେଡ଼ିରେ ନେତା ହାଉଯାଉ ଥିବାରୁ ବିଜେପିକୁ ଯିବା ସେମାନଙ୍କ ପାଇଁ ସହଜସାଧ୍ୟ ହେବ  । ଆଗାମୀ ଦିନରେ କଂଗ୍ରେସ ନେତାଙ୍କ ଦଳଡ଼ିଅାଁ ପର୍ବ ଆରମ୍ଭ ହେଉଥିବାବେଳେ ରାଜ୍ୟ ରାଜନୀତିରେ ନୂତନ ସମୀକରଣ ସୃଷ୍ଟି ହେବାର ଆଶଙ୍କା ରହିଛି  ।

    Maximum 500 characters

    ରାଜନୀତି View all

    Find Us on Facebook