Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

    ପାଣ୍ଡିଆନଙ୍କ ଘର ଉପରକୁ ଆକ୍ରମଣ ଘଟଣା : ବର୍ଷିଲା ଆଇଏଏସ ସଂଘ

    Share on :
    Date: Feb 11, 2018    Views: 909

    ଭୁବନେଶ୍ୱର : ଦୁଇ ବରିଷ୍ଠ ଆଇଏଏସ ସୁଜତା କାର୍ତିକେୟନ ଓ ଭିକେ ପାଣ୍ଡିଆନଙ୍କ ସରକାରୀ ବାସଭବନକୁ ହୋଇଥିବା ଆକ୍ରମଣ ଘଟଣାକୁ ଆଇଏଏସ ସଂଘ ଗୁରୁତର ଭାବେ ଗ୍ରହଣ କରିଛନ୍ତି  । ଆଜି ବରିଷ୍ଠ ଆଇଏଏସ ଜିକେ ଧଳଙ୍କ ଅଧ୍ୟକ୍ଷତାରେ ଆଇଏସ ସଂଘର ବୈଠକ ଅନୁଷ୍ଠିତ ହୋଇଥିଲା  । ଏହି ବୈଠକରେ ବହୁ ଆଇଏଏସ ଅଫିସର ଉପସ୍ଥିତ ଥିଲେ  ।


    ଏହି ଘଟଣାକୁ ସମସ୍ତ ଆଇଏଏସ ଅଫିସର ଦୃଢ଼ ଭାବେ ନିନ୍ଦା କରିଥିଲେ  । ବାସଭବନକୁ ଆକ୍ରମଣ ସମୟରେ ପାଣ୍ଡିଆନ ଘରେ ନଥିବାବେଳେ ଶ୍ରୀମତୀ କାର୍ତିକେୟନ ଓ ତାଙ୍କ ପୁଅ ଆତଙ୍କିତ ଅବସ୍ଥାରେ ଥିଲେ  । ଦୁଇ ଆଇଏଏସ ଅଫିସର ଓ ତାଙ୍କ ପରିବାର ପ୍ରତି ସଂଘ ସମବେଦନା ଜଣାଇଛି  । ଏଭଳି ଆକ୍ରମଣ ଏକ ଅପରାଧିକ କାର୍ଯ୍ୟ ହୋଇଥିବାବେଳେ ଅଫିସରଙ୍କ ଜୀବନ ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟିକରିଛି  । ତେଣୁ ଏହି ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବୈଠକରେ ସର୍ବସମ୍ମତ ପ୍ରକାଶ ପାଇଛି  । ସେହିପରି ନିକଟ ଅତୀତରେ କର୍ତବ୍ୟରତ ସରକାରୀ ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଆଇଏଏସ ସଂଘ ପକ୍ଷରୁ ଗୁରୁତର ଭାବେ ଗ୍ରହଣ କରାଯିବା ସହ ଦୃଢ଼ ଭାବେ ନିନ୍ଦା କରାଯାଇଛି  । ଏଭଳି ଆକ୍ରମଣ ଓଡ଼ିଶା ଭଳି ଶାନ୍ତିପ୍ରି୍ରୟ ରାଜ୍ୟରେ ଆଦୌ ସ୍ପୃହଣୀୟ ନୁହେଁ ବୋଲି ଆଇଏସଏସ ଅଫିସରମାନେ ମତବ୍ୟକ୍ତ କରିଛନ୍ତି  । ସେହିପରି କେତେକ ବର୍ଗ ‘ଓଡ଼ିଆ ଓ ଅଣଓଡ଼ିଆ ଅଫିସର’ ନେଇ ମିଥ୍ୟା ଓ ଭ୍ରମାତ୍ମକ ଟିପ୍ପଣୀ ଦେଉଥିବାରୁ ଆଇଏସଏସ ସଂଘ ତାହାର ମଧ୍ୟ କଡ଼ା ସମାଲୋଚନା କରିଛନ୍ତି  । ଏହା ସର୍ବଭାରତୀୟ ପ୍ରଶାସନିକ ସେବାର ପରିପନ୍ଥୀ ବୋଲି ସେମାନେ କହିଛନ୍ତି  ।


    ଆଇଏଏସ ଅଫିସରମାନଙ୍କର ବୈଠକ ପରେ ସର୍ବସମ୍ମତ ପ୍ରସ୍ତାବ ମଧ୍ୟ ପାରିତ ହୋଇଥିଲା  । ଉକ୍ତ ପ୍ରସ୍ତାବରେ ଦୁଇ କାର୍ଯ୍ୟରତ ବରିଷ୍ଠ ଆଇଏଏସ ଅଫିସରଙ୍କ ଘର ଉପରେ ହୋଇଥିବା ଆକ୍ରମଣକୁ ଓଡ଼ିଶା ଶାଖା ଆଇଏଏସ ସଂଘ ଦୃଢ଼ ନିନ୍ଦା କରିବା ସହ ଭର୍ତ୍ସନା କରିଛନ୍ତି  । ଏକ ସଭ୍ୟ ଓ ଗଣତାନ୍ତ୍ରିକ ସମାଜରେ ଏଭଳି ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ  । ସଂଘ ଏନେଇ ଦୁଇ ଆଇଏଏସ ଅଫିସର ଓ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି  । ସେହିପରି ଏଭଳି ଆକ୍ରମଣ ଅଗଣତାନ୍ତ୍ରିକ ମାନସିକତାର ପ୍ରତିଫଳନ  । ବିନା ବାଧାରେ ଓ ନିରପେକ୍ଷତାର ସହ କାର୍ଯ୍ୟ କରାଇନଦେବା ପାଇଁ ସରକାରୀ ଅଧିକାରୀଙ୍କୁ ଭୟ ଦେଖାଇବା ନିମନ୍ତେ ଏଭଳି ଘଟଣା ଅଭିପ୍ରେତ ବୋଲି ଆଇଏଏସ ସଂଘ ହୃଦବୋଧ କରିଛନ୍ତି  । ଯଦି ଏଭଳି ଘଟଣାକୁ ରୋକାନଯାଏ ତେବେ ପ୍ରଶାସନିକ ଦକ୍ଷତା ଉପରେ ଖାଲିଯେ ବିପଦ ସୃଷ୍ଟି କରିବ ତାହା ନୁହେଁ ବରଂ ରାଜ୍ୟର ଭାବମୂର୍ତି ମଧ୍ୟ ଖରାପ କରିବ  । 


    ବିଭିନ୍ନସ୍ତରରେ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ଓ ଧମକ ଘଟଣାକୁ ମଧ୍ୟ ସଂଘ ନିନ୍ଦା କରିବା ସହ ସମସ୍ତ ସଂଘ ପଛରେ ଆଇଏଏସ ସଂଘ ଦୃଢ଼ ଭାବେ ଠିଆ ହେବବୋଲି ପ୍ରସ୍ତାବ ପାରିତ ହୋଇଛି  । 


    ଆକ୍ରମଣ ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଏଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଯାହାଫଳରେ ଭବିଷ୍ୟତରେ ଏଭଳି କାଣ୍ଡ କରିବା ପାଇଁ କେହି ସାହସ କରିବେ ନାହିଁ ବୋଲି ଆଇଏଏସ ସଂଘ ଦାବି କରିଛନ୍ତି  । ସେହିପରି ସରକାରୀ ଅଧିକାରୀଙ୍କ ପ୍ରତି ହେଉଥିବା ଏଭଳି ଆକ୍ରମଣ ଘଟଣାରେ ଦୋଷୀଙ୍କୁ ଆଇନ ଅନୁଯାୟୀ ନିଶ୍ଚିତ ଦଣ୍ଡିତ କରିବା ସହ ସେମାନେ ଯେଭଳି ଖସିନପାରନ୍ତି ସେଥିପ୍ରତି ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ମଧ୍ୟ ଆଇଏଏସ ସଂଘ ପକ୍ଷରୁ ଦାବି କରାଯାଇଛି  । ଏସଂକ୍ରାନ୍ତୀୟ ପ୍ରସ୍ତାବ ନେଇ ସେମାନେ ମୁଖ୍ୟମନ୍ତ୍ରୀ, ମୁଖ୍ୟସଚିବ ଓ ଗୃହସଚିବଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପନ କରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି  ।
    ସେହିପରି ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିଥିବାରୁ ଆଇପିଏସ, ଆଇଏଫଏସ, ଓଏଏସ ଏବଂ ଓପିଏସ ସଂଘକୁ ମଧ୍ୟ ଆଇଏଏସ ସଂଘ ପକ୍ଷରୁ ଧନ୍ୟବାଦ ଦିଆଯାଇଛି  ।

     

    Maximum 500 characters

    ପ୍ରଶାସନ ଖବର View all

    Find Us on Facebook