Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ନୟାଗଡ ମହାନଦୀ ଡିଭିଜନରେ ବ୍ୟାଘ୍ର ଗଣନା ଶେଷ; ୩୩୮ଟି ବାଘଜାତୀୟ ପ୍ରାଣୀ ଠାବ

    Share on :
    Date: Feb 26, 2018    Views: 107

    ଭୁବନେଶ୍ୱରରୁ ପ୍ରଭାତ କୁମାର ବେହେରା;(ଓଡିଆ ସ୍ପଟ ନିୟୁଜ୍) ନୟାଗଡ ମହାନଦୀ ଡିଭିଜନରେ ଥିବା ୪ଟି ରେଞ୍ଜରେ ବ୍ୟାଘ୍ର ଗଣନା ଶେଷ ହୋଇଛି । ଗଣନା ସମୟରେ ୩୩୮ଟି ବାଘ ଜାତୀୟ ମାଂସାସୀ ପ୍ରାଣୀଙ୍କ ପାଦଚିହ୍ନର ସନ୍ଧାନ ମିଳିଛି ବୋଲି ନୟାଗଡ ମହାନଦୀ ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ଅଂଶୁପ୍ରଭା ଦାସ ସୂଚନା ଦେଇଛନ୍ତି । ତେବେ ଏହି ୩୩୮ଟି ମାଂସାସୀ ପ୍ରାଣୀଙ୍କ ମଧ୍ୟରେ ମହାବଳ ଓ କଲରାପତରିଆ ବାଘ ରହିଥିବା ଅନୁମାନ କରାଯାଉଛି । ଏହି ପାଦ ଚିହ୍ନଗୁଡିକ ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ ନିକଟକୁ ପଠାଯାଇଛି । ସେଠାରେ ବୈଜ୍ଞାନିକ ପଦ୍ଧତିରେ ପରୀକ୍ଷା ପରେ ଏହି ଡିଭିଜନରେ ପ୍ରକୃତରେ କେଉଁ ପ୍ରଜାତିର କେତେ ସଂଖ୍ୟାରେ ବାଘ ଅଛନ୍ତି ତାହା ସ୍ପଷ୍ଟ ଜଣାପଡିବ ବୋଲି ଡିଏଫଓ ଶ୍ରୀମତୀ ଦାସ କହିଛନ୍ତି । 

    ଏହି ଡିଭିଜନ ଅଧିନରେ ଥିବା ଛାମୁଣ୍ଡିଆ,କୁସଙ୍ଗ, ବାଣୀଗୋଚ୍ଛା ପୂର୍ବ ଏବଂ ପଶ୍ଚିମ ବନାଂଚଳରେ ଗଣନା କାର୍ଯ୍ୟ କରାଯାଇଥିବା ବେଳେ ଏଥିପାଇଁ ଦୁର୍ଗମ ଜଙ୍ଗଲରେ ୫୨ଟି କ୍ୟାମେରା ଲଗାଯାଇଥିଲା । ଗଣନା କାର୍ଯ୍ୟରେ ୩୬ଟି ଟିମ୍ ବିଭକ୍ତ କରାଯାଇଥିବାବେଳେ ୪୫ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ । ସେମାନେ ବାଘ ସମେତ ଅନ୍ୟାନ୍ୟ ତୃଣଭୋଜି ପ୍ରାଣୀଙ୍କ ସଂଖ୍ୟା ମଧ୍ୟ ଆକଳନ କରିବେ । ମାଂସାସୀ ପଶୁଙ୍କ ମଳ, ରାମ୍ପୁଡା, ସ୍ୱର, ରଡି ସହ ୪୨୦ଟି ସ୍ଥାନରେ ନିର୍ମାଣ କରାଯାଇଥିବା ପିଆଇପି ଦ୍ୱାରା ପାଦ ଚିହ୍ନ ଆଦିକୁ ଲକ୍ଷ୍ୟକରି ଗଣନା କରାଯିବା ସହିତ କ୍ୟାମେରା ଟ୍ରାପ ଦ୍ୱାରା ମଧ୍ୟ ଗଣନା କରାଯାଇଥିଲା । ସେହିଭଳି ୭୨ଟି ଟ୍ରାଜାଲାଇନ୍ ଦ୍ୱାରା ତୃଣଭୋଜି ପଶୁଙ୍କର ସଂଖ୍ୟା ଗଣନା କରାଯାଇଛି । ଗଣନା ସମୟରେ ଏଠାରେ ହାତୀ, ସମ୍ବର, କୁଟୁରା, ହରିଣ, ବାରାହା, ବିଲୁଆ, ଗୟଳ, ହେଟାବାଘ, ଗଧିଆ ପ୍ରଭୃତି ଜୀବଜନ୍ତୁ ବାସ କରୁଥିବା ଜଣାପଡିଥିଲା । ମାଂସାସୀ ଏବଂ ତୃଣଭୋଜି ପଶୁଙ୍କ ସମ୍ପର୍କରେ କରାଯାଇଥିବା ସର୍ଭେ ରିପୋର୍ଟକୁ ଏକତ୍ର କରାଯିବାପରେ ଭୁବନେଶ୍ୱରଠାରେ ଥିବା ଏନଟିଏସ୍ ପକ୍ଷରୁ ଚୁଡାନ୍ତ ତଥ୍ୟ ପ୍ରକାଶ ପାଇବ । 

    ସୂଚନାଯୋଗ୍ୟ ଯେ ଏହି ଡିଭିଜନ ଅଧୀନରେ ଥିବା ୪୪୩ବର୍ଗ କିଲୋମିଟର ବ୍ୟାସାର୍ଦ୍ଧ ଅଂଚଳରେ ଚଳିତ ମାସ ୧୬,୧୭, ଓ ୧୮ ତାରିଖ ୩ ଦିନ ଧରି ମହାବଳ, କଲରାପତରିଆ ବାଘଙ୍କ ଆକଳନ କରାଯିବା ସହିତ ୧୯, ୨୦, ଓ ୨୧ରେ ତୃଣଭୋଜୀ ପ୍ରାଣୀଙ୍କ ଗଣନା ପାଇଁ ସର୍ଭେ କରାଯାଇଥିଲା ବୋଲି ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥି ସହିତ ୨୨, ୨୩ ଓ ୨୪ ତାରିଖରେ ସ୍ୱତନ୍ତ୍ର ଭାବେ ବ୍ୟାଘ୍ର ଆକଳନ କରାଯାଇଥିଲା ବୋଲି ନୟାଗଡ ବନ୍ୟପ୍ରାଣୀ ଡିଭିଜନ ଡିଏଫ୍ଓ ସୂଚନା ଦେଇଛନ୍ତି । 

    Maximum 500 characters

    ଆଂଚଳିକ View all

    Find Us on Facebook