Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେପି ନୁହେଁ ତଥାଗତଙ୍କ ଟାର୍ଗେଟରେ ସୌମ୍ୟରଂଜନ

    Share on :
    Date: Feb 26, 2018    Views: 1271

    ଭୁବନେଶ୍ୱରରୁ ରାମଚଣ୍ଡୀ ପ୍ରସାଦ ରଣସିଂହ (ଓଡିଆ ସ୍ପଟ ନୁ୍ୟଜ୍) : ଗୁଳି ଗୋଟିଏ  । ହେଲେ ନିଶାନା ଦୁଇ  । ବିଜେଡ଼ି ସାଂସଦ ତଥା ଧରିତ୍ରୀ ସମ୍ପାଦକ ତଥାଗତ ଶତପଥୀ ଏମିତି ଭାବେ ନିଶାନା ସାଧିଛନ୍ତି  । ନିଜ ସମ୍ପାଦକୀୟରେ ତଥାଗତ ବିଜେପିକୁ ଟାର୍ଗେଟ କରିବା ଆଳରେ ପଟ୍ଟନାୟକ ପରିବାର ଉପରେ ବି ବର୍ଷିଛନ୍ତି  । ତଥାଗତଙ୍କ ଏହି ସମ୍ପାଦକୀୟ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି  । ବିଜେପି ଅପେକ୍ଷା ସେ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଜୋରଦାର ଟାର୍ଗେଟ କରୁଥିବା କୁହାଯାଉଛି  ।

    ତଥାଗତ ତାଙ୍କ ସମ୍ପାଦକୀୟରେ ବିଜେପିର ହିଂସାକାଣ୍ଡକୁ ସମାଲୋଚନା କରିବା ସହ ଚେତାବନୀ ବି ଦେଇଛନ୍ତି  । ତେବେ ସେ ବିଜେପିକୁ ଯେତିକି ଟାର୍ଗେଟ କରିନାହାନ୍ତି ତାହାଠାରୁୁ ଅଧିକ ଟାର୍ଗେଟ୍ ସୌମ୍ୟରଂଜନଙ୍କୁ କରିଥିବା ମନେହେଉଛି  । ‘ଇତିହାସ ଭୁଲନାହିଁ, ଶେଷ ହୋଇଯିବ’ ବୋଲି ଶୀର୍ଷକରେ ତଥାଗତ ବିଜେପିକୁ ଟାର୍ଗେଟ କରିବାକୁ ଯାଇ ଛବିରାଣୀ ହତ୍ୟାକାଣ୍ଡ କଥା ମନେ ପକାଇ ଦେଇଛନ୍ତି  । ତଥାଗତ ଲେଖିଛନ୍ତିଯେ, ୧୯୮୦ ଅକ୍ଟୋବରରେ ଘଟିଥିବା ଛବିରାଣୀ ହତ୍ୟାକାଣ୍ଡ ଘଟଣା କଂଗ୍ରେସର ଗୋଡ଼ ହାତ ଭାଙ୍ଗି ପଙ୍ଗୁ କରିଦେଇଛି  । ତେବେ ଏଠାରେ ସୂଚାଇ ଦିଆଯାଇପାରେଯେ, ପରବର୍ତୀ ନିର୍ବାଚନରେ ଅର୍ଥାତ୍ ୧୯୮୫ରେ ପୁଣି ଥରେ ଜାନକୀ ବାବୁ ଜିତିଥିଲେ  । ଖାଲି ସେତିକି ନୁହେଁ ୧୯୯୦ରେ ସେ କ୍ଷମତାରୁ ଯାଇଥିଲେ ବି ପୁଣିଥରେ ୧୯୯୫ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ  । ଏହି ଘଟଣାଯେ, କଂଗ୍ରେସକୁ ପଙ୍ଗୁ କରିଦେଇଛି ତାହା ମନେକରିବା ବୋଧହୁଏ ଠିକ୍ ହେବନାହିଁ  । ତେବେ ଏହି ସ୍ତମ୍ଭରେ ସେ ଲେଖିଛନ୍ତିଯେ, ‘ସେହି ପରିବାରର ଅନେକ ସଦସ୍ୟ ବିଭିନ୍ନ ଜିଲ୍ଲାରୁ ପ୍ରତ୍ୟେକ ନିର୍ବାଚନରେ ଅବତୀର୍ଣ୍ଣ ହେଉଥିବା ସତ୍ୱେ ସେମାନଙ୍କୁ ଓଡ଼ିଶାବାସୀ ଆଜିପର୍ଯ୍ୟନ୍ତ କ୍ଷମା କରିପାରୁନାହାନ୍ତି  । ବିରାଟକାୟ ପରିବାରର ଖଣି, ମଣି, ଗଣମାଧ୍ୟମ ସହିତ ସବୁ ପ୍ରକାରର ବ୍ୟବସାୟିକ ଶକ୍ତି ଓ ବିପୁଳ ଅର୍ଥବଳ ଥିବା ସତ୍ୱେ ସାମାଜିକ ଗ୍ରହଣୀୟତା ମିଳିପାରୁନାହିଁ  । ସେହି ପରିବାରକୁ ଯେକୌଣସି ରାଜନୈତିକ ଦଳ ସ୍ପର୍ଶ କରୁଛି ତାହାର ବିନାଶ ସତେଯେମିତି ମହାପ୍ରଭୂ ଜଗନ୍ନାଥ କରାଇ ଦେଉଛନ୍ତି  । ସବୁ ଥାଇ କିଛି ପାଇପାରୁନଥିବା ଭଳି ହତାଶ ହୋଇ ବୁଲୁଛନ୍ତି  ।’

    ତଥାଗତ ପଟ୍ଟନାୟକ ପରିବାର ଉପରେ ମନଭରି ବର୍ଷିିଛନ୍ତି  । ଏଠାରେ ସୂଚାଇ ଦିଆଯାଇପାରେଯେ, ସୌମ୍ୟରଂଜନ ପଟ୍ଟନାୟକ ଏବେ ବିଜେଡ଼ିର ନିକଟତର ହୋଇଛନ୍ତି  । ତାଙ୍କର ଅନେକ ସମ୍ପାଦକୀୟ ମଧ୍ୟ ଏହି ଦିଗକୁ ଇସାରା କରିଛି  । ଏମିତିକି ସେ ମଧ୍ୟ ରାଜ୍ୟସଭା ଯିବେବୋଲି ଚର୍ଚ୍ଚା ହେଉଛି  । ନୂଆଦିଲ୍ଲୀ ହେଉକି ଭୁବନେଶ୍ୱର ସୌମ୍ୟରଂଜନ ନବୀନଙ୍କୁ ମଧ୍ୟ ବାରବାର ଭେଟିଛନ୍ତି  । ତାଙ୍କ ନିର୍ବାଚନମଣ୍ଡଳୀ ଖଣ୍ଡପଡ଼ାରୁ ନେଇ ଜାନକୀ ବାବୁଙ୍କ ନିର୍ବାଚନମଣ୍ଡଳୀ ବେଗୁନିଆରେ ବି ତାଙ୍କ ସମର୍ଥକମାନେ ଆମେ ଖୁବଶୀଘ୍ର ବିଜେଡ଼ିକୁ ଯିବୁ ଓ ବିଜେଡ଼ି ଟିକେଟ ଆଣିବୁ ବୋଲି ଚର୍ଚ୍ଚା ହେଉଛି  । ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ରାଜ୍ୟସଭା ପଦ ସହ ଖଣ୍ଡପଡ଼ା ଓ ବେଗୁନିଆ ଟିକେଟ ନେବା ପାଇଁ ବିଜେଡ଼ି ସୁପ୍ରିମୋଙ୍କ ସହ ସୌମ୍ୟରଂଜନ ଆଲୋଚନା କରିଛନ୍ତି  । ତଥାଗତ ଓ ସୌମ୍ୟରଂଜନଙ୍କର ଅହି ନକୁଳ ସମ୍ପର୍କ  । ଯଦିଓ ଗଣମାଧ୍ୟମ କ୍ଷେତ୍ରରେ ସୌମ୍ୟରଂଜନ ତଥାଗତଙ୍କ ଠାରୁ ବେଶ କେଇପାଦ ଆଗରେ ଅଛନ୍ତି, ହେଲେ ରାଜନୈତିକ ଦୃଷ୍ଟିକୋଣରୁ ତଥାଗତ ତାଙ୍କ ଠାରୁ ଆଗରେ ରହିଛନ୍ତି  । ହେଲେ ସେ ଏବେ ବିଜେଡ଼ିକୁ ଆସିଗଲେ ସୌମ୍ୟ ରାଜ୍ୟସଭା ସାଂସଦ କିମ୍ବା ବିଧାୟକ ହୋଇ ମନ୍ତ୍ରୀ ହେବାର ସମ୍ଭାବନା ରହିଛି  । ଯେଉଁଥିପାଇଁ ତଥାଗତ ଉଲ୍ଳେଖ କରିଛନ୍ତିଯେ, ‘ସେହି ପରିବାରକୁ ଯେକୌଣସି ରାଜନୈତିକ ଦଳ ସ୍ପର୍ଶ କରୁଛି ତାହାର ବିନାଶ ସତେଯେମିତି ମହାପ୍ରଭୂ ଜଗନ୍ନାଥ କରାଇ ଦେଉଛନ୍ତି  । ସବୁ ଥାଇ କିଛି ପାଇପାରୁନଥିବା ଭଳି ହତାଶ ହୋଇ ବୁଲୁଛନ୍ତି  ।’ ଅର୍ଥାତ୍ ସୌମ୍ୟଙ୍କ ବିଜେଡ଼ି ପ୍ରବେଶକୁ ସେ ଗ୍ରହଣ କରିପାରୁନାହାନ୍ତି  । ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଅବସରରେ ମିଶ୍ରଣ ହେବବୋଲି ଅନୁମାନ ମଧ୍ୟ କରାଯାଉଛି  । ଯେଉଁଥିପାଇଁ ବିଜେପିକୁ ଟାର୍ଗେଟ କରିବା ଆଳରେ ଇତିହାସକୁ ଭୁଲ ନାହିଁ ବୋଲି ଦଳକୁ ଚେତାବନୀ ମଧ୍ୟ ଦେଇଛନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ପର୍ଯ୍ୟାଲୋଚନା ଜୋରଧରିଛି  । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook