Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସଂସଦରେ ମହାନଦୀ ଚର୍ଚ୍ଚା କିଏ କହିଲେ କ’ଣ ? କେମିତି ନୀତିନ ଗଡ଼କରୀ ଦେଲେ ବିଜେଡ଼ି ସାଂସଦଙ୍କୁ ଜବାବ ? କେମିତି ଟ୍ରିବୁନାଲ ଦାବିରେ ଅଡ଼ି ବସିଲେ ବିଜେଡ଼ି ସାଂସଦ

    Share on :
    Date: Jan 4, 2018    Views: 775

    ଭୁବନେଶ୍ୱର : ସଂସଦରେ ଉଠିଛି ମହାନଦୀ ବିବାଦ ପ୍ରସଙ୍ଗ  । ଗୋଟିଏ ପଟେ ବିଜୁ ଜନତା ଦଳର ସାଂସଦମାନେ ଟ୍ରିବୁନାଲ ଗଠନ ଦାବିରେ ଅଡ଼ି ବସିଥିବାବେଳେ ଅପରପକ୍ଷରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ନୀତିନ ଗଡ଼କରୀ ଆପୋଷ ଆଲୋଚନା ଉପରେ ଗୁରୁତ୍ୱାରୋପ କରିଥିଲେ  । ପ୍ରାୟ ୨୨ ମିନିଟ୍ ଧରି ସଂସଦରେ ମହାନଦୀ ଆଲୋଚନା ଚାଲିଥିଲା  । 
    କେମିିତି ଥିଲା ମହାନଦୀ ଆଲୋଚନା  । ସମୟ ୧୧ଟା  । ପ୍ରଶ୍ନ ନମ୍ବର ୨୪୧  । ପ୍ରଶ୍ନକର୍ତା ନଗେନ୍ଦ୍ର କୁମାର ପ୍ରଧାନ  । କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସେ ପଚାରିଥିଲେ ୪ଟି ପ୍ରଶ୍ନ  । କ. ମହାନଦୀରେ ୬ଟି ଶିଳ୍ପଭିତିକ ବ୍ୟାରେଜ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଛତିଶଗଡ଼ ସରକାର ଅନୁମତି ନେଇଥିଲେ କି ? ଖ. ଛତିଶଗଡ଼ ସରକାର ମହାନଦୀ ଅବବାହିକାର ୩୩୮୯୮ ଏମସିଏମ ଜଳ ବ୍ୟବହାର ପାଇଁ ଯୋଜନା କରିବାବେଳେ ଓଡ଼ିଶାର ଦାବି ବିଚାରକୁ ନିଆଯାଇଛି କି ? ଗ. ଅତ୍ୟଧିକ ବନ୍ୟା ସମୟରେ ଓଡ଼ିଶାର ତଳମୁଣ୍ଡକୁ ବନ୍ୟା ଜଳ ଛାଡ଼ିବା ପାଇଁ ଛତିଶଗଡ଼ର ପ୍ରସ୍ତାବ ରହିଛି କି ? ଘ.  ଯଦି ହୋଇଥାଏ, ତେବେ ଓଡ଼ିଶାର ଆବଶ୍ୟକତା ମେଂଟାଇବା ଓ ପରିବେଶ ପାଇଁ ନଦୀର ସ୍ରୋତ ପ୍ରବାହ ପାଇଁ ଛତିଶଗଡ଼ ସରକାର ମହାନଦୀର ଜଳପ୍ରବାହ ସର୍ବନିମ୍ନ କେତେ ରଖିବାକୁ ନିଷ୍ପତି ନେଇଛନ୍ତି ତାହାର ସବିଶେଷ ବିବରଣୀ ଦେବେ କି ?

    ଏହାର ଉତର ରଖିଥିଲେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ନୀତିନ ଗଡ଼କରୀ  ।


    ସାଂସଦ ନଗେନ୍ଦ୍ର ପ୍ରଧାନ କହିଥିଲେଯେ, ମନ୍ତ୍ରୀ କହୁଛନ୍ତି ଛତିଶଗଡ଼ ଯେଉଁ ପ୍ରକଳ୍ପ ନିର୍ମାଣ କରିଛି ତାହା କ୍ଷୁଦ୍ର ପ୍ରକଳ୍ପ  । ତେଣୁ କେନ୍ଦ୍ରୀୟ ଜଳ କମିଶନଙ୍କ ମଂଜୁରୀର ଆବଶ୍ୟକତା ନାହିଁ  । ତେବେ ହୀରାକୁଦ ବନ୍ଧର ଉପରମୁଣ୍ଡରେ ଛତିଶଗଡ଼ ସରକାର ପାଖାପାଖି ଗୋଟିକ ପରେ ଗୋଟିଏ ୬ଟି ବ୍ୟାରେଜ କରିଛନ୍ତି  । ଶିଳ୍ପକୁ ପାଣି ଦେବା ପାଇଁ ଏହି ବ୍ୟାରେଜ ନିର୍ମାଣ କରାଯାଇଥିବାବେଳେ ଆନ୍ତଃ ସଂଯୋଗକାରୀ କେନାଲ ମଧ୍ୟ ରହିଛି । ଏହି ୬ଟି ବ୍ୟାରେଜ ମଧ୍ୟରେ ଆନ୍ତଃ ସଂଯୋଗ ରହିଛି କି ନାହିଁ ? ଯଦି ହୋଇଥାଏ ତେବେ ଛତିଶଗଡ଼କୁ କେନ୍ଦ୍ର ସରକାର ସମର୍ଥନ କରୁଛନ୍ତି ବୋଲି ଆମେ କହିପାରିବୁ କି ଶ୍ରୀ ପ୍ରଧାନ ପ୍ରଶ୍ନ କରିଥିଲେ  ।


    ଏହାର ଉତରରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଲେଯେ, ଛତିଶଗଡ଼ କରିଥିବା ୬ଟି ପ୍ରକଳ୍ପର ନକଲ ତାଙ୍କ ପାଖରେ ଅଛି  । ଏହି ସବୁ ପ୍ରକଳ୍ପ ଦ୍ୱାରା ମାତ୍ର ୨ ହଜାର ହେକ୍ଟର ଅଂଚଳ ଜଳସେଚିତ ହୋଇପାରିବ  । ଏଥିପାଇଁ କୌଣସି ଅନୁମତି ନେବାର ଆବଶ୍ୟକତା ନାହିଁ  । ଖାଲି ଛତିଶଗଡ଼ ନୁହେଁ ଅନେକ ରାଜ୍ୟରେ ଏଭଳି ପ୍ରକଳ୍ପ ହୋଇଥିବାବେଳେ ଭାରତ ସରକାର ନିଜ ଅର୍ଥରେ ତାହା କରିଛନ୍ତି  । ଓଡ଼ିଶାରେ ମଧ୍ୟ ଏଭଳି ହୋଇଛି  । ଏଥିପାଇଁ ଓଡ଼ିଶା ସରକାରଙ୍କୁ ମଧ୍ୟ ଅନୁମତି ନେବା ଦରକାର ପଡ଼ିନାହିଁ  । ତେବେ ଓଡ଼ିଶାର ମୂଳ ସମସ୍ୟା ହେଉଛି, ବର୍ଷା ଋତୁରେ ଯେଉଁ ବନ୍ୟା ଆସୁଛି ସେଥିରେ ଓଡ଼ିଶାର ୮୦୦ କୋଟି ଟଙ୍କା କ୍ଷତି ହେଉଥିବାବେଳେ ୫୦ ଲକ୍ଷ ହେକ୍ଟର ଜମିରେ ବନ୍ୟା ଜଳ ମାଡ଼ିଯାଉଛି  । କିନ୍ତୁ ଅଣମୌସୁମୀ ଋତୁରେ ପାଣି ହ୍ରାସ ପାଉଛି  । ଏହା ଓଡ଼ିଶାର ସମସ୍ୟା  । ଏଥିପାଇଁ ଭାରତ ସରକାର ବହୁ ପ୍ରକଳ୍ପ କରିଛନ୍ତି  । ହିମାଳୟରୁ ବାହାରିଥିବା ନଦୀ ଓ ଅନ୍ୟ ଅଂଚଳର ନଦୀ ପାଣି ସଂରକ୍ଷଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି  । ଗୋଦାବରୀ ନଦୀର ପ୍ରାୟ ୩ ହଜାର ଟିଏମସି ପାଣି ସମୁଦ୍ରକୁ ଯାଉଛି  । ତେବେ ଓଡ଼ିଶାରେ ପାଣି କମ୍ ହେବନାହିଁ ବୋଲି ସେ ଆଶ୍ୱସ୍ତ କରୁଛନ୍ତି  । ଓଡ଼ିଶାରେ ଯେଉଁ ହୀରାକୁଦ ବନ୍ଧ ଅଛି ତାହାର ୪.୫% ଅଧିକ ପାଣି ଷ୍ଟୋରେଜ କାପାସିଟ ବହି ଯାଉଛି  । ତେଣୁ ଜଳର ସଂରକ୍ଷଣ ଓ ଜଳ ପରିଚାଳନାର ଆବଶ୍ୟକତା ରହିଛି  । ଆଜି ବି ଯେତିିକି ପାଣି ଅଛି, ଓଡ଼ିଶା ଯେତିକି ଚାହୁଁଛି ନେଇଯାଉ  । ଯେତିକି ଛତିଶଗଡ଼ ଚାହୁଁଛି ସେତିକି ଛତିଶଗଡ଼ ନେଉ  । ପାଣି ସମୁଦ୍ରକୁ ବହି ଯାଉଛି  । ଆମେ ତାହାର ଅଧ୍ୟୟନ କରିଛୁ  ।
    ମହାନଦୀରେ ୫୧ ବିସିଏମ ପାଣି ଅଛି  । ମହାନଦୀରୁ ଛତିଶଗଡ଼ର ସର୍ବାଧିକ ଆବଶ୍ୟକତା ୩୩ ବିସିଏମ ରହିଥିବାବେଳେ ଓଡ଼ିଶାର ଆବଶ୍ୟକତା ୨୬ ବିସିଏମ ରହିଛି  । ସେହିପରି ରିଜେନେରେସନ ବାବଦରେ ୧୮ ବିସିଏମ ପାଣି ଉପଲବ୍ଧ ହେଉଛି  । ଏହି ପରି ଭାବେ ୫୧ ଓ ୧୮ ଅର୍ଥାତ୍ ୬୯ ବିସିଏମ ପାଣିରୁ ଛତିଶଗଡ଼ ପାଇଁ ୩୩ ବିସିଏମ ଓ ଓଡ଼ିଶା ପାଇଁ ୨୬ ବିସିଏମ ପାଣି ରହିଥିବାବେଳେ ବାକି ୧୦ ବିସିଏମ ପାଣି ସମୁଦ୍ରକୁ ବହିଯାଉଛି  । ଦ୍ୱିତୀୟ କଥା ହେଉଛି ପାଣିର ଅଭାବ ନାହିଁ  । ଯେତେବେଳେ ଏହି ବିବାଦ ଉଠିଲା ସେତେବେଳେ ସେ ନୂଆ ମନ୍ତ୍ରୀ ଥିଲେ  । ପୁରୁଣା ମନ୍ତ୍ରୀ ବହୁ ଚେଷ୍ଟା କରିଥିଲେ  । ମୁଁ ମୁଖ୍ୟମନ୍ତ୍ରୀଙ୍କୁ କାଲି ପତ୍ର ଲେଖିଛି  । ଆପଣ ଆସନ୍ତୁ  । ମୁଁ ମହାରାଷ୍ଟ୍ର ଓ ଗୁଜୁରାଟ ମଧ୍ୟରେ ଥିବା ବିବାଦର ସମାଧାନ କରିଛି  । ମଧ୍ୟପ୍ରଦେଶ ଓ ଉତରପ୍ରଦେଶର କେନ ବେତୱା ବୁନେ୍ଦଲଖଣ୍ଡ ବିବାଦର ବି ସମାଧାନ କରିଛି  । ଭାରତ ସରକାର ଓଡ଼ିଶା ସହ ଅନ୍ୟାୟ କରିବେ ନାହିଁ  । ଓଡ଼ିଶାକୁ ପାଣି ଦେବା ଓ ସାହାଯ୍ୟ କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ  । ମୁଁ ପାଣି ସମସ୍ୟାକୁ ବୁଝୁଛି  । ତେଣୁ ପୁଣି ଥରେ ମୋ ପାଖକୁ ଆସନ୍ତୁ ସମାଧାନ ନହେଲେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରନ୍ତୁ  । ହେଲେ ଆପଣ ଆସୁନାହାନ୍ତି, କାଗଜ ବି ଦେଉନାହାନ୍ତି  । ରିପୋର୍ଟ ମଧ୍ୟ ଦେଉନାହାନ୍ତି କିନ୍ତୁ ଟ୍ରିବୁନାଲ କଥା କହୁଛନ୍ତି  । 
    ଗଡ଼କରୀ ଏହା କହୁଥିବାବେଳେ ସାଂସଦ ଭର୍ତୃହରି ମହତାବ ନିଜ ଆସନରେ ଠିଆ ହୋଇ କହିଲେ, ମ୍ୟାଡ଼ାମ, ସେ ଭୁଲ କହୁଛନ୍ତି  ।
    ତେବେ ବାଚସ୍ପତି କହିଥିଲେ, ମହତାବଜୀ ତାଙ୍କୁ ସମ୍ପୂର୍ଣ୍ଣ କରିବାକୁ ଦିଅନ୍ତୁ  । ମୁଁ ଆପଣଙ୍କୁ ମଧ୍ୟ ଅନୁମତି ଦେବି ବୋଲି କହିଥିଲେ  ।
    ପରେ ମନ୍ତ୍ରୀ ନୀତିନ ଗଡ଼କରୀ କହିଥିଲେଯେ, ମୁଁ କୌଣସି ଅଭିଯୋଗ କରୁନାହିଁ  । ଯଦି କିଛି ଅଭିଯୋଗ କରିଥାଏ ତେବେ ଫେରାଇ ନେଉଛି  । ମୁଁ ଆପଣଙ୍କୁ ଜଣାଇଦେବାକୁ ଚାହୁଁଛିଯେ, ଏଥିପାଇଁ ବାରବାର ତିନୋଟି କମିଟି କରାଯାଇଛି  । ଛତିଶଗଡ଼ କାଗଜପତ୍ର ଦେଲେ ହେଲେ ଓଡ଼ିଶା ସରକାର କୌଣସି କାରଣବଶତଃ କାଗଜପତ୍ର ଦେଇପାରିନାହାନ୍ତି  । ମୋର କହିବା କଥା ହେଉଛି ସବୁ କଥା ଛାଡ଼ି ଦିଅନ୍ତୁ  । ଯଦି ଆପଣଙ୍କୁ ପାଣି ଦରକାର, ଆମେ ପାଣି ଦେବାକୁ ପ୍ରସ୍ତୁତ  । ଆପଣ ଆସନ୍ତୁ  । ଆଲୋଚନା କରନ୍ତୁ  । ଓଡ଼ିଶା ସହିତ କୌଣସି ପ୍ରକାର ଅନ୍ୟାୟ ହେବନାହିଁ  । ମହାନଦୀରେ ଯେଉଁ ୫୭% ପାଣି ଆସୁଛି ତାହାର କ୍ୟାଚମେଂଟ ଏରିଆ ଛତିଶଗଡ଼ରେ ମଧ୍ୟ ଅଛି  । ଏହାର ୫୪% ଅଂଚଳ ସେମାନଙ୍କର  । ପ୍ରାୟ ୪୭% ଅଂଚଳ ଆପଣଙ୍କର  । ଏକ ଦେଢ଼ ପ୍ରତିଶତ ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶର  । ତେଣୁ ସେହି ଅନୁପାତରେ ଓଡ଼ିଶାକୁ ଅଧିକ ପାଣି ଦେବାକୁ ଆମେ ପ୍ରସ୍ତୁତ  । ଏନେଇ ଆଲୋଚନା କରିବାକୁ ସେ ଅନୁରୋଧ କରିଥିଲେ  ।
    ଏସଂକ୍ରାନ୍ତରେ ପୁଣିଥରେ ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ କହିଲେଯେ, ମନ୍ତ୍ରୀ ମହୋଦୟ ହୀରାକୁଦ ବନ୍ଧକୁ ଅସୁଥିବା ସର୍ବନିମ୍ନ ଜଳସ୍ରୋତ ସମ୍ପର୍କରେ ତଥ୍ୟ ରଖିଛନ୍ତି  । ତେବେ ତାଙ୍କ ପାଖରେ ମଧ୍ୟ ଏସଂକ୍ରାନ୍ତୀୟ ତଥ୍ୟ ରହିଛି  । ୨୦୧୬-୧୭ ଅଣମୌସୁମୀ ସମୟରେ ମହାନଦୀ ଉପରମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ନଭେମ୍ବରରେ ୪୧.୧%, ଡିସେମ୍ବରରେ ୩୨.୮%, ଜାନୁଆରୀରେ ୩୧.୧%, ଫେବୃଆରୀରେ ୩୯.୧% ଓ ମାର୍ଚ୍ଚରେ ୨୭.୬% ପାଣି ଆସିଛି  । ଗ୍ରୀଷ୍ମଋତୁରେ ମହାନଦୀରେ ୫୦% କମ୍ ପାଣି ବୋହୁଛି  । କେଉଁ ମାସରେ ୪୧% ତ କେଉଁ ମାସରେ ୨୧% ଓ କେଉଁ ମାସରେ ୨୫% ପାଣି ଆସୁଛି  । ତେଣୁ କେନ୍ଦ୍ର ସରକାର ଏହି ଜଳ ପରିଚାଳନା ପାଇଁ କି ପଦ୍ଧତି ଆପଣାଇଛନ୍ତି ବୋଲି ସାଂସଦ ଶ୍ରୀ ପ୍ରଧାନ ପ୍ରଶ୍ନ କରିଥିଲେ  । ସେହିପରି ଓଡ଼ିଶା ଟ୍ରିବୁନାଲ ଗଠନ ପାଇଁ ଦାବି କରୁଥିବାବେଳେ ଏନେଇ ମନ୍ତ୍ରୀ ସ୍ପଷ୍ଟ ଉତର ରଖନ୍ତୁ ବୋଲି ସେ ଦାବି କରିଥିଲେ  ।
    କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଥିଲେଯେ, ମ୍ୟାଡ଼ାମ ମାନ୍ୟବର ସାଂସଦ ଠିକ କହୁଛନ୍ତି । ବର୍ଷା ଋତୁ ପରେ ନଦୀର ସ୍ରୋତ ହ୍ରାସ ପାଇଥାଏ  । ଅକ୍ଟୋବର, ନଭେମ୍ବର, ଡିସେମ୍ବର, ଜାନୁଆରୀ, ଫେବୃଆରୀ, ମାର୍ଚ୍ଚ ଓ ଅପ୍ରେଲରେ ପାଣି ସମସ୍ୟା ହୋଇଥାଏ । ବର୍ଷାଦିନେ ବନ୍ୟା ଆସୁଥିବାରୁ ଓଡ଼ିଶାର ୮୦୦ କୋଟି କ୍ଷତି ହେଉଥିବାବେଳେ ୫୦ ଲକ୍ଷ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଥାଏ  । ବର୍ଷା ଦିନେ ଯେଉଁ ବନ୍ୟା ଆସୁଛି ଯଦି ଛତିଶଗଡ଼ ଓ ଓଡ଼ିଶା ସରକାର ଦୁଇ ରାଜ୍ୟ ମିଳିମିଶି ସେହି ପାଣିକୁ ୱାଟର ଷ୍ଟୋରେଜକୁ ଡାଇଭର୍ଟ କରନ୍ତି ତେବେ ଭାରତ ସରକାର ଏଭଳି ପ୍ରକଳ୍ପ ପାଇଁ ଅର୍ଥ ଦେବାକୁ ପ୍ରସ୍ତୁତ  । ଯାହାଫଳରେ ମାର୍ଚ୍ଚ-ଅପ୍ରେଲରେ ପାଣି କମିଲେ ତାହାକୁ ବ୍ୟବହାର କରାଯାଇପାରିବ  । ସେହିପରି ବନ୍ୟା ସମସ୍ୟା ମଧ୍ୟ ଦୂରୀଭୂତ ହୋଇପାରିବ  । ଆଉ ରହିଲା ଟି୍ରବୁନାଲ କଥା, ଯଦି ଦୁଇ ରାଜ୍ୟ ମଧ୍ୟରେ ବିବାଦର ସମାଧାନ ନହୁଏ ତେବେ ଟ୍ରିବୁନାଲ ଗଠନ ନେଇ ଆମର ଆପତି ନାହିଁ  । ଏହା ଦୁଇ ରାଜ୍ୟର ଅଧିକାର  । ତେବେ ଅଲଗା ଅଲଗା ଟ୍ରିବୁନାଲ ବଦଳରେ ଏକକ ଟ୍ରିବୁନାଲ ଗଠନ କରାଗଲେ ବିବାଦର ସମାଧାନ ଖୁବଶୀଘ୍ର ହୋଇପାରିବ  । ଏଥିପାଇଁ ଆଇନ ଆଣିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି  । ଏନେଇ ଷ୍ଟାଣ୍ଡିଂ କମିଟି କେତେକ ସୁପାରିଶ କରିଥିବାବେଳେ ଆଇନ ମନ୍ତ୍ରଣାଳୟ ଏହାର ତର୍ଜମା କରୁଛି  । ତିନି ଚାରି ମାସ ମଧ୍ୟରେ ଏହା ହୋଇଯିବ  । ସେଥିପାଇଁ ଆମେ ଅଟକିଥିଲୁ  । ୨୮-୩୦ ବର୍ଷ ଧରି ମାମଲା ଚାଲିଥିଲେ ମଧ୍ୟ ଟ୍ରିବୁନାଲରେ କୌଣସି ଫଇସଲା ହୋଇପାରୁନାହିଁ  । ତେଣୁ ଆଲୋଚନା ମାଧ୍ୟମରେ ସମାଧାନ ନହେଲେ ସୁପ୍ରିମକୋର୍ଟ କିମ୍ବା ଟି୍ରବୁନାଲର ଅଧିକାର ରହିଛି  । ସମୁଦ୍ରକୁ ଯେଉଁ ପାଣି ଚାଲିଯାଉଛି ସେଥିପାଇଁ ଦେଶରେ କେହି ବି ପ୍ରତିବାଦ କରୁନାହାନ୍ତି  । ବର୍ଷା ଦିନେ ୬୮ରୁ ୭୦% ପାଣି ସମୁଦ୍ରକୁ ଚାଲିଯାଉଛି  । ଏହାକୁ ରୋକିବା ପାଇଁ କେହି ଆଲୋଚନା କରୁନାହାନ୍ତି  । ଆମ ଦେଶ ଏକ  । ଆମେ ସମସ୍ତେ ମିଳିମିଶି ଏହାର ବିକାଶ କରିବା ଦରକାର  । ହେଲେ ଛୋଟ ଛୋଟ ବିବାଦକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଲଢେ଼ଇ ହେଉଛି  । ତେଣୁ ପୁଣିଥରେ ଆପଣଙ୍କ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସାଂସଦମାନେ ଆସନ୍ତୁ ଏନେଇ ଆଲୋଚନା କରିବା  । ସେହିପରି ଦୁଇ ରାଜ୍ୟର ବିବାଦ ସମାଧାନ ପାଇଁ ଯଦି ଅର୍ଥ ଆବଶ୍ୟକ ପଡେ଼ ତେବେ ଭାରତ ସରକାର ଏହି ଅର୍ଥ ବହନ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଗଡ଼କରୀ କହିଥିଲେ  । ଏଥିପାଇଁ ଆପଣ କାହିଁକି ଆଗକୁ ଆସୁନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ  ।
    ଏହି ପ୍ରସଙ୍ଗରେ ବଲାଙ୍ଗୀର ସାଂସଦ କଳିକେଶ ସିଂହଦେଓ ପ୍ରଶ୍ନ କରିଥିଲେ  । ସେ କହିଲେଯେ, ଏବେ ଯେଉଁ କଥା କେନ୍ଦ୍ର ସରକାର କହୁଛନ୍ତି ସେହି କଥା ୨୦୧୪ରେ କହିଥିଲେ ଭଲ ହୋଇଥା’ନ୍ତା  । ସେତେବେଳେ ଛତିଶଗଡ଼ର ପ୍ରକଳ୍ପ କାର୍ଯ୍ୟ ବନ୍ଦ କରି ଆମ କଥା ଶୁଣିବାର ଥିଲା  । ତେଣୁ କେଉଁ ମୁହଁରେ ଓ କେଉଁ ବିଶ୍ୱାସ ନେଇ ଆମେ ସରକାରଙ୍କ ପାଖକୁ ଯିବୁ  । ୧୯୫୬ ଆନ୍ତଃରାଜ୍ୟ ନଦୀ ବିବାଦ ଆଇନ ଅନୁଯାୟୀ ବର୍ଷକ ମଧ୍ୟରେ ଟି୍ରବୁନାଲ ଗଠନର ବ୍ୟବସ୍ଥା ରହିଛି  । ଏକ ବର୍ଷ ଅତିକ୍ରମ କରିସାରିଲାଣି  । ଆପଣ ବିବାଦର ସମାଧାନ କରିବାକୁ ଚାହୁଁଛନ୍ତି, ନୂଆ ଆଇନ ଆଣିବାକୁ ଯାଉଛନ୍ତି ଏହା ସବୁ ବାହାନା ମାତ୍ର  । ଏବେ ଯେଉଁ ଆଇନ ଅଛି ସେହି ଅନୁଯାୟୀ ପଦକ୍ଷେପ ଗ୍ରହଣ କରନ୍ତୁ  । ଆମେ ବହୁବାର ଭାରତ ସରକାରଙ୍କୁ ଅନୁରୋଧ କରିଛୁ  । ହେଲେ ଏଯାବତ୍ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ  । ଆଇନକୁ କାହିଁକି ଭାରତ ସରକାର ପାଳନ କରିନାହାନ୍ତି ବୋଲି କଳିକେଶ ପ୍ରଶ୍ନ କରିଥିଲେ  ।
    ଏନେେଇ ନୀତିନ ଗଡ଼କରୀ କହିଥିଲେଯେ, ଏକ ବର୍ଷ ମଧ୍ୟରେ ଟ୍ରିବୁନାଲ ଗଠନର ବ୍ୟବସ୍ଥା ରହିଛି  । ତେବେ ଆଜି ପର୍ଯ୍ୟନ୍ତ କୌଣସି ଗୋଟିଏ ବି ଟ୍ରିବୁନାଲ ବର୍ଷକ ମଧ୍ୟରେ ହୋଇନାହିଁ  । ଏହାର ଆଇନଗତ ବ୍ୟବସ୍ଥା ପାଇଁ ସମୟ ଲାଗିଥାଏ  । ଟ୍ରିବୁନାଲ ଯିବା ଓଡ଼ିଶାର ଅଧିକାର ଓ ଟ୍ରିବୁନାଲ କରିବା ଆମର କର୍ତବ୍ୟ  । ଯଦି ଟ୍ରିବୁନାଲ ହୋଇଗଲେ କାଲି ତାଙ୍କୁ ପାଣି ମିଳିବ ତେବେ ଆଜି ୨୪ ଘଂଟା ମଧ୍ୟରେ ସମସ୍ତ ବିଧିବ୍ୟବସ୍ଥା କରିଦେଉଛୁ  । ଏଥିରେ କୌଣସି ସମସ୍ୟା ନାହିଁ  । ଟ୍ରିବୁନାଲରେ ୨୮/୩୦ ବର୍ଷରେ ବି ଫଳ ମିଳୁନାହିଁ  । ତେଣୁ ତାଙ୍କ ସହ ଆଠ ପନ୍ଦର ଦିନ ବସି ଆଲୋଚନା କରନ୍ତୁ  । କିନ୍ତୁ ଟ୍ରିବୁନାଲର ଜିଦ କାହିଁକି କରୁଛନ୍ତି  । ଯଦି ରାଜନୈତିକ ଦୃଷ୍ଟିକୋଣରୁ କରୁଥା’ନ୍ତି ତେବେ ଏକଥା ଜାଣି ରଖିବା ଦରକାର ସେ ମନ୍ତ୍ରୀ ହେବା ପୂର୍ବରୁ ଭାରତରେ ୪୬୧୦ କିଲୋମିଟର ଜାତୀୟ ରାଜପଥ ଥିଲା  । ହେଲେ ସାଢେ଼ ୩ ବର୍ଷ ମଧ୍ୟରେ ତାହାକୁ ଦୁଇଗୁଣା କରିଦେଲେ  । ପାରାଦୀପ ବନ୍ଦରରେ ୩୫ ହଜାର କୋଟିର ନିବେଶ ହୋଇଛି  । ରେଳବାଇ ବଜେଟରେ ଓଡ଼ିଶାକୁ ୫୧୦୨ କୋଟି ମିଳିଛି  । ପେଟ୍ରୋଲିୟମ ମନ୍ତ୍ରୀ ୧ ଲକ୍ଷ ୨୬ ହଜାର ୬୮୨ କୋଟି ଟଙ୍କା ନିବେଶ କରୁଛନ୍ତି  । ଆମେ ଯେତେବେଳେ ଦୁଇଗୁଣା ତିନିଗୁଣା କାମ କରୁଛି ସେତେବେଳେ ଓଡ଼ିଶାକୁ ଆମେ କାହିଁକି ବିରୋଧ କରିବୁ ? ଆପଣ ଅଲଗା ଦଳର ହେଲେ ବି ଆମେ ବିରୋଧ କରିବୁନି ବୋଲି ଗଡ଼କରୀ କହିଥିଲେ  ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook