May 27, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ଭାଷା ଆମ ସାହିତ୍ୟ

ମୁଖ୍ୟ ଖବର

    ଶେଷଦେଖା

    Share on :
    Date: Feb 6, 2018    Views: 125

    ପହିଲି ଥର ମୁଁ ତାଙ୍କୁ ଭେଟିଥିଲି ସହରର ଗାନ୍ଧି ଛକରେ  । ସେଦିନ ଥିଲା ଗାନ୍ଧି ଜୟନ୍ତୀ  । ଗାନ୍ଧିଜୀଙ୍କୁ ଆଦର୍ଶର ସାରତତ୍ୱ ସେ ଗପୁଥିଲେ ଅନର୍ଗଳ ଭାବେ  । ଦ୍ୱିତୀୟ ଥର ତାଙ୍କୁ ଭେଟିଥିଲି ପ୍ୟାରେଡ଼ ପଡ଼ିଆରେ ସାଧାରଣତନ୍ତ୍ର ଦିବସରେ  । ସେ କଦମ ପରେ କଦମ ପକାଇ ଚାଲୁଥିଲେ ବୀର ଦର୍ପେ  । ଗାଉଥିଲେ ‘ସାରେ ଜହାଁ ସେ ଅଛା...’  । ସେଦିନର ଜଣେ ଇଂରାଜୀ ଅଧ୍ୟାପକ ସମ୍ପୂର୍ଣ୍ଣ ପାଗଳ  । କେତେବେଳେ ଜରି ଗୋଟାଉଥିବ ତ କେତେବେଳେ କେହି ଅନାଦରରେ ଯାଚିଥିବା ଶୁଖିଲା ପିଆଜି କି ବାସି ପକୁଡ଼ିରେ ଭରୁଥିବ ଉଦର  ।  ମୁହଁରେ ଥିବ ସପ୍ତଫେଣୀ ଗୁଳ୍ମ ଭଳି ମେଞ୍ଚାଏ ଟାଅାଁସିଆ ଦାଢ଼ି  । କେଶବାସ ବିପର୍ଯ୍ୟସ୍ତ  । କେଉଁ ଗଛ ତଳେ କି ବିଦ୍ୟାଳୟର ବାରଣ୍ଡା ହିଁ ଥିବ ନିରାପଦ ଆଶ୍ରୟସ୍ଥଳ  । ସମସ୍ତେ ତାଙ୍କୁ କରୁଥାଆନ୍ତି ଦୂର ଦୂର ମାର୍‍ ମାର  । କେହି ଜାଣିବାକୁ ଚାହେଁନି ତାଙ୍କ ଇତିହାସ  । କାହିଁକି ସେ ଏକ ଜୀଅନ୍ତା ଶବ ପାଲଟି ଯାଇଛନ୍ତି ବୋଲି ବୁଝିବାକୁ କେହି କରନ୍ତିନି ପ୍ରୟାସ  । 
    ମୋ ଘରପାଖ ନିଛାଟିଆ ପାହାଡ଼ ଖୋଲରୁ ଦିନେ ବଂଶୀର ବିମୁଗ୍ଧ ସ୍ୱନ ଶୁଭୁଥିଲା  । ତା’ର ଅଲଂଘ୍ୟ ଆକର୍ଷଣରେ ମୋ ପାଦ ସେହି ନୀଳ ନିର୍ଜନତା ଆଡେ଼ ଆପେ ଆପେ ଟାଣି ହୋଇଗଲା  । ଦେଖିଲା ବେଳକୁ ସେହି ପାଗଳ ବଂଶୀ ବାଇବାରେ ତଲ୍ଲୀନ  । ଆଖିରୁ ଝରି ଚାଲିଛି ଅବାରିତ ଭାଭେ ଅଶ୍ରୁଧାର  । ସତେ କି ତପସ୍ୟାର ତପୋବନରେ ଶୁଦ୍ଧ ଚେତା ସାଧୁ ଜଣକ ସାଧନାରେ ମଗ୍ନ  । ମୁଁ ଚୁପକିନା ଠିଆ ହେଲି ତାଙ୍କ ପାଖରେ  । ମୋ ଅନୁସନ୍ଧିତ୍ସୁ ମନ ତାଙ୍କୁ ପ୍ରଶ୍ନ ବାଣରେ କଲା କ୍ଷତବିକ୍ଷତ  । କୋହ ସମ୍ବରଣ କରିନପାରି ସେ ଗାଇଚାଲିଲେ ଅତୀତର ଇତିବୃତି  । ତାଙ୍କର ବି ଥିଲା ଏକ ସୁନେଲୀ ସଂସାର  । ଥିଲା ପ୍ରାଣପ୍ରାଚୁର୍ଯ୍ୟ ପୂର୍ଣ୍ଣ ପରିବାର  । ହେଲେ କୁହୁକିନୀ ପତ୍ନୀର ମାୟା ଜାଲରେ ପଡ଼ି ସେ ଛଟପଟ ହେଲେ  । ଭୁଲିଗଲେ ନିଜ ବୃଦ୍ଧ ମାତାପିତାଙ୍କୁ  । ସହରରେ ଅଟ୍ଟାଳିକା ଗଢ଼ିଲେ  । ଏକ ସରକାରୀ କଲେଜରେ ଇଂରାଜୀ ଅଧ୍ୟାପକ ଭୂମିକା ନିର୍ବାହ କଲେ  । ପରକୀୟା ପ୍ରେମରେ ମାତିଥିବା ତାଙ୍କର ପତ୍ନୀ ତାଙ୍କୁ ଖାଦ୍ୟରେ ଦେଇଥିଲା ସ୍ଲୋ ପଏଜନ  । କ୍ରମଶଃ ତାଙ୍କ ତନୁ ହେଲା କ୍ଷୀଣ  । ତାଙ୍କୁ ଘରୁ ତଡ଼ିଦେଇ ଏବେ ସେ ନାଗୁଣୀ ଉଆସରେ ଅୟସ କରୁଛି  । ଦୁର୍ଘଟଣାରେ ସେ ମରିଯାଇଛନ୍ତି ବୋଲି ମିଥ୍ୟା ପ୍ରମାଣପତ୍ର ସଂଗ୍ରହ କରି ତାଙ୍କ ପତ୍ନୀ ଏବେ ପାଉଛି ପେନସନ  । ରଙ୍ଗୀନ ଦୁନିଆର ପିଆଲାରେ ସେ ବୁଡେ଼ଇ ରଖିଛି ନିଜକୁ  । ଅଥଚ ଏଣେ ତାଙ୍କର ଜୀବନ ହୋଇଗଲା ଖନଭିନ  । 
    ଶେଷ ଥର ଲାଗି ତାଙ୍କୁ ଭେଟିଲି ଡାକ୍ତରଖାନାର ଶଯ୍ୟା ଉପରେ  । ସଡ଼କ ଦୁର୍ଘଟଣାରେ ଆଘାତପ୍ରାପ୍ତ ହୋଇଥିବା ତାଙ୍କ ସର୍ବାଙ୍ଗ ଶରୀରକୁ ସହୃଦୟ ଡାକ୍ତରମାନେ ଚିକିତ୍ସା କରୁଥିଲେ  । ନିଶ୍ୱାସ ପ୍ରଶ୍ୱାସ ନେବା ଆଣିବା କରିବାକୁ ସେ କଷ୍ଟ ଭୋଗୁଥିଲେ  । ମୋ ଆଖିରେ ତାଙ୍କ ଆଖି ମିଶିଗଲା ବେଳକୁ ସରି ଯାଇଥିଲା ଚନ୍ଦନଯାତ  । ଲୋଟଣୀପାରା ଛାଡ଼ି ଦେଇଥିଲା ଓଲଟ ବୃକ୍ଷ  । ତାଙ୍କର କେହି ଦାବିଦାର ନଥିବାରୁ ଶବ ବ୍ୟବଚ୍ଛେଦ ପରେ ତାଙ୍କ ଗଡେ଼ଇ ଦିଆଗଲା ରାସ୍ତା ଧାରରେ  । ମୋତେ କିନ୍ତୁ କଷ୍ଟ ଦେଉଥିଲା ଗୋଟିଏ କଥା  ।  ପ୍ରଚଣ୍ଡ ପ୍ରତିଭାର ଏକ ଦୋଦୀପ୍ୟମାନ ଦୀପ ଶିଖା କେମିତି ନିର୍ବାପିତ ହୋଇଗଲା ଅଦିନିଆ ଝଡ଼ବତାସରେ  । 
    ଗୋପୀନାଥ ଦାଶ
    ବ୍ରାହ୍ମଣକୁଶଡିହ, ଆଙ୍କୁଲାଚଟୀ, 
    ଖୋର୍ଦ୍ଧା-୭୬୫୨୦୩୦

    Maximum 500 characters

    ଆମ ଭାଷା ଆମ ସାହିତ୍ୟ View all

    Find Us on Facebook