Jun 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ସିୱାଇଏସ୍‍ଡି ପକ୍ଷରୁ ପ୍ରାକ୍‍ ବଜେଟ୍‍ : ବିତର୍କ ବଜେଟରେ ସ୍ୱାସ୍ଥ୍ୟ, ଶିକ୍ଷା, ନିଯୁକ୍ତି, ଖରିଫ୍‍ ଫସଲକୁ ଗୁରୁତ୍ୱାରୋପ

    Share on :
    Date: Jan 8, 2018    Views: 263

    ଭୁବନେଶ୍ୱର : ରାଜ୍ୟ ସରକାର ୨୦୧୮-୧୯ ଆର୍ଥôକ ବର୍ଷ ବଜେଟକୁ ଆଖି ଆଗରେ ରଖି ଲୋକମାନଙ୍କର ପ୍ରାଥମିକତା, ଆବଶ୍ୟକତା ଆଦିକୁ ଆଖି ଆଗରେ ରଖି ବଜେଟ୍‍ ପ୍ରସ୍ତୁତ କରିବା ପାଇଁ ପ୍ରାକ୍‍ ବଜେଟ ବିତର୍କ ସି.ୱାଇ.ଏସ୍‍.ଡି ଏବଂ ଏଡ୍‍-ଆଟ୍‍ଆକ୍ସନ୍‍ର ମିଳିତ ସହଯୋଗରେ ଆଜି ଆୟୋଜିତ ହୋଇଯାଇଛି । ଆସନ୍ତା ବଜେଟ୍‍ରେ ସ୍ୱାସ୍ଥ୍ୟ, ଶିକ୍ଷା, ଆତ୍ମ ନିଯୁକ୍ତି, ଖାଦ୍ୟ ସୁରକ୍ଷା, ଖରିଫ୍‍ ଫସଲ୍‍ର ସଂପ୍ରସାରଣ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରଣୟନ ଏବଂ ପଞ୍ଚାୟତ ସ୍ତରରେ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଦିଗରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ଏହି ବିତର୍କରେ ମତ ପ୍ରକାଶ ପାଇଛି । 

    ଓଡିଶାରେ ପ୍ରାଥମିକ ଶିକ୍ଷାର ସ୍ଥିତି ଅବହେଳିତ ଅବସ୍ଥାରେ ରହିିଛି । ଉପଯୁକ୍ତ ତାଲିମ୍‍ ପ୍ରାପ୍ତ ଶିକ୍ଷକ/ଶିକ୍ଷୟିତ୍ରୀ, ବିଦ୍ୟାଳୟରେ ସର୍ବନିମ୍ନ ଭିତ୍ତିଭୂମୀ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଉତ୍ତରଦାୟିତ୍ୱ ଆଦିର  ଅଭାବ ଯୋଗୁଁ ରାଜ୍ୟର ପ୍ରାଥମିକ ଶିକ୍ଷା ସ୍ଥିତ ଉଦ୍‍ବେଗଜନକ ରହିଛି ଏବଂ ଏହି ଦିଗରେ ସରକାର ଆଗାମୀ ବଜେଟ୍‍ରେ ଧ୍ୟାନ ଦେବା ଉଚିତ୍‍ ବୋଲି ବିତର୍କରେ ଉପସ୍ଥିତ ବକ୍ତାମାନେ ମତ ପୋଷଣ କରିଛନ୍ତି । 

    ସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ୱାସ୍ଥ୍ୟ କର୍ମୀ, ଆବଶ୍ୟକୀୟ ପରୀକ୍ଷଣ ସୁବିଧା ଏବଂ ଆଦିବାସୀ ଅଧୁ୍ୟଷିତ ଅଂଚଳରେ ସର୍ବନିମ୍ନ ଭିତ୍ତିଭୂମୀର ଅଭାବ ବର୍ତ୍ତମାନର ମୁଖ୍ୟ ସମସ୍ୟା ଫଳରେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡିଶାରେ ରୋଗୀମାନଙ୍କ ଆଉଟ ଅଫ ପକେଟ ଖର୍ଚ୍ଚ ଏବେ ବି ଅଧିକ ରହିଛି । ବିଗତ ଦଶ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଯଦିଓ ବ୍ୟୟବରାଦ ବୃଦ୍ଧି ପାଇଛି; ଆସନ୍ତା ବଜେଟ୍‍ରେ ପାରା ମେଡିକାଲ କର୍ମଚାରୀ ନିଯୁକ୍ତି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ଏକ୍ସରେ ମେସିନ୍‍ର ବ୍ୟବସ୍ଥା ସହ ତାଲିମ୍‍ ପ୍ରାପ୍ତ ମାନବ ସମ୍ବଳର ନିଯୁକ୍ତି ଭଳି ମୌଳିକ ଆବଶ୍ୟକତା ଉପରେ ଧ୍ୟାନ ଦିଆଯିବା ଉଚିତ୍‍ । ସେହିପରି ଓଡିଶାରେ ଗ୍ରାମୀଣ ଅଂଚଳରେ ପାଇଖାନା ସୁବିଧା ହାର ଦେଶରେ ଥିବା ଜାତୀୟ ହାର ଠାରୁ ଢେର କମ ଅଛି । ୨୦୧୧ ଜନଗଣନା ଅନୁସାରେ, ଗ୍ରାମାଞ୍ଚଳର ୪୪.୭୧ ଲକ୍ଷ ପରିବାର ପାଖରେ ପାଇଖାନା ସୁବିଧା ନାହିଁ । ୨୦୧୯ ସୁଦ୍ଧା ରାଜ୍ୟକୁ ୧୦୦ ପ୍ରତିଶତ ଖୋଲା ମଳମୁକ୍ତ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟ ହାସଲ ନିମନ୍ତେ ଆହୁରି ୫ ହଜାର ୪ ଶହ କୋଟି ଟଙ୍କାର ଆବଶ୍ୟକତା ରହିଛି । ଆଉ ଦୁଇଟି ଆର୍ଥôକ ବର୍ଷ ୨୦୧୮-୧୯ ଏବଂ ୨୦୧୯-୨୦ ବାକି ଥିଲା ବେଳେ ବଜେଟରେ ବ୍ୟାପକ ଅର୍ଥ ବ୍ୟୟ ବରାଦ କଲେ ହିଁ ଏହି ଲକ୍ଷ୍ୟ ହାସଲ କରାଯାଇପାରିବ । ସେହିପରି ରାଜ୍ୟରେ ଖାଦ୍ୟ ନିରାପତ୍ତା ଦିଗରେ ସରକାର ଏକ ପୁଷ୍ଟିସାଧନ ମିଶନ୍‍ ମାଧ୍ୟମରେ ଅତ୍ୟନ୍ତ ପୁଷ୍ଟିହୀନ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାର ଆବଶ୍ୟକତା ରହିଛି । 

    ଓଡିଶାର ମୋଟ ଜନସଂଖ୍ୟାର ପ୍ରାୟ ୨୩ ପ୍ରତିଶତ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ପାଇଁ ୨୦୧୭-୧୮ ମସିହାରେ ପ୍ରାୟ ୧୧ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ମାତ୍ର ଏହି ଖର୍ଚ୍ଚ ତଦାରଖ, ଉତ୍ତରଦାୟିତ୍ୱ ଏବଂ ଆନଷ୍ଠାନିକ ବ୍ୟବସ୍ଥାର ଅଭାବ ହେତୁ ଅନେକ କ୍ଷେତ୍ରରେ ଏହି ଅର୍ଥରୁ ଦରମା, ମହଙ୍ଗା ଭତ୍ତା ଓ ଅଣ- ଆଦିବାସୀ କାର୍ଯ୍ୟକ୍ରମ ଭିତ୍ତିକ ଖର୍ଚ୍ଚ କରାଯାଉଛି । ଏହି ଯୋଜନାର ସଠିକ୍‍ ରୂପାୟନ ପାଇଁ ଲକ୍ଷ୍ୟଭଦେୀ ଦୀର୍ଘମୀଆଦୀ ଯୋଜନାର ବିକାଶ ଓ ଏହାର ସଠିକ୍‍ ପ୍ରଣୟନ ପାଇଁ ସ୍ୱତନ୍ତ୍ର ଖସଡା ପ୍ରସ୍ତୁତିର ଆବଶ୍ୟକତା ରହିଛି । ଏହି ଦିଗରେ ଆନ୍ଧ୍ର ପ୍ରଦେଶ ଢାଞ୍ଚାରେ ଆମ ରାଜ୍ୟରେ ମଧ୍ୟ ଏକ ଆଇନ୍‍ ପ୍ରଣୟନର ଆବଶ୍ୟକତା ରହିଛି ।

    କୃଷି କ୍ଷେତ୍ରରେ ନିଯୁକ୍ତି ହାର ଅଧିକ ଥିବା ବେଳେ ରାଜ୍ୟର ମୋଟ ଘରୋଇ ଉପôାଦରେ କୃଷି ଅନୁପାତ ମାତ୍ର ୧୫% ରହିଛି । ଏହା ଦ୍ୱାରା ଚାଷୀ ଓ ଚାଷର ବିକାଶ କ୍ଷେତ୍ର କେତେ ଅବହେଳିତ ତାହା ସହଜେ ଅନୁମେୟ । ରାଜ୍ୟର ପ୍ରାୟ ଶତକଡା ୭୪ ଭାଗ ଚାଷ ଜମି ଅଣ- ଜଳସେଚିତ । ତେଣୁ ଖରିଫ୍‍ ଫସଲ୍‍ର ଉନ୍ନତି ପାଇଁ ଆବଶ୍ୟକୀୟ ବୈଷୟିକ ଜ୍ଞାନକୌଶଳ ଓ ଭିତ୍ତିଭୂମୀର ବିକାଶ ସମେତ ଚାଷୀମାନଙ୍କୁ ଦେଶୀୟ ପଶୁପାଳନ ଓ ମରୁଡି ପ୍ରତିରୋଧୀ ବିହନ ଆଦି ଯୋଜନା ଆଦି ପ୍ରଣୟନର ଆବଶ୍ୟକତା ରହିଛି । ଜିପିଡିପିରେ ଗ୍ରାମ ସ୍ତରରେ କୃଷି ଯୋଜନା ଉପରେ ଗୁରୁତ୍ୱ ଦିଆଯିବା ସହ ମହାତ୍ମାଗାନ୍ଧୀ ନିଶ୍ଚିତ୍‍ କର୍ମନିଯୁକ୍ତି ଯୋଜନାରେ ଜଳ ସଂରକ୍ଷଣ ଏବଂ ଜଳାଶୟ ଖନନ ଓ ପୁନଃଉଦ୍ଧାର ଖରିଫ୍‍ ଫସଲ ବିକାଶ ଦିଗରେ ସହାୟକ ହୋଇପାରିବ । ରାଜ୍ୟରେ ପ୍ରାୟ ୭୦ ପ୍ରତିଶତ କୃଷି ସଂପ୍ରାସରଣ ଅଧିକାରୀ ପଦବୀ ଖାଲି ରହିଛି । ଏହି ପଦବୀ ପୂରଣ ସହିତ ସଂପ୍ରସାରିତ ଜୈବିକ କୃଷିର ବିକାଶ ଏବଂ ଆବଶ୍ୟକୀୟ ଗୋଦାମ ଗୃହ ନିର୍ମାଣ ଦିଗରେ ଆସନ୍ତା ବଜେଟ୍‍ରେ ଧ୍ୟାନ ଦିଆଯିବା ଉଚିତ୍‍ ।
    ଆଗାମୀ ବଜେଟରେ ଦାବି ମୁତାବକ ଯୋଜନା ପ୍ରଣୟନ ପାଇଁ ଆୟ ସୁତ୍ର ଯୋଗାଡ କରିବା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ ଆହ୍ୱାନ ବୋଲି ଅର୍ଥ ବିଭାଗ ସଚିବ ଦାୟିତ୍ୱରେ ଥିବା ଅଶୋକ ମୀନା କହିଛନ୍ତି । ସରକାରଙ୍କ ପ୍ରାଥମିକତାରେ ନିଯୁକ୍ତି ଏବଂ ଆତ୍ମ ନିଯୁକ୍ତି ସୃଷ୍ଟି କରିବା ଏବଂ ତୃଣମୁଳ ସ୍ତରର ଗୋଷ୍ଠୀ ସଙ୍ଗଠନଗୁଡିକୁ ସଶକ୍ତ କରାଯାଇପାରିଲେ ଯୋଜନା ରୂପୟନରେ ସ୍ୱଚ୍ଛତା ଆସିପାରିବ ବୋଲି ଶ୍ରୀ ମୀନା ମତ ବ୍ୟକ୍ତ କରିଛନ୍ତି । ଜି.ଏସ୍‍.ଟି. କାର୍ଯ୍ୟକାରୀ ହେବା ପରେ ଲ୍ୟାଣ୍ଡ ରେଭିନୁ୍ୟୟ, ଷ୍ଟାମ୍ପ ଡୁ୍ୟଟି, ମୋଟର ଯାନ କର ଆଦି ଭଳି କ୍ଷେତ୍ରରେ ଓଡିଶା ପାଇଁ ନିଜସ୍ୱ ରାଜସ୍ୱ ବୃଦ୍ଧି ସୁଯୋଗ ଉପରେ ଆଲୋଚନାରେ ମତ ପ୍ରକାଶ ପାଇଛି । ଓଡିଶାରେ ଉପଲବ୍ଧ ଅତିରକ୍ତ ଆୟ ଯଥା ମିନେରାଲ୍‍ ଡେଭେଲପ୍‍ମେଣ୍ଟ ଫଣ୍ଡ, ମାନିଂରୁ ହେଉଥିବା ଆୟକୁ ପ୍ରଭାବିତ ଜିଲ୍ଲାଗୁଡିକରେ ସାମାଜିକ ବିକାଶ କ୍ଷେତ୍ରରେ ଲକ୍ଷ୍ୟଭେଦୀ ଯୋଜନା ଦ୍ୱାରା ଖର୍ଚ୍ଚ କରାଯିବା ଆବଶ୍ୟକତା ରହିଛି ।
    ଏହି ଆଲୋଚନା ଚକ୍ରରରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ୍‍ କାନୁନ୍‍ଗୋ, ରାଜ୍ୟର ବିଭିନ୍ନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ,  ଓଡିଶା ଲୋକ ସେବା ଆୟୋଗର ପୂର୍ବତନ ଅଧ୍ୟକ୍ଷ ବିବେକ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀ ଓ ତପନ ମିଶ୍ର, ସାମାଜିକ କର୍ମୀ ନମ୍ରତା ଚଢା, ପ୍ରଫେସର ଭାଗବତ ପାତ୍ର ଓ ଅସୀତ ମହାନ୍ତି ଏବଂ ଜଗଦାନନ୍ଦ ପ୍ରମୂଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସି.ୱାଇ.ଏସ୍‍.ଡି. ବସନ୍ତ ନାୟକ ପରିଚାଳନା କରିଥିଲେ ।

    Maximum 500 characters

    ଅର୍ଥନୀତି View all

    Find Us on Facebook