Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କୁନ୍ଦୁଲି ଘଟଣା : କାହାକୁ ବିଶ୍ୱାସ କରିବା ?

    Share on :
    Date: Jan 26, 2018    Views: 455

    ଭୁବନେଶ୍ୱର : କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ ସାରା ଓଡ଼ିଶା ମର୍ମାହତ ଓ ଦୁଃଖିତ  । ଓଡ଼ିଶା ବନ୍ଦ ହୋଇଛି, ହରତାଳ ହୋଇଛି, କୋକେଇ ଶୋଭାଯାତ୍ରା ବି ହୋଇଛି  । ଆମ ଭଳି ଅନେକ ଗଣମାଧ୍ୟମ ବି ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି, ଅନେକ ସୋସିଆଲ ମିଡ଼ିଆରେ କଳାଦିବସ ମଧ୍ୟ ପାଳନ କରିଛନ୍ତି  । ଦୁନିଆକୁ ଭଲ ଭାବେ ଦେଖିବା ପୂର୍ବରୁ ଜଣେ ନୀରିହା ନାବାଳିକାର ଅପମୃତୁ୍ୟକୁ ନିଶ୍ଚିତ ଭାବେ ଏକ ସଭ୍ୟ ସମାଜ ଗ୍ରହଣ କରିପାରିନାହିଁ  । ତେବେ ଘଟଣା ଚକ୍ରରେ ଅନେକ ପ୍ରସଙ୍ଗ ପଦାକୁ ଆସୁଛି, ଯାହାକୁ ମଧ୍ୟ ଅନୁଶୀଳନ କରିବା ଦରକାର  । ଏହି ପରିପ୍ରେକ୍ଷୀରେ ଅନେକ ପ୍ରଶ୍ନ ଉଠୁଛି  । ସେହିପରି ରାଜନୈତିକ ଦୃଷ୍ଟିକୋଣରୁ ହେଉ ବା ଘଂଟ ଘୋଡ଼ାଇବା ପାଇଁ ହେଉ ତାହାର ମଧ୍ୟ କେତେକ ତାର୍କିକ କାରଣ ଉପସ୍ଥାପିତ ହେଉଛି  । ଏଇ ଅବକାଶରେ କେତେକ ପୁଲିସ ଅଧିକାରୀଙ୍କ ସହ ବି ଆମେ ଆଲୋଚନା କରିଥିଲୁ  । ଏଇଯେମିତି;


    ୧. ନବୀନ ସରକାର ଏହି ଘଟଣାକୁ ଚାପି ଦେଇଛନ୍ତି ?
    ବିଜେଡ଼ିର ଯୁକ୍ତି : ନାବାଳିକା ଏଫଆଇଆରରେ କୌଣସି ବିଜେଡ଼ି ନେତାଙ୍କ ନାମ ଉଲ୍ଲେଖ କରିଛନ୍ତି କି ? ଅତୀତରେ ଏଭଳି ଅଭିଯୋଗରେ ଯାଜପୁରର ବିଜେଡ଼ି ନେତାଙ୍କ ଭାଇ ଓ ବ୍ରହ୍ମପୁର ମେୟରଙ୍କ ଭାଇଙ୍କୁ ପୁଲିସ ଗିରଫ କରିଛି  । ବେବିନା ମାମଲାରେ ପ୍ରଦୀପ ମହାରଥୀଙ୍କ ନାଲିବତୀ ବି ଲିଭିଛି  । ତେବେ ଏକ୍ଷେତ୍ରରେ ବିଜେଡ଼ି ନେତାଙ୍କ ସଂପୃକ୍ତି ନଥିବାବେଳେ ନବୀନ ସରକାର ଚାପିବେ କାହିଁକି ବୋଲି ପ୍ରଶ୍ନ ଉଠିଛି  । ଖାଲି ସେତିକିନୁହେଁ ଏହି ଘଟଣାର ଦୋଷୀକୁ ଗିରଫ କରିଥିଲେ ନବୀନ ସରକାରଙ୍କର କୌଣସି କ୍ଷତି ହୋଇନଥା’ନ୍ତା  । ବରଂ ଆଜି ସାରା ଓଡ଼ିଶାରେ ନିନ୍ଦିତ ହେବାକୁ ପଡ଼ୁଛି  । ଏକ୍ଷେତ୍ରରେ ଦଳ କି ଲାଭ ପାଇଲାଯେ, ଲୁଚାଇ ରଖିଥା’ନ୍ତା  । ଯଦି ବା କେଉଁ ସ୍ତରରେ ଏଭଳି ଉଦ୍ୟମ ହୋଇଥିବ ବୋଲି ସନେ୍ଦହ ଉଠୁଛି, ତେବେ ନିଜ ଉପରେ ପଡ଼ିଲେ ପ୍ରମାଦ ଗୁରୁ ବ୍ରାହ୍ମଣ ଶିରଚ୍ଛେଦ ନ୍ୟାୟରେ ଏତେବେଳକୁ ଦୋଷୀକୁ ଜେଲ ହାଜତକୁ ପଠାଇ ଇମେଜ ମେକଅପ କରିଥା’ନ୍ତେ ସରକାର  ।

    ୨. ପୁଲିସ ଘଂଟ ଘୋଡ଼ାଇଛି ?
    ପୁଲିସର ଯୁକ୍ତି : ଉକ୍ତ ଏଫଆଇଆରରେ ଓଡ଼ିଶା ପୁଲିସର ନାଁ ବି ଉଲ୍ଲେଖ ନାହିଁ  । ଉଲ୍ଳେଖ ରହିଛି କେନ୍ଦ୍ରୀୟ ବାହିନୀର କୋବ୍ରା ଟିମ୍ ନାଁ  । ଏଥିରେ ଓଡ଼ିଶା ପୁଲିସ କାହାକୁ ଘଂଟ ଘୋଡ଼ାଇବ  । କୋବ୍ରା ବାହିନୀର ଯବାନଙ୍କୁ ଗିରଫ କରିବାରେ ଅସୁବିଧା କେଉଁଠି ? ସେହିପରି କୋବ୍ରା ବାହିନୀ ସେଦିନ ସେହି ସ୍ଥାନରେ କୌଣସି ଯବାନ ମୁତୟନ ହୋଇନାହାନ୍ତି ବୋଲି ମତ ରଖିଛନ୍ତି  । 

    ୩. ସାଧାରଣ ଜନତାଙ୍କ ପ୍ରଶ୍ନ ଯଦି କୋବ୍ରା ବାହିନୀ ଦୋଷୀ ନୁହଁନ୍ତି, କେହି ତ ଦୋଷୀ ହୋଇଥିବେ ? ପୁଲିସ ସେମାନଙ୍କୁ ନଧରିବା କ’ଣ ପୁଲିସ ବାହିନୀର ଦକ୍ଷତା ଉପରକୁ ଅଙ୍ଗୁଳି ନିଦେ୍ର୍ଧଶ କରୁନାହିଁକି ?
    - ସତ କଥା  । ହୁଏତ କୋବ୍ରା ବାହିନୀର ୟୁନିଫର୍ମ ପିନ୍ଧି କିଛି ଦୁର୍ବୃତ ଏଭଳି ଜଘନ୍ୟ କାର୍ଯ୍ୟ କରିଥାଇପାରନ୍ତି  । ଜଙ୍ଗଲରେ ଜଣଙ୍କୁ କୁକର୍ମ କଲେ ପ୍ରମାଣ କ’ଣ ସବୁ ପବନରେ ମିଳେଇଯିବ ନା ଗଛ ପତ୍ର ଲୁଚାଇଦେବେ  । 

    ୪. ଗଣମାଧ୍ୟମରେ ପ୍ରକାଶିତ ଫୋରେନସିକ ରିପୋର୍ଟ କହୁଛି ଅନ୍ତଃବସ୍ତ୍ରରେ ଦୁଇଟି (ଏ ଓ ବି) ବ୍ଲଡ଼ ଗ୍ରୁପର ଦୁଇ ପୁରୁଷଙ୍କ ସିମେନ୍ ବାହାରିଛି  ।
    ପୁଲିସ ଓ ଫୋରେନସିକ ବିଶେଷଜ୍ଞଙ୍କ ଯୁକ୍ତି : ବ୍ଲଡ଼୍ ଗ୍ରୁପ କ’ଣ ଏ ଓ ବି ଭାବେ ଉଲ୍ଳେଖ କରାଯାଏକି ? ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ହେଉଛି ପ୍ରଥମ ଦଫା ସିରୋଲୋଜି ରିପୋର୍ଟ  । ସେହି ପରୀକ୍ଷାରେ କେମିକାଲ ପରୀକ୍ଷା କରାଯାଇ ଅନ୍ତଃବସ୍ତ୍ରରେ କିଛି ଅଛି କି ନାହିଁ ପରୀକ୍ଷା କରାଯାଏ  । ସେହି ରିପୋର୍ଟ ଆସିବା ବେଳେ ସଂପୃକ୍ତ ନାବାଳକ ଜଣଙ୍କ ବି ପୁଲିସ ହେପାଜତରେ ଅଟକ ଥିଲେ  । ପୁଲିସ ସେହି ସମୟରେ ପ୍ରମାଣ ପାଇଲା ବୋଲି ଭାବି ନେଇôଥଲା  । କିନ୍ତୁ ପରବର୍ତୀ ପରୀକ୍ଷା ଓ ଶେଷ ଅର୍ଥାତ ଡିଏନଏ ପରୀକ୍ଷାରେ ଅନ୍ତଃବସ୍ତ୍ରରେ ଥିବା ଦୁଇଟି ଯାକ ପ୍ୟାଚ ଉକ୍ତ ନାବାଳିକାର ବୋଲି ଜାଣିବାକୁ ମିଳିଛି  । ସେହି ଗଣମାଧ୍ୟମଟି କେବଳ ପ୍ରଥମ ରିପୋର୍ଟଟି ପାଇଛି ନା ସମସ୍ତ ରିପୋର୍ଟ ଥିଲେ ବି ଜାଣିଶୁଣି ଗୋଟିଏ ରିପୋର୍ଟ ଉପସ୍ଥାପିତ କରିଛି  ।

    ୫. ପୀଡ଼ିତା କୁକର୍ମର ଶିକାର ହୋଇନଥିଲେ ମିଛ କହି କି ଲାଭ ପାଇଲା ?
    - ସତ କଥା  । କେଉଁ ଯୁବତୀ ନିଜକୁ ମିଛରେ ବଦନାମ କରିବାକୁ ଚାହିଁବ ନାହିଁ  । ସେହିପରି ସେତିକି ମାନସିକ ଅବସାଦ ଗ୍ରସ୍ତ ନହେଲେ ଜଣେ ଆତ୍ମହତ୍ୟା କରିବ ବା କାହିଁକି ? ତେବେ ଏହି ପରିପ୍ରେକ୍ଷୀରେ ଡାକ୍ତରଙ୍କ ରିପୋର୍ଟ ଏମିତି କାହିଁକି ଆସିଲା ? କାହା ସ୍ୱାର୍ଥରେ ପୁଲିସ, ଡାକ୍ତର ଓ ସରକାର ମିଶିଯାଇ ମିଛ କହିଲେ ? ଡାକ୍ତରଙ୍କ ରିପୋର୍ଟ କ’ଣ ତଦନ୍ତକୁ ବାଟବଣା କରିନାହିଁ କି ? ସେ ଡାକ୍ତର ମଧ୍ୟ ଏହାର ଜବାବ ଦେବା ଦରକାର  । ଯଦି ସେ ମିଛ କହିଥିବେ ତେବେ ମହାପାତକରେ ନିଶ୍ଚିତ ପଡ଼ିବେ  ।

    ୬. ଘଟଣା ଯଦି ମିଛ, ତେବେ ଡିଜି ୯୦ ହଜାର ଟଙ୍କା ତାହେଲେ ଯାଚିଲେ କାହିଁକି ? 
    - ହଁ  । ଡିଜିଙ୍କର କ’ଣ ଦରକାର ଥିଲା ଟଙ୍କା ଯାଚିବା  । ଟଙ୍କା ତ ଧଳାକୁ କଳା, କଳାକୁ ଧଳା କରିବା ପାଇଁ ଦେଣନେଣ ହୁଏ  । ତେବେ କେତେକଙ୍କ କହିବା କଥା ହେଉଛି, ଆମେ ଏଯାଏଁ ଡିଜିଙ୍କୁ ଚିହ୍ନିନୁ  । ଡିଜିଙ୍କ ଫଟୋ ଦେଖିଲେ ବି କହିପାରିବୁନି ଇଏ କିଏ ? ବହୁ ଜାଣିବାଶୁଣିବା ଲୋକେ ବି ଡିଜିଙ୍କ ନାଁ କହିପାରିବେନି କି ଚିହ୍ନପାରିବେନି  । ଏଭଳି କ୍ଷେତ୍ରରେ ଡିଜିଙ୍କୁ ନାବାଳିକା ଜାଣିଲା କେମିତି ? ଡିଜି ୯୦ ହଜାର ଟଙ୍କା ଦେଇଛନ୍ତି ବୋଲି କିଏ ଗଣିଲା ? ଡିଜି ଜଣେ ପୀଡ଼ିତାଙ୍କୁ ପ୍ରଭାବିତ କରିବେ ନା, ତାଙ୍କ ପିତାମାତାଙ୍କୁ ? ସେହିପରି ଡିଜି ମାମଲାର ରଫା ଦଫା କରିବାକୁ ଚାହିଁଥିଲେ ଅନ୍ୟ ଜରିଆରେ ନକରି ନିଜେ କାହିଁକି କରିବେ ? ଏମିତି ଅନେକ ପ୍ରଶ୍ନ ବି ଉଠୁଛି  ।

    ୭. କ୍ରାଇମବ୍ରାଂଚ ଏବେ କାହିଁକି ରିପୋର୍ଟ ଦେଲା ?
    - କ୍ରାଇମବ୍ରାଂଚ ଯଦି ପ୍ରେମ ସମ୍ପର୍କ କଥା ଏବେ କହୁଛି ତେବେ ପୂର୍ବରୁ କାହିଁକି ଶୋଇ ରହିଥିଲା ? ସେତେବେଳେ ବି କ୍ରାଇମବ୍ରାଂଚ ନାବାଳକର ଫୋରେନସିକ ଟେଷ୍ଟ ରିପୋର୍ଟ ସମ୍ପର୍କରେ ସୁରାକ ଦେଇପାରିଥା’ନ୍ତା  । ରିପୋର୍ଟ ପ୍ରଘଟ କରିବା ଦରକାର ନାହିଁ, ପୀଡ଼ିତାର ମୃତୁ୍ୟ ପରେ ଯେମିତି ରିପୋର୍ଟ ଲିକ କଲା ସେଭଳି ବି କରିପାରିଥା’ନ୍ତା  ।
     ନିୟତିର ବିଧାନ ବଡ଼ ନିଷ୍ଠୁର  । ଅନେକ ଅନୁତରିତ ପ୍ରଶ୍ନର ଉତର ଛାଡ଼ି ଦେଇଗଲେ ପୀଡ଼ିତା  । ସେ ବଂଚିଥିଲେ ମାମଲା ଗଡ଼ି ଚାଲିଥା’ନ୍ତା  । କାହିଁକିନା ସେ ହିଁ ଏହାର ଏକମାତ୍ର ସାକ୍ଷୀ ଥିଲେ  । ଆଇନ ଅନୁଯାୟୀ କୋର୍ଟ ଡାକ୍ତର ଓ ପୁଲିସର ତଦନ୍ତ ରିପୋର୍ଟ ଅପେକ୍ଷା ପୀଡ଼ିତାର କଥାକୁ ଗୁରୁତ୍ୱ ଦେଇଥା’ନ୍ତେ  । ଫଳରେ ଏହି ମାମଲା ବନ୍ଦ ହେବାର ଯଥେଷ୍ଟ ଆଶଙ୍କା ରହିଛି  । ନିଶ୍ଚିତ ଭାବେ ଉପôୀଡ଼ନ ଓ ମାନସିକ ଦୁଶ୍ଚିନ୍ତାର ଶିକାର ହୋଇ ନିଜ ଜୀବନ ହାରିବା ଭଳି ଶେଷ ପନ୍ଥା ଅବଲମ୍ବନ କରିଥିବା ପୀଡ଼ିତାଙ୍କ ଆତ୍ମା ଏଯାଏଁ ବି ଅତୃପ୍ତ ହୋଇ ରହିଥିବ  । କୁହାଯାଏ, ସତ କେବେ ଲୁଚି ରହେନା  । ଭଗବାନ କରନ୍ତୁ ଏହି ଘଟଣାର ପ୍ରକୃତ ସତ ଲୋକଲୋଚନକୁ ଆସୁ  । ଯଦି ପୁଲିସ କି ପ୍ରଶାସନ କି ନବୀନ ସରକାର ଘଂଟ ଘୋଡ଼ାଇଥିବେ ଭଗବାନ ତାଙ୍କୁ ଦଣ୍ଡିତ କରନ୍ତୁ  । କିମ୍ବା ଘଟଣାର ମୋଡ଼ ବଦଳାଇବା ପାଇଁ ପୀଡ଼ିତାଙ୍କ ପିତାମାତା ବା ତାଙ୍କ ଉପରେ ଚାପ ପକାଇଥିବା ଖଳ ଶକ୍ତିମାନଙ୍କୁ ଭଗବାନ ଦଣ୍ଡିତ କରିବେ ବୋଲି ଆଶା  । ପୀଡ଼ିତାଙ୍କ ଆତ୍ମା ଶାନ୍ତି ପାଉ, ଏତିକି ହିଁ କାମନା କରିବା ବ୍ୟତୀତ ଗଣମାଧ୍ୟମ ନିକଟରେ ଚାରା ନାହିଁ  । ବିଭିନ୍ନ ନୂତନ ଘଟଣା ସହ କୁନ୍ଦୁଲି ଘଟଣା ଉପରେ ଯଦି ଗଣମାଧ୍ୟମ ଦୃଷ୍ଟି ନିବଦ୍ଧ କରିରଖିବ ତେବେ କେବେ ନା କେବେ ଏହାର ଖିଅ ମିଳିବ ବୋଲି ଆଶା କରୁଛୁ  ।

    Maximum 500 characters

    ବିଶେଷ View all

    Find Us on Facebook