Jul 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆପଣଙ୍କ ମତ

ମୁଖ୍ୟ ଖବର

    ବଦଳୁଛି ଶିକ୍ଷା ପରିସଂଖ୍ୟାନ; ବେସରକାରୀ ବିଦ୍ୟାଳୟ ମୁହାଁ ଅଭିଭାବକ

    Share on :
    Date: Mar 8, 2018    Views: 517

    ଆମ ଦେଶ ତଥା ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବେସରକାରୀ ଅନୁଷ୍ଠାନମାନେ ବେଶ ଆଗରେ । ସରକାରୀ ବିଦ୍ୟାଳୟ ତୁଳନାରେ ବେସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ମାନ ଶିକ୍ଷା ପ୍ରଦାନ କରାଯାଉଛି ବୋଲି ଡିଣ୍ଡିମ ପିଟୁଥିବା ବଜାରୀକରଣ ବ୍ୟବସ୍ଥା ଭିତରେ ରାଜ୍ୟରେ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥା ଧିରେ ଧିରେ ଯେ ଭୁଶୁଡିବାକୁ ବସିଲାଣି ଏହା ସରକାର ପ୍ରଦତ୍ତ ଶିକ୍ଷା ପରିସଂଖ୍ୟନରୁ ହିଁ ପ୍ରମାଣିତ ।

    ୧୯୯୦ ମସିହା ପର ଠାରୁ ଦ୍ରୁତ ସାକ୍ଷରତା ହାର ବୃଦ୍ଧି ଯୋଗୁଁ ଗୁଣାତ୍ମକ ଶିକ୍ଷାର ଚାହିଦା ଜୋର ହୋଇଛି ଏବଂ ଏହି ଚାହିଦା ପୂରଣ କରିବାରେ ସରକାରୀ ଶିକ୍ଷା ବ୍ୟବସ୍ଥା ସେତେଟା ଆଗକୁ ବଢିପାରି ନାହିଁ; ବରଂ ଏହି ସୁଯୋଗକୁ ହାତ ଛଡା ନକରି ବେସରକାରୀ ଅନୁଷ୍ଠାନଗୁଡିକ ଅଭିଭାବକମାନଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇପାରିଛନ୍ତି । ଗୁଣାତ୍ମକ ଶିକ୍ଷା ପ୍ରଦାନର ମନଲୋଭା ବିଜ୍ଞାପନ, ଅତ୍ୟାଧୁନୀକ ଭିତ୍ତିଭୂମୀ, ଦ୍ରୁତ ବଜାରୀକରଣର ପ୍ରଚାର ଓ ପ୍ରସାର ମାଧ୍ୟମରେ ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକ ଧିରେ ଧିରେ ଶିକ୍ଷା କ୍ଷେତ୍ରକୁ କବଳିତ କରିଚାଲିଛନ୍ତି । ଏହା ପ୍ରଥମେ ସହରାଞ୍ଚଳରୁ ଆରମ୍ଭ ହୋଇ ୧୦-୧୨ ବର୍ଷ ଭିତରେ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବ୍ୟାପି ଗଲାଣି ।

    ସରକାରୀ ତଥ୍ୟାନୁଯାୟୀ, ୨୦୦୨-୦୩ ମସିହାରେ ରାଜ୍ୟର ମୋଟ ବିଦ୍ୟାଳୟରୁ ବେସରାକରୀ ଶିକ୍ଷାନୁଷ୍ଠାନର ଅନୁପାତ ଥିଲା ମାତ୍ର ୩.୩୮ ପ୍ରତିଶତ; ଯାହାକି ୨୦୧୬-୧୭ ମସିହା ସୁଦ୍ଧା ବୃଦ୍ଧି ପାଇ ୧୬.୩୮ ପ୍ରତିଶତରେ ପହଞ୍ଚିଛି । ସେହିଭଳି ବେସରକାରୀ ବିଦ୍ୟାଳୟରେ ପିଲାମାନଙ୍କ ନାମ ପଞ୍ଜିକରଣ ୨୦୦୨-୦୩ ମସିହାରେ ୩.୪୨ ପ୍ରତିଶତରୁ ବୃଦ୍ଧି ପାଇ ୨୦୧୬-୧୭ ମସିହାରେ ୧୬.୭୭ ପ୍ରତିଶତରେ ପହଞ୍ଚିଛି । ୨୦୧୬-୧୭ ମସିହାରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ୬୧,୯୮,୦୨୫ ଜଣ ପିଲା ନାମ ଲେଖାଇଛନ୍ତି, ସେଥି ମଧ୍ୟରୁ ୧୦,୩୯,୧୨୦ ପିଲା ବେସରକାରୀ ବିଦ୍ୟାଳୟରେ ନାମ ଲେଖାଇଛନ୍ତି । ଏହି ସଂଖ୍ୟା ୨୦୦୯-୧୦ ମସିହାରେ ନାମ ଲେଖାଇଥିବା ପିଲା ସଂଖ୍ୟାର ଦୁଇ ଗୁଣ । ଯଦି ଏହି ଅଭିବୃଦ୍ଧି ଆଉ କିଛି ବର୍ଷ ଲାଗି ରୁହେ ତେବେ ପ୍ରାୟ ୩୦ ରୁ ୩୫ ବର୍ଷ ମଧ୍ୟରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ବେସରକାରୀ ଅନୁଷ୍ଠାନଗୁଡିକ ହାତକୁ ଚାଲିଯାଇଥିବ ଏବଂ ରାଜ୍ୟବାସୀଙ୍କ ମୋଟ ଆୟର ସିଂହ ଭାଗ ନିଜ ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ବିନିଯୋଗ ହେଉଥିବ ।

    ପ୍ରଶ୍ନ ଉଠେ ଯଦି ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛନ୍ତି ଏବଂ ଅଭିଭାବକମାନେ ଟଙ୍କା ଖର୍ଚ୍ଚ କରିପାରିବାର କ୍ଷମତା ରଖୁଛନ୍ତି ତେବେ ଭୁଲ୍ ରହିଲା କେଉଁଠି? ଏଠାରେ ଏତିକି କୁହାଯାଇପାରେ ଯେ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟଙ୍କ ନିଦେ୍ର୍ଧଶନାମା ନଂ ୨୦୫୫୯, ତା୨୬/୧୨/୨୦୧୪ରିଖ ଅନୁଯାୟୀ ପ୍ରତ୍ୟେକ ବେସରକାରୀ ଶିକ୍ଷାନୁଷ୍ଠାନ ଶିକ୍ଷା ଅଧିକାର ଆଇନ୍ର ସର୍ତ୍ତାବଳୀ ପୂରଣ କରିବା ପାଇଁ ବାଧ୍ୟ ଏବଂ ସେମାନେ କୌଣସି ଅଭିଯୋଗ ନଥିବା ପ୍ରମାଣପତ୍ର (ଏନ୍ଓସି) ଉପଯୁକ୍ତ କର୍ତ୍ତୁପକ୍ଷଙ୍କ ଠାରୁ ଗ୍ରହଣ କରିବେ । ୨୦୧୬ ମସିହା ପରିସଂଖ୍ୟନ ଅନୁସାରେ ରାଜ୍ୟର ମୋଟ ୫,୭୭୯ ବେସରକାରୀ ବିଦ୍ୟାଳୟଗୁଡିକ ମଧ୍ୟରୁ ମାତ୍ର ୨,୫୫୫ଟି ଏନ୍ଓସି ପାଇଁ ଆବେଦନ କରିଛନ୍ତି । ଏହାର ଅର୍ଥ ବଳକା ବିଦ୍ୟାଳୟଗୁଡିକ ଅଣ-ଆନୁଷ୍ଠାନିକ । ସହରାଞ୍ଚଳରେ ଥିବା ବେସରକାରୀ ବିଦ୍ୟାଳୟଗୁଡିକରେ ଖୁବ୍ ଉଚ୍ଚକୋଟୀର ଭିତ୍ତିଭୂମୀ, ତାଲିମ୍ ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ସଠିକ୍ ପରିଚାଳନାର ନମୂନା ଦେଖିବାକୁ ମିଳେ; ମାତ୍ର ଗ୍ରାମାଞ୍ଚଳରେ ଥିବା ବେସରକାରୀ ବିଦ୍ୟାଳୟଗୁଡିକର ଚିତ୍ର ଅନେକ ଉଦ୍ବେଗଜନକ । ଗ୍ରାମାଞ୍ଚଳର ବେସରକାରୀ ବିଦ୍ୟାଳୟଗୁଡିକରେ ନା ଅଛି ଉତ୍ତମ ଭିତ୍ତିଭୂମୀ ସୁବିଧା ନା ଅଛନ୍ତି ତାଲିମ୍ ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ । ଏହି ବିଦ୍ୟାଳୟଗୁଡିକ ମୁଖ୍ୟତଃ କିଛି ସଂସ୍ଥା ବା ବ୍ୟକ୍ତି ବିଶେଷଙ୍କ ଦ୍ୱାରା ପରିଚାଳିତ । ଏମାନଙ୍କ ମଧ୍ୟରୁ ଅନେକ ବଡ ବଡ ବେସରକାରୀ ବିଦ୍ୟାଳୟର ନାମ ବ୍ୟବହାର କରି ଅଭିଭାବକମାନଙ୍କୁ ଆକୃଷ୍ଟ କରୁଛନ୍ତି ଏବଂ କେତେକ ଫ୍ରାନ୍ଚାଇଜ୍ ମାଧ୍ୟମରେ ପରିଚାଳିତ ହେଉଥିବା ଦେଖିବାକୁ ମିଳୁଛି । ଏହି ବିଦ୍ୟାଳୟ କର୍ତ୍ତୃପକ୍ଷ ଶିକ୍ଷା କ୍ଷେତ୍ରରେ କୌଣସି ଅବଦାନ ରଖନ୍ତି ନାହିଁ ବରଂ ଟଙ୍କା ରୋଜଗାର କରିବା ଏକ ମାତ୍ର ଲକ୍ଷ୍ୟ । ଅନ୍ୟ ଅର୍ଥରେ ବେସରକାରୀ ବିଦ୍ୟାଳୟଗୁଡିକ ଉପରେ ସରକାରଙ୍କ ହୁଗୁଳା ଲଗାମ ଯୋଗୁଁ ଭିନ୍ନ ଭିନ୍ନ ପାଠ୍ୟକ୍ରମ ଅନୁସରଣ କରୁଛନ୍ତି; ଯାହାକି ଦେଶର ଭବିଷ୍ୟତ ନାଗରୀକମାନଙ୍କ ଚିନ୍ତାଧାରାରେ ଅନ୍ତରାୟ ସୃଷ୍ଟି କରୁଛି । ଯଦିଓ ସହରାଞ୍ଚଳର କିଛି ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଥିବା ଅଭିଭାବକମାନେ ଯୁକ୍ତି ଦର୍ଶାନ୍ତି; ମାତ୍ର ଗ୍ରାମାଞ୍ଚଳର ବେସରକାରୀ ବିଦ୍ୟାଳୟଗୁଡିକରେ ଶିକ୍ଷା ବ୍ୟବସ୍ଥା ସରକାରୀ ବିଦ୍ୟାଳୟ ଠାରୁ ମଧ୍ୟ ନୁ୍ୟନମାନର । ୨୦୧୬-୧୭ ମସିହାର ସରକାରୀ ତଥ୍ୟାନୁସାରେ ରାଜ୍ୟର ମୋଟ ସରକାରୀ ବିଦ୍ୟାଳୟରେ ୯୩.୧୮ ପ୍ରତିଶତ ତାଲିମ୍ ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଥିବାବେଳେ ବେସରକାରୀ ବିଦ୍ୟାଳୟରେ ଏହି ହାର ମାତ୍ର ୬୫ ପ୍ରତିଶତ ରହିଛି । ଏହାର ଅର୍ଥ ବେସରକାରୀ ବିଦ୍ୟାଳୟଗୁଡିକରେ ଅଣ-ତାଲିମ୍ ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିୟୋଜନ ହୋଇଛନ୍ତି । ଏହି ପରିସଂଖ୍ୟନ ବେସରକାରୀ ବିଦ୍ୟାଳୟଗୁଡିକ ଦ୍ୱାରା ଏକ ମିଛ ବାତାବରଣ ସୃଷ୍ଟି କରାଯାଇଥିବା ଦର୍ଶାଉଛି ।

    ଆଜିର ଶିକ୍ଷିତ ସମାଜରେ ଶିକ୍ଷାର ମୂଲ୍ୟ ବେଶ ଉଦ୍ଧ୍ୱର୍ରେ । ଶିକ୍ଷିତ ଅଭିଭାବକମାନେ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦେଇ ଆଜି ବେସରକାରୀ ଶିକ୍ଷାନୁଷ୍ଠାନ ମୁହାଁ । ସରକାରୀ ବିଦ୍ୟାଳୟରେ ଭିତ୍ତିଭୂମୀ ଓ ଆବଶ୍ୟକୀୟ ମାନବ ସମ୍ବଳର ଅଭାବ, ତ୍ରୁଟିଯୁକ୍ତ ଶିକ୍ଷା ବ୍ୟବସ୍ଥା ଓ ନୀତି, ଶିକ୍ଷାଦାନର ପରିଭାଷାରେ ପରିବର୍ତ୍ତନ ଏବଂ ବର୍ତ୍ତମାନ ବୈଷୟିକ ବ୍ୟବସ୍ଥା ଭିତରେ ସମାଜର ଚାହିଦା ଓ ଅଭିଭାବକମାନଙ୍କ ଦୃଷ୍ଟିକୋଣ ଆଦି କେତେକ ପ୍ରମୁଖ କାରଣ ଯୋଗୁଁ ସରକାରୀ ଶିକ୍ଷା ବ୍ୟବସ୍ଥାରୁ ଅଭିଭାବକମାନେ ମୁହଁ ଫେରାଉଛନ୍ତି । ରାଜ୍ୟର ମୋଟ ସରକାରୀ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ ୩.୬ ପ୍ରତିଶତ (୨,୧୦୫ଟି) ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ନିୟୋଜନ ହୋଇଥିବା ବେଳେ ୯.୩ ପ୍ରତିଶତ (୫,୪୩୮ଟି) ବିଦ୍ୟାଳୟ କେବଳ ଗୋଟିଏ ମାତ୍ର ଶ୍ରେଣୀ ଗୃହରେ ଚାଲୁଅଛି । ସେହିଭଳି ରାଷ୍ଟ୍ରିୟ ଶୈକ୍ଷିକ ଯୋଜନା ଓ ପ୍ରଶାସନ ବିଶ୍ୱ ବିଦ୍ୟାଳୟ, ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ମୌଳିକ ଶିକ୍ଷା ରିପୋର୍ଟ କାର୍ଡ ୨୦୧୬ ଅନୁଯାୟୀ, ଆମ ରାଜ୍ୟରେ ଥିବା ମୋଟ ୫୮,୪୭୬ ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟଗୁଡିକ ମଧ୍ୟରୁ ପ୍ରାୟ ୫,୦୦୦ ବିଦ୍ୟାଳୟକୁ ପିଲାମାନେ ଯିବା ପାଇଁ ସବୁ ଦିନିଆ ରାସ୍ତା ନାହିଁ । ଶତକଡା ୩୩ ଭାଗ ବିଦ୍ୟାଳୟରେ ପାଚେରୀ ନାହିଁ । ଭଙ୍ଗା ପାଚେରୀ ଥିବା ଅଧିକାଂଶ ବିଦ୍ୟାଳୟଗୁଡିକ ବି ପାଚେରୀ ଅଛି ବୋଲି ଦର୍ଶାଯାଇଛି । ସେହିପରି ସରକାରଙ୍କ ରିପୋର୍ଟ କାର୍ଡ ଅନୁଯାୟୀ, ଶତକଡା ୯୭ ପ୍ରତିଶତ ବିଦ୍ୟାଳୟରେ ବାଳିକାମାନଙ୍କ ପାଇଁ ଏବଂ ଶତକଡା ୯୩.୮ ପ୍ରତିଶତରେ ବାଳକମାନଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା ରହିଛି । ଏହି ସଂଖ୍ୟାରୁ ସାଧାରଣରେ ମନକୁ ଆସେ ଯେ ପିଲାମାନେ ଶୌଚ ପାଇଁ କୌଣସି ଅସୁବିଧାର ସମ୍ମୁଖୀନ ହେଉ ନଥିବେ; ମାତ୍ର ବାସ୍ତବତା କିଛି ଭିନ୍ନ! ଏହି ଶୌଚାଳୟଗୁଡିକ ମଧ୍ୟରୁ ଅଧିକାଂଶରେ ତାଲା ଝୁଲୁ ଥିବା ଏବଂ ନାମକୁ ମାତ୍ର ପିଲାମାନେ ବ୍ୟବହାର କରୁଥିବା ନଜରକୁ ଆସିଥାଏ । ଶୌଚାଳୟ ଭିତରେ ପାଣିର ବ୍ୟବସ୍ଥା ନଥିବା ଏବଂ ସଫେଇ କର୍ମଚାରୀଙ୍କ ଅଭାବ ଦୃଷ୍ଟିରୁ ଏଗୁଡିକ ମୁଖ୍ୟତଃ ପିଲାମାନଙ୍କ ଦ୍ୱାରା ବ୍ୟବହୃତ ହେଉ ନାହିଁ । ଏହି ପରିପ୍ରେକ୍ଷୀରେ ଅଭିଭାବକମାନେ ସରକାରୀ ବିଦ୍ୟାଳୟରେ ନିଜ ପିଲାମାନଙ୍କୁ ଛାଡିବାକୁ ସୁରକ୍ଷିତ ମଣୁ ନାହାଁନ୍ତି, ଯଦିଓ ବେସରକାରୀ ବିଦ୍ୟାଳୟରେ ଯେ ପିଲାମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ତାହା ନୁହେଁ; ମାତ୍ର ଅନେକାଂଶରେ ଆବଶ୍ୟକୀୟ ଭିତ୍ତିଭୂମୀ ଓ ମାନବ ସମ୍ବଳ ଅଭିଭାବକମାନଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହୋଇପାରିଛି ।

    ସରକାରୀ ବିଦ୍ୟାଳୟରେ ଯଦିଓ ଅଧିକାଂଶରେ ଶିକ୍ଷା ଅଧିକାର ଆଇନ୍‍- ୨୦୦୯ ଅନୁଯାୟୀ ଶିକ୍ଷକ/ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇପାରିଛନ୍ତି ମାତ୍ର ଏହା ବିତର୍କ ଯୋଗ୍ୟ । ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯଦି ୧୫୦ ପିଲା ଅଛନ୍ତି ଏବଂ ଆଇନ୍‍ ଅନୁଯାୟୀ ୫ ଜଣ ଶିକ୍ଷକ/ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି ତେବେ ଏହା ଠିକ୍‍; ମାତ୍ର ୫ ଜଣ ଶିକ୍ଷକ/ ଶିକ୍ଷୟିତ୍ରୀ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ପାଠ ପଢାଇବା ନିହାତି ଭାବେ କଷ୍ଟକର ବ୍ୟାପାର । ସେହିଭଳି ଏହି ଆଇନ୍‍ ଆନୁଯାୟୀ ପ୍ରତି ଏକ କି.ମି. ବ୍ୟବଧାନରେ ବିଦ୍ୟାଳୟ ପ୍ରତିଷ୍ଠା ଯୋଗୁଁ ପିଲା ବିଦ୍ୟାଳୟରେ ପଞ୍ଜିକରଣ ଓ ଉପସ୍ଥାନ ହାର କମ୍‍ ରହୁଛି, ଫଳରେ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଭାବ ମଧ୍ୟ ଧିରେ ଧିରେ ହ୍ରାସ ପାଉଛି । ୨୦୧୬-୧୭ ସରକାରୀ ତଥ୍ୟାନୁସାରେ ରାଜ୍ୟରେ ମୋଟ ୮,୫୪୭ଟି ବିଦ୍ୟାଳୟରେ ୨୫ ଜଣରୁ କମ୍‍ ପିଲା ପଢୁଛନ୍ତି । ସେଥି ମଧ୍ୟରୁ ୩୯ ପ୍ରତିଶତ ବିଦ୍ୟାଳୟ କେବଳ ରାୟଗଡା, ମୟୁରଭଞ୍ଜ, ଗଜପତି, କନ୍ଧମାଳ, ସୁନ୍ଦରଗଡ ଓ ଗଞ୍ଜାମ ଜିଲ୍ଲାରେ ରହିଛି । ରାୟଗଡାରେ ସର୍ବାଧିକ ୬୮୭ଟି, ମୟୁରଭଞ୍ଜରେ ୫୮୬ଟି, କନ୍ଧମାଳରେ ୫୪୦ଟି, ଗଜପତିରେ ୫୦୩ଟି, ସୁନ୍ଦରଗଡରେ ୪୯୮ଟି ଏବଂ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ୪୯୨ଟି ବିଦ୍ୟାଳୟରେ ୨୫ ଜଣରୁ କମ୍‍ ପିଲା ପଢୁଛନ୍ତି । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ପ୍ରଚଳିତ ଥିବା ଶିକ୍ଷା ଅଧିକାର ଆଇନ୍-୨୦୦୯ରେ ସଂଶୋଧନ ନିହାତି ଅପରିହାର୍ଯ୍ୟ ମନେହୁଏ । ସେହିପରି ବିଦ୍ୟାଳୟରେ ଗୁଣାତ୍ମକ ମାନର ଶିକ୍ଷାଦାନ ବ୍ୟବସ୍ଥାକୁ ନିରୀକ୍ଷଣ କରିବା ପାଇଁ ବ୍ଲକ୍ ଓ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଗସ୍ତ ଖର୍ଚ୍ଚ ବାବଦକୁ ୨୦୧୭-୧୮ ଆର୍ଥôକ ବର୍ଷରେ ୫୪.୬୪ ଲକ୍ଷ ଟଙ୍କା ବ୍ୟୟବରାଦ ରଖାଯାଇଛି । ଯଦି ରାଜ୍ୟର ମୋଟ ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ପରିଦର୍ଶନ ବାବଦକୁ ହିସାବ କରାଯିବ ତେବେ ପ୍ରତି ବିଦ୍ୟାଳୟ ପିଛା ବର୍ଷକୁ ମାତ୍ର ୮୩/- ଟଙ୍କା ପଡୁଛି । ଏହି ଟଙ୍କା କେତେ ଦୂର ଲକ୍ଷ୍ୟ ସାଧନ କରି ପାରିବ ତାହା ନିଶ୍ଚିତ ଭାବେ ଏକ ପ୍ରଶ୍ନବାଚୀ?

    ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଓ ନୀତିକୁ ନଜର ପକାଇଲେ ରାଜ୍ୟର ଏପରି ସ୍ଥିତିରେ ସୁଧାର ଆଣିବା ପାଇଁ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଲୋଡା । ଗୁଣାତ୍ମକ ଶିକ୍ଷା ପାଇଁ ପିଲାଟିର ପ୍ରାକ୍ ପ୍ରସ୍ତୁତି ସମତେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର, ଶିକ୍ଷକତାରେ ମୌଳିକ ନୈତିକତା ଫେରାଇ ଆଣିବା, ତଦାରଖ ଓ ଉତ୍ତରଦାୟିତ୍ୱ ବୃଦ୍ଧି ଆଦିକୁ ଗୁରୁତ୍ୱ ଦେବା ନିହାତ ଅପରିହାର୍ଯ୍ୟ ।

    ଉମାକାନ୍ତ ପାତ୍ର
    ଥାଲକୁଡି, ମଙ୍ଗଳପୁର, ଯାଜପୁର
    ୯୪୩୯୭୫୦୧୭୫

    Maximum 500 characters

    ଆପଣଙ୍କ ମତ View all

    Find Us on Facebook