Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କୁନ୍ଦୁଲି: ପଦାକୁ ଆସିବ କି ସତ?

    Share on :
    Date: Jan 24, 2018    Views: 487


    ଭୁବନେଶ୍ୱର: କୁନ୍ଦୁଲି ପୀଡ଼ିତାଙ୍କ ପ୍ରତି ହୋଇଥିବା କୁକର୍ମ ଓ ଆତ୍ମହତ୍ୟାକୁ ନେଇ ପୁଲିସ ଯେଉଁ ରିପୋର୍ଟ ଦେଇଛି ତାହାକୁ ନେଇ ନାନାଦି କଳ୍ପନାଜଳ୍ପନା ପ୍ରକାଶ ପାଉଛି । ସତରେ ଏହି କୁକର୍ମ ହୋଇଥିଲା ନା କୁକର୍ମର ରଙ୍ଗ ଦିଆଯାଇଥିଲା, ଯଦି ସତରେ କୁକର୍ମ ହୋଇଥିଲା ତେବେ ଘଟଣାକୁ ଚାପିବା ପଛରେ କାହାର ହାତ ରହିଛି, ସେମାନଙ୍କୁ ଗିରଫକରିବା ପାଇଁ ପୁଲିସର ହାତ ଥରିଲା କାହିଁକି ? ମାନସିକ ବିଷାଦ କାରଣରୁ ଆତ୍ମହତ୍ୟା ହୋଇଛି ନା ତା’ ପଛରେ କିଛି ରହସ୍ୟ ଲୁଚି ରହିଛି ସେ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତମାନ ପୋଷଣ ପାଇଛି । ଏହି ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ଘେରୁଥିବା ବେଳେ କ୍ରାଇମବ୍ରାଂଚର ତଦନ୍ତ ରିପୋର୍ଟକୁ ନେଇ ସତ ମିଛର ଅଙ୍କକଷା ଚାଲିଛି । ଅନେକ ଅନୁତରିତ ପ୍ରଶ୍ନର ବୁଢ଼ିଆଣୀ ଜାଲରେ ସମସ୍ତେ ଛନ୍ଦି ହୋଇଯାଇଥିବା ବେଳେ ସତ କ’ଣ ପଦାକୁ ଆସିବ ବୋଲି ଆଶା ଆଶଙ୍କା ପ୍ରକାଶ ପାଇଛି । 
    ପୂର୍ବରୁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏଣ୍ଡ ହସପିଟାଲର ଡାକ୍ତର ଓ ବ୍ରହ୍ମପୁରର ଏମକେସିଜି ହସପିଟାଲ ଓ ଡାକ୍ତରମାନେ ପୀଡ଼ିତା କୁକର୍ମର ଶିକାର ହୋଇନାହାନ୍ତି ବୋଲି ରିପୋର୍ଟ ଦେଇଛନ୍ତି । ଡାକ୍ତରଙ୍କ ଏହି ରିପୋର୍ଟ ଶତ ପ୍ରତିଶତ ଠିକ ବୋଲି କହିବା ଉଚିତ ହେବ ନାହିଁ । ଏହି ଘଟଣାକୁ ନେଇ ଅନେକ ଘଂଟାଚକଟା ଚାଲିଥିବା ବେଳେ ୧୬ବର୍ଷିୟ ନାବାଳକର ଭୂମିକା ନେଇ ପୁଲିସ ଯେଉଁ ରିପୋର୍ଟ ଦେଉଛି ତାହା ମଧ୍ୟ ସାଧାରଣରେ ବିଶ୍ୱାସଯୋଗ୍ୟ ହେଉନାହିଁ । ପୁଲିସ ରିପୋର୍ଟ ଅନୁଯାୟୀ ଘଟଣାପରେ ଉକ୍ତ ନାବାଳକର ଲାଇ ଡିଟେକସନ୍ ପରୀକ୍ଷା ହୋଇଥିଲା । ପଲିଗ୍ରାଫ ଟେଷ୍ଟ ବେଳେ ତାକୁ ପ୍ରାୟ ୭୦ଟି ପ୍ରଶ୍ନ ପଚରାଯାଇଥିବା ବେଳେ ପୀଡ଼ିତା ସହ ତା’ର ସଂପର୍କ ରହିଥିବା ସ୍ୱୀକାର କରିଥିଲା । ପୁଲିସର କହିବାନୁ ଯାୟୀ ଝିଅଟି ଯେତେବେଳେ ତା’ ଘରକୁ ଫେରୁଥିଲା ଅଧବାଟରେ ଉକ୍ତ ନାବାଳକ ସହ ତା’ର ଭେଟ ହୋଇଥିଲା । ଯେଉଁସ୍ଥାନରେ କୁକର୍ମ ହୋଇଛି ବୋଲି ପୀଡ଼ିତା ଅଭିଯୋଗ କରୁଥିଲା ଠିକ୍ ସେହି ସ୍ଥାନରେ ନାବାଳକ ଜଣକ ସହ ତା’ର ସାକ୍ଷାତ ହୋଇଥିଲା । ଉଭୟ କଥାବାର୍ତା ହେଉଥିବା ବେଳେ ଝିଅଟି ତାକୁ ବିବାହ କରିବା ପାଇଁ ଜିଦ ଧରିଥିବା ବେଳେ ନାବାଳକ ଜଣକ ମନା କରିଦେଇଥିଲେ । ତେଣୁ ଝିଅଟି ତା’ର ପୋଷାକ ଚିରିଦେଇ ଯଦି ବାହା ନହେବ ତେବେ ତୁମେ ମୋତେ କୁକର୍ମ କରିଛ ବୋଲି ପ୍ରଚାର କରିବି ବୋଲି ଧମକ ଦେଇଥିଲା । ଯେଉଁଥିପାଇଁ ଉକ୍ତ ନାବାଳକ ଜଣକ ରାଜି ହେବା ସହ ତାକୁ ନେଇ ଘରେ ଛାଡ଼ି ଦେଇଥିଲା । ପରେ ପରେ ଝିଅଟି ତାକୁ ଚାରିଜଣ ୟୁନିଫର୍ମରେ ଥିବା ସୁରକ୍ଷା କର୍ମୀ ଦୁଷ୍କର୍ମ କରିଥିବା ନେଇ ଘରେ କହିବା ପରେ ଘଟଣା ଆଉ ଏକ ମୋଡ଼ ନେଇଥିବା ରିପୋର୍ଟରେ ଉଲ୍ଲେଖଥିବା ଜଣାପଡ଼ିଛି । ଏହାକୁ ନେଇ ତନାଘନା ହେବା ପରେ ଝିଅ ଉପରେ ବିଭିନ୍ନ ଆଡ଼ୁ ଚାପ ପଡ଼ିଥିଲା ବୋଲି କୁହାଯାଉଛି । ତେବେ ପ୍ରଶ୍ନ ଉଠୁଛି ଯଦି ଲାଇ ଡିଟେକସନ ଟେଷ୍ଟ ବେଳେ ନାବାଳକ ଏହା ସ୍ୱୀକାର କରିଥିଲା ତେବେ ପୁଲିସ ତାକୁ ଛାଡ଼ିଦେଲା କାହିଁକି? ତାକୁ ଅଟକ ରଖି ଅଧିକ ପଚରାଉଚରା କରି ପ୍ରମାଣ କାହିଁକି ଯୋଗାଡ଼ କରିନଥିଲା? ଯଦି ନାବାଳକ ଦୋଷୀ ବୋଲି ପୁଲିସ ପାଖରେ ସ୍ପଷ୍ଟ ପ୍ରମାଣ ଥିଲା ତେବେ ଏଯାଏଁ ପୁଲିସ ଅହେତୁକ ନିରବତା କାହିଁକି ଅବଲମ୍ବନ କରିଆସୁଥିଲା ? ଅପରପକ୍ଷରେ ଯଦି ଝିଅର କୁକର୍ମ ଧମକରେ ନାବାଳକ ଜଣକ ବିବାହ କରିବାକୁ ରାଜି ହୋଇଥିଲା ସେତେବେଳେ ପୀଡ଼ିତାଙ୍କୁ ମିଛ କହିବାର କି ଆବଶ୍ୟକତା ରହିଥିଲା ବୋଲି ଜଣେ ଆଇନଜୀବୀ ପ୍ରଶ୍ନ କରିଥିଲେ । 
    ସତ ପଦାକୁ ଆସିବା ଓ ଦୋଷୀକୁ ଗିରଫ ଦାବିରେ ସବୁ ମହଲରେ ଦାବି ହୋଇଆସୁଛି । ଗଣମାଧ୍ୟମରୁ ନେଇ ସାମାଜିକ ଗଣମାଧ୍ୟମ ପର୍ଯ୍ୟନ୍ତ ସମସ୍ତେ ଚାହୁଁଛନ୍ତି ପ୍ରକୃତ ସତ କ’ଣ? ପ୍ରକୃତ ଦୋଷୀ କିଏ? ଏହା ଏବେ ପୁଲିସ ପାଇଁ ଆଉ ଏକ ଆହ୍ୱାନ ସୃଷ୍ଟି କରୁଥିବା ବେଳେ ସିବିଆଇ ତଦନ୍ତ କରାଗଲେ ଘଟଣାର ସତ୍ୟତା ଆସିପାରିବ କି? କାହିଁକି ନା ସିବିଆଇ ଇତିଶ୍ରୀ ମାମଲା ମଧ୍ୟ ପ୍ରମାଣ ଅଭାବରୁ ବନ୍ଦ କରିଦେଇଥିବା ବେଳେ ଆରୁଷି ମାମଲାରେ ମଧ୍ୟ କୌଣସି ତଥ୍ୟ ପ୍ରମାଣ ହାସଲ କରିପାରିନଥିଲା । 

    Maximum 500 characters

    ବିଶେଷ View all

    Find Us on Facebook